/odisha-reporter/media/post_attachments/uploadimage/library/16_9/16_9_0/ajit_Pawar_1692969320.jpg)
ajit Pawar
ବିଜେପି ଓ ଶିବସେନା(ଏକନାଥ ସିନ୍ଦେ) ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାରଙ୍କ ସମ୍ପର୍କରେ ଏନସିପି ସୁପ୍ରିମୋ ଶରଦ ପାୱାର ଦେଇଥିବା ବୟାନକୁ ନେଇ ଚର୍ଚ୍ଚା। ବିଜେପି ସହ ଅଜିତ ହାତ ମିଳାଇଥିଲେ ହେଁ ସେ ଏବେ ବି ଏନସିପର ଜଣେ ନେତା ବୋଲି ଶରଦ ପାୱାର କହିଥିଲେ। ତେବେ ଏହାକୁ ନେଇ ବିବାଦ ହେବାରୁ ଏବେ ସିନିୟର ପାୱାର ୟୁ-ଟର୍ଣ୍ଣ ନେଇଛନ୍ତି।
ସେ କହିଛନ୍ତି, “ସେ ଆମର ନେତା ବୋଲି ମୁଁ କହିନି। ସୁପ୍ରିୟା(ସୁଲେ) ଏପରି କହିବା ଠିକ ଅଛି। ସେ ହେଉଛନ୍ତି ଅଜିତ ପାୱାରଙ୍କ ସାନ ଭଉଣୀ। ମୋ ବୟାନରୁ ରାଜନୀତିକ ଆକଳନ ବାହାର କରିବା ଆବଶ୍ୟକ ନାହିଁ।”
ଏନସିପି ବିରୋଧରେ ବିଦ୍ରୋହ କରିଥିବା ଅଜିତ ପାୱାରଙ୍କ ସ୍ଥିତି ଦଳରେ ଏବେ କ’ଣ ବୋଲି ଚର୍ଚ୍ଚା ଗୁରୁବାର ଠାରୁ ଆରମ୍ଭ ହୋଇଛି। କାରଣ ଏନସିପିର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଗୋଟିଏ ପ୍ରଶ୍ନର ଉତ୍ତର ଦେବା ବେଳେ କହିଥିଲେ ଯେ ଅଜିତ ପାୱାର ଦଳର ଜଣେ ବିଧାୟକ ଓ ବରିଷ୍ଠ ନେତା। ବାସ୍ ଏହି ବୟାନକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।
ଶୁକ୍ରବାର ଶରଦ ପାୱାରଙ୍କୁ ଏ ସମ୍ପର୍କରେ ପଚରା ଯାଇଥିଲା। କ’ଣ ଅଜିତ ପାୱାର ଏବେ ବି ଏନସିପି ନେତା ରହିଛନ୍ତି? ଏହାର ଜବାବରେ ସିନିୟର ପାୱାର କହିଥିଲେ, “ହଁ, ଏଥିରେ କୌଣସି ପ୍ରକାରର ଦ୍ୱିମତ ନାହିଁ।”
ତେବେ ଅପରାହ୍ନ ବେଳକୁ ଶରଦ ପାୱାର ନିଜ ବୟାନ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ସୁପ୍ରିୟାଙ୍କ ଭାଇ ଅଜିତ ପାୱାର ହୋଇଥିବାରୁ, ସେ ଏପରି ବୟାନ ଦେଇଛନ୍ତି।” ଶରଦ ପାୱାର ତାଙ୍କ ପୁତୁରା ଅଜିତ ପାୱାରଙ୍କୁ ଆଉ ଦ୍ୱିତୀୟ ସୁଯୋଗ ଦେବେ ନାହିଁ। କାରଣ ୨୦୧୯ରେ ସେ ଥରେ ତାଙ୍କୁ ସୁଯୋଗ ଦେଇଥିଲେ। ଏବେ କିନ୍ତୁ ଆଉ ଜୁନିୟର ପାୱାରଙ୍କୁ ସୁଯୋଗ ମିଳିବ ନାହିଁ ବୋଲି ସିନିୟର ପାୱାର ସ୍ପଷ୍ଟ କରିଛନ୍ତି।
୨୦୧୯ ନିର୍ବାଚନ ପରେ ଅଜିତ ପାୱାର ରାତାରାତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ସହ ହାତ ମିଳାଇ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଯାଇଥିଲେ। କିନ୍ତୁ କିଛି ଘଣ୍ଟା ପରେ ଅଜିତ ପାୱାର ପୁଣି ଫଡନାଭିସଙ୍କୁ ଛାଡ଼ି ଏନସିପିକୁ ଆସିଥିଲେ।
ଏଥିସହ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା, କଂଗ୍ରେସ ଓ ଏନସିପି ସରକାର ଗଠନ କରିଥିଲେ। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ।
୨୦୧୯ ଘଟଣାକୁ ମନେ ପକାଇ ଶରଦ ପାୱାର କହିଛନ୍ତି, “ଆପଣମାନେ ମନେ ରଖିବା ଦରକାର ଯେ ସେ ଥରେ ବିଳମ୍ବିତ ରାତିରେ ଶପଥ ନେଇଥିଲେ। ଆମର ଜଣେ ସହଯୋଗୀ ତାଙ୍କ ସହ ଥିଲେ। ସେହି ସମୟରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ସେମାନେ ନିଜର ଭୁଲ ସ୍ୱୀକାର କରିଥିଲେ ଓ ପୁଣି ସେମିତି କିଛି କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ତେଣୁ ଆମେ ତାଙ୍କୁ ସୁଯୋଗ ଦେଇଥିଲୁ। କିନ୍ତୁ ଏବେ ସ୍ପଷ୍ଟ କରାଯାଇ ସାରିଛି ଯେ କେହି ବି ଦ୍ୱିତୀୟ ସୁଯୋଗ ମାଗି ପାରିବେ ନାହିଁ। ଆମେ ତାଙ୍କୁ ଆଉ କୌଣସି ପ୍ରକାରର ସୁଯୋଗ ଦେବୁ ନାହିଁ।”
ଏନସିପି ଭାଗଭାଗ ହୋଇ ନାହିଁ ଓ କିଛି ନେତା ଭିନ୍ନ ରାଜନୀତିକ ଆଭିମୁଖ୍ୟ ପାଇଁ ଦଳ ଛାଡ଼ିଥିବା ଶରଦ ପାୱାର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
