/odisha-reporter/media/media_files/2025/11/27/dk-2025-11-27-11-50-03.jpg)
ଶିବ କୁମାର ଓ ସିଦ୍ଦରମୈୟା
କର୍ଣ୍ଣାଟକା(Karnataka) କଂଗ୍ରେସରେ ଆରମ୍ଭ ହୋଇଥିବା ନେତୃତ୍ୱ ଖେଳ ବୁଧବାର ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଥିବା ଟଣାଓଟରା ଶେଷରେ ଦିଲ୍ଲୀରେ ପହଞ୍ଚିଛି। କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ ପଦରେ ପୂର୍ବଭଳି ସିଦ୍ଦରମୈୟା ରହିବେ ନା ତାଙ୍କ ଡେପୁଟି ଡିକେ ଶିବକୁମାର ମଙ୍ଗ ଧରିବେ, ତା’ର ନିଷ୍ପତ୍ତି ଦିଲ୍ଲୀରେ ହେବ। ଏହି ଦୁଇ ଜଣଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ପଦ ହାତେଇବା ଦୌଡ଼ରେ ଜି ପରମେଶ୍ୱର ମଧ୍ୟ ରହଛନ୍ତି।
କର୍ଣ୍ଣାଟକାରେ ନେତୃତ୍ୱ ପରବିର୍ତ୍ତନ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା(Siddaramaiah)ଙ୍କ କ୍ୟାମ୍ପ ନିଜ ଲୋକଙ୍କୁ ଏହି ପଦରେ ବଜାୟୀ ରଖିବା ପାଇଁ ଦିଲ୍ଲୀରେ ଲବି ଆରମ୍ଭ କରି ଦେଇଛି। ସିଦ୍ଦରମୈୟା ୱେଟ ଆଣ୍ଡ ୱାଚ୍ ମୋଡରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ମଧ୍ୟ ପୂର୍ଣ୍ଣ ବିରାମ ଲଗାଇବାକୁ ଚାହୁଁନ୍ତି। କୌଣସି ବି ପରିସ୍ଥିତିରେ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନ ଦେବା ଜିଦରେ ଅଟଳ ରହିଛି ସିଦ୍ଦରମୈୟାଙ୍କ କ୍ୟାମ୍ପ।
ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଯଦି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ନେତା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି କର୍ଣ୍ଣାଟକା ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ପଦୋନ୍ନତି ଦେବାକୁ ନିଷ୍ପତ୍ତି ନିଅନ୍ତି, ତା’ହେଲେ ସିଦ୍ଦରମୈୟାଙ୍କ ଶିବିର ଏହାକୁ ବିରୋଧ କରିବ। ଏହା ସତ୍ତ୍ୱେ ଯଦି ହାଇକମାଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଜିଦରେ ଅଟଳ ରୁହନ୍ତି, ତା’ହେଲେ ସେମାନଙ୍କୁ ବିକଳ୍ପ ବ୍ୟବସ୍ଥା ସମ୍ପର୍କ ବି ସିଦ୍ଦରମୈୟା କ୍ୟାମ୍ପ ଅବଗତ କରାଇବ।
ସେମାନେ ଶିବ କୁମାର(DK Shivakumar)ଙ୍କ ସ୍ଥାନରେ ଜି ପରମେଶ୍ୱରଙ୍କ ନାଁ ସୁପାରିସ କରିପାରିନ୍ତି। ପରମେଶ୍ୱର ହେଉଛନ୍ତି ସିଦ୍ଦରମୈୟାଙ୍କ ସମର୍ଥକ। ଜଣେ ଦଳିତ ନେତା ଭାବେ ମଧ୍ୟ ତାଙ୍କର ବେଶ ଦବଦବା ରହିଛି। ସେ ନିଜେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଥିବା ମତ ରଖିଛନ୍ତି।
ବୁଧବାର PWD ମନ୍ତ୍ରୀ ତଥା ସିଦ୍ଦରମୈୟାଙ୍କ ଅନୁଗତ ସତୀଶ ଜାରକିହୋଲିଙ୍କ ନେତୃତ୍ୱରେ ଗୋଟିଏ ବୈଠକ ବସିଥିଲା। ଏହି ବୈଠକରେ ସିଦ୍ଦରମୈୟା କ୍ୟାମ୍ପ ମୁଖ୍ୟମନ୍ତ୍ରୀ ପଦ ନଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛି। ବିବାଦ ବଢ଼ୁହଥିବାରୁ ଆଜି ଦିଲ୍ଲୀରେ ଖଡଗେଙ୍କ ନେତୃତ୍ୱରେ ବୈଠକ ବସୁଛି। ଏଥିରେ ରାହୁଲ ଗାନ୍ଧି, ସୋନିଆ ଗାନ୍ଧିଙ୍କ ସମେତ ବରିଷ୍ଠ ନେତାମାନେ ସାମିଲ ହେବେ।
୨୦୨୩ରୁ କଂଗ୍ରେସ କର୍ଣ୍ଣାଟକାରେ କ୍ଷମତା ଦଖଲ କରିବା କ୍ଷଣୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବକୁମାର ଓ ସିଦ୍ଦରମୈୟାଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଅଢ଼େଇ ବର୍ଷର ଫର୍ମୁଲା ଆଧାରରେ ସିଦ୍ଦରମୈୟାଙ୍କୁ କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ କରିଥିଲେ। ଏବେ ଏହି ସମୟ ପୂରି ଯାଇଥିବାରୁ ଶିବକୁମାରଙ୍କ କ୍ୟାମ୍ପ ତାଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ହେଲେ ସିଦ୍ଦରମୈୟା କ୍ୟାମ୍ପ ଏଥିରେ ରାଜି ନ ହେବାରୁ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
