ଓଡ଼ିଆରେ ଗୋଟିଏ ଢଗ ଅଛି ‘ବଂଶ ବୁଡ଼ିବାବେଳେ ଘୋଡ଼ାମୁହାଁ ପୁଅ ଜନ୍ମ’ ହୋଇଥାଏ । ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡିର ଅବସ୍ଥା ଏବେ ସେୟା ହୋଇଛି । ବିଜେଡି ଶାସନର ସବୁ ମଡ଼େଲକୁ ଓଡ଼ିଶାବାସୀ ବିଫଳ କରି ଦଳକୁ କ୍ଷମତାଚ୍ୟୁତ କରିବାପରେ ଆଜି ‘ଛାୟା କ୍ୟାବିନେଟ’ ଘୋଷଣା କରିଛନ୍ତି ବିଜେଡି ନେତୃତ୍ୱ । ‘ଛାୟା କ୍ୟାବିନେଟ’ର ବିଟ୍ରିଶ ମଡେଲକୁ ନକଲ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ୫୦ଜଣ ବିଧାୟକଙ୍କୁ ଆଜି ବିଭାଗମାନ ବଂଟନ ହେବା ପରୋକ୍ଷରେ ଦଳରେ ଚାପି ହୋଇ ରହିଥିବା ଅସନ୍ତୋଷକୁ ଉଗ୍ର ରୂପ ଦେବାର ଆଶଙ୍କା ବଢ଼ାଇ ଦେଇଛି । ରାଜନୀତିରୁ ସନ୍ୟାସ ନେଇଥିବା ଭିକେ ପାଣ୍ଡିଆନ ଏବେବି ‘ଛାୟା ନବୀନ’ ସାଜି ଏହି ‘ଛାୟା କ୍ୟାବିନେଟ’ ଗଠନ କରିଛନ୍ତି ଯେଉଁଥିରେ ବିଜେଡି ସୁପ୍ରିମୋଙ୍କ ଭୂମିକାକୁ ହାଇଜ୍ୟାକ୍ କରାଯାଇଥିବା ଜଳଜଳ ଜଣାପଡ଼ୁଛି । ପୁଳାପୁଳା ଦୁର୍ନୀତି ମାମଲାରୁ ନିଜକୁ ସୁରକ୍ଷିତ ରଖିବା,ନବନିର୍ବାଚିତ ବିଧାୟକମାନଙ୍କୁ ତୁଷ୍ଟୀକରଣ ଓ ବରିଷ୍ଠ ନେତାମାନଙ୍କ ମୁହଁରେ ‘ତୁଣ୍ଡି’ ଲଗାଇବାକୁ ପାଣ୍ଡିଆନ ଏଭଳି ଗୋଟିଚାଳନା କରିଥିବା ଜଣାପଡ଼ିଛି । ତେବେ ବିଜେଡି ଓ ନବୀନଙ୍କ ଉପରେ ‘ପାଣ୍ଡିଆନ ଓ ତାଙ୍କ ଟିମର ଛାଇ’ ନହଟିବା ପର୍ଯ୍ୟନ୍ତ ଦଳ ଯାହାବି ମଡେଲ ଆଣିଲେ ତାହା ସଫଳ ହୋଇପାରିବ ନାହିଁ କିମ୍ବା ଦଳୀୟ ନେତାମାନେ ତାକୁ କାର୍ଯ୍ୟକାରୀ କରିବାକୁ ଆନ୍ତରିକତା ଦେଖାଇବେ ନାହିଁ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ବିଜେଡି ସୂତ୍ର ଅନୁସାରେ, ନବୀନ ନିବାସରେ ଗତ ୩-୪ଦିନ ଧରି ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ, ନବୀନଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ର ଓ ପାଣ୍ଡିଆନଙ୍କ ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଘନଘନ ବୈଠକ କରି ଏହି ବିଟ୍ରିଶ ମଡେଲର ‘ଛାୟା କ୍ୟାବିନେଟ’ ଓ ସାଂଗଠନିକ କମିଟିକୁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି । ଦଳର କୌଣସି ବରିଷ୍ଠ ନେତା କିମ୍ବା ବିଧାୟକଙ୍କ ସହ ବିଚାରବିମର୍ଶ ନକରି ନବୀନଙ୍କ ନାଁରେ ଏହି ୩ଜଣ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଆଜି ଘୋଷିତ ‘ଛାୟା କ୍ୟାବିନେଟ’ରେ ଦଳର ସମସ୍ତ ବିଧାୟକଙ୍କୁ ବିଭାଗ ଆବଂଟିତ ହୋଇଥିଲେ ମଧ୍ୟ ଏହି ଛାୟା କ୍ୟାବିନେଟର ମୁଖ୍ୟ କିଏ ଓ ସେମାନଙ୍କ କାର୍ଯ୍ୟକୁ କିଏ,କେଉଁସ୍ତରରେ ତଦାରଖ କରିବେ ତାହା ଜଣାପଡ଼ିନି । ଏପରିକି ରାଜନୀତିର ‘ର’ ଅକ୍ଷର ବୁଝିନଥିବା କର୍ପୋରେଟ ଜଗତରୁ ଆସିଥିବା ସନ୍ତୃପ୍ତ ମିଶ୍ରଙ୍କ ମାଧ୍ୟମରେ ଦଳୀୟ ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ‘ନବୀନଙ୍କ ଛାୟା’ ସାଜି ପାଣ୍ଡିଆନ ଏବେ ରଣନୀତି କରିଛନ୍ତି । ନବୀନଙ୍କ ନାଁରେ ବିଜେଡି ଶାସନକାଳରେ ‘ଛାୟା ମୁଖ୍ୟମନ୍ତ୍ରୀ’ ଭୂମିକାରେ ଥିବା ପାଣ୍ଡିଆନ ଏବେ ‘ଛାୟା ବିରୋଧୀ ଦଳ ନେତା’ ହେବାକୁ ଅପଚେଷ୍ଟା ଆରମ୍ଭ କରିଛନ୍ତି, ଯେଉଁଥିରେ ତାଙ୍କୁ ତାଙ୍କର ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଓ ରାଜନୀତିକ ଅନଭିଜ୍ଞ ସନ୍ତୃପ୍ତ ମିଶ୍ର ମୁଖୋଟା ସାଜିଥିବା ଜଣାପଡ଼ିଛି । ବିଜେଡି ଶାସନକାଳରେ ‘ଫାଇଭ-ଟି ପ୍ରଶାସନିକ ମଡେଲ’ଆଳରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧୂଳିସାତ କରିବା ସହ ସମସ୍ତ କ୍ଷମତାକୁ ଏକା ଉପଭୋଗ କରିବାର ପରିଣାମ ବିଜେଡିକୁ ନିର୍ବାଚନୀ ବିପର୍ଯ୍ୟୟ ଆକାରରେ ଭୋଗିବାକୁ ପଡ଼ିଥିଲେ ମଧ୍ୟ ନବୀନ କିମ୍ବା ପାଣ୍ଡିଆନଙ୍କ ଏପର୍ଯ୍ୟନ୍ତ ଚେତା ପଶିନି ।
ତେବେ ବିଜେଡି ନିର୍ବାଚନୀ ବିପର୍ଯ୍ୟୟର ଖଳନାୟକମାନେ ଏବେବି ଦଳକୁ ନିଜ କବଜାରେ ରଖି ମନଇଚ୍ଛା ନିଷ୍ପତ୍ତି ନେଉଥିବା ଏବଂ ବିପର୍ଯ୍ୟୟର ସମୀକ୍ଷା କରୁନଥିବା ଯୋଗୁ ବିଜେଡିରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପାଣ୍ଡିଆନ ଏଭଳି କରି ଦଳରେ ଗଣତାନ୍ତ୍ରିକ ବ୍ୟବସ୍ଥା(ଯାହା ପ୍ରାୟତଃ ନାହିଁ)କୁ ସବୁଦିନ ପାଇଁ ‘କବର’ ଦେବାକୁ ପ୍ରୟାସ କରିଛନ୍ତି । ପୁଳାପୁଳା ଦୁର୍ନୀତିର ଗଦା ଉପରେ ଛିଡ଼ା ହୋଇଥିବାର ଅଭିଯୋଗ ଥିବାରୁ ବିଜେପି ନେତୃତ୍ୱଙ୍କ କୋପରୁ ବଂଚିବା ପାଇଁ ପାଣ୍ଡିଆନ ଏଭଳି ଆତ୍ମରକ୍ଷା କୌଶଳ ଆପଣାଇଥିବା ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ରାଜନୀତିକ ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ରଙ୍କ କହିବା ଅନୁସାରେ, “ୟେ ମଡେଲ ଶୁଣିବାକୁ ଭଲ ଲାଗୁଛି । କିନ୍ତୁ ଯେପର୍ଯ୍ୟନ୍ତ ପାଣ୍ଡିଆନଙ୍କ ଛାଇ ଦଳ ଉପରେ ରହିଥିବ, କୌଣସି ମଡେଲ କଦାପି ସଫଳ ହୋଇପାରିବ ନାହିଁ । ଯେଉଁ ମଡେଲ ଅନୁସରଣ କଲେ ବି ଦଳର ବିପର୍ଯ୍ୟୟ କାହିଁକି ହେଲା, ତା’ର କାରଣ ଦଳ ଆଗରେ ନବୀନ-ପାଣ୍ଡିଆନ ଯୋଡ଼ି ନରଖିଲେ ବିଜେଡି ସୁଦୃଢ଼ ହେବା ପରିବର୍ତ୍ତେ ଭୁଶୁଡ଼ିବ ଏହା ଏବେଠୁ ଜଳଜଳ ହୋଇ ଦିଶିଲାଣି । ଅଜଣା କାରଣରୁ ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକ ଛାଡ଼ିପାରୁନାହାନ୍ତି ଓ ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷାହେଲେ ସେହି ପ୍ରକୃତ ଖଳନାୟକମାନଙ୍କ ଅସଲ ଚିତ୍ର ପଦାରେ ପଡ଼ିଯିବ । ତେଣୁ ସନ୍ତୃପ୍ତ ମିଶ୍ରଙ୍କୁ ଆଗରେ ରଖି ‘ଛାୟା ନବୀନ’ ହୋଇ ପାଣ୍ଡିଆନ ନବୀନ ନିବାସରୁ ଦଳକୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରୁଛନ୍ତି । ପାଣ୍ଡିଆନଙ୍କ ଛାଇ ଥିବା ପର୍ଯ୍ୟନ୍ତ ବିଜେଡି ସଂଗଠିତ ହୋଇପାରିବ ନାହିଁ କିମ୍ବା ଦଳୀୟ ବିଧାୟକମାନେ ସେମାନଙ୍କୁ ଆବଂଟିତ ଦାୟିତ୍ୱ ତୁଲାଇବାକୁ ମଧ୍ୟ ଉତ୍ସାହ ଦେଖାଇବେ ନାହିଁ । ବରିଷ୍ଠ ନେତାମାନେ ଏବେ ନହେଲେ ବି ପରେ ନିଶ୍ଚିତ ମୁହଁ ଖୋଲିବେ । ଯାହା ଦଳର ପତନର କାରଣ ନିଶ୍ଚିତ ହେବ । ତା’ଛଡ଼ା ବିଜେପି ସରକାର ତ ମାତ୍ର ମାସେ ହୋଇଛି । ସରକାରର କିଛି ଦୋଷତ୍ରୁଟି ଖୋଜିଲେ ବିଜେଡିର ୧୫ବର୍ଷର ଶାସନର କଳଙ୍କିତ ଇତିହାସକୁ ମଧ୍ୟ ବିଜେପି ଖୋଜିବ । ଆଉ ଯାହା ଦଳର ବିଧାୟକମାନଙ୍କୁ ବ୍ୟାକଫୁଟକୁ ନେବାକୁ ବାଧ୍ୟ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ”
ସୂଚନାଯୋଗ୍ୟ, ବ୍ରିଟେନର କଞ୍ଜେରଭେଟିଭ୍ ପାର୍ଟି ନିର୍ବାଚନରେ ପରାଜୟ ପରେ ଦଳର ନେତା ଋଷି ସୁନକଙ୍କ ନେତୃତ୍ୱରେ ବିରୋଧୀ ଦଳ ‘ଛାୟା କ୍ୟାବିନେଟ’ ଗଠନ କରିଛି । ଯେଉଁଥିରେ ଦଳର ସର୍ବାଧିକ ୨୦ଜଣ ବରିଷ୍ଠ ସଦସ୍ୟ ରହିବାର ପ୍ରାବଧାନ ଅଛି ଓ ସେମାନଙ୍କୁ ବିଭିନ୍ନ ବିଭାଗର ‘ଛାୟା ମନ୍ତ୍ରୀ’ ଦାୟିତ୍ୱ ଦିଆଯିବା ସହ ବିରୋଧୀ ଦଳ ନେତା ଭାବେ ନିଜେ ଶ୍ରୀ ସୁନକ ‘ଛାୟା ପ୍ରଧାନମନ୍ତ୍ରୀ’ ଦାୟିତ୍ୱ ତୁଲାଉଛନ୍ତି ।
ମାତ୍ର ଏଠି ବିଜେଡି ଆଜି ଛାୟା କ୍ୟାବିନେଟ୍ ଓ ଛାୟା ମନ୍ତ୍ରୀ ଗଠନ କଲା କିନ୍ତୁ ଛାୟା ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ରଖିପାରିଲା ନାହିଁ । ତେଣୁ ଏହା ‘ପାଣ୍ଡିଆନଙ୍କ ଛାୟା କ୍ୟାବିନେଟ୍’ ବୋଲି ଜଳଜଳ ହୋଇ ଦିଶିଲାଣି । ଆଉ ବୁଡ଼ିବୁଡ଼ି ଯାଉଥିବା ବିଜେଡିକୁ ଏବେ କେବଳ ମହାପ୍ରଭୁ ଜଗନ୍ନାଥ ଭରସା ବୋଲି ସାଧାରଣରେ ଚର୍ଚ୍ଚା ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।