ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ନିଲମ୍ବିତ କରିବା ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ବୁମେରାଂ ପାଲଟିଛନ୍ତି । ନବୀନଙ୍କ ନିଷ୍ପତ୍ତିକୁ ଦଳ ଭିତରେ ଆଜି କର୍ମୀମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିବାବେଳେ ବରିଷ୍ଠ ନେତାମାନଙ୍କ ରହସ୍ୟମୟ ନିରବତା ବିଜେଡିକୁ ଦୁଇଫାଳ କରାଇଛି । ପାଟକୁରାର ଯୁବ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବାର ପ୍ରକୃତ କାରଣ କ’ଣ ତାହା ସ୍ପଷ୍ଟ କରିବାରେ ବିଜେଡି ୫ଦିନ ପରେ ମଧ୍ୟ ସକ୍ଷମ ହୋଇପାରିନାହିଁ । ଯେଉଁଥିପାଇଁ ନବୀନଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ଓ ଅରବିନ୍ଦଙ୍କ ସପକ୍ଷରେ ଦଳ ଭିତରେ ସମର୍ଥନ ବଢ଼ିବାରେ ଲାଗିଛି ।
ଦଳର ମୁଖପାତ୍ରଙ୍କ ମୁହଁରେ ଅରବିନ୍ଦଙ୍କ ନିଲମ୍ବନ ପଛରେ ‘ମିଡ୍-ଡେ ଅପରେସନ' ଓ ‘ବିଶ୍ୱାସଘାତକତା' ଭଳି ସଙ୍ଗୀନ ଶବ୍ଦ ଉପଯୋଗ ହେଉଥିଲେ ମଧ୍ୟ ବରିଷ୍ଠ ନେତାମାନଙ୍କ ନିରବତା ହିଁ ଏଭଳି ଅଭିଯୋଗର ସତ୍ୟାସତ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନବୀନଙ୍କ ଦ୍ୱାରା ନିଲମ୍ବନ ନିଷ୍ପତ୍ତିକୁ ନେଇ ବିଗତ ୫ଦିନ ଧରି ସାଧାରଣ ଲୋକ, ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଥିବାବେଳେ ଦଳର ସୁପ୍ରିମୋଙ୍କ ସପକ୍ଷରେ ଆଗକୁ ଆସିବାରେ ବରିଷ୍ଠ ନେତାମାନେ ପଛଘୁଂଚା ଦେଇଛନ୍ତି । ଯାହାକି ନବୀନଙ୍କ ଏକପାଖିଆ ନିଷ୍ପତ୍ତିର ସାଇଡଇଫେକ୍ଟ ବୋଲି ଚର୍ଚ୍ଚା ହେଉଛି ।
ନବୀନଙ୍କ ନିର୍ଦ୍ଦେଶକୁ ବରିଷ୍ଠ ନେତାମାନଙ୍କ ବେଖାତିର
ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକର ଆଖ୍ୟା ଦେଇ ନିଲମ୍ବନ କରାଯିବାକୁ ବିଜେଡିର ବରିଷ୍ଠ ନେତାମାନେ ସହଜରେ ହଜମ କରିପାରିନାହାନ୍ତି । ନବୀନଙ୍କ ଏହି ନିଷ୍ପତ୍ତିକୁ ନେଇ ବିଗତ ୫ଦିନ ଧରି ଅରବିନ୍ଦଙ୍କ ସପକ୍ଷରେ ଜନ ସମର୍ଥନ ବୃଦ୍ଧି ପାଉଥିଲେ ମଧ୍ୟ ନିଜ ଦଳର ସୁପ୍ରିମୋଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ପାଇଁ ଜଣେ ହେଲେ ବି ବରିଷ୍ଠ ନେତା ଆଗକୁ ଆସିବାକୁ ଆଗ୍ରହ ଦେଖାଉନାହାନ୍ତି । ଗଣମାଧ୍ୟମ ବାରମ୍ବାର ପଚାରିବାପରେ ପ୍ରମିଳା ମଲ୍ଲିକଙ୍କ ଭଳି ନେତ୍ରୀ ମୁହଁ ଖୋଲିଛନ୍ତି ସତ, ମାତ୍ର ଅରବିନ୍ଦଙ୍କୁ କାହିଁକି ନିଲମ୍ବନ କରାଗଲା ତା’ର ପ୍ରକୃତ କାରଣ ସାର୍ବଜନୀନ କରିବାରେ ସକ୍ଷମ ହୋଇପାରିନାହାନ୍ତି । ଦଳର ଅନ୍ୟ କୌଣସି ବରିଷ୍ଠ ନେତା ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ।
ଅରବିନ୍ଦଙ୍କୁ ନିଲମ୍ବନ କରାଯିବାର ବଳିଷ୍ଠ କାରଣ ଦର୍ଶାଇବାରେ ବିଜେଡି ଏପର୍ଯ୍ୟନ୍ତ ସଫଳ ହୋଇନଥିବାରୁ ତୃଣମୂଳସ୍ତରରେ ସେ ସହାନୁଭୂତି ସାଉଁଟିବାରେ ଲାଗିଛନ୍ତି । ଏପଟେ ନବୀନଙ୍କ ଏକପାଖିଆ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଥିଲେ ମଧ୍ୟ ଦଳର ବରିଷ୍ଠ ନେତାମାନେ ନିଜ ସୁପ୍ରିମୋଙ୍କୁ ସୁରକ୍ଷା ଦେବାକୁ ଆଗକୁ ନଆସିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବରିଷ୍ଠ ନେତାମାନଙ୍କ ଏଭଳି ନିରବତାକୁ ଦେଖି ନବୀନ(BJD Naveen Patnaik) ନିଜେ ଗତ ଦୁଇଦିନ ଧରି ସେମାନଙ୍କୁ ନବୀନ ନିବାସ ଡକାଇ ଗଣମାଧ୍ୟମରେ ବୟାନ ଦେବାକୁ ପରାମର୍ଶ ଦେଇଥିଲେ ମଧ୍ୟ କେହି ଜଣେ ବି ନେତା ଆଗକୁ ଆସିବାକୁ ସାହାସ କରୁନାହାନ୍ତି । ଦେବୀ ମିଶ୍ରଙ୍କ ଠାରୁ ଆରମ୍ଭ କରି ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରସଙ୍ଗରେ ଚୁପ୍ ରହିବା ସିଧାସଳଖ ଦର୍ଶାଉଛି ଯେ, ନବୀନଙ୍କ ଏହି ଏକଚାଟିଆ ନିଷ୍ପତ୍ତିକୁ ସେମାନେ ଅନ୍ତରର ସହିତ ଗ୍ରହଣ କରିପାରୁନାହାନ୍ତି । ଏହି ନୀରବତା କେବଳ ସମର୍ଥନ ନୁହେଁ, ବରଂ ନବୀନଙ୍କ ନେତୃତ୍ୱ ପ୍ରତି ଏକ ବଡ଼ ଧରଣର ଆହ୍ୱାନ ବୋଲି ଚର୍ଚ୍ଚା ହେଉଛି । ନବୀନଙ୍କ ନିଷ୍ପତ୍ତିକୁ ତୃଣମୂଳସ୍ତରରେ ବିରୋଧ ହେଉଥିଲେ ମଧ୍ୟ ବରିଷ୍ଠ ନେତାମାନେ ନବୀନଙ୍କ ପାଇଁ ଆଗକୁ ନଆସିବା ଓ ତାଙ୍କର ନିର୍ଦ୍ଦେଶକୁ ବେଖାତିର କରିବା ଏବେ ଦଳକୁ ରୋଚକମୋଡ଼ରେ ଛିଡ଼ା କରାଇଛି ।
ପାଟକୁରାରେ ଗର୍ଜିଲେ କର୍ମୀ: ଅରବିନ୍ଦଙ୍କୁ ସମର୍ଥନ, ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ
ଅରବିନ୍ଦ(Arvind Mohapatra)ଙ୍କ ନିଲମ୍ବନକୁ ବିରୋଧ କରି ବିଗତ ୫ଦିନ ମଧ୍ୟରେ ଆଜି ଦ୍ୱିତୀୟଥର ପାଇଁ ପାଟକୁରାରେ ଦଳର ଆଗଧାଡ଼ିର ନେତା ଓ ନିର୍ବାଚିତ ପ୍ରତିନିଧିମାନେ ଆଗକୁ ଆସିଛନ୍ତି । ସେମାନେ ନବୀନଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ତୁରନ୍ତ ଏହାର ପୁନର୍ବିଚାର ନକଲେ ପାଟକୁରାରୁ ଶଙ୍ଖ ଚିହ୍ନକୁ ହଜାଇ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ପାଟକୁରାରେ ଅରବିନ୍ଦଙ୍କ ସପକ୍ଷରେ ସୃଷ୍ଟି ହୋଇଥିବା ପ୍ରବଳ ଜନ ଅସନ୍ତୋଷ ଏବେ ବିଜେଡି ପାଇଁ ବୁମେରାଂ ସଦୃଶ ହୋଇଛି ।
ଚର୍ଚ୍ଚା ହେଉଛି, ଅରବିନ୍ଦଙ୍କ ପିତା ବିଜୟ ମହାପାତ୍ରଙ୍କ ପ୍ରତି ରହିଥିବା ପୁରୁଣା ଆକ୍ରୋଶକୁ ସୁଝାଇବା ପାଇଁ ନବୀନ ପଟ୍ଟନାୟକ ତାଙ୍କର ପୁଅ ଯୁବ ବିଧାୟକ ଅରବିନ୍ଦଙ୍କୁ ବଳି ପକାଇଛନ୍ତି । ଯଦିଓ ବିଜୟ ମହାପାତ୍ରଙ୍କୁ ଟାର୍ଗେଟ କରି ପ୍ରମିଳା ମଲ୍ଲିକ ଆଜି ଏହାକୁ ଦଳବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି, କିନ୍ତୁ ବିଜେଡି ପକ୍ଷରୁ କୌଣସି ବଳିଷ୍ଠ ଯୁକ୍ତି ଦିଆନଯିବା ଓ ବରିଷ୍ଠ ନେତାମାନେ ନିରବ ରହିବା ହିଁ ନବୀନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଦଳର କର୍ମୀମାନେ ଆଜି ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ, ଯଦି ତୁରନ୍ତ ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହୃତ ନହୁଏ, ତେବେ ଆଗାମୀ ଦିନରେ ବିଜେଡି କେବଳ ପାଟକୁରାରେ ନୁହେଁ, ବରଂ ସାରା ଓଡ଼ିଶାରେ ସହାନୁଭୂତିର ଲହରରେ ଭାସିଯିବ । ଦଳର ଶୃଙ୍ଖଳା ନାଁରେ ଚାଲିଥିବା ଏହି ‘ଅଗଣତାନ୍ତ୍ରିକ’ ପ୍ରକ୍ରିୟା ଏବେ ବିଜେଡିର ବିନାଶର କାରଣ ସାଜିପାରେ ବୋଲି ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us