/odisha-reporter/media/post_attachments/uploadimage/library/16_9/16_9_0/NCP_1730803008.jpg)
NCP
ରାଜନୀତିରୁ ଅବସର ନେବା ପ୍ରସଙ୍ଗରେ ଏନସିପିର ପ୍ରତିଷ୍ଠାତା ୮୩ ବର୍ଷୀୟ ଶରଦ ପାୱାର ମଙ୍ଗଳବାର ବଡ଼ ସଙ୍କେତ ଦେଇଛନ୍ତି। ଆସନ୍ତା ୧୮ ମାସ ପରେ ରାଜ୍ୟସଭା ସାଂସଦ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ଏହାପରେ ସେ ଆଉ କୌଣସି ପ୍ରକାରର ନିର୍ବାଚନ ଲଢ଼ି ନ ପାରନ୍ତି ବୋଲି ଆଜି କହିଛନ୍ତି। ଏହାର ଅର୍ଥ ସେ ୧୮ ମାସ ପରେ ସମ୍ଭବତଃ ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ରଖିବେ ବୋଲି କୁହାଯାଉଛି।
ଭେଟରାନ ରାଜନେତା ଶରଦ ପାୱାର ୧୯୯୯ରେ ଏନସିପି ପ୍ରତିଷ୍ଠା କରିଥିଲେ। ସେ ମହାରାଷ୍ଟ୍ର ରାଜନୀତିର ଭିଷ୍ମ ପିତାମହ ଭାବେ ପରିଚିତ। ସେ ପଶ୍ଚିମ ମହାରାଷ୍ଟ୍ରର ବାରାମତିରେ ଗୋଟିଏ ନିର୍ବାଚନ ରାଲିକୁ ସମ୍ବୋଧନ କରିଛନ୍ତି। ବାରାମତି ପାୱାର ପରିବାର ଗଡ଼ ଭାବେ ପରିଚିତ।
ହେଲେ ନଭେମ୍ବର ୨୦ ବିଧାନସଭା ନିର୍ବାଚନ ବେଳେ ଏଠାରେ ପାୱାର ବନାମ ପାୱାର ଲଢ଼େଇ ଦେଖିବାକୁ ମିଳିବ। କାରଣ ବିଜେପି ସହ ହାତ ମିଳାଇଥିବା ଅଜିତ ପାୱାରଙ୍କୁ ଟକ୍କର ଦେବାକୁ ଶରଦ ପାୱାର ତାଙ୍କ ନାତିଙ୍କୁ ଏଠାରେ ପ୍ରାର୍ଥୀ କରିଛନ୍ତି। ଅଜିତ ପାୱାରଙ୍କ ଭାଇଙ୍କ ପୁଅ ଏଠାରେ ଏନସିପି(ଶରଦ ପାୱାର)ରୁ ପ୍ରାର୍ଥୀ ହୋଇଛନ୍ତି।
ତାଙ୍କ ପାଇଁ ପ୍ରଚାର କରିବା ବେଳେ ଶରଦ ପାୱାର ନିଜ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ମୁଁ କ୍ଷମତାରେ ନାହିଁ। ମୋ ରାଜ୍ୟସଭା କାର୍ଯ୍ୟକାଳ ଆଉ ଦେଢ଼ ବର୍ଷ ପରେ ଶେଷ ହୋଇଯିବ। ଏହାପରେ ମୁଁ ଭବିଷ୍ୟତରେ ଆଉ କୌଣସି ନିର୍ବାଚନ ଲଢ଼ିବି ନାହିଁ। ମୋତେ କୌଣସି ସ୍ଥାନରେ ଅଟକିବାକୁ ପଡ଼ିବ।”
୧୪ ଥର ବାରାମତିର ଲୋକମାନେ ତାଙ୍କୁ ସାଂସଦ ଓ ବିଧାୟକ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶରଦ ପାୱାର ଦୀର୍ଘ ୬ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଅଛନ୍ତି। ଏଥରେ ତାଙ୍କ ଦଳ ଏନସିପି ମହାରାଷ୍ଟ୍ରରେ କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନା ସହ ମିଶି ବିଧାନସଭା ନିର୍ବାଚନ ଲଢ଼ୁଛି।
ବାରାମତିରେ ଶରଦ ପାୱାରଙ୍କ ଏବେ ବି ଦବଦବା ରହିଛି। ଲୋକସଭା ନିର୍ବାଚନ ବେଳେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏଠାରୁ ନିର୍ବାଚନ ଜିତିଥିଲେ। ଅଜିତ ପାୱାର ତାଙ୍କ ପତ୍ନୀଙ୍କୁ ଏଠାରେ ପ୍ରାର୍ଥୀ କରିଥିଲେ ହେଁ ସେ ହାରିଥିଲେ।
ଏବେ ବିଧାନସଭା ନିର୍ବାଚନରେ ଶରଦ ପାୱାର ନାତି ଯୁଗେନ୍ଦ୍ରଙ୍କୁ ବାରାମତିରୁ ଟିକେଟ ଦେଇଛନ୍ତି। ତାଙ୍କର ଲଢ଼େଇ ଅଜିତ ପାୱାରଙ୍କ ସହ ହେବ।
ଶରଦ ପାୱାର ବାରାମତିରେ ପାୱାର ବନାମ ପାୱାର ଲଢ଼େଇକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, “ଅଜିତ ପାୱାରଙ୍କ ପ୍ରତି ମୋର କୌଣସି ପ୍ରକାରର ଈର୍ଷା ନାହିଁ। ସେ ଏଠାରେ ୩୦ ବର୍ଷ ହେଲା ନେତୃତ୍ୱ ନେଉଛନ୍ତି। ଏବେ ଜଣେ ଯୁବ ଓ ଗତିଶୀଳ ନେତୃତ୍ୱକୁ ପ୍ରସ୍ତୁତ କରିବାକୁ ସମୟ ଆସିଛି।
ଯୁବ ନେତା ଜଣଙ୍କ ଆପଣମାନଙ୍କୁ ଆସନ୍ତା ୩୦ ବର୍ଷ ଯାଏ ନେତୃତ୍ୱ ପ୍ରଦାନ କରିବେ। ମୁଁ ଏଠାରେ ଆପଣମାନଙ୍କ ଠାରୁ ଭୋଟ ମାଗିବାକୁ ଆସିନାହିଁ। ଆପଣମାନେ ସବୁବେଳେ ସମସ୍ତ ପାୱାର ପରିବାର ସଦସ୍ୟଙ୍କୁ ସମର୍ଥନ କରିଛନ୍ତି। ଏଥର ମଧ୍ୟ କରିବେ। କିନ୍ତୁ ଆମକୁ ଆଗକୁ ଦେଖିବାର ଅଛି। ଭବିଷ୍ୟତ କଥା ଚିନ୍ତା କରିବାକୁ ପଡ଼ିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
