Advertisment

‘ସମ୍ବିଧାନ ମୁଖବନ୍ଧରୁ ଧର୍ମ ନିରପେକ୍ଷ ଓ ସମାଜବାଦୀ ଶବ୍ଦ ଗାଏବ’

ସମ୍ବିଧାନ କପିର ମୁଖବନ୍ଧରୁ ଅତି ସତର୍କତାର ସହ ଏହି ଦୁଇ ଶବ୍ଦକୁ ଅପସାରଣ କରି ନିଆଯାଇଥିବା ଅଭିଯୋଗ କରିଛି କଂଗ୍ରେସ ।

author-image
Niharika Rout
ଅଦ୍ୟତନ ହୋଇଛି
Congress MP

Congress MP

ସମ୍ବିଧାନର ମୁଖବନ୍ଧରୁ ଗାଏବ ହୋଇଗଲା ଧର୍ମ ନିରପେକ୍ଷ ଓ ସମାଜବାଦୀ ଶବ୍ଦ। ଗତକାଲି ନୂତନ ସଂସଦ ଭବନରେ ମିଳିତ ଅଧିବେଶନ ହୋଇଥିବା ବେଳେ ସବୁ ସାଂସଦଙ୍କୁ ଦିଆଯାଇଥିଲା ସମ୍ବିଧାନ ବହି। ମାତ୍ର ଉକ୍ତ ବହିର ମୁଖବନ୍ଧରୁ ଅତି ସତର୍କତାର ସହ ଏହି ଦୁଇ ଶବ୍ଦକୁ ଅପସାରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଗଣମାଧ୍ୟମ ସମ୍ମୁଖରେ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

Advertisment

ନୂତନ ସଂସଦରେ ପ୍ରବେଶ ପୂର୍ବରୁ ଆମ ହାତରେ ସମ୍ବିଧାନର ଗୋଟିଏ ଲେଖା କପି ଦିଆଯାଇଥିଲା। ମାତ୍ର ଏହାପରେ ଯାହା ଦେଖିଲୁ ଆମ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। କାରଣ ମୁଖବନ୍ଧରୁ ଧର୍ମ ନିରପେକ୍ଷ ଓ ସମାଜବାଦୀ ପରି ଶବ୍ଦକୁ ହଟାଇ ଦିଆଯାଇଥିବା ଦେଖିବାକୁ ପାଇଲୁ ବୋଲି କହିଛନ୍ତି ଅଧିର ରଞ୍ଜନ।

ଏଥିସହ ସେ କହିଛନ୍ତି, ୧୯୭୬ ମସିହାରେ ହୋଇଥିବା ସଂଶୋଧନ ପରେ ଏହି ୨ଟି ଶବ୍ଦକୁ ସମ୍ବିଧାନରେ ଅନ୍ତର୍ଭୁକ୍ତ କରାଯାଇଥିଲ। ମାତ୍ର ଏବେ କିପରି ତାହା ହଠାତ୍‌ ଗାଏବ ହୋଇଗଲା ତାହା ବୁଝା ପଡ଼ୁନି। 

Advertisment

ଏଥିନିମନ୍ତେ ସେ କ୍ଷମତାସୀନ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଖୁବ ସତର୍କତାର ସହ ଏପରି ସାଂଘାତିକ କାମ କରାଯାଇଥିବା ସେ କହିଛନ୍ତି। ସମ୍ବିଧାନରେ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରି ମଧ୍ୟ ସୁଯୋଗ ପାଇ ପାରି ନ ଥିବା ସେ କହିଛନ୍ତି।

ସୂଚୁନାଯୋଗ୍ୟ, ଗତକାଲିଠୁ ଦେଶକୁ ମିଳିଛି ନୂଆ ସଂସଦ ଭବନ। ନୂଆ ପାର୍ଲାମେଣ୍ଟ କୋଠାରେ ଗତକାଲି ମିଳିତ ଅଧିବେଶନ ବସିଥିବା ବେଳେ ଆସନ୍ତା ୨୨ ତାରିଖ ଯାଏଁ ସ୍ୱତନ୍ତ୍ର ଅଧିବେଶନ ଚାଲିବ ବୋଲି ଜଣାଯାଇଛି।

ନୂଆ ପାର୍ଲାମେଣ୍ଟ ୬୪ ହଜାର ୫୦୦ ବର୍ଗମିଟର ଅଞ୍ଚଳରେ ନିର୍ମାଣ କରାଯାଇଛି। ତ୍ରିଭୂଜାକାର ଏହି ସଂସଦ ଭବନକୁ ଗତ ମେ' ୨୮ରେ ଦେଶକୁ ଉତ୍ସର୍ଗ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଲୋକସଭାକୁ ଜାତୀୟ ପକ୍ଷୀ ମୟୂର ଭଳି ଡିଜାଇନରେ ସଜ୍ଜିତ କରାଯାଇଥିବା ବେଳେ ରାଜ୍ୟସଭାକୁ ଜାତୀୟ ପୁଷ୍ପ ପଦ୍ମ ଭଳି ଡିଜାଇନ କରାଯାଇଛି। ତ୍ରିକୋଣାକାର ୪ ମହଲାଯୁକ୍ତ ନୂଆ ସଂସଦ ଭବନ- ଇକୋ ଫ୍ରେଣ୍ଡଲି, ଦିବ୍ୟାଙ୍ଗ ଫ୍ରେଣ୍ଡଲି ଓ ଭୂକଂପରୋଧୀ। ସୌରଶକ୍ତି ବିନିଯୋଗ ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ରହିଛି।

ଏହି ଭବନରେ ୧୭ ଶହରୁ ଅଧିକ କବାଟ-ଝରକା, ସାଢ଼େ ୩ କିଲୋମିଟର ଲମ୍ବା କରିଡର ଏବଂ ୧୨୭୨ ସାଂସଦଙ୍କ ପାଇଁ ବସିବା ସୁବିଧା ରହିଛି। ଯାହାକି ପୁରୁଣା ପାର୍ଲାମେଣ୍ଟଠାରୁ ପ୍ରାୟ ୫୦୦ ଅଧିକ। ମିଳିତ ଅଧିବେଶନ ପାଇଁ କେବଳ ଲୋକସଭା ଗୃହ ହିଁ ପର୍ଯ୍ୟାପ୍ତ।

Congress New Parliament Building Constitution