Advertisment

ବିଜେଡି କଲା ହତାଦର: ବେଗୁନିଆରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ଶ୍ରୀମୟୀ

ରାଜନୀତିକ ମହଲରେ ଚର୍ଚ୍ଚା ଅନୁସାରେ, ବେଗୁନିଆରେ କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ପ୍ରଦୀପ ସାହୁଙ୍କୁ ଟିକେଟ୍ ଦେଇଛି।

Shreemayee Mishra

Shreemayee Mishra

Advertisment

ଭୁବନେଶ୍ୱରର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କହି ବିଜେଡି ନିଜର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ୬ମାସ ବୁଲାଇ ଶେଷରେ ହତାଦର କରିଛି । ଆଜି ଭୋଗରାଇ ସମେତ ଖୋର୍ଦ୍ଧା ଓ ବେଗୁନିଆ ପାଇଁ ବିଜେଡି ନିଜର ବିଧାୟକ ପ୍ରାର୍ଥୀ ଘୋଷଣା କରିବା ପରେ ଶ୍ରୀମୟୀଙ୍କୁ ଚଳିତ ନିର୍ବାଚନରେ ଦଳ କେଉଁଠି ବି ପ୍ରାର୍ଥୀ କରୁନଥିବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଦଳର ମହିଳା ଚେହେରା ଭାବେ ପରିଚିତ ଶ୍ରୀମୟୀଙ୍କୁ ବିଜେଡି ହତାଦର କରିଥିଲେ ମଧ୍ୟ ସେ ବିଜେପି ଟିକେଟରେ ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ଆଜି ନିଜର ବାକିଥିବା ୧୫ରୁ ୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି, ମାତ୍ର ବେଗୁନିଆ ଆସନରେ କାହାରିକୁ ପ୍ରାର୍ଥୀ କରିନଥିବାରୁ ଶ୍ରୀମୟୀଙ୍କ ପାଇଁ ଏହି ଆସନକୁ ଦଳ ଖାଲି ରଖିଥିବା ଚର୍ଚ୍ଚାକୁ ଅଧିକ ବଳ ମିଳିଛି ।

Advertisment

ସୂଚନା ଅନୁସାରେ, ବିଜେଡି ଆଜି ଖୋର୍ଦ୍ଧା ବିଧାନସଭା ଆସନରୁ ରାଜେନ୍ଦ୍ର ସାହୁ, ବେଗୁନିଆରୁ ପ୍ରଦୀପ ସାହୁ ଓ ଭୋଗରାଇରୁ ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରିଛି । ଦଳ ୮ଟି ପର୍ଯ୍ୟାୟରେ ମୋଟ ୧୪୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ କୋରେଇ, ନୀଳଗିରି ଓ ଖଣ୍ଡପଡ଼ା ଆସନ ପାଇଁ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାରେ ସକ୍ଷମ ହୋଇନି । ଏପଟେ ବିଜେପି ନିଜର ବାକିଥିବା ୧୫ଟି ଆସନରୁ ୮ଟିରେ ପ୍ରାର୍ଥୀ ଘୋଷଣା କରିଛି । ମାତ୍ର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବେଗୁନିଆ ଆସନ ସମେତ ମୋଟ ୭ଟି ରେ କାହାରିକୁ ପ୍ରାର୍ଥୀ ଘୋଷଣା କରିନି ।

ରାଜନୀତିକ ମହଲରେ ଚର୍ଚ୍ଚା ଅନୁସାରେ, ବେଗୁନିଆରେ କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ପ୍ରଦୀପ ସାହୁଙ୍କୁ ଟିକେଟ୍ ଦେଇଛି । ଗତ ୨ବର୍ଷ ପୂର୍ବରୁ କଂଗ୍ରେସରୁ ଆସିଥିବା ପ୍ରଦୀପଙ୍କୁ ଏପର୍ଯ୍ୟନ୍ତ ବେଗୁନିଆରେ ପୁରୁଣା ବିଜେଡି କର୍ମୀ ଓ ନେତାମାନେ ଗ୍ରହଣ କରିପାରିନାହାନ୍ତି । ପ୍ରଦୀପଙ୍କ ସହ କଂଗ୍ରେସ ଭୋଟ୍ ବ୍ୟାଙ୍କ ଅଛି ବୋଲି ହେଉଥିବା ଚର୍ଚ୍ଚାକୁ ଏବେ ପୃଥ୍ୱୀବଲ୍ଲଭ ଭୁଲ୍ ପ୍ରମାଣିତ କରିବାରେ ଲାଗିଛନ୍ତି । ସେ ପ୍ରାର୍ଥୀ ହେବାପରେ କଂଗ୍ରେସ ସମର୍ଥକମାନେ ତାଙ୍କ ପଟକୁ ଢ଼ଳିବାରେ ଲାଗିଲେଣି ।

Advertisment

ସେହିପରି ଖୋର୍ଦ୍ଧାରୁ ବିଜେପି ପ୍ରାର୍ଥୀ ତଥା ବେଗୁନିଆର ପୂର୍ବତନ ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ବେଗୁନିଆରେ ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ଶ୍ରୀ ଜଗଦେବଙ୍କୁ ବିଜେପି ଖୋର୍ଦ୍ଧାରୁ ପ୍ରାର୍ଥୀ କରାଇ କାଳୁ ଖଣ୍ଡାୟତଙ୍କ ପ୍ରାର୍ଥୀତ୍ୱ ଦାବିଦାରକୁ ଅଗ୍ରାହ୍ୟ କରିଦେଇଛି । ବେଗୁନିଆ ଆସନରେ ଗତଥର ବିଜେପି ପ୍ରାର୍ଥୀ ହୋଇଥିବା ଋଷଭ ନନ୍ଦ(ପ୍ରଶାନ୍ତ ନନ୍ଦଙ୍କ ପୁଅ) ଏଥର ନିର୍ବାଚନ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ଦୂରେଇ ରହିଛନ୍ତି । ତେଣୁ କଂଗ୍ରେସର ଦୁର୍ବଳ ସଂଗଠନ ଓ ପ୍ରଦୀପ ସାହୁଙ୍କୁ ବିଜେଡିର ବୃହତ୍ ଗୋଷ୍ଠୀ ସହଜରେ ଗ୍ରହଣ କରୁନଥିବାର ଫାଇଦା ଉଠାଇବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏପରିକି ବର୍ତ୍ତମାନର ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ଗୋଷ୍ଠୀ ବି ପ୍ରଦୀପଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ।

ସୂଚନା ଅନୁସାରେ, ବେଗୁନିଆ ଆସନରୁ ବିଜେପି ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଶ୍ରୀମୟୀ ପୂର୍ବରୁ ସେଠାରେ ବୁଲି ନିଜର ସଂଗଠନ କରିବା ସହ ବିଜେଡିର ମହିଳା ଭୋଟବ୍ୟାଙ୍କ(ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଏସଏଚଜି ଭୋଟ୍ ପରିଚାଳନା କରିଛନ୍ତି)କୁ ଛିଦ୍ର ବି କରିପାରିବେ ବୋଲି ବିଜେପି ଅନୁଭବ କରୁଛି । ତେଣୁ ବିଜେପି ଏବେ ତାଙ୍କ ସହ ଯୋଗସୂତ୍ରରେ ରହି ବେଗୁନିଆ ଟିକେଟ୍ ଅଫର କରିଥିବା ଚର୍ଚ୍ଚା ହେଉଛି । ଶ୍ରୀମୟୀଙ୍କର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ମହିଳା ଭୋଟବ୍ୟାଙ୍କ ଉପରେ ପ୍ରଭାବ ଥିବା ଏବଂ ବିଜେଡି ତାଙ୍କୁ ଟିକେଟ୍ ଦେବ କହି ବୁଲାଇ ପରେ ଭଣ୍ଡେଇବା ଘଟଣାକୁୁ ବିଜେପି ଜୋରସୋରରେ ଉଠାଇ ସାଧାରଣ ଭୋଟରଙ୍କଠୁ ସହାନୁଭୂତି ସାଉଁଟିବାର ସମ୍ଭାବନା ରହିଛି ।

ଏସବୁ କାରଣରୁ ବିଜେପି ଏବେ ନିଜର ବେଗୁନିଆ ଆସନକୁ ଖାଲି ରଖିଛି ।  ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି । ତେଣୁ ବେଗୁନିଆ ଆସନରୁ ବିଜେପି ଉଭୟ ଶ୍ରୀମୟୀ କିମ୍ବା ପାଟ୍ଟଶାଣୀଙ୍କ ମଧ୍ୟରୁ କାହାରି ଜଣଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ଅଧିକ ରହିଛି । ଯଦିଓ ଏହି ଦୁଇନେତା ଏବେବି ବିଜେଡିରେ ଅଛନ୍ତି ।

ସେହିପରି ବିଜେପି ଏପର୍ଯ୍ୟନ୍ତ ଘସିପୁରା ଆସନରେ କାହାରିକୁ ପ୍ରାର୍ଥୀ କରିନି । ଦଳ ସେଠାରୁ ବିଜେଡିର ବହିଷ୍କୃତ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ୍ ଦେବାର ସମ୍ଭାବନା ରହିଛି ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe