“ଏବେ ପ୍ୟାରୀ ମହାପାତ୍ର କି ଭିକେ ପାଣ୍ଡିଆନ ନାହାନ୍ତି ଯେ ସେମାନଙ୍କୁ କର୍ମୀ-ନେତା ଭୁଲ୍ ବୁଝିବେ । ଯାହାସବୁ ଦଳରେ ଏବେ ହେଉଛି ସେଥିପାଇଁ ଆପଣ ହିଁ ସିଧାସଳଖ ଦାୟୀ ରହିବେ ।” ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦଳର ବରିଷ୍ଠ ନେତାମାନଙ୍କ ଏଭଳି ମଧୁର-ଚେତାବନୀ ଯେତିକି ଅପ୍ରତ୍ୟାଶିତ ନଥିଲା ତା’ଠୁ ବେଶୀ ଆଶ୍ଚର୍ଯ୍ୟଜନକ ଥିଲା ନବୀନଙ୍କ ଧାଡ଼ିକିଆ ଜବାବ- ‘ଆଇ ୱିଲ୍ ରିମେମ୍ବର”।
ୱାକଫ୍ ସଂଶୋଧନ ବିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ଗୁରୁବାର ବିଜେଡିର ନାଟକୀୟ ଆଭିମୁଖ୍ୟକୁ ନେଇ ଦଳରେ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥିତି ମଧ୍ୟରେ ଶୁକ୍ରବାର ପୂର୍ବାହ୍ନରେ ଆଗଧାଡ଼ିର ଦଳୀୟ ନେତାମାନେ ନବୀନଙ୍କୁ ଭେଟି ସାଂଗଠନିକ ପରିଚାଳନା ଓ ଦଳର ଆଭିମୁଖ୍ୟକୁ ନେଇ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଉ ସେମାନଙ୍କ ସହ ନବୀନ ଯେଭଳି ଢଙ୍ଗରେ ଆଲୋଚନା କରିଛନ୍ତି ସେଥିରୁ ବିଜେଡି ଭବିଷ୍ୟତରେ ବିଜେପି ସହ ଲଢ଼ିବା ସ୍ଥିତିରେ ନଥିବା ଓ ନବୀନଙ୍କ ଦୋମୁହାଁ ଚରିତ୍ର ଏକରକମ ସ୍ପଷ୍ଟ ହୋଇଯାଇଛି ।
ଇସ୍ତଫା ଦେବାର ଚେତାବନୀ ପରେ ଭେଟିଲେ ନବୀନ
ରାଜ୍ୟସଭାରେ ୱକଫ୍ ବିଲ୍ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କୁ ସୁହାଇବା ଭଳି ଗତକାଲି ବିଜେଡିର ନିଷ୍ପତ୍ତିକୁ ନେଇ ଆଜି ରାଜ୍ୟ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ଶାସକ ବିଜେପି ସହ ଦଳର କର୍ମୀ ଓ ନେତାମାନେ ତୃଣମୂଳସ୍ତରରେ ଲଢ଼ୁଥିବାବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଜେପି ସରକାରଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନେବାକୁ କେହି ସହଜରେ ହଜମ କରିପାରିନାହାନ୍ତି । ଦଳର ବରିଷ୍ଠ ନେତାମାନେ ଶଙ୍ଖଭବନରେ ବସି ବୈଠକ କରି ଏଭଳି ନିଷ୍ପତ୍ତି କାହିଁକି ନିଆଗଲା ବୋଲି ତା’ର କାରଣ ଖୋଜିବା ସହ ନବୀନଙ୍କୁ ଭେଟି ସ୍ପଷ୍ଟୀକରଣ ମାଗିବାକୁ ସଜବାଜ ହୋଇଥିବାବେଳେ ଆଗଧାଡ଼ିର ୬-୭ଜଣ ନେତା ପୂର୍ବାହ୍ନରେ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିବା ଜଣାପଡ଼ିଛି । ନବୀନଙ୍କୁ ସ୍ୱାସ୍ଥ୍ୟ ଯାଂଚ ପାଇଁ ଡାକ୍ତର ଆସିଥିବାର ବାହାନା ଦେଖାଇ ଏହି ନେତାମାନଙ୍କୁ ପ୍ରଥମେ ଭେଟିବାର ସୁଯୋଗ ଦିଆଯାଇନଥିଲା । କିନ୍ତୁ ପରେ ସେମାନେ ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେବା ପରେ ନବୀନ ସେମାନଙ୍କୁ ଭେଟିଥିବା ସୂଚନା ମିଳିଛି ।
ଅସନ୍ତୋଷ ଝାଡ଼ିଲେ ନେତା
ୱକଫ୍ ବିଲ ପ୍ରସଙ୍ଗରେ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟକୁ ନେଇ ସୋସିଆଲ ମିଡିଆଠୁ ଆରମ୍ଭ କରି ରାଜ୍ୟର ସମସ୍ତ ପ୍ରମୁଖ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି । ବିଜେଡିର ଏଭଳି ନିଷ୍ପତ୍ତି ଦଳ ପାଇଁ ବୁମେରାଂ ବୋଲି କହି ନେତା-କର୍ମୀଙ୍କଠୁ ଆରମ୍ଭ କରି ସମର୍ଥକମାନେ ବି ନାସପନ୍ଦ କରୁଛନ୍ତି । ତୃଣମୂଳସ୍ତରରେ କର୍ମୀମାନଙ୍କର ତୀବ୍ର ଅସନ୍ତୋଷକୁ ଦେଖି ଦଳର ଆଗଧାଡ଼ିର ପ୍ରଭାବଶାଳୀ ନେତା ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅରୁଣ ସାହୁ ଓ ପ୍ରତାପ ଦେବ ପୂର୍ବାହ୍ନରେ ନବୀନ ନିବାସ ଯାଇଥିଲେ । ଯଦିଓ ପ୍ରଥମେ ଏହି ନେତାମାନଙ୍କୁ ଭେଟିବାର ସୁଯୋଗ ଦିଆଯାଇନଥିଲା । କିନ୍ତୁ ଏମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେବାର ଧମକ ଦେବାରୁ ବାଧ୍ୟ ହୋଇ ନବୀନ ସେମାନଙ୍କୁ ଭେଟିଥିଲେ ।
ଏହି ନେତାମାନେ ସିଧାସଳଖ ନବୀନଙ୍କୁ ପ୍ରଶ୍ନବାଣରେ ପୋତି ଦେଇଥିଲେ ମଧ୍ୟ ଅତି ଚତୁର ନବୀନ ସେସବୁକୁ ବେଶ୍ ହାଲକା ଭାବେ ନେଇଥିଲେ । ଲୋକେ ସପ୍ତାହେ ପରେ ସବୁକିଛି ଭୁଲିଯିବେ କହି ସେମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ପ୍ରୟାସ କରିଥିଲେ । ଏହି ନେତାମାନେ ନବୀନ ନିବାସରେ ଥିବାବେଳେ ଶଙ୍ଖଭବନରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଭୂପିନ୍ଦର ସିଂ, ଶଶୀଭୂଷଣ ବେହେରା, ବଦ୍ରିନାରାୟଣ ପାତ୍ର, ଚନ୍ଦ୍ରଶେଖର ସାହୁ ପ୍ରମୁଖ ବୈଠକ କରି ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରୁଥିବା ଜଣାପଡ଼ିଛି । ଅବଶ୍ୟ ଏହି ନେତାମାନଙ୍କୁ ସନ୍ଧ୍ୟାରେ ଭେଟିବାକୁ ସମୟ ଦିଆଯାଇଥିବା ସୂଚନା ମିଳିଛି ।
ନେତାଙ୍କ ଅସନ୍ତୋଷ, ନବୀନଙ୍କ ଜବାବ
ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ନବୀନ ନିବାସରେ ପ୍ରତାପ ଜେନା,ସଞ୍ଜୟ,ଅରୁଣ ଓ ପ୍ରତାପ ଦେବଙ୍କୁ କିଛି ସମୟ ଅପେକ୍ଷା କରିବା ପରେ ନବୀନଙ୍କ ଭେଟ ମିଳିଥିଲା । ୱକଫ୍ ବିଲକୁ ନେଇ ବିଜେଡିର ନିଷ୍ପତ୍ତି ଦଳ ପାଇଁ ଆତ୍ମଘାତୀ ହୋଇଛି ଓ କର୍ମୀ-ନେତାମାନଙ୍କୁ ମାନସିକ ଆଘାତ ଲାଗିଛି ବୋଲି ସେମାନେ କହିବା ସହ ଏଭଳି ହେଲେ ତୃଣମୂଳସ୍ତରରେ ଦଳ ମୂଳପୋଛ ହୋଇଯିବ ବୋଲି ନବୀନଙ୍କୁ କହିଥିଲେ । ମାତ୍ର ଚତୁର ନବୀନ ଏହାକୁ ହାଲକା ଭାବେ ନେଇ ଓଡ଼ିଶାରେ ସଂଖ୍ୟାଲଘୁଙ୍କ ପ୍ରତିଶତ ଓ ଭୋଟ ହାରର ପାଠ ପଢ଼ାଇ ଲୋକେ ସପ୍ତାହକରେ ସବୁ କିଛି ଭୁଲିଯିବେ କହି ସେମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ । ତେବେ ଆଳି ବିଧାୟକ ପ୍ରତାପ ଦେବ କହିଥିଲେ ଯେ, “ଏବେ ପ୍ୟାରୀ ମହାପାତ୍ର କି ଭିକେ ପାଣ୍ଡିଆନ ନାହାନ୍ତି । ଦଳରେ ଯାହାକିଛି ଭୁଲ୍ ହେବ ସେସବୁ ଆପଣଙ୍କ ମୁଣ୍ଡରେ ଯିବ ଓ ଆପଣ ଦାୟୀ ରହିବେ ।” ଆଉ ଏକଥା ଶୁଣି ନବୀନ ମଧ୍ୟ ‘ମୁଁ ଏକଥା ମନେରଖିବି’ କହି ସେମାନଙ୍କୁ ନମସ୍କାର କରି ଭିତରକୁ ଚାଲି ଯାଇଥିଲେ ।
ପାଣ୍ଡିଆନଙ୍କ ଚାଲ୍ ବିଜେଡିକୁ କାଳ
ନିର୍ବାଚନରେ ପରାଜୟ ପରେ କଠିନ ପରିସ୍ଥିତି ଦେଇ ଗତି କରୁଥିବା ଦଳ ଓ ସଂଗଠନକୁ ବଂଚାଇ ରଖିବାକୁ କିଛି ଦଳୀୟ ନେତା ଦିନରାତି ଏକ କରିଦେଇଛନ୍ତି । କିନ୍ତୁ ସେମାନଙ୍କୁ ଗୁରୁତ୍ୱ ନଦେଇ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ବେଶ୍ ଚତୁରତାର ସହ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ଦଳୀୟ ନିଷ୍ପତ୍ତି ଓ ସଂଗଠନକୁ ନିୟନ୍ତ୍ରଣ କରୁଥିବା ନବୀନ ନିବାସ ସୂତ୍ରରୁ ସୂଚନା ମିଳିଛି । ଗୋଟିଏପଟେ ପାଣ୍ଡିଆନ ଦଳର ଆଗଧାଡ଼ିର ନେତାମାନଙ୍କୁ ଡାକି ସେ ଆଉ ବିଜେଡି ସହ ନାହାନ୍ତି କିମ୍ବା ତାଙ୍କର ବିଜେଡି ପ୍ରତି ସମ୍ବେଦନଶୀଳତା ନାହିଁ ବୋଲି କହି ନିଜକୁ ଦୂରେଇ ଦେବାର ଅଭିନୟ କରୁଛନ୍ତି । ଅନ୍ୟପଟେ ନବୀନଙ୍କ ମାଧ୍ୟମରେ ସଂଗଠନକୁ ନିୟନ୍ତ୍ରଣ କରୁଥିବା ସ୍ପଷ୍ଟ ହୋଇଛି । ୱକଫ୍ ବିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ସେସମ୍ପର୍କରେ ଦଳର କୌଣସି ବରିଷ୍ଠ ନେତା କିମ୍ବା ସାଂସଦମାନଙ୍କ ସହ ପରାମର୍ଶ ହୋଇନଥିବା ଜଣାପଡ଼ିଛି । ନବୀନଙ୍କ ସମେତ ଏହି ନିଷ୍ପତ୍ତି କେବଳ ପାଣ୍ଡିଆନ ଓ ତାଙ୍କ ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସ ଓରଫ ବବି ଜାଣିଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଯେଉଁଥିପାଇଁ ଆଜି ନବୀନଙ୍କୁ ଭେଟିବାକୁ ପ୍ରତାପ-ସଞ୍ଜୟ-ଅରୁଣ-ପ୍ରତାପ ଦେବ ଯିବାବେଳେ ବବିଙ୍କୁ ଡକାଯାଇଥିଲେ ମଧ୍ୟ ସେ ଅନ୍ୟ କାମର ବାହାନା ଦେଖାଇ ସେମାନଙ୍କ ସହ ଯିବାକୁ ରାଜି ହୋଇନଥିଲେ । ନିଜର ରାଜନୀତିକ ଅସ୍ତିିତ୍ୱ ରକ୍ଷା ପାଇଁ ବବିଙ୍କ କଥାରେ ଉଠବସ୍ ହେଉଥିବା ଦେବୀ ମିଶ୍ର ମଧ୍ୟ ବାହାନା ଦେଖାଇ ଏହି ନେତାମାନଙ୍କ ସହ ନବୀନ ନିବାସ ଯାଇନଥିଲେ ବୋଲି ଜଣାପଡ଼ିଛି ।
ନବୀନ ହିଁ ଅସଲ କାର୍ପେଟଦାର
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୋମୁହାଁ ଚରିତ୍ର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଦଳୀୟ ନେତାମାନଙ୍କଠୁ ନିଜକୁ ଦୂରେଇ ରଖି ଏକତରଫା ନିଷ୍ପତ୍ତିକୁ ଦଳ ଉପରେ ଲଦି ଦେବାରେ ସିଦ୍ଧହସ୍ତ ନବୀନଙ୍କୁ ଏବେ ଧୀରେଧୀରେ ଦଳରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରଥମ ଦଶନ୍ଧି ପ୍ୟାରୀ ମହାପାତ୍ର ଓ ପରବର୍ତ୍ତୀ ଦଶନ୍ଧି ଭିକେ ପାଣ୍ଡିଆନଙ୍କୁ ଆଗରେ ରଖି ସୁବିଧାବାଦୀ ରାଜନୀତିକ ଗୋଟିଚାଳନା କରି ଆସିଥିବା ନବୀନ ନିଜର ନିଷ୍କଳଙ୍କ ଓ ସାଧୁତାର ଭାବମୂର୍ତ୍ତି ଗଢ଼ିବାରେ ସଫଳ ହୋଇଛନ୍ତି ।
ମାତ୍ର ନବୀନଙ୍କ ଚାଲାକି ଜାଣିଥିବା ପାଣ୍ଡିଆନ ଏବେ ନବୀନଙ୍କୁ ‘ଡବଲକ୍ରସ୍’ କରି ତାଙ୍କର ଜାଲରେ ଫସାଇ ଦେଇଛନ୍ତି । ଗୋଟିଏପଟେ ପାଣ୍ଡିଆନ ନିଜେ ବିଜେଡି ସହ ନଥିବା ଦଳୀୟ ନେତାମାନଙ୍କୁ କହିଛନ୍ତି ଓ ଅନ୍ୟପଟେ ନବୀନଙ୍କୁ ପ୍ରଭାବିତ କରି ଦଳୀୟ ନିଷ୍ପତ୍ତି ନେଉଛନ୍ତି । ଆଉ ନବୀନ ମଧ୍ୟ ପାଣ୍ଡିଆନ ପଢ଼ାଇଥିବା ପାଠକୁ ପୋଷାଶୁଆ ଭଳି ଦଳର ନେତାମାନଙ୍କ ଆଗରେ କହୁଛନ୍ତି । ଏପରିକି ଯୁକ୍ତି ବାଢ଼ି ଦଳୀୟ ନେତାମାନଙ୍କୁ ଚୁପ୍ ମଧ୍ୟ କରାଉଛନ୍ତି । ଯେହେତୁ ପାଣ୍ଡିଆନ ଏବେ ଦଳରେ ନାହାନ୍ତି ତେଣୁ ଆଉ ତାଙ୍କ ଉପରେ ଦୋଷ ଲଦି ଖସିବାର ବାଟ ନଥିବାରୁ ବିଜେଡିର ସାଂଗଠନିକ ପରିଚାଳନା ଓ ନିଷ୍ପତ୍ତିକୁ ନେଇ ଯାହାସବୁ ହେଉଛି ସେଥିରେ ନବୀନ ହିଁ ଅସଲ କାର୍ପେଟଦାର ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଥିବା ବିଜେଡି ମହଲରେ ଚର୍ଚ୍ଚା।