Advertisment

ନବୀନଙ୍କ ଗସ୍ତ ପରେ ଦ୍ୱନ୍ଦ୍ୱରେ ଭୋଟର: ସିଂହଦେଓ ପରିବାର କୋଣଠେସା, ଫେରିଲେ ଶ୍ରୀମୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଜିଲ୍ଲାରେ ଆଜି ଏକକାଳୀନ ୩ଟି କାର୍ଯ୍ୟକ୍ରମ ଏବେ ଜିଲ୍ଲାରେ ନୂଆ ରାଜନୀତିକ ସମୀକରଣ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିଜେପି ସାଂସଦ, ବିଧାୟକ ଓ କଂଗ୍ରେସ ବିଧାୟକମାନେ ଏକାଠି ବସିବା ଜିଲ୍ଲାର ଭୋଟରମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବାବେଳେ ଏୟୁ ସିଂହଦେଓ ପରିବାର କୋଣଠେସା ହେବା ଓ ପାଟଣାଗଡ଼କୁ ଶ୍ରୀମୟୀ ମିଶ୍ର […]

ଅଦ୍ୟତନ ହୋଇଛି
ନବୀନଙ୍କ ଗସ୍ତ ପରେ ଦ୍ୱନ୍ଦ୍ୱରେ ଭୋଟର: ସିଂହଦେଓ ପରିବାର କୋଣଠେସା, ଫେରିଲେ ଶ୍ରୀମୟୀ

Ananga-and-Srmayee

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଜିଲ୍ଲାରେ ଆଜି ଏକକାଳୀନ ୩ଟି କାର୍ଯ୍ୟକ୍ରମ ଏବେ ଜିଲ୍ଲାରେ ନୂଆ ରାଜନୀତିକ ସମୀକରଣ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିଜେପି ସାଂସଦ, ବିଧାୟକ ଓ କଂଗ୍ରେସ ବିଧାୟକମାନେ ଏକାଠି ବସିବା ଜିଲ୍ଲାର ଭୋଟରମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବାବେଳେ ଏୟୁ ସିଂହଦେଓ ପରିବାର କୋଣଠେସା ହେବା ଓ ପାଟଣାଗଡ଼କୁ ଶ୍ରୀମୟୀ ମିଶ୍ର ପୁଣିଥରେ ଫେରିବା ବଲାଙ୍ଗିର ରାଜନୀତିକୁ ସରଗରମ କରିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଡ ବଣ୍ଟା ସମାରୋହକୁ ବିଜେପି ସାଂସଦ ଜୁଏଲ ଓରାମଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଆସିନଥିଲେ, ମାତ୍ର ବଲାଙ୍ଗିରରେ ବିଜେପି ସାଂସଦ ଶ୍ରୀମତୀ ସିଂହଦେଓ ଟିଟିଲାଗଡ଼ ପରିବର୍ତ୍ତେ ପାଟଣାଗଡ଼ରେ ତାଙ୍କୁ ସଭା ମଂଚରେ ରଖିବାକୁ ଦାବି କରିଥିଲେ । ଯାହା ସରକାରୀ ଦଳ ପୂରଣ କରିଥିବା ସୂଚନା ମିଳିଛି ।

Advertisment

ସୂଚନା ଅନୁସାରେ, ଆଜି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, ପାଟଣାଗଡ଼ ଓ ବଲାଙ୍ଗିର ଟାଉନରେ ୩ଟି ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟନର ଶୁଭାରମ୍ଭ କରିବା ସହ ୮୨୮ କୋଟି ଟଙ୍କାର ୧୨୮ଟି ପ୍ରକଳ୍ପ ଜିଲ୍ଲାବାସୀଙ୍କୁ ଭେଟି ଦେଇଛନ୍ତି। ଅବଶ୍ୟ ଏହି ସମସ୍ତ ପ୍ରକଳ୍ପ ମଧ୍ୟରେ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଭାବେ କିଛି ପ୍ୟାକେଜ୍ ନବୀନ ଦେଇନାହାନ୍ତି, ଯାହା ଜିଲ୍ଲାକୁ ପୂର୍ବରୁ ଘୋଷଣା ହୋଇଥିଲା ତାକୁ ଶିଳାନ୍ୟାସ ଅବା ଉଦଘାଟନ କରିଛନ୍ତି। ମାତ୍ର ନବୀନଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ବଲାଙ୍ଗିରରେ ରାଜନୀତିକ ଉଷ୍ମତା ବଢ଼ାଇବା ସହ ଅନେକ ନୂଆ ରାଜନୀତିକ ସମୀକରଣକୁ ଇଙ୍ଗିତ କରାଇଛି। ଦୁଇ ବିରୋଧୀ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବାହାରେ ବିରୋଧ କରୁଥିବାବେଳେ ଉଭୟ ଦଳର ବିଧାୟକ ଓ ସାଂସଦଙ୍କୁ ନବୀନଙ୍କ ସହ ସଭାମଂଚରେ ପ୍ରଶଂସା କରିବା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଟିଟିଲାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଉଭୟ କଂଗ୍ରେସ ଓ ବିଜେପି କର୍ମୀମାନେ ବିରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ଼ କାର୍ଯ୍ୟକ୍ରମରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ଉପସ୍ଥିତ ରହିଥିବାବେଳେ ସେ ସଭାମଂଚରୁ ଆୟୁଷ୍ମାନ ଯୋଜନାକୁ ଲାଗୁ ଏବଂ ନୂଆ ରେଳମାର୍ଗ ନିର୍ମାଣର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଉ ଶ୍ରୀମତୀ ସିଂହଦେଓଙ୍କ ଭାଷଣ ନସୁରୁଣୁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଏହାର ପାଲଟା ଜବାବ ଦେଇ ସାଂସଦଙ୍କ କୋର୍ଟକୁ ବଲ୍ ଫିଙ୍ଗିଥିଲେ। ଶ୍ରୀମତୀ ସିଂହଦେଓଙ୍କ ସ୍ୱାମୀ ତଥା ବରିଷ୍ଠ ବିଜେପି ନେତା କେଭି ସିଂହଦେଓଙ୍କ ନିର୍ବାଚନମଣ୍ଡଳୀ ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିଜେପି ଓ ବିଜେଡିର ଏଭଳି ଛକାପଞ୍ଝା ରାଜନୀତିକ ଉଷ୍ମତା ବଢାଇଛି। କେବଳ ସେତିକି ନୁହେଁ, ପାଟଣାଗଡ଼ ସଭାରେ ଶ୍ରୀମୟୀଙ୍କୁ ମାତ୍ରାଧିକ ଗୁରୁତ୍ୱ ମଧ୍ୟ ବିଜେଡିର ଆଭ୍ୟନ୍ତରୀଣ ସାଂଗଠନିକ ରାଜନୀତିକୁ ସରଗରମ କରିଛି। ୨୦୧୭ ପଂଚାୟତ ନିର୍ବାଚନ ପରେ ପାଟଣାଗଡ଼ରେ ଦଳୀୟ ସଂଗଠନର ନେତୃତ୍ୱ ନେଇଥିବା ଶ୍ରୀମୟୀଙ୍କୁ ୨୦୧୯ ସାଧାରଣ ନିର୍ବାଚନବେଳେ ଦଳୀୟ ଟିକେଟରୁ ବଂଚିତ ହେବାକୁ ପଡ଼ିଥିଲା। ତେବେ ଆଜି ପାଟଣାଗଡ଼ ସଭାରେ ଶ୍ରୀମୟୀଙ୍କୁ ଅଧିକ ଗୁରୁତ୍ୱ ମିଳିବା ପରୋକ୍ଷରେ ବିଭିନ୍ନ କାରଣ ପାଇଁ ବିବାଦୀୟ ଥିବା ସ୍ଥାନୀୟ ବିଜେଡି ବିଧାୟକ ସରୋଜ ମେହେରଙ୍କ ପାଇଁ ସତର୍କ ଘଣ୍ଟ ହୋଇଛି। ଏପରିକି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗତକାଲି ରାତିରୁ ବଲାଙ୍ଗିର ଡେରା ପକାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଏକ ବୃହତ୍ ପ୍ରକଳ୍ପ(ନୃସିଂହନାଥ ମନ୍ଦିରର ସାମଗ୍ରିକ ବିକାଶ)କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାବେଳେ ବିଭାଗ ତରଫରୁ କେବଳ ଶ୍ରୀମୟୀ ଉପସ୍ଥିତ ରହିଥିଲେ । ଶ୍ରୀମୟୀଙ୍କୁ ଦଳ ପାଟଣାଗଡ଼ରେ ଗୁରୁତ୍ୱ ଦେଇ ପରୋକ୍ଷରେ ଉଭୟ ସିଂହଦେଓ ପରିବାର ଓ ସ୍ଥାନୀୟ ବିଧାୟକ ସରୋଜ ମେହେରଙ୍କୁ ଚିନ୍ତାରେ ପକାଇଛି।

Advertisment

ସେହିପରି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଟାଉନ୍ ସଭା କାର୍ଯ୍ୟକ୍ରମରେ କଂଗ୍ରେସର ଦୁଇ ବିଧାୟକ ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜା ଏବଂ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଉପସ୍ଥିତ ରହିଥିଲେ। ଉଭୟ କଂଗ୍ରେସ ବିଧାୟକ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । କଂଗ୍ରେସ ବିଧାୟକ ଶ୍ରୀ ସାଲୁଜା ପାଦେ ଆଗେଇ ଯାଇ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ନକରିବା ପାଇଁ ଦାବି କରିଥିଲେ । ଆୟୁଷ୍ମାନକୁ କଂଗ୍ରେସ ଖୋଲାଖୋଲି ବିରୋଧ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ପ୍ରଶଂସା ରାଜନୀତିକ କାରଣରୁ ବିଜେଡି ଓ ରାଜ୍ୟ ସରକାରଙ୍କ ପାଇଁ ଆଶ୍ୱସ୍ତିକର ହୋଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ସଭା ମଂଚରେ କଂଗ୍ରେସ ଓ ବିଜେପି ବିଧାୟକମାନେ ବସିଥିବାବେଳେ ସିଂହଦେଓ ପରିବାର ସଦସ୍ୟ କୋଣଠେସା ହୋଇ ରହିଥିଲେ । ସିଂଦେଓ ପରିବାର ଦର୍ଶକ ଗ୍ୟାଲେରୀରେ ବସି ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ବାଲ୍ୟ ବନ୍ଧୁ ଓ ତାଙ୍କ ପରିବାର ସହ ପଦୁଟିଏ କଥା ହେବାକୁ ବି ଉଚିତ୍ ମଣିନଥିଲେ।

ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଯାକ କାର୍ଯ୍ୟକ୍ରମ ସରକାରୀସ୍ତରରେ ହୋଇଥିଲେ ମଧ୍ୟ ଦର୍ଶକ ଭାବେ ବିଜେଡି କର୍ମୀମାନେ ଅଧିକ ପରିମାଣରେ ସାମିଲ ହୋଇଥିଲେ। ୨୦୧୭ ପଂଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଜିଲ୍ଲାରେ ଆଖିଦୃଶିଆ ସଫଳତା ମିଳିନଥିବାବେଳେ ବିଜେପି ଓ କଂଗ୍ରେସର ଭିତରି ବିଜେଡି ପ୍ରୀତି ଏହି ଦୁଇ ଦଳ ପାଇଁ ବି ବୁମେରାଂ ସାବ୍ୟସ୍ତ ହୋଇପାରେ। ତେଣୁ ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ବିଜେପି ଓ କଂଗ୍ରେସର ‘ନବୀନ ପ୍ରେମ’ ବିଜେଡିକୁ ସୁହାଇବାର ସମ୍ଭାବନା ଥିବାବେଳେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ବି ଉଗ୍ର ରୂପ ନେବାର ଆଶଙ୍କା ରହିଛି ବୋଲି ଚର୍ଚ୍ଚା ।

BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe