Advertisment

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶରଦ ପାୱାର, ପାଖରେ ଥିଲେ ଉଦ୍ଧବ ଠାକରେ

ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଦଳର ଅଧିକାଂଶ ବିଧାୟକଙ୍କୁ ଧରି ବିଜେପି ସହ ହାତ ମିଳାଇବାରୁ ଏନସିପି ଦୁଇ ଫାଳ ହୋଇ ଯାଇଥିଲା। ଶରଦ ପାୱାର ଏନସିପିର ନିର୍ବାଚନୀ ଚିହ୍ନ ଓ ନାଁ ମଧ୍ୟ ହରାଇଥିଲେ।

author-image
Hemant Lenka
MVA

MVA

ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିରୋଧୀ ମହାବିକାଶ ଅଘାଡି (ଶରଦ ପାୱାର, ଉଦ୍ଧବ ଠାକରେ ଓ କଂଗ୍ରେସ) ୪୮ରୁ ୩୦ଟି ଆସନ ଜିତିବା ପରେ ଏପରି ଧନ୍ୟବାଦ ଆସିଛି।

Advertisment

ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଦଳର ଅଧିକାଂଶ ବିଧାୟକଙ୍କୁ ଧରି ବିଜେପି ସହ ହାତ ମିଳାଇବାରୁ ଏନସିପି ଦୁଇ ଫାଳ ହୋଇ ଯାଇଥିଲା। ଶରଦ ପାୱାର ଏନସିପିର ନିର୍ବାଚନୀ ଚିହ୍ନ ଓ ନାଁ ମଧ୍ୟ ହରାଇଥିଲେ।

ସେହିପରି ଉଦ୍ଧବ ଠାକରେଙ୍କ ଠାରୁ ଏକନାଥ ସିନ୍ଦେ ଅଲଗା ହୋଇଯିବାର ଶିବସେନା ସହ ସମାନ ଘଟଣା ଘଟିଥିଲା। ତଥାପି ଶରଦ ପାୱାର ଓ ଉଦ୍ଧବ ଠାକରେ କଂଗ୍ରେସ ସହ ମିଶି ରାଜ୍ୟରେ ୩୦ ଲୋକସଭା ଆସନ ଜିତିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶରଦ ପାୱାର କହିଛନ୍ତି, “ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛୁ। କାରଣ ସେ ହିଁ ରାଜ୍ୟର ରାଜନୀତିକ ପରିବେଶକୁ ମହାବିକାଶ ଅଘାଡି ସପକ୍ଷରେ କରିଥିଲେ।”

Advertisment

ମହାରାଷ୍ଟ୍ରରେ ବିଜେପି, ଏନସିପି ଓ ଶିବସେନା ମିଳିତ ଭାବେ କେବଳ ୧୭ଟି ଆସନ ଜିତିବାକୁ ସକ୍ଷମ ହୋଇଛନ୍ତି। ୨୦୧୯ରେ ବିଜେପି ଏକାକୀ ୨୩ଟି ଆସନ ଜିତିଥିବା ବେଳେ ଏଥର ୯କୁ ଖସି ଯାଇଛି। ମୋଦି ମହାରାଷ୍ଟ୍ରର ଯେଉଁ ୧୮ଟି ଆସନରେ ପ୍ରଚାର କରିଥିଲେ, ସେଥିରୁ ବିଜେପି କେବଳ ୩ଟିରେ ଜିତିବାକୁ ସକ୍ଷମ ହୋଇଛି।

ତେଣୁ ଆଜି ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ତାଙ୍କ ପାଖରେ ଉଦ୍ଧବ ଠାକରେ ମଧ୍ୟ ରହିଥିଲେ। ଉଦ୍ଧବଙ୍କ ଦଳ ମହାରାଷ୍ଟ୍ରରେ ୯ଟି ଆସନ ଜିତିଛି। ସେ କହିଛନ୍ତି, “୨୦୨୨ ବିଭାଜନ ପରେ ଯେଉଁମାନେ ବିଶ୍ୱସ୍ତ ହୋଇ ରହିଥିଲେ, ସେମାନେ ଆଗକୁ ମଧ୍ୟ ରହିବେ।

ଯେଉଁମାନେ ମୋତେ ସମର୍ଥନ କରିଥିଲେ, ସେମାନେ ରହିବେ। ଆମ ସହ ଯେଉଁମାନେ ରହିଥିଲେ ଓ ସଂଘର୍ଷ କରିଥିଲେ, ସେମାନଙ୍କୁ ନେଇ ଆମେ ଆଗକୁ ବଢ଼ିବୁ। ତଥାପି ଯଦି କେହି ଆମ ସହ ସାମିଲ ହେବାକୁ ଚାହୁଁଛନ୍ତି, ତା’ହେଲେ ଏହାର ବିଚାର କରାଯିବ।”

ପୁଣିଥରେ ସନ୍ଦେଙ୍କ ସହ ହାତ ମିଳାଇ ଏନଡିଏରେ ସାମିଲ ହେବା ଚର୍ଚ୍ଚାକୁ ମଧ୍ୟ ଉଦ୍ଧବ ଠାକରେ ଖଣ୍ଡନ କରିଛନ୍ତି। ଶ୍ରୀ ଠାକରେ ରାମ ମନ୍ଦିର ପ୍ରସଙ୍ଗକୁ ନେଇ ବିଜେପିକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ନିର୍ବାଚନ ପରେ ରାମ ବିଜେପି ମୁକ୍ତ ହୋଇଛନ୍ତି।”

ଉଦ୍ଧବ ଠାକରେ, ଶରଦ ପାୱାର ଓ କଂଗ୍ରେସର ପୃଥ୍ୱୀରାଜ ଚୌହାନ ମିଳିତ ଭାବେ ମହାରାଷ୍ଟ୍ରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚୌହାନ କହିଛନ୍ତି, “ଏହି ସାମ୍ବାଦିକ ସମ୍ମିଳନୀ ଭୋଟରଙ୍କୁ କୃତଜ୍ଞତା ଜଣାଇବା ପାଇଁ କରାଯାଇଛି। ଲୋକମାନେ ଏମଭିଏକୁ ଭୋଟ ଦେଇଛନ୍ତି ଓ ଧାର୍ମିକ ଧ୍ରୁବୀକରଣ ପାଇଁ ହେଉଥିବା ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ନିକଟରେ ବିଧାନସଭା ନିର୍ବାଚନ ପାଇଁ ୩ ଦଳର ବୈଠକ ହୋଇଥିଲା। ଆମେ ଯେଉଁ ଭଳି ଲୋକସଭା ନିର୍ବାଚନ ଲଢ଼ିଛୁ, ଠିକ ସେହିଭଳି ବିଧାନସଭା ନିର୍ବାଚନ ଲଢ଼ିବୁ। ଆମ ବିଜୟ ନିଶ୍ଚିତ ଓ ରାଜ୍ୟରେ କ୍ଷମତାର ପରିବର୍ତ୍ତନ ସୁନିଶ୍ଚିତ।”

Maharashtra Maharashtra Politics MVA