Advertisment

ଦାୟିତ୍ୱରେ ନାହାନ୍ତି ଶିବରାଜ ସିଂହ ଚୌହାନ, ଗ୍ୟାସ୍‌ ସବସିଡି ଅପେକ୍ଷାରେ ‘ଲାଡଲି ବେହନା’

ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବିଜେପି ଭେଟରାନ ଶିବରାଜ ନୂଆ ଦାୟିତ୍ୱ ଅପେକ୍ଷାରେ ରହିଛନ୍ତି। ତେବେ ସେ ଏକୁଟିଆ ନୁହନ୍ତି, ତାଙ୍କ ଲାଡଲି ବେହନାମାନେ ମଧ୍ୟ ସେମାନଙ୍କର ସବସିଡି ଅପେକ୍ଷାରେ ଅଛନ୍ତି।

author-image
Hemant Lenka
MP

MP

ମଧ୍ୟପ୍ରଦେଶ ବିଧାନସଭାର ୨ ମାସ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜ୍ୟର ମହିଳାମାନେ ୪୫୦ ଟଙ୍କାରେ ରନ୍ଧନ ଗ୍ୟାସ ପାଇବେ। ସେ ରାଜ୍ୟର ମହିଳାମାନଙ୍କୁ ଲାଡଲି ବେହନା କୁହନ୍ତି ଓ ସେମାନଙ୍କ ନାଁରେ ହିଁ ଯୋଜନା ଲାଗୁ କରିଥିଲେ।

Advertisment

ଯୋଜନାର ହିତାଧିକାରୀଙ୍କ ପାଇଁ ଅନେକ ସର୍ତ୍ତ ରହିଥିଲା। କିନ୍ତୁ ଶିବରାଜ ସିଂହ ଚୌହାନଙ୍କ ଏପରି ଘୋଷଣା ଲୋକସଂଖ୍ୟା ଦୃଷ୍ଟିରୁ ବଡ଼ ପରିବାର ପାଇଁ ଆଶ୍ୱସ୍ତି ଆଣିଥିଲା। ଘୋଷଣା ପଛରେ ରାଜନୀତିକ ଅଭିସନ୍ଧି ମଧ୍ୟ ରହିଥିଲା। କାରଣ ତାଙ୍କ ପୂର୍ବରୁ କଂଗ୍ରେସ କ୍ଷମତାକୁ ଆସିଲେ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗ ଦେବ ବୋଲି କହିଥିଲା।

ଶିବରାଜଙ୍କ ଘୋଷଣାର ମାସକ ପରେ ରାଜ୍ୟର ମହିଳାମାନେ ବେଶ ଖୁସି ହୋଇଯାଇଥିଲେ। କାରଣ ସେମାନେ ୯୧୦ ଟଙ୍କା ଦେଇ ଗ୍ୟାସ ସିଲିଣ୍ଡର କିଣିଥିଲେ ଓ ୪୬୦ ଟଙ୍କା ସବସିଡି ଆକାରରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିଲା। ଏହାର ଅର୍ଥ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପ୍ରତିଶ୍ରୁତି ମୁତାବକ ଲାଡଲି ବେହନାମାନେ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ପାଇଥିଲେ।

Advertisment

ଏହାପରେ ବିଜେପି ମଧ୍ୟପ୍ରଦେଶ ବିଧାନସଭାରେ କ୍ଷମତା ଦଖଲ କରିଥିଲା। କିନ୍ତୁ ଶିବରାଜ ଆଉ ମୁଖ୍ୟମନ୍ତ୍ରୀ ଚୌକିରେ ବସି ନାହାନ୍ତି। ମୋହନ ଯାଦବ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବିଜେପି ଭେଟରାନ ଶିବରାଜ ନୂଆ ଦାୟିତ୍ୱ ଅପେକ୍ଷାରେ ରହିଛନ୍ତି। ତେବେ ସେ ଏକୁଟିଆ ନୁହନ୍ତି, ତାଙ୍କ ଲାଡଲି ବେହନାମାନେ ମଧ୍ୟ ସେମାନଙ୍କର ସବସିଡି ଅପେକ୍ଷାରେ ଅଛନ୍ତି।

ମଧ୍ୟପ୍ରଦେଶରେ ୩୨ ଲକ୍ଷରୁ ଅଧିକ ମହିଳା ରନ୍ଧନ ଗ୍ୟାସ ସବସିଡି ପାଇଁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଶଶି ଗାୱଡେ। ତାଙ୍କ ଘର ଭୋପାଲର ଭୀମନଗର ଅଞ୍ଚଳରେ। ସେ ଲୋକପ୍ରିୟ ଯୋଜନା ଲାଡଲି ବେହନା ଯୋଜନାର ହିତାଧିକାରୀ।

ସେ ପ୍ରତିମାସରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୨୫୦ ଟଙ୍କାର ସବସିଡି ପାଉଥିଲେ। କିନ୍ତୁ ଏବେ ତାଙ୍କ ଆକାଉଣ୍ଟକୁ ଆଉ ରନ୍ଧନ ଗ୍ୟାସ ବାବଦ ସବସିଡି ଆସିବା ବନ୍ଦ ହୋଇଯାଇଛି।

ସେ କହିଛନ୍ତି, “ଶିବରାଜଙ୍କ ଘୋଷଣା ପରେ ଆମେ ୯୧୦ ଟଙ୍କାରେ ସିଲିଣ୍ଡର ଆଣିଥିଲୁ। ଏହାପରେ ମୋ ବ୍ୟାଙ୍କ ଆକାଉଣ୍ଟକୁ ସବସିଡି ବାଦରେ ୪୬୦ ଟଙ୍କା ଆସିଥିଲା। ସେହି ଗୋଟିଏ ଥର ପରେ ଆମ ଆକାଉଣ୍ଟକୁ ଆଉ ଟଙ୍କା ଆସୁନାହିଁ।”

ଶଶିଙ୍କ ପରିବାର ବଡ଼ ଥିବାରୁ ମାସକ ମଧ୍ୟରେ ସିଲିଣ୍ଡର ଶେଷ ହୋଇଯାଇଛି। ସବସିଡି ମିଳୁ ନଥିବାରୁ ଏବେ ସେ ପରିବାର ଚଳାଇବାରେ ସମସ୍ୟା ଭୋଗୁଛନ୍ତି।

ପୂନମ ନାମକ ଜଣେ ମହିଳା ମଧ୍ୟ ସବସିଡି ନ ପାଇ ବ୍ୟସ୍ତ। ସେ କହିଛନ୍ତି, “ଆମକୁ ଆଉ କିଛି ବି ମିଳୁନି। ସମ୍ଭବତଃ ସେମାନେ ପରବର୍ତ୍ତୀ ଅବସ୍ଥାରେ ଆମକୁ ଦେଇ ପାରନ୍ତି। ବେଳେବେଳେ ସିଲିଣ୍ଡର ପାଇଁ ଆମେ ଟଙ୍କା ଯୋଗାଡ଼ କରି ପାରୁନୁ।

ଆମେ ଟଙ୍କା ଧାର ଆଣି ଚଳୁଛୁ। ଆମେ ଯାହା ବି ଆୟ କରୁଛୁ, ସେସବୁ ପିଲାଙ୍କ ପାଠପଢ଼ାରେ ଚାଲି ଯାଉଛି। ୯୧୦ ଟଙ୍କାରେ ଗ୍ୟାସ ସିଲିଣ୍ଡର କିଣିବା ଆମ ପକ୍ଷେ ସହଜ ନୁହେଁ।”

ଉଜ୍ଜ୍ୱଳା ଓ ଲାଡଲି ବେହନା ଯୋଜନାରେ ଲୋଙ୍କୁ ୪୫୦ ଟଙ୍କା ସିଲିଣ୍ଡର ଯୋଗାଇ ଦେବାର ପ୍ରତିଶ୍ରୁତି ବିଜେପି ନିର୍ବାଚନ ବେଳେ ମଧ୍ୟ ଦେଇଥିଲା। ହେଲେ ନୂଆ କ୍ୟାବିନେଟ ଗଠନ ହୋଇଥିଲେ ମଧ୍ୟ ସରକାର ଲୋକଙ୍କୁ ସବସିଡି ଦେଇ ପାରି ନାହାନ୍ତି।

ନୂଆ ସରକାରରେ ମନ୍ତ୍ରୀ ଥିବା କ୍ରିଷ୍ଣା ଗୌରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରି ସାରିଛନ୍ତି ଯେ ଆମ ସଂକଳ୍ପ ପତ୍ର ଗୀତା ଓ ରାମାୟଣ ସହ ସମାନ। ଆମେ ଯାହା ବି ପ୍ରତିଶ୍ରୁତି ଦେଇଛୁ, ସେସବୁ ପୂରଣ ହେବ।”

ଏବେ ମଧ୍ୟପ୍ରଦେଶ ସରକାରଙ୍କ ଉପରେ ପ୍ରବଳ ଋଣ ରହିଛି। ପ୍ରତିଶ୍ରୁତି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆରବିଆଇକୁ ୨ ହଜାର କୋଟି ଟଙ୍କାର ଋଣ ମାଗିଛନ୍ତି। ଏବେ ରାଜ୍ୟ ଉପରେ ୪ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ଏପରି ସ୍ଥିତିରେ ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି କେମିତି ପୂରଣ କରିବ, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।

Bjp Madhya Pradesh