Advertisment

ସସପେନ୍ସ ହଟୁନି : ଏକାଠି କି ଏକା ଲଢ଼ିବୁ ସ୍ଥିର ହୋଇନି, ଏକାକୀ ଲଢ଼ିଲେ ସରକାର ଗଢ଼ିବା ପାଇଁ ହିଁ ଲଢ଼ିବୁ-ଶାହ

ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ପୁଣିଥରେ ଏକ ବଡ଼ ବୟାନ ଆସିଛି

author-image
Ordigital Desk
Amit Saha

Amit Saha

ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ହେବ କି ନାହିଁ ତାକୁ ନେଇ ସସପେନ୍ସ ହଟିବାର ନାଁ ଧରୁନି। ଉଭୟ ବିଜେପି ଓ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ବୟାନ ଏହି ମେଂଟ ସସପେନ୍ସକୁ ଅଧିକ ରହସ୍ୟମୟ କରିବାରେ ଲାଗିଛି। ଏସବୁ ମଧ୍ୟରେ ଆଜି ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ପୁଣିଥରେ ଏକ ବଡ଼ ବୟାନ ଆସିଛି। ଓଡ଼ିଶାରେ ଏକାଠି ଲଢ଼ିବୁ କିମ୍ବା ଏକା ଲଢ଼ିବୁ ତାହା ସ୍ଥିର ହୋଇନି। ମାତ୍ର ଏକାକୀ ଲଢ଼ିଲେ ରାଜ୍ୟରେ ସରକାର ଗଢ଼ିବା ପାଇଁ ହିଁ ଲଢ଼ିବୁ ବୋଲି ଶାହ କହିଛନ୍ତି। ଗତକାଲି ବିଜେଡି ନେତା ଭିକେ ପାଣ୍ଡିଆନ ଦୁଇ ଦଳର ଶୀର୍ଷ ନେତା ଏକାଠି ହେବାକୁ ଚାହାଁନ୍ତି ବୋଲି ବୟାନ ଦେଇଥିଲେ।

Advertisment

ନୂଆଦିଲ୍ଲୀରେ ଏକ ଜାତୀୟ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପିର ଚାଣକ୍ୟ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ, “ଓଡ଼ିଶାରେ ମେଂଟ ହେବ କି ନାହିଁ ସେ ନେଇ କିଛି ଚୂଡ଼ାନ୍ତ ହୋଇନି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ନିଷ୍ପତ୍ତି ନେବେ। ତେବେ ଏହା ନିଶ୍ଚିତ ଯେ, ଓଡ଼ିଶାରେ ଆମର ସ୍ଥିତି ବହୁତ ଅଧିକ ସୁଦୃଢ଼ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକଙ୍କ ଭଲପାଇବା ଅଛି। ଦଳର କର୍ମକର୍ତ୍ତା ଉତ୍ସାହ ଓ ବିନମ୍ରତାର ସହ ଏହାକୁ ସ୍ୱୀକାର କରୁଛନ୍ତି ଓ ଅନୁଭବ ବି କରୁଛନ୍ତି। ତେଣୁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ବହୁତ ଭଲ ହେବ। ନିର୍ବାଚନୀ ପଣ୍ଡିତମାନଙ୍କ ଗଣନାଠୁ ଢ଼େରଗୁଣ ଅଧିକ ସିଟ୍ ପାଇବୁ।

ତେବେ ବିଜେଡି ସହ ମେଂଟକୁ ନେଇ ଶ୍ରୀ ଶାହ ଆହୁରି କହିଛନ୍ତି ଯେ, “କିଛି ବି ହୋଇପାରେ। ଆମେ ଏକାଠି ଲଢ଼ିବୁ କି ଏକାକୀ ଲଢ଼ିବୁ ତାହା ସ୍ଥିର ହୋଇଯାଉ। ଯଦି ମିଶିକି ଲଢ଼ିବୁ ବିଜୁବାବୁ ନେତା। ସ୍ୱାଭାବିକ ଭାବେ ଆମେ ସହଯୋଗୀ ଭଳି ଲଢ଼ିବୁ। ଯଦି ଏକାକୀ ଲଢ଼ିବୁ ତା’ହେଲେ ସରକାର ଗଠନ କରିବାକୁ ହିଁ ଲଢ଼ିବୁ।

Advertisment

ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ମେଂଟ ସର୍ବଦା ଆବଶ୍ୟକତା ଆଧାରରେ ହୁଏନି। ବହୁତ ଦଳ ରାଷ୍ଟ୍ରୀୟ ସ୍ୱାର୍ଥରେ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଥାନ୍ତି। ଧାରା-୩୭୦ ଉଚ୍ଛେଦ , ଜିଏସଟି ଓ ନିର୍ବାଚନୀ ବଣ୍ଡ ଆଦି ପ୍ରସଙ୍ଗରେ ବି ସମର୍ଥନ ମିଳିଛି। ତେଣୁ ଏହା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ରାଷ୍ଟ୍ରୀୟ ହିତରେ ରାଜନୀତିକ ଦଳଗୁଡ଼ିକ ସରକାରଙ୍କୁ ସମର୍ଥନ ଦେଇଥାନ୍ତି।

ବିଜେପି ଚାଣକ୍ୟ ଶ୍ରୀ ଶାହଙ୍କ ଏହି ବୟାନ ଆଜି ପୁଣିଥରେ ମେଂଟ ସସପେନ୍ସକୁ ଅଧିକ ରହସ୍ୟଘେରକୁ ଟାଣି ଦେଇଛି। ରାଜ୍ୟରେ ମେଂଟ ଚର୍ଚ୍ଚା ଥମୁନଥିବାବେଳେ ଶ୍ରୀ ଶାହା ୫ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ମେଂଟ ନେଇ ନିଷ୍ପତ୍ତି କିଛି ହୋଇନି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଦୋହରାଇଛନ୍ତି। ମାତ୍ର ଓଡ଼ିଶାରେ ଯଦି ବିଜେପି ଏକାକୀ ଲଢ଼ିବ ତା’ହେଲେ ସରକାର ଗଠନ ପାଇଁ ହିଁ ଲଢ଼ିବ ବୋଲି ବଡ଼ ବୟାନ ଦେଇଛନ୍ତି। ଯାହାକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି।

ଉଲ୍ଲେଖଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ଗତକାଲି ବିଜେଡିର ଦ୍ୱିତୀୟ କ୍ଷମତାଶାଳୀ ନେତା ଶ୍ରୀ ପାଣ୍ଡିଆନ ମେଂଟ ସମ୍ପର୍କରେ ବୟାନ ଦେଇ କହିଥିଲେ ଯେ, କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ବିଜେପିକୁ ବିଜେଡିର କିମ୍ବା ରାଜ୍ୟରେ ସରକାର ଗଢ଼ିବା ପାଇଁ ବିଜେଡିକୁ ବିଜେପିର ସହାୟତାର ଆବଶ୍ୟକତା ନାହିଁ। ଦୁଇ ଦଳର ଶୀର୍ଷ ନେତା ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହୁଛନ୍ତି। ଯାହାକି ରାଜନୀତିରୁ ଉର୍ଦ୍ଧ୍ୱରେ। ମେଂଟକୁ ନେଇ ଯାହା ହେବ ତାହା ସମସ୍ତେ ଜାଣିବା ବୋଲି କହି ଶ୍ରୀ ପାଣ୍ଡିଆନ ମଧ୍ୟ ନିଜ ଦଳର କାର୍ଡକୁ ଖୋଲିନଥିଲେ।

ସୂଚନାଯୋଗ୍ୟ, ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଂଟ ଚର୍ଚ୍ଚା ଯୋଗୁ ଗତ ପ୍ରାୟ ୧୫ଦିନ ଧରି ରାଜ୍ୟରେ ରାଜନୀତିକ ଅଚଳାବସ୍ଥା ଲାଗି ରହିଛି। ନିର୍ବାଚନୀ ସରଗରମ ଫିକା ପଡ଼ିଛି। ଏହି ସମ୍ଭାବ୍ୟ ମେଂଟକୁ ନେଇ ଦୁଇ ଦଳର ନେତା ଓ କର୍ମୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ରହିଥିବା ଜଣାପଡ଼ିଛି।

Bjp BjD Amit Shah