/odisha-reporter/media/post_attachments/uploadimage/library/16_9/16_9_0/IMAGE_1756826459.jpg)
Semiconductor
ସ୍ୱଦେଶୀ ଜ୍ଞାନକୌଶଳରେ ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତିରେ ଓଡ଼ିଶାକୁ ଐତିହାସିକ ସଫଳତା ମିଳିଛି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ‘ସେମିକନ୍ ଇଣ୍ଡିଆ-୨୦୨୫’ର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାରେ ନିର୍ମିତ ତିନୋଟି ସେମିକଣ୍ଡକ୍ଟର ଚିପକୁ ପ୍ରଦାନ କରିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଚିପଗୁଡ଼ିକ ଓଡ଼ିଶାର ଶିକ୍ଷା ଅନୁଷ୍ଠାନମାନଙ୍କ ଉଦ୍ଭାବନୀ କ୍ଷମତାକୁ ପ୍ରତିଫଳିତ କରୁଛି ଏବଂ ରାଜ୍ୟକୁ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରୁଛି ।
ଓଡ଼ିଶାର ତିନୋଟି ‘ମେଡ୍ ଇନ୍ ଇଣ୍ଡିଆ’ ଚିପ୍
ଏହି ତିନୋଟି ଚିପ୍ ମଧ୍ୟରୁ ଦୁଇଟି ରାଉରକେଲାର ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜି (ଏନଆଇଟି) ଦ୍ୱାରା ଡିଜାଇନ କରାଯାଇଛି । ଭିଜି ଆପ୍ଲିଫାୟାର ଆଣ୍ଡ ସେନସର ସର୍କିଟ୍ (ସି୨ଏସ୦୦୧୮) ଏବଂ ପ୍ରେଜେଂଟ ଏନକ୍ରିପସନ କୋର (ସି୨ଏସ୍୦୦୧୭) । ତୃତୀୟ ଚିପ୍ ହେଉଛି- ହାଇ ପରଫର୍ମାନ୍ସ ମଲଟିପ୍ଲାୟାର ଆଇସି (ସି୨ଏସ୦୦୬୧) ଯାହାକି ବ୍ରହ୍ମପୁରସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ (ପିଏମଇସି) ଦ୍ୱାରା ବିକଶିତ ହୋଇଛି । ଏହି ଚିପଗୁଡ଼ିକ ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଉତ୍ପାଦନରେ ଓଡ଼ିଶାର ଅଗ୍ରଣୀ ଭୂମିକାକୁ ଦର୍ଶାଉଛି ।
ଓଡ଼ିଶା ପାଭିଲିୟନ: ରାଜ୍ୟର ସାମର୍ଥ୍ୟର ପ୍ରଦର୍ଶନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମିକନ୍ ଇଣ୍ଡିଆ-୨୦୨୫ ସମ୍ମିଳନୀରେ ଥିବା ‘ଓଡ଼ିଶା ପାଭିଲିୟନ’କୁ ଆଜି ଉଦଘାଟନ କରିଛନ୍ତି। ଏହି ପାଭିଲିୟନ ରାଜ୍ୟର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଉଦ୍ଭାବନୀ ସାମର୍ଥ୍ୟ, ପ୍ରଗତିଶୀଳ ନୀତି, ଏବଂ ବିନିଯୋଗ-ଅନୁକୂଳ ପରିବେଶକୁ ପ୍ରଦର୍ଶନ କରିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜକୁ ତାଙ୍କର ହାଇ ପରଫର୍ମାନ୍ସ ମଲ୍ଟିପ୍ଲାୟାର ଆଇସି ପାଇଁ ପ୍ରଶଂସା କରି କହିଛନ୍ତି, ମୁଁ ପିଏମଇସି ବ୍ରହ୍ମପୁରକୁ ସି୨ଏସ୦୦୬୧ ଚିପ୍ ବିକାଶ ପାଇଁ ଅଭିନନ୍ଦନ ଜଣାଉଛି । ଏହା ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ ।
ଭାରତର ସେମିକଣ୍ଡକ୍ଟର ସଫଳତାରେ ଓଡ଼ିଶାର ଭୂମିକା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀକୁ ଉଦଘାଟନ କରି କହିଛନ୍ତି ଯେ, “୨୦୨୧ରୁ ଏଯାଏ ୧୮ ବିଲିୟନ ଡଲାରର ୧୦ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ଭାରତରେ ମଞ୍ଜୁରୀ ଦିଆଯାଇଛି । ବିଶ୍ୱ ସେମିକଣ୍ଡକ୍ଟର ବଜାରରେ ଭାରତର ସ୍ଥିତି ବେଶ୍ ଉଜ୍ୱଳ । ଭାରତକୁ ଏବେ ସମଗ୍ର ବିଶ୍ୱ ଭରସା କରୁଛି ଓ ଭାରତ ସହିତ ସେମିକଣ୍ଡକ୍ଟର ଭବିଷ୍ୟତ ଗଢ଼ିବାକୁ ପ୍ରସ୍ତୁତ । ଗତ ଶତାବ୍ଦୀ ତୈଳ ଦ୍ୱାରା ଆଧାରିତ ଥିଲା, କିନ୍ତୁ ଭବିଷ୍ୟତ ସେମିକଣ୍ଡକ୍ଟର ଚିପ ଦ୍ୱାରା ନିର୍ଦ୍ଧାରିତ ହେବ । ବିଶ୍ୱ ସେମିକଣ୍ଡକ୍ଟର ବଜାର ଏବେ ୬୦୦ ବିଲିୟନ ଡଲାରରୁ ଖୁବଶୀଘ୍ର ଏକ ଟ୍ରିଲିୟନ ଡଲାରକୁ ଅତିକ୍ରମ କରିବ ବୋଲି ସେ ଆକଳନ କରିଛନ୍ତି, ଏବଂ ଭାରତ ଏହି କ୍ଷେତ୍ରରେ ଏକ ପ୍ରମୁଖ ଖେଳାଳି ଭାବେ ଉଭା ହେବ । ଓଡ଼ିଶାର ଏହି ଅବଦାନ ରାଜ୍ୟର ଶିକ୍ଷା ଅନୁଷ୍ଠାନମାନଙ୍କର ଉଚ୍ଚମାନର ଗବେଷଣା ଓ ଉଦ୍ଭାବନୀ କ୍ଷମତାକୁ ପ୍ରମାଣ କରୁଛି । ଏନଆଇଟି ରାଉରକେଲା ଓ ପିଏମଇସି ବ୍ରହ୍ମପୁର ଦେଶର ପ୍ରଥମ ସ୍ୱଦେଶୀ ଚିପଗୁଡ଼ିକ ବିକଶିତ କରି ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ପ୍ରତିଷ୍ଠିତ କରିଛନ୍ତି ।
ଓଡ଼ିଶାର ଭବିଷ୍ୟତ: ଏକ ଟେକ୍ନୋଲୋଜି ହବ୍
ଓଡ଼ିଶାର ଏହି ସଫଳତା ରାଜ୍ୟର ଶିକ୍ଷା, ଗବେଷଣା ଓ ଉଦ୍ଭାବନୀ କ୍ଷେତ୍ରରେ ଅଗ୍ରଗତିର ପ୍ରମାଣ । ରାଜ୍ୟ ସରକାରଙ୍କ ପ୍ରଗତିଶୀଳ ନୀତି ଓ ବିନିଯୋଗ-ଅନୁକୂଳ ପରିବେଶ ଓଡ଼ିଶାକୁ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳୁଛି । ଏନଆଇଟି ରାଉରକେଲା ଓ ପିଏମଇସି ବ୍ରହ୍ମପୁର ପରି ଅନୁଷ୍ଠାନଗୁଡ଼ିକର ଅବଦାନ ରାଜ୍ୟର ଯୁବପିଢ଼ି ଓ ଶିକ୍ଷାବିତମାନଙ୍କର ସାମର୍ଥ୍ୟକୁ ଦର୍ଶାଉଛି । ସେମିକନ୍ ଇଣ୍ଡିଆ ୨୦୨୫ରେ ଓଡ଼ିଶାର ଏହି ଅବଦାନ କେବଳ ରାଜ୍ୟ ନୁହେଁ, ସମଗ୍ର ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଏହା ଦେଶର ସ୍ୱଦେଶୀ ଉତ୍ପାଦନ ଓ ଟେକ୍ନୋଲୋଜି କ୍ଷେତ୍ରରେ ସ୍ୱାବଲମ୍ବୀର ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ।
ସୂଚନାଯୋଗ୍ୟ, ନୂଆଦିଲ୍ଲୀର ଯଶୋଭୂମିଠାରେ ସେପ୍ଟେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ସେମିକନ୍ ଇଣ୍ଡିଆ-୨୦୨୫ ସମ୍ମିଳନୀ ଆୟୋଜିତ ହୋଇଛି । ଏହା ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ୍) ଏବଂ ବିଶ୍ୱ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ଆସୋସିଏସନ ସେମି ଦ୍ୱାରା ମିଳିତ ଭାବେ ଆୟୋଜିତ ହେଉଛି । ଏହି ସମ୍ମିଳନୀ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ବିଶ୍ୱସ୍ତରୀୟ ମାନଚିତ୍ରରେ ପ୍ରତିଷ୍ଠିତ କରାଇବାକୁ ଲକ୍ଷ୍ୟ ରଖାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
