shreemayee
ବିଜେଡିର ଆଭ୍ୟନ୍ତରୀଣ କନ୍ଦଳର ଆଉ ଏକ ଚିତ୍ର ଆଜି ପଦାକୁ ଆସିଛି । ବିଜେଡିର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ‘ମହାଭାରତର ଧୃତରାଷ୍ଟ୍ର’ ଉପାଖ୍ୟାନ ପ୍ରସଙ୍ଗର ଉଦାହରଣ ଦେଇ ପରୋକ୍ଷରେ ସିଧାସଳଖ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବାର ୪ଘଣ୍ଟା ନପୁରୁଣୁ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ସେହି ସୋସିଆଲ ମିଡିଆ ମାଧ୍ୟମରେ ‘ଶ୍ରୀକୃଷ୍ଣଙ୍କ ଉପାଖ୍ୟାନ’ କହି ପାଲଟା ଜବାବ ଦେଇ ବୁଝାଇବାକୁ ପ୍ରୟାସ କରିଛନ୍ତି ।
ଆଉ ସେପଟେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଗଣମାଧ୍ୟମରେ ଶ୍ରୀମୟୀଙ୍କ ସମ୍ପର୍କରେ ତାଳିପକା ବୟାନ ଦେଇ ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ଲୁଚାଇବାକୁ ପ୍ରୟାସ କରିଥିବା ଜଣାପଡ଼ିଛି । ବିଜେଡିର ସାଂଗଠନିକ ପରିଚାଳନାକୁ ନେଇ ବିଗତ କିଛିଦିନ ମଧ୍ୟରେ ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ, ଅଶୋକ ପଣ୍ଡା, ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ଭୂପିନ୍ଦର ସିଂ, ଅରୁଣ ସାହୁ ଓ ଆଜି ଶ୍ରୀମୟୀ ଦଳୀୟ ନେତୃତ୍ୱଙ୍କୁ ପରୋକ୍ଷରେ କଟାକ୍ଷ କରିବା ବିଜେଡି ରାଜନୀତିକୁ ସରଗରମ କରାଇଛି ।
କ’ଣ କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ?
ଦୀର୍ଘଦିନ ଧରି ଦଳୀୟ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ତାଙ୍କର ସୋସିଆଲ ମିଡିଆରେ ‘ମହାଭାରତ ଉପାଖ୍ୟାନ’କୁ ନେଇ ଗୋଟିଏ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କାହାରି ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନଙ୍କୁ କଟାକ୍ଷ କରି ଏହି ‘ପୋଷ୍ଟ’ ହୋଇଥିବା ଆକଳନ କରାଯାଉଛି । ଶ୍ରୀମୟୀ ଲେଖିଛନ୍ତି ଯେ “ ଧୃତରାଷ୍ଟ୍ର, ହସ୍ତିନାପୁରର ରାଜା ଭାବେ, ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ । ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନଥିଲେ । ଧୃତରାଷ୍ଟ୍ରଙ୍କର ତାଙ୍କ ପୁତ୍ରମାନଙ୍କ, ବିଶେଷତଃ ଦୁର୍ଯୋଧନ ପ୍ରତି ଅନ୍ଧପ୍ରୀତି, ତାଙ୍କୁ ନୀରବ ରହିବାକୁ ପ୍ରଭାବିତ କରିଥିଲା । କିଛିଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ । ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ, କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ ।”
ଜବାବ ରଖିଲେ ଭିକେ ପାଣ୍ଡିଆନ?
ଶ୍ରୀମୟୀଙ୍କ ଏଭଳି ‘ପୋଷ୍ଟ’ ଓ ତେରଚ୍ଛା ବାଣକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହେବା ସହ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ପରେ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଆଗକୁ ଆସିଛନ୍ତି । ନିଜର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ‘ଶ୍ରୀକୃଷ୍ଣଙ୍କ ଉପାଖ୍ୟାନ’ ରଖି ଶ୍ରୀମୟୀଙ୍କୁ ବୁଝାଇବାକୁ ପ୍ରୟାସ କରିଛନ୍ତି । ପାଣ୍ଡିଆନ ନିଜର ୧.୫୧ଲକ୍ଷ ଫଲୋଅର ଥିବା ‘ଭିକେ ପାଣ୍ଡିଆନ ଫ୍ୟାନ କ୍ଲବ୍’ ମାଧ୍ୟମରେ ଜବାବ ରଖି କହିଛନ୍ତି ଯେ, “ଯେତେବେଳେ ଯୁଗ ବଦଳୁ ଥିଲା ସେତେବେଳେ ସମସ୍ତେ ଶ୍ରୀକୃଷ୍ଣଙ୍କୁ କହୁଥିଲେ, ଆପଣ ଯାହା କରୁଛନ୍ତି ସବୁ ଭୁଲ୍ । କିନ୍ତୁ ଶ୍ରୀକୃଷ୍ଣ ମାନବ ଜାତିର ମଙ୍ଗଳ ପାଇଁ, କାମ କରି ଚାଲିଥିଲେ, ଯୋଉଟାକୁ ପରେ ସମସ୍ତେ ବୁଝି ପାରିଲେ । ତେଣୁ Trust The Process. May be not immediate but definitely that will help you (ପ୍ରକ୍ରିୟାରେ ଭରସା ରଖ । ହୁଏତ ତୁରନ୍ତ ନୁହେଁ, କିନ୍ତୁ ନିଶ୍ଚିତ ଭାବେ ଏହା ତୁମକୁ ସାହାଯ୍ୟ କରିବ) ।” ଏହି ଫ୍ୟାନକ୍ଲବରେ ଏବେ ୧.୫୧ଲକ୍ଷ ଫଲୋଅର ଥିବାବେଳେ ଏହା ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଥିବା ଜଣାପଡ଼ିଛି ।
ସ୍ନେହାଙ୍ଗିନୀଙ୍କ ତାଳିପକା ଉଦ୍ୟମ
ଏହି ଘଟଣାରେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ତାଳିପକା ଉଦ୍ୟମ କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “କେହି ଅସନ୍ତୁଷ୍ଟ ନାହାନ୍ତି । ଶ୍ରୀମୟୀ ମିଶ୍ର ଆଜି ବି ଆମ ସହିତ ଅଛନ୍ତି । ମୋ ସହିତ ପ୍ରାୟ ସବୁବେଳେ କଥା ହୁଅନ୍ତି । ଯେଉଁଦିନ ନିଯୁକ୍ତି ପାଇଲୁ, ସେଦିନ ମଧ୍ୟ ମୁଁ ତାଙ୍କ ସହିତ କଥା ହୋଇଛି । ତେଣୁ କୌଣସି ପ୍ରକାର ଅସନ୍ତୋଷ ନାହିଁ । ସେ ଖୁବ୍ କମ ସମୟ ମଧ୍ୟରେ ଶଙ୍ଖ ଭବନକୁ ଆସିବେ ଏବଂ ଆମ ସହିତ ମିଶି କାମ କରିବେ । ଆଜି ମଧ୍ୟ ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରିବା ପାଇଁ ଆମେ ସବୁବେଳେ ଚେଷ୍ଟିତ ଅଛୁ । ନବୀନ ପଟ୍ଟନାୟକ ତାଙ୍କୁ ଦଳର ବିଭିନ୍ନ ପଦବୀରେ ରଖିଛନ୍ତି,ସବୁବେଳେ ଅଗ୍ରଣୀ ଭୂମିକା ଦେଇଛନ୍ତି । ସୋସିଆଲ ମିଡ଼ିଆରେ ଆମେ ସମସ୍ତେ ଆମେ ଅନେକ ସମୟରେ ଆମ ଭାବନା ବ୍ୟକ୍ତ କରୁ । ଏଥିରେ ଦଳ ପ୍ରତି ତାଙ୍କର କୌଣସି ଅସନ୍ତୋଷ ନାହିଁ ବୋଲି ସ୍ନେହାଙ୍ଗିନୀ କହିଛନ୍ତି ।”
ବର୍ଷେ ହେଲା ସାଂଗଠନିକ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି ଶ୍ରୀମୟୀ
ବିଗତ ପ୍ରାୟ ଏକ ବର୍ଷ ଧରି ଶ୍ରୀମୟୀଙ୍କୁ ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ୨୦୨୪ ସାଧାରଣ ନିର୍ବାଚନରେ ଶେଷମୁହୂର୍ତ୍ତରେ ଭୁବନେଶ୍ୱର ଲୋକସଭା ଆସନରୁ ଦଳୀୟ ଟିକେଟରୁ ବଂଚିତ ହୋଇଥିବା ଶ୍ରୀମୟୀଙ୍କୁ ଗତବର୍ଷ ଦଳର ପଦଯାତ୍ରା କାର୍ଯ୍ୟକ୍ରମରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ତାଙ୍କ ପିତା ସୁରେଶ ରାଉତରାୟଙ୍କ ଦ୍ୱାରା ଗଣମାଧ୍ୟମରେ ଶ୍ରୀମୟୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦିଆଯିବା ଏବଂ ଏହି ଘଟଣାରେ ଦଳ ଓ ଦଳୀୟ ନେତାମାନେ ନିରବ ରହିବା ପରେ ଶ୍ରୀମୟୀ ବିଜେଡିଠୁ ଦୂରତ୍ୱରେ ରହିଛନ୍ତି । ଯଦିଓ ଶ୍ରୀମୟୀ ବିଜେଡିର ମୁଖପାତ୍ର, ସାଧାରଣ ସମ୍ପାଦକ ଓ ମହିଳା ବ୍ୟାପାର(ସାଧାରଣ ସମ୍ପାଦକ) ଭାବେ ନିଯୁକ୍ତି ପାଇଛନ୍ତି ।
ବିଜେଡି ସୂତ୍ର ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନର ପ୍ରାୟ ୬ମାସ ପୂର୍ବରୁ ନବୀନ ନିବାସରେ ଭୁବନେଶ୍ୱର ସଂସଦୀୟ ଆସନର ତତକାଳୀନ ସମସ୍ତ ବିଜେଡି ବିଧାୟକ, ଆଗଧାଡ଼ିର ନେତାମାନଙ୍କ ଉପସ୍ଥିତିରେ ଶ୍ରୀମୟୀଙ୍କୁ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଆଉ ତାଙ୍କୁ ନିର୍ବାଚନମଣ୍ଡଳୀ ବୁଲାଇବା ଦାୟିତ୍ୱ ମଧ୍ୟ ଦଳ ନେଇ ପ୍ରାୟ ୪ମାସ ବୁଲାଇଥିଲା ।
କିନ୍ତୁ ଶେଷମୁହୂର୍ତ୍ତରେ ତାଙ୍କୁ ଟିକେଟ୍ ନଦେଇ ଦଳ କଂଗ୍ରେସରୁ ଆଗତ ମନ୍ମଥ ରାଉତରାୟଙ୍କୁ ଟିକେଟ୍ ଦେଇଥିଲା । ତେବେ ଦଳର ଶୋଚନୀୟ ପରାଜୟ ପରେ ସେ ପୁଣିଥରେ ସାଂଗଠନିକ କାର୍ଯ୍ୟକ୍ରମରେ ସକ୍ରିୟ ହୋଇଥିଲେ କିନ୍ତୁ ମନ୍ମଥ-ସୁରଙ୍କ ଦ୍ୱାରା ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ ପରଠୁ ସେ ବିଜେଡିର କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/shreemayee_1757337416.jpg)