
BJD-Titanic Ship
ଧୃତରାଷ୍ଟ୍ର, ଭଣ୍ଡ ସନ୍ୟାସୀ, ଭୈରବ ଭଳି ଶବ୍ଦଗୁଡ଼ିକ ମାଧ୍ୟମରେ ବିଜେଡିର ସାଂଗଠନିକ ଭବିଷ୍ୟତ ଓ ଆଭ୍ୟନ୍ତରୀଣ ପରିଚାଳନାକୁ ପଦାରେ ପକାଇ ରାଜନୀତିକ ଝଡ଼ ସୃଷ୍ଟି କରିଥିବା ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର(Shreemayee Mishra) ଆଜି ପୁଣିଥରେ ‘ବିଜେଡି’କୁ ଶବ୍ଦବାଣରେ ଘାଇଲା କରିଛନ୍ତି । ‘ଟାଇଟାନିକ୍’ ଜାହାଜ ସହ ‘ବିଜେଡି’ର ତୁଳନା କରି ଏହାକୁ ବୁଡ଼ାଇବାକୁ ବିଶ୍ୱସ୍ତରୀୟ ଷଡ଼ଯନ୍ତ୍ର ଚାଲିଥିବା କହିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନିର୍ବାଚନୀ ପ୍ରଚାର ପାଇଁ ନୂଆପଡ଼ା ଗସ୍ତରେ ଯିବାର ମାତ୍ର ଘଣ୍ଟାଏ ପୂର୍ବରୁ ଶ୍ରୀମୟୀ ନିଜର ସୋସିଆଲ ମିଡିଆ ପୋଷ୍ଟ୍ ମାଧ୍ୟମରେ ବିଜେଡିରେ ସୁଜାତା କାର୍ତ୍ତିକେୟନଙ୍କ ରାଜନୀତିକ ଏଂଟ୍ରି ଓ ଦଳର ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ ନିମନ୍ତେ ଷଡ଼ଯନ୍ତ୍ର ହେଉଥିବା ଉଲ୍ଲେଖ କରିଛନ୍ତି ।
ଶକ୍ତିନାନୀଙ୍କ ବିଜେଡିରେ ହେବ ଏଂଟ୍ରି, ଯିବେ ରାଜ୍ୟସଭା
ବିଜେଡିର ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଆଜିର ସୋସିଆଲ ମିଡିଆ ପୋଷ୍ଟ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳକୁ ଏକ ନୂଆ ମୋଡ଼ ଦେଇଛି । ସୁଜାତାଙ୍କୁ ଟାର୍ଗେଟ୍ କରି ଲେଖିଛନ୍ତି ଯେ, ଶକ୍ତିନାନୀ ଏବେ ବିଜେଡିରେ ମିଶି ରାଜ୍ୟସଭା ଯିବା ପାଇଁ ଶକ୍ତି ଗୋଟାଉଛନ୍ତି । ନିର୍ବାଚନ କମିଶନ ଯାହାଙ୍କ(ସୁଜାତା) ଶକ୍ତିରେ ବେଡ଼ି ପକାଇଥିଲେ, ଏବେ ସିଏ ନୂଆ ପରିଚୟ ଅପେକ୍ଷାରେ ରହିଛନ୍ତି । ନୂଆପଡ଼ାରେ ଯେଭଳି ଏପର୍ଯ୍ୟନ୍ତ ମାମୁଁଘର(ବିଜେଡି ପ୍ରାର୍ଥୀଙ୍କୁ) ମିଳୁନି ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର(ସୁଜାତାଙ୍କ ବାପଘର ) ଠିକଣା ଖୋଜିବାକୁ ନାନାଦି ଡ୍ରାମା ହେବ । କାରଣ ଜାମସେଦପୁର ପାଣିପବନରେ ଯିଏ ବଢ଼ିଛି ସେ ଓଡ଼ିଆଙ୍କ ସ୍ପନ୍ଦନ କ’ଣ ବୁଝିବ ବୋଲି କହିଛନ୍ତି । ପୂର୍ବରୁ ଓଡ଼ିଶା ଲୋକେ ତାମିଲ ପୁଅ(ପାଣ୍ଡିଆନ)ଙ୍କୁ (Vk Pandian) ତ ପ୍ରତ୍ୟାଖ୍ୟାନ କରିଥିଲେ, ଏବେ ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ବୋଲି ପ୍ରଶ୍ନ କରିଛନ୍ତି ।
ଶକ୍ତିନାନୀଙ୍କ ଚାଟଶାଳୀ ଓ ଟ୍ୟୁସନ୍ ହେଉଥିବା ନେତା
ବିଜେଡିର ବରିଷ୍ଠ ଓ ଅଭିଜ୍ଞ ନେତାମାନେ ଏବେ ନିଜର ପ୍ରଭାବ ହରାଇ ଅଣଓଡ଼ିଆ କ୍ଷମତାକେନ୍ଦ୍ରଙ୍କ ଇଙ୍ଗିତରେ ପରିଚାଳିତ ହେଉଥିବା ଚର୍ଚ୍ଚା ଉପରେ ମୋହର ଲଗାଇଛନ୍ତି ଶ୍ରୀମୟୀ । ସେ କଟାକ୍ଷ କରି କହିଛନ୍ତି ଯେ, ହସ୍ପିଟାଲରୁ ଭାଇରାଲ ହୋଇଥିବା ଏକ ଭିଡିଓରେ ଶକ୍ତିନାନୀ( Sujata Karthikeyan) ଙ୍କ ଚାଟଶାଳୀରେ ଦଳର କିଛି ବରିଷ୍ଠ ନେତା ଟ୍ୟୁସନ ହେଉଥିବାର ଦୃଶ୍ୟ((ନବୀନ ପଟ୍ଟନାୟକ ସମ୍ ହସ୍ପିଟାଲରେ ଚିକିତ୍ସା ସମୟରେ ସୁଜାତାଙ୍କ ସହ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରଣବପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଜେନା ବସି କଥା ହେଉଥିବା) ରାଜ୍ୟବାସୀ ଦେଖିଥିଲେ । ଏବେ ଏହି ଚାଟୁକାର ନେତାମାନେ ଶକ୍ତିନାନୀଙ୍କୁ ଉତ୍ତରାଧିକାରୀ ମୁକୁଟ ପିନ୍ଧାଇବା ଯୋଜନାକୁ ନେଇ ଉତ୍ସାହିତ ବୋଲି ଶ୍ରୀମୟୀ କଟାକ୍ଷ କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ(Naveen Patanaik) ରାଜ୍ୟର ଜନତା ତାଙ୍କ ଉତ୍ତରାଧିକାରୀ ବାଛିବେ ବୋଲି କହିଥିଲେ । କିନ୍ତୁ ଏବେ ଶକ୍ତିନାନୀଙ୍କୁ ବିଜେଡିରେ ଏଂଟ୍ରି ଦେଇ ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ୍ କରାଉଛି କିଏ ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ଯେଉଁ କର୍ମୀମାନେ ବିଜେଡି ପାଇଁ ଦୀର୍ଘ ଦଶନ୍ଧି ଧରି ନିଜର ଶ୍ରମ ଓ ସମୟ ଦେଇଛନ୍ତି ଓ ଆଜି ମଧ୍ୟ ଉପନିର୍ବାଚନରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ସେମାନେ କ’ଣ ଅଣଓଡ଼ିଆ ଦମ୍ପତି(ସୁଜାତା ଓ ତାଙ୍କ ସ୍ୱାମୀ)ଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ବୋଲି ଶ୍ରୀମୟୀ ପ୍ରଶ୍ନ କରି ଓଡ଼ିଆ ଅସ୍ମିତା, ଆଂଚଳିକ ସ୍ୱାଭିମାନ, ମାଟି ଓ ଭାଷାର ରାଜନୀତିକୁ ଚର୍ଚ୍ଚାରେ ରଖିବାକୁ ପ୍ରୟାସ କରିଛନ୍ତି ।
ଟାଇଟାନିକ୍ ସହ ତୁଳନା, ଅହଙ୍କାର-ଅବହେଳା ଓ ବିନାଶର ସଙ୍କେତ
ବିଜେଡିକୁ ‘ଟାଇଟାନିକ’ ଜାହାଜ ସହ ତୁଳନା କରି ଶ୍ରୀମୟୀ ଦଳର ଲକ୍ଷଲକ୍ଷ କର୍ମୀ ଓ ନେତାଙ୍କୁ ସଚେତନ କରାଇବାକୁ ପ୍ରୟାସ କରିଛନ୍ତି । ଟାଇଟାନିକ୍ ବିଶ୍ୱର ସବୁଠୁ ବଡ଼, ଅତ୍ୟାଧୁନିକ ଓ କେବେହେଲ ନବୁଡ଼ିବା ଭଳି ଜାହାଜ ଭାବେ ପରିଚିତ ଥିଲା । କିନ୍ତୁ କେବଳ ଗୋଟିଏ ଛୋଟ ବରଫଖଣ୍ଡ ସହ ଧକ୍କା ହେବାପରେ ତାହା ସବୁଦିନ ପାଇଁ ସମୁଦ୍ରରେ ଲୀନ ହୋଇଗଲା ଠିକ୍ ସେମିତି ବିଜେଡିର ଅବସ୍ଥା ବୋଲି ଶ୍ରୀମୟୀ ଦର୍ଶାଇବାକୁ ଚାହିଁଛନ୍ତି ।
ଟାଇଟାନିକ୍ ଯେମିତି କେବେ ବୁଡ଼ିବ ନାହିଁ ବୋଲି ଭାବୁଥିଲା ଠିକ୍ ଦୀର୍ଘ ୨୪ବର୍ଷ ଧରି ନିଜର ଅପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବୁଥିବା ବିଜେଡିର ଏହି ଅହଙ୍କାର ହିଁ ଦଳର ପତନର କାରଣ ହେବ । ଟାଇଟାନିକ୍ ଜାହାଜର ଚାଳକ ଦଳ ଯେପରି ବରଫଖଣ୍ଡର ଅଣଦେଖା କରିଥିଲେ ଠିକ୍ ସେହିପରି ଏବେ ବିଜେଡିରେ ବରିଷ୍ଠ ନେତା-କର୍ମୀମାନଙ୍କ ଅଭିଯୋଗକୁ ଅଣଦେଖା କରି ହାକିମାତି ଲଦି ଦିଆଯାଉଛି ।
ବିଶ୍ୱସ୍ତରୀୟ ଷଡ଼ଯନ୍ତ୍ର କଥା କହି ଶ୍ରୀମୟୀ ସ୍ପଷ୍ଟ କରିଛନ୍ତି ଯେ, ଦଳକୁ ଧୀରେଧୀରେ ବୁଡ଼ାଇବା ପାଇଁ ଏବେ ଏକ ବୃହତ୍ ଷଡ଼ଯନ୍ତ୍ର ଚାଲିଛି । ଶକ୍ତିନାନୀଙ୍କ ବିଜେଡିରେ ଏଂଟ୍ରି ଓ ତାଙ୍କୁ ରାଜ୍ୟସଭା ପଠାଇବା ଏବଂ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ ମାଧ୍ୟମରେ କେହି ଏହି ଷଡ଼ଯନ୍ତ୍ର କରାଉଛି । ବିଜେଡିର ବିଶାଳ ସଂଗଠନ ଥିଲେ ମଧ୍ୟ ଗୋଟିଏ ଭୁଲ୍ ନିଷ୍ପତ୍ତି ବା ଗୋଟିଏ ବରଫଖଣ୍ଡ ସହ ଧକ୍କା ଦଳକୁ ସମ୍ପୂର୍ଣ୍ଣ ରୂପେ ବୁଡ଼ାଇ ଦେଇପାରେ ବୋଲି ଶ୍ରୀମୟୀ କହିବାକୁ ପଛାଇ ନାହାନ୍ତି ।
ଶ୍ରୀମୟୀଙ୍କ ଏଭଳି ବୟାନବାଜି ଭିତରେ ବିଜେଡିର ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦଳର ସାଂଗଠନିକ ପରିଚାଳନାକୁ ନେଇ ବହୁ ଦଳୀୟ ନେତା ଅସନ୍ତୁଷ୍ଟ ଥିଲେ ମଧ୍ୟ ସୁଯୋଗ ଅପେକ୍ଷାରେ ରହିଥିବା ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
