Advertisment

‘ଛାୟା ନବୀନ’ଙ୍କ ‘ଛାୟା କ୍ୟାବିନେଟ୍’: ଆତ୍ମରକ୍ଷା ନା ବରିଷ୍ଠଙ୍କ ‘ତୁଣ୍ଡ’ରେ ତୁଣ୍ଡି ପାଇଁ ବିଜେଡିର ୟେ ବିଟ୍ରିଶ ମଡେଲ୍‌

ବ୍ରିଟେନର କଞ୍ଜେରଭେଟିଭ୍ ପାର୍ଟି ନିର୍ବାଚନରେ ପରାଜୟ ପରେ ଦଳର ନେତା ଋଷି ସୁନକଙ୍କ ନେତୃତ୍ୱରେ ବିରୋଧୀ ଦଳ ‘ଛାୟା କ୍ୟାବିନେଟ’ ଗଠନ କରିଛି।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ଓଡ଼ିଆରେ ଗୋଟିଏ ଢଗ ଅଛି ‘ବଂଶ ବୁଡ଼ିବାବେଳେ ଘୋଡ଼ାମୁହାଁ ପୁଅ ଜନ୍ମ’ ହୋଇଥାଏ । ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡିର ଅବସ୍ଥା ଏବେ ସେୟା ହୋଇଛି । ବିଜେଡି ଶାସନର ସବୁ ମଡ଼େଲକୁ ଓଡ଼ିଶାବାସୀ ବିଫଳ କରି ଦଳକୁ କ୍ଷମତାଚ୍ୟୁତ କରିବାପରେ ଆଜି ‘ଛାୟା କ୍ୟାବିନେଟ’ ଘୋଷଣା କରିଛନ୍ତି ବିଜେଡି ନେତୃତ୍ୱ । ‘ଛାୟା କ୍ୟାବିନେଟ’ର ବିଟ୍ରିଶ ମଡେଲକୁ ନକଲ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ୫୦ଜଣ ବିଧାୟକଙ୍କୁ ଆଜି ବିଭାଗମାନ ବଂଟନ ହେବା ପରୋକ୍ଷରେ ଦଳରେ ଚାପି ହୋଇ ରହିଥିବା ଅସନ୍ତୋଷକୁ ଉଗ୍ର ରୂପ ଦେବାର ଆଶଙ୍କା ବଢ଼ାଇ ଦେଇଛି । ରାଜନୀତିରୁ ସନ୍ୟାସ ନେଇଥିବା ଭିକେ ପାଣ୍ଡିଆନ ଏବେବି ‘ଛାୟା ନବୀନ’ ସାଜି ଏହି ‘ଛାୟା କ୍ୟାବିନେଟ’ ଗଠନ କରିଛନ୍ତି ଯେଉଁଥିରେ ବିଜେଡି ସୁପ୍ରିମୋଙ୍କ ଭୂମିକାକୁ ହାଇଜ୍ୟାକ୍ କରାଯାଇଥିବା ଜଳଜଳ ଜଣାପଡ଼ୁଛି । ପୁଳାପୁଳା ଦୁର୍ନୀତି ମାମଲାରୁ ନିଜକୁ ସୁରକ୍ଷିତ ରଖିବା,ନବନିର୍ବାଚିତ ବିଧାୟକମାନଙ୍କୁ ତୁଷ୍ଟୀକରଣ ଓ ବରିଷ୍ଠ ନେତାମାନଙ୍କ ମୁହଁରେ ‘ତୁଣ୍ଡି’ ଲଗାଇବାକୁ ପାଣ୍ଡିଆନ ଏଭଳି ଗୋଟିଚାଳନା କରିଥିବା ଜଣାପଡ଼ିଛି । ତେବେ ବିଜେଡି ଓ ନବୀନଙ୍କ ଉପରେ ‘ପାଣ୍ଡିଆନ ଓ ତାଙ୍କ ଟିମର ଛାଇ’ ନହଟିବା ପର୍ଯ୍ୟନ୍ତ ଦଳ ଯାହାବି ମଡେଲ ଆଣିଲେ ତାହା ସଫଳ ହୋଇପାରିବ ନାହିଁ କିମ୍ବା ଦଳୀୟ ନେତାମାନେ ତାକୁ କାର୍ଯ୍ୟକାରୀ କରିବାକୁ ଆନ୍ତରିକତା ଦେଖାଇବେ ନାହିଁ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Advertisment

ବିଜେଡି ସୂତ୍ର ଅନୁସାରେ, ନବୀନ ନିବାସରେ ଗତ ୩-୪ଦିନ ଧରି ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ, ନବୀନଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ର ଓ ପାଣ୍ଡିଆନଙ୍କ ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଘନଘନ ବୈଠକ କରି ଏହି ବିଟ୍ରିଶ ମଡେଲର ‘ଛାୟା କ୍ୟାବିନେଟ’ ଓ ସାଂଗଠନିକ କମିଟିକୁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି ।  ଦଳର କୌଣସି ବରିଷ୍ଠ ନେତା କିମ୍ବା ବିଧାୟକଙ୍କ ସହ ବିଚାରବିମର୍ଶ ନକରି ନବୀନଙ୍କ ନାଁରେ ଏହି ୩ଜଣ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଆଜି ଘୋଷିତ ‘ଛାୟା କ୍ୟାବିନେଟ’ରେ ଦଳର ସମସ୍ତ ବିଧାୟକଙ୍କୁ ବିଭାଗ ଆବଂଟିତ ହୋଇଥିଲେ ମଧ୍ୟ ଏହି ଛାୟା କ୍ୟାବିନେଟର ମୁଖ୍ୟ କିଏ ଓ ସେମାନଙ୍କ କାର୍ଯ୍ୟକୁ କିଏ,କେଉଁସ୍ତରରେ ତଦାରଖ କରିବେ ତାହା ଜଣାପଡ଼ିନି । ଏପରିକି ରାଜନୀତିର ‘ର’ ଅକ୍ଷର ବୁଝିନଥିବା କର୍ପୋରେଟ ଜଗତରୁ ଆସିଥିବା ସନ୍ତୃପ୍ତ ମିଶ୍ରଙ୍କ ମାଧ୍ୟମରେ ଦଳୀୟ ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ‘ନବୀନଙ୍କ ଛାୟା’ ସାଜି ପାଣ୍ଡିଆନ ଏବେ ରଣନୀତି କରିଛନ୍ତି । ନବୀନଙ୍କ ନାଁରେ ବିଜେଡି ଶାସନକାଳରେ ‘ଛାୟା ମୁଖ୍ୟମନ୍ତ୍ରୀ’ ଭୂମିକାରେ ଥିବା ପାଣ୍ଡିଆନ ଏବେ ‘ଛାୟା ବିରୋଧୀ ଦଳ ନେତା’ ହେବାକୁ ଅପଚେଷ୍ଟା ଆରମ୍ଭ କରିଛନ୍ତି, ଯେଉଁଥିରେ ତାଙ୍କୁ ତାଙ୍କର ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଓ ରାଜନୀତିକ ଅନଭିଜ୍ଞ ସନ୍ତୃପ୍ତ ମିଶ୍ର ମୁଖୋଟା ସାଜିଥିବା ଜଣାପଡ଼ିଛି ।  ବିଜେଡି ଶାସନକାଳରେ ‘ଫାଇଭ-ଟି ପ୍ରଶାସନିକ ମଡେଲ’ଆଳରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧୂଳିସାତ କରିବା ସହ ସମସ୍ତ କ୍ଷମତାକୁ ଏକା ଉପଭୋଗ କରିବାର ପରିଣାମ ବିଜେଡିକୁ ନିର୍ବାଚନୀ ବିପର୍ଯ୍ୟୟ ଆକାରରେ ଭୋଗିବାକୁ ପଡ଼ିଥିଲେ ମଧ୍ୟ ନବୀନ କିମ୍ବା ପାଣ୍ଡିଆନଙ୍କ ଏପର୍ଯ୍ୟନ୍ତ ଚେତା ପଶିନି ।

ତେବେ ବିଜେଡି ନିର୍ବାଚନୀ ବିପର୍ଯ୍ୟୟର ଖଳନାୟକମାନେ ଏବେବି ଦଳକୁ ନିଜ କବଜାରେ ରଖି ମନଇଚ୍ଛା ନିଷ୍ପତ୍ତି ନେଉଥିବା ଏବଂ ବିପର୍ଯ୍ୟୟର ସମୀକ୍ଷା କରୁନଥିବା ଯୋଗୁ ବିଜେଡିରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପାଣ୍ଡିଆନ ଏଭଳି କରି ଦଳରେ ଗଣତାନ୍ତ୍ରିକ ବ୍ୟବସ୍ଥା(ଯାହା ପ୍ରାୟତଃ ନାହିଁ)କୁ ସବୁଦିନ ପାଇଁ ‘କବର’ ଦେବାକୁ ପ୍ରୟାସ କରିଛନ୍ତି । ପୁଳାପୁଳା ଦୁର୍ନୀତିର ଗଦା ଉପରେ ଛିଡ଼ା ହୋଇଥିବାର ଅଭିଯୋଗ ଥିବାରୁ ବିଜେପି ନେତୃତ୍ୱଙ୍କ କୋପରୁ ବଂଚିବା ପାଇଁ ପାଣ୍ଡିଆନ ଏଭଳି ଆତ୍ମରକ୍ଷା କୌଶଳ ଆପଣାଇଥିବା ଚର୍ଚ୍ଚା ହେଉଛି ।

Advertisment

ଅନ୍ୟପକ୍ଷରେ ରାଜନୀତିକ ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ରଙ୍କ କହିବା ଅନୁସାରେ, “ୟେ ମଡେଲ ଶୁଣିବାକୁ ଭଲ ଲାଗୁଛି । କିନ୍ତୁ ଯେପର୍ଯ୍ୟନ୍ତ ପାଣ୍ଡିଆନଙ୍କ ଛାଇ ଦଳ ଉପରେ ରହିଥିବ, କୌଣସି ମଡେଲ କଦାପି ସଫଳ ହୋଇପାରିବ ନାହିଁ । ଯେଉଁ ମଡେଲ ଅନୁସରଣ କଲେ ବି ଦଳର ବିପର୍ଯ୍ୟୟ କାହିଁକି ହେଲା, ତା’ର କାରଣ ଦଳ ଆଗରେ ନବୀନ-ପାଣ୍ଡିଆନ ଯୋଡ଼ି ନରଖିଲେ ବିଜେଡି ସୁଦୃଢ଼ ହେବା ପରିବର୍ତ୍ତେ ଭୁଶୁଡ଼ିବ ଏହା ଏବେଠୁ ଜଳଜଳ ହୋଇ ଦିଶିଲାଣି । ଅଜଣା କାରଣରୁ ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକ ଛାଡ଼ିପାରୁନାହାନ୍ତି ଓ ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷାହେଲେ ସେହି ପ୍ରକୃତ ଖଳନାୟକମାନଙ୍କ ଅସଲ ଚିତ୍ର ପଦାରେ ପଡ଼ିଯିବ । ତେଣୁ ସନ୍ତୃପ୍ତ ମିଶ୍ରଙ୍କୁ ଆଗରେ ରଖି ‘ଛାୟା ନବୀନ’ ହୋଇ ପାଣ୍ଡିଆନ ନବୀନ ନିବାସରୁ ଦଳକୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରୁଛନ୍ତି । ପାଣ୍ଡିଆନଙ୍କ ଛାଇ ଥିବା ପର୍ଯ୍ୟନ୍ତ ବିଜେଡି ସଂଗଠିତ ହୋଇପାରିବ ନାହିଁ କିମ୍ବା ଦଳୀୟ ବିଧାୟକମାନେ ସେମାନଙ୍କୁ ଆବଂଟିତ ଦାୟିତ୍ୱ ତୁଲାଇବାକୁ ମଧ୍ୟ ଉତ୍ସାହ ଦେଖାଇବେ ନାହିଁ । ବରିଷ୍ଠ ନେତାମାନେ ଏବେ ନହେଲେ ବି ପରେ ନିଶ୍ଚିତ ମୁହଁ ଖୋଲିବେ । ଯାହା ଦଳର ପତନର କାରଣ ନିଶ୍ଚିତ ହେବ । ତା’ଛଡ଼ା ବିଜେପି ସରକାର ତ ମାତ୍ର ମାସେ ହୋଇଛି । ସରକାରର କିଛି ଦୋଷତ୍ରୁଟି ଖୋଜିଲେ ବିଜେଡିର ୧୫ବର୍ଷର ଶାସନର କଳଙ୍କିତ ଇତିହାସକୁ ମଧ୍ୟ ବିଜେପି ଖୋଜିବ । ଆଉ ଯାହା ଦଳର ବିଧାୟକମାନଙ୍କୁ ବ୍ୟାକଫୁଟକୁ ନେବାକୁ ବାଧ୍ୟ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ”

ସୂଚନାଯୋଗ୍ୟ, ବ୍ରିଟେନର କଞ୍ଜେରଭେଟିଭ୍ ପାର୍ଟି ନିର୍ବାଚନରେ ପରାଜୟ ପରେ ଦଳର ନେତା ଋଷି ସୁନକଙ୍କ ନେତୃତ୍ୱରେ ବିରୋଧୀ ଦଳ ‘ଛାୟା କ୍ୟାବିନେଟ’ ଗଠନ କରିଛି । ଯେଉଁଥିରେ ଦଳର ସର୍ବାଧିକ ୨୦ଜଣ ବରିଷ୍ଠ ସଦସ୍ୟ ରହିବାର ପ୍ରାବଧାନ ଅଛି ଓ ସେମାନଙ୍କୁ ବିଭିନ୍ନ ବିଭାଗର ‘ଛାୟା ମନ୍ତ୍ରୀ’ ଦାୟିତ୍ୱ ଦିଆଯିବା ସହ ବିରୋଧୀ ଦଳ ନେତା ଭାବେ ନିଜେ ଶ୍ରୀ ସୁନକ ‘ଛାୟା ପ୍ରଧାନମନ୍ତ୍ରୀ’ ଦାୟିତ୍ୱ ତୁଲାଉଛନ୍ତି ।

ମାତ୍ର ଏଠି ବିଜେଡି ଆଜି ଛାୟା କ୍ୟାବିନେଟ୍ ଓ ଛାୟା ମନ୍ତ୍ରୀ ଗଠନ କଲା କିନ୍ତୁ ଛାୟା ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ରଖିପାରିଲା ନାହିଁ । ତେଣୁ ଏହା ‘ପାଣ୍ଡିଆନଙ୍କ ଛାୟା କ୍ୟାବିନେଟ୍‌’ ବୋଲି ଜଳଜଳ ହୋଇ ଦିଶିଲାଣି । ଆଉ ବୁଡ଼ିବୁଡ଼ି ଯାଉଥିବା  ବିଜେଡିକୁ ଏବେ କେବଳ ମହାପ୍ରଭୁ ଜଗନ୍ନାଥ ଭରସା ବୋଲି ସାଧାରଣରେ ଚର୍ଚ୍ଚା ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe