Advertisment

ଶ୍ରୀମୟୀଙ୍କ ‘ଭଣ୍ଡ ସନ୍ନ୍ୟାସୀ’ ଉପାଖ୍ୟାନ: ପାଣ୍ଡିଆନପନ୍ଥୀ ବିଚଳିତ, ପ୍ରମିଳାଙ୍କ ଯୁକ୍ତି ‘ବିଜେପି’କୁ କହିଛନ୍ତି

ଶ୍ରୀମୟୀ ନିଜର ସୋଶାଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ବଲିଉଡ୍ ନିର୍ମାତା ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ଓଟିଟି ସିରିଏଲ୍ ‘ଆଶ୍ରମ’ ସମ୍ପର୍କରେ କରିଥିବା ପୋଷ୍ଟକୁ ନେଇ ବିଚଳିତ ହୋଇପଡ଼ିଛନ୍ତି ପାଣ୍ଡିଆନପନ୍ଥୀ ।

Odisha

Odisha

Advertisment

ବିଜେଡି ମୁଖପାତ୍ର ତଥା ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କ ‘ଭଣ୍ଡ ସନ୍ନ୍ୟାସୀ’ ଉପାଖ୍ୟାନକୁ ନେଇ ବିଜେଡିରେ ପୁଣି କମ୍ପନ । ଶ୍ରୀମୟୀ ନିଜର ସୋଶାଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ବଲିଉଡ୍ ନିର୍ମାତା ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ଓଟିଟି ୱେବସିରିଜ ‘ଆଶ୍ରମ’ ସମ୍ପର୍କରେ କରିଥିବା ପୋଷ୍ଟକୁ ନେଇ ବିଚଳିତ ହୋଇପଡ଼ିଛନ୍ତି ପାଣ୍ଡିଆନପନ୍ଥୀ ।  ଶ୍ରୀମୟୀ କାହାର ନାଁ ନନେଇ ‘ଆଶ୍ରମ’ ସିରିଏଲ ଦେଖିବାର ଅଭିଜ୍ଞତା ସୋଶାଲ ମିଡିଆରେ ଶେୟାର କରିଥିବାବେଳେ ‘ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନାହିଁ’ ନ୍ୟାୟରେ ବିଜେଡିର ଅଘୋଷିତ ସବେସର୍ବା ଭିକେ ପାଣ୍ଡିଆନଙ୍କ ଅନୁଗାମୀମାନେ ନାଟକୀୟ ଢଙ୍ଗରେ ଶ୍ରୀମୟୀଙ୍କୁ ବ୍ୟକ୍ତିଗତସ୍ତରରେ ପାଲଟା ସମାଲୋଚନା କରିଛନ୍ତି।

Advertisment

ଯାହାକି ବିଜେଡିର ‘ମା’କୁ ସମ୍ମାନ’ର ନାରାର ନଗ୍ନ ଚିତ୍ର ଓ ମାନସିକତାକୁ ପଦାରେ ପକାଇବା ସହ ଶ୍ରୀମୟୀଙ୍କ ପୋଷ୍ଟ ‘ପାଣ୍ଡିଆନ’ଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି ବୋଲି ମଧ୍ୟ ପାଣ୍ଡିଆନପନ୍ଥୀ ସ୍ୱୀକାର କରିଛନ୍ତି । ଅବଶ୍ୟ ଶ୍ରୀମୟୀଙ୍କ ଏହି ପୋଷ୍ଟ ବିଜେଡି ପାଇଁ ନୁହେଁ ବିଜେପି ଓ କଂଗ୍ରେସ ପାଇଁ ବୋଲି ବରିଷ୍ଠ ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ କହିବା ସହ ଶ୍ରୀମୟୀ ଦଳରେ ଅସନ୍ତୁଷ୍ଟ ନାହାନ୍ତି କିମ୍ବା ତାଙ୍କର କାହା ସହ ମନୋମାଳିନ୍ୟ ନାହିଁ ବୋଲି ପ୍ରମିଳା କହିଛନ୍ତି।

ଗତ ସପ୍ତାହରେ ଶ୍ରୀମୟୀ ନିଜର ସୋସିଆଲ ମିଡିଆରେ ମହାଭାରତର ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ଉପାଖ୍ୟାନ କହି ବିଜେଡି ରାଜନୀତିକୁ ସରଗରମ କରିଥିବାବେଳେ ଆଜି ‘ଆଶ୍ରମ’ ୱେବସିରିଜର ‘ଭଣ୍ଡ ସନ୍ୟାସୀ’ ପ୍ରସଙ୍ଗ ଉଠାଇ ନିଜ ଦଳରେ କମ୍ପନ ସୃଷ୍ଟି କରିଛନ୍ତି।

Advertisment

ଶ୍ରୀମୟୀଙ୍କ ସୋଶାଲ ମିଡିଆ ପୋଷ୍ଟକୁ ନେଇ କମ୍ପନ

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ନିଜର ସୋଶାଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, “ କିଛି ଦିନ ତଳେ ଗୋଟିଏ ଓଟିଟି ପ୍ଲାଟଫର୍ମରେ ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ୱେବ୍ ସିରିଜ୍ (‘ଆଶ୍ରମ’କୁ ଟ୍ୟାଗ୍ କରିଛନ୍ତି) ଦେଖିଲି ଯାହାକି ସନ୍ୟାସ ଓ ସନ୍ୟାସୀ ଉପରେ ଆଧାରିତ ଥିଲା । ସେଥିରେ କଳାକାରମାନଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଓ ଯୁଗୋପଯୋଗୀ ଥିଲା । ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୁରେଇ ରହିବା ବା ସମସ୍ତ ମୋହମାୟା ପ୍ରତି ଦୁର୍ବଳତା ନ ରଖିବା  ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ। କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀର ରୂପ ଦେବାକୁ ତିଳେ ମାତ୍ର ପଛଘୁଂଚା ଦେଇନାହିଁ।

ବର୍ତ୍ତମାନ ଆମ ସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି । ପରମୁହୂର୍ତ୍ତରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି। ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ "ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ’ । ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି।”

ଶ୍ରୀମୟୀଙ୍କ ଏହି ପୋଷ୍ଟ ଆସିବା ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି । ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲ ଓ ସୋଶାଲ ମିଡିଆରେ ଏହି ଖବର ଏବେ ଟ୍ରେଣ୍ଡ କରିବାରେ ଲାଗିଥିବା ବେଳେ ଶ୍ରୀମୟୀଙ୍କ ଏହି ପୋଷ୍ଟ ଭିକେ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ବିଜେଡି ସାଧାରଣ ସମ୍ପାଦକ ମନ୍ମଥ କୁମାର ରାଉତରାୟ ଖୋଲାଖୋଲି ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି।

ମନ୍ମଥ ସ୍ୱୀକାରୋକ୍ତି, କାହା ଇଙ୍ଗିତରେ ଶ୍ରୀମୟୀଙ୍କୁ ବ୍ୟକ୍ତିଗତ କଟାକ୍ଷ?

ଶ୍ରୀମୟୀ ନିଜ ପୋଷ୍ଟ ମାଧ୍ୟମରେ ‘ଆଶ୍ରମ’ ସିରିଏଲର ଭଣ୍ଡ ସନ୍ୟାସୀ କଥା କହିବା ସହ କାହାରି ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ମନ୍ମଥ ଏହାକୁ ପାଣ୍ଡିଆନଙ୍କ ସହ ଯୋଡ଼ି ସିଧାସଳଖ ଶ୍ରୀମୟୀଙ୍କୁ ବ୍ୟକ୍ତିଗତସ୍ତରରେ ଆକ୍ଷେପ କରିଛନ୍ତି । ଶ୍ରୀମୟୀଙ୍କ ଏହି ପୋଷ୍ଟ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ବୋଲି କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ଗଣମାଧ୍ୟମ ଆଗରେ ସ୍ୱୀକାର କରି ନିଜ ଦଳର କର୍ମକର୍ତ୍ତା ତଥା ବରିଷ୍ଠ ନେତ୍ରୀ ଶ୍ରୀମୟୀଙ୍କୁ ବ୍ୟକ୍ତିଗତସ୍ତରରେ କଟୁ ସମାଲୋଚନା କରିବାକୁ ମଧ୍ୟ ପଛାଇନାହାନ୍ତି । 

ନିଜକୁ କଟ୍ଟର ପାଣ୍ଡିଆନପନ୍ଥୀ ଭାବେ ଅଭିହିତ କରି ମନ୍ମଥ ନିଜ ଦଳର ନେତ୍ରୀଙ୍କୁ ‘ମାନସିକ ସ୍ଥିତି,ରାମାୟଣର ମନ୍ଥରା, ମଡର୍ଣ୍ଣ ମନ୍ଥରା ଭଳି ଆକ୍ଷେପମୂଳକ ଶବ୍ଦ ଉପଯୋଗ କରିବାକୁ କିଭଳି ସାହାସ ପାଇଲେ? ଏହା କ’ଣ ଦଳୀୟ ଶୃଙ୍ଖଳାକୁ ଭଙ୍ଗ କରୁନି କି ବୋଲି ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ । ଗତବର୍ଷ ମଧ୍ୟ ଶ୍ରୀମୟୀଙ୍କୁ ଏଭଳି ବ୍ୟକ୍ତିଗତ ଆକ୍ଷେପ କରିଥିଲେ ମନ୍ମଥ ।

ମାତ୍ର ଜଣେ ମହିଳା (ଦଳୀୟ ନେତ୍ରୀ)ଙ୍କୁ ମନ୍ମଥଙ୍କ ଏଭଳି ଆକ୍ଷେପକୁ ନେଇ ବିଜେଡି ନେତୃତ୍ୱ ନିରବ ରହିବା ସହ ଦଳରେ ମହିଳାମାନେ ସୁରକ୍ଷିତ ନଥିବାର ସନ୍ଦେଶ ଦେଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାଣ୍ଡିଆନଙ୍କ ଇଙ୍ଗିତରେ ମନ୍ମଥ ଖୋଲାଖୋଲି ଭାବେ ମହିଳାଙ୍କ ଚରିତ୍ର ସଂହାର କରିବା ସହ ଦଳୀୟ ନେତ୍ରୀଙ୍କୁ ଅସମ୍ମାନିତ କରିବାର ସବୁ ସୀମା ଲଂଘନ କରିଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

ପ୍ରମିଳା କହିଲେ ‘ବିଜେଡିକୁ ନୁହେଁ ବିଜେପି’କୁ କହିଛନ୍ତି

ବରିଷ୍ଠ ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, “ଶ୍ରୀମୟୀଙ୍କ ପୋଷ୍ଟ ବିଜେଡିକୁ ନୁହେଁ ବିଜେପି ଓ କଂଗ୍ରେସ ପାଇଁ । ଶ୍ରୀମୟୀ କାହିଁକି ସନ୍ତୁଷ୍ଟ ଥିଲେ ଓ ଏବେ କାହିଁକି ଅସନ୍ତୁଷ୍ଟ ତାହା ସେ ହିଁ କହିପାରିବେ ଓ ତାଙ୍କୁ ପଚାରିବାକୁ ପ୍ରମିଳା କହିବା ସହ ଶ୍ରୀମୟୀ ଅସନ୍ତୁଷ୍ଟ ନାହାନ୍ତି କିମ୍ବା ଦଳରେ ତାଙ୍କର କାହା ସହ ମନୋମାଳିନ୍ୟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ଶ୍ରୀମୟୀଙ୍କୁ ବିଜେଡି ପ୍ରାର୍ଥୀ କରିବ କହି ୪ମାସ ବୁଲାଇବା ପରେ ଅଚାନକ ତାଙ୍କ ବଦଳରେ ସୁରଙ୍କ ପୁଅ ମନ୍ମଥଙ୍କୁ ଟିକେଟ୍ ଦେଇଥିଲା । ସେବେଠୁ ଚୁପ୍ ବସିଥିବା ଶ୍ରୀମୟୀ ଗତ ୧୦ଦିନ ମଧ୍ୟରେ ନିଜ ସୋଶାଲ ମିଡିଆ ମାଧ୍ୟମରେ କାହାରି ନାଁ ନନେଇ ସାମାଜିକ ବାର୍ତ୍ତା ଦେଉଥିବାର ଯେଉଁ ପୋଷ୍ଟ କରିଛନ୍ତି ତାହା ପାଣ୍ଡିଆନପନ୍ଥୀଙ୍କ ପାଇଁ ‘ଅଜାଗା ଘା’ ସଦୃଶ ହୋଇଛି । ଯାହାକୁ ନା ଦେଖାଇ ପାରୁଛନ୍ତି ନା ସହିପାରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

Odisha Bjp Vk Pandian ShreeMayee Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe