Advertisment

ପୁଣି ଜିଲ୍ଲା ଗସ୍ତରେ ଯିବେ ସବୁ ସଚିବ, ପାରଦର୍ଶିତା ପାଇଁ ଆସିବ ନୂଆ ଟେକ୍ନୋଲୋଜି

ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ତଥ୍ୟ ଆଦିକୁ ଭଲ ଭାବେ ଅନୁଧ୍ୟାନ କରିବାକୁ ସଚିବମାନଙ୍କୁ ପରାମର୍ଶ ଦିଆଯାଇଛି, ଯାହାକି ସେମାନଙ୍କୁ ଉପଯୁକ୍ତ ନିଷ୍ପତ୍ତି ନେବାରେ ସହାୟକ ହୋଇପାରିବ।

Loka Seva Bhavan

Loka Seva Bhavan

Advertisment

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଭାଗୀୟ ସଚିବମାନଙ୍କୁ ଜିଲ୍ଲା ଗସ୍ତରେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜେଡି ସରକାରରେ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଯୋଗୁ ବିଭାଗୀୟ ସଚିବମାନଙ୍କ ଜିଲ୍ଲା ଗସ୍ତ ଉପରେ ଅଘୋଷିତ କଟକଣା ଲାଗିଥିଲା । ସେହିପରି ସରକାରୀ କାର୍ଯ୍ୟକ୍ରମର ପରିଚାଳନା ଓ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ପାଇଁ ନୂଆ ଟେକ୍ନୋଲୋଜି ଲାଗୁ କରିବାକୁ ସଚିବମାନଙ୍କୁ ପରାମର୍ଶ ଦିଆଯାଇଛି ।

Advertisment

ସୂଚନା ଅନୁସାରେ, ବିଭାଗୀୟ ସଚିବମାନଙ୍କୁ ସର୍ବନିମ୍ନ ୨ଦିନ ଜିଲ୍ଲା ଗସ୍ତରେ ଯିବା ପାଇଁ ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇସାରିଛନ୍ତି । ସଚିବମାନେ ଜିଲ୍ଲାଗସ୍ତରେ ଯାଇ ସରକାରଙ୍କ ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟାନ୍ୱୟନର ତଦାରଖ କରିବା ସହ ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ସେବା ପ୍ରଭାବୀ ଢଙ୍ଗରେ ମିଳୁଛି କି ନାହିଁ ତାହା ଦେଖିବେ । ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ କିଭଳି ଅଧିକ ସଫଳତାର ସହ କାର୍ଯ୍ୟକାରୀ କରିହେବ ସେନେଇ ମଧ୍ୟ ମତାମତ ଦେବାକୁ ସଚିବମାନଙ୍କୁ କୁହାଯାଇଛି । ଏହାସହିତ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ତଥ୍ୟ ଆଦିକୁ ଭଲ ଭାବେ ଅନୁଧ୍ୟାନ କରିବାକୁ ସଚିବମାନଙ୍କୁ ପରାମର୍ଶ ଦିଆଯାଇଛି, ଯାହାକି ସେମାନଙ୍କୁ ଉପଯୁକ୍ତ ନିଷ୍ପତ୍ତି ନେବାରେ ସହାୟକ ହୋଇପାରିବ। ଏବେ ସଚିବମାନେ ପୂର୍ବଭଳି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନର ତଦାରଖ କରିପାରିବେ। ପାଣ୍ଡିଆନଙ୍କ ଭାବମୂର୍ତ୍ତି ବଢ଼ାଇବା ଓ ଅନ୍ୟ ସଚିବମାନଙ୍କୁ ତୁଚ୍ଛ ଦେଖାଇବା ପାଇଁ ତତକାଳୀନ ନବୀନ ପଟ୍ଟନାୟକ ସରକାର ବିଭାଗୀୟ ସଚିବମାନଙ୍କ ଜିଲ୍ଲା ଗସ୍ତ ଉପରେ ଅଘୋଷିତ କଟକଣା ଜାରି କରିଦେଇଥିଲେ । ପାଣ୍ଡିଆନଙ୍କ ପ୍ରଭାବରେ ସଚିବମାନେ ଏକାକୀ ଜିଲ୍ଲା ଗସ୍ତରେ ଯିବା କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ଏକରକମ ବାଧ୍ୟ ହେଉଥିଲେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି ।

କେବଳ ସେତିକି ନୁହେଁ, ମୋହନ ମାଝୀଙ୍କ ସରକାର ସମସ୍ତ ବିଭାଗକୁ ସେମାନଙ୍କ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟାପକ ଅନୁଧ୍ୟାନ ଓ ରିପୋର୍ଟ ଆଦି ପ୍ରସ୍ତୁତ କରି ସେସବୁକୁ ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଆଉ ରାଜ୍ୟ ସରକାର ସ୍ୱତନ୍ତ୍ର ୱେବସାଇଟ୍  କରି ସେହି ସମସ୍ତ ତଥ୍ୟକୁ ସେଥିରେ ଅପଲୋଡ୍ କରାଇବେ, ଯାହାକୁ ‘ନଲେଜ ବ୍ୟାଙ୍କ’ ଭାବେ ଉପଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

ସେହିପରି ନବୀନ ପଟ୍ଟନାୟକ ସରକାରରେ ବହୁ ପ୍ରଚାରିତ ‘ଫାଇଭ-ଟି’କୁ ମୋହନ ସରକାର ବନ୍ଦ କରିଦେଇଥିବାରୁ ଏବେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ପାଇଁ ନୂଆ ଟେକ୍ନୋଲୋଜି(ଜ୍ଞାନକୌଶଳ) ଲାଗୁ କରିବାକୁ ମଧ୍ୟ କୁହାଯାଇଛି । ଏହି ନୂଆ ଟେକ୍ନୋଲୋଜି ମାଧ୍ୟମରେ ସରକାରୀ ବ୍ୟବସ୍ଥା ଓ କାର୍ଯ୍ୟକ୍ରମଗୁଡ଼ିକରେ ପାରଦର୍ଶିତା ସହ ଉତ୍ତରଦାୟିତ୍ୱ ଆଣିବାକୁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe