Advertisment

ବାରାମତୀରେ ଅଜିତ ପାୱାରଙ୍କୁ ଟକ୍କର ଦେବେ ପୁତୁରା ଯୁଗେନ୍ଦ୍ର

ଯୁଗେନ୍ଦ୍ର ପାୱାର ହେଉଛନ୍ତି ଅଜିତ ପାୱାରଙ୍କ ସାନ ଭାଇ ଶ୍ରୀନିବାସଙ୍କ ପୁଅ। ଏବେ ସେ ବାରାମତୀରେ ଶରଦ ପାୱାରଙ୍କ ଏନସିପିରୁ ଟିକେଟ ପାଇଛନ୍ତି।

Ajit Pawar

Ajit Pawar

Advertisment

ମହାରାଷ୍ଟ୍ରର ବାରାମତୀରେ ଦେଖିବାକୁ ମିଳିବ ଦାଦା-ପୁତୁରା ଲଢ଼େଇ। ଦାଦା ଅଜିତ ପାୱାରଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପୁତୁରା ଯୁଗେନ୍ଦ୍ର ପାୱାର। ଅଜିତ ପାୱାର ଦାଦା ଶରଦ ପାୱାରଙ୍କ ଠାରୁ ଅଲଗା ହୋଇ ବିଜେପି ସହ ହାତ ମିଳାଇଥିଲେ। ଏଥିସହ ଏବେ ସେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବିରୋଧରେ ଶରଦ ପାୱାରଙ୍କ ଏନସିପି ଯୁଗେନ୍ଦ୍ରଙ୍କୁ ପ୍ରାର୍ଥୀ କରିଛି।

Advertisment

ଯୁଗେନ୍ଦ୍ର ପାୱାର ହେଉଛନ୍ତି ଅଜିତ ପାୱାରଙ୍କ ସାନ ଭାଇ ଶ୍ରୀନିବାସଙ୍କ ପୁଅ। ଏବେ ସେ ବାରାମତୀରେ ଶରଦ ପାୱାରଙ୍କ ଏନସିପିରୁ ଟିକେଟ ପାଇଛନ୍ତି। ଏହାର ଅର୍ଥ ବାରାମତୀରେ ପୁଣି ପାରିବାରିକ ଲଢ଼େଇ ଦେଖିବାକୁ ମିଳିବ। ବାରାମତୀ ହେଉଛି ପାୱାର ପରିବାରର ଗଡ଼। ତେଣୁ ଏହି ଲଢ଼େଇରେ କେଉଁ ପାୱାର ବାଜି ମାରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଏଠାରେ ପାରିବାରିକ ଲଢ଼େଇ ଦେଖିବାକୁ ମିଳିଥିଲା। ବାରାମତୀରେ ଏନସିପି(ଶରଦ ପାୱାର)ର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେଙ୍କ ବିରୋଧରେ ଅଜିତ ପାୱାର ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ପ୍ରାର୍ଥୀ କରିଥିଲେ।

Advertisment

ସୁପ୍ରିୟା ହେଉଛନ୍ତି ଶରଦ ପାୱାରଙ୍କ ଝିଅ। ଅଜିତ ପାୱାର ହେଉଛନ୍ତି ସୁପ୍ରିୟାଙ୍କ ଭାଇ। ତେଣୁ ଭଉଣୀଙ୍କ ବିରୋଧରେ ସେ ଭାଉଜଙ୍କୁ ପ୍ରାର୍ଥୀ କରିଥିଲେ। ତେବେ ପୁଣେରେ ଥିବା ଏହି ଲୋକସଭା ଆସନରେ ଭାଉଜଙ୍କୁ ହରାଇ ସୁପ୍ରିୟା ବିଜୟୀ ହୋଇଥିଲେ।

୩୨ ବର୍ଷୀୟ ଯୁଗେନ୍ଦ୍ର ଲୋକସଭା ନିର୍ବାଚନ ବେଳେ ବାରାମତୀରେ ସୁପ୍ରିୟାଙ୍କ ପାଇଁ ଜବରଦସ୍ତ ପ୍ରଚାର କରିଥିଲେ। ସେ ସୁପ୍ରିୟାଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏବେ ଯୁଗେନ୍ଦ୍ର ନିଜେ ବାରାମତୀରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଶରଦ ପାୱାରଙ୍କ ଅତି ଘନିଷ୍ଠ ଯୁଗେନ୍ଦ୍ର ବୋଷ୍ଟନ ସ୍ଥିତ ନର୍ଥଇଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ବିଜନେସ ଆଡିମନଷ୍ଟ୍ରେସନରେ ଡିଗ୍ରୀ ହାସଲ କରିଛନ୍ତି।

ଶରଦ ପାୱାରଙ୍କ ତତ୍ତ୍ୱାବଧାନରେ ସେ ଧୀରେଧୀରେ ନିଜର ରାଜନୀତିକ ଯାତ୍ରା ଆରମ୍ଭ କରିଥିଲେ। ଏହିକ୍ରମରେ ସେପ୍ଟେମ୍ବର ମାସରେ ସେ ବାରାମତୀରେ ସ୍ୱାଭିମାନ ଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିଥିଲେ। ପାୱାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବ ବିଦ୍ୟା ପ୍ରତିଷ୍ଠାନର ସେ କୋଷାଧ୍ୟକ୍ଷ ମଧ୍ୟ ରହିଛନ୍ତି।

ଲୋକସଭା ନିର୍ବାଚନ ବେଳେ ଯୁଗେନ୍ଦ୍ର ଖୋଲାଖୋଲି ଭାବେ ସୁପ୍ରିୟଙ୍କ ପାଇଁ ପ୍ରଚାର କରୁଥିବା ବେଳେ ତାଙ୍କ ବାପା ଶ୍ରୀନିବାସ ବିଜେପି ସହ ହାତ ମିଳାଇଥିବା ଅଜିତ ପାୱାରଙ୍କୁ କଡ଼ା ସମାଲୋଚନା କରିଥିଲେ।

ଆଜି ଏନସିପି(ଶରଦ ଚନ୍ଦ୍ର ପାୱାର) ପକ୍ଷରୁ ଜାରି ପ୍ରାର୍ଥୀ ତାଲିକା ଅନୁସାରେ ଯୁଗେନ୍ଦ୍ର ବାରାମତୀ ଆସନରୁ ଲଢ଼ିବେ। ଏହାବାଦ ଦଳର ରାଜ୍ୟ ସଭାପତି ଜୟନ୍ତ ପାଟିଲ(ଇସଲାମପୁର), ଜିତେନ୍ଦ୍ର ଅୱାଦ(ମୁମ୍ବ୍ରା-କଲୱା), ଅନୀଲ ଦେଶମୁଖ(କାଟୋଲ), ହର୍ଷବର୍ଦ୍ଧନ ପାଟିଲ(ଇନ୍ଦାପୁର) ଓ ଦିବଙ୍ଗତ ଆରଆର ପାଟିଲଙ୍କ ପୁଅ ରୋହିତ ପ୍ରଥମଥର ପାଇଁ ତାସଗାଓଁ-କାଭଥେମହାନକାଲରୁ ପ୍ରାର୍ଥୀ ହୋଇଛନ୍ତି।

ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Maharashtra Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe