କଂଗ୍ରେସକୁ ଫେରିବେ ଗମାଙ୍ଗ ପରିବାର, ଚେଲ୍ଲାକୁମାରଙ୍କୁ ଭେଟିଲେ ଶିଶିର

ଆଜି ନୂଆଦିଲ୍ଲୀରେ ପ୍ରାୟ ଏକ ଘଣ୍ଟା ଧରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାରଙ୍କ ସହ ଆଲୋଚନା କରିଥିଲେ ।

ବାମରୁ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର(ଫାଇଲ ଫଟୋ)

  • Published: Wednesday, 09 August 2023
  • , Updated: 09 August 2023, 10:19 PM IST

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ ଖୁବଶୀଘ୍ର ଘରବାହୁଡ଼ା ହେବ । ସେ ନିଜ ପୁରୁଣା ଦଳ କଂଗ୍ରେସକୁ ଫେରିବେ । ଶ୍ରୀ ଗମାଙ୍ଗଙ୍କ ସମେତ ତାଙ୍କ ପୁଅ ଶିଶିର ଗମାଙ୍ଗ ଓ ପତ୍ନୀ ହେମା ଗମାଙ୍ଗ ମଧ୍ୟ କଂଗ୍ରେସରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଏନେଇ ଆଜି ନୂଆଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି ।

ଏ ସମ୍ପର୍କରେ ‘ଓଡ଼ିଶା ରିପୋର୍ଟର’କୁ ସୂଚନା ଦେଇ ଶ୍ରୀ ଗମାଙ୍ଗଙ୍କ ପୁଅ ଶିଶିର କହିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ ପ୍ରାୟ ଏକ ଘଣ୍ଟା ଧରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାରଙ୍କ ସହ ଆଲୋଚନା କରିଥିଲେ । କଥାବାର୍ତ୍ତା ଫଳପ୍ରଦ ରହିଛି । ତାଙ୍କ ପିତା ଓ ମା’ ଉଭୟ କଂଗ୍ରେସରେ ସାମିଲ ହେବେ । ଦଳକୁ ଫେରିବା ନେଇ ତାଙ୍କ ପରିବାର ପକ୍ଷରୁ କୌଣସି ପୂର୍ବ-ସର୍ତ୍ତ ରଖାଯାଇନି ବୋଲି ସେ ସ୍ପଷ୍ଟ କରିବା ସହ ଆଜିର ଆଲୋଚନା କେବଳ ଚେଲାକୁମାର ଓ ତାଙ୍କ ମଧ୍ୟରେ ହୋଇଛି । ଉଭୟ ପିତା-ମାତାଙ୍କ ସମ୍ମତିରେ ସେ ଏହି ଆଲୋଚନା କରିଛନ୍ତି । ତାଙ୍କ ପିତା ଏବେ ରାୟଗଡ଼ାରେ ଅଛନ୍ତି ବୋଲି ଶିଶିର କହିଛନ୍ତି ।

ଭାରତ ରାଷ୍ଟ୍ର ସମିତି(ବିଆରଏସ) ଛାଡ଼ିବା ସମ୍ପର୍କରେ ସେ କହିଛନ୍ତି ଯେ, ଦଳ ଓଡ଼ିଶାରେ ନିଜର ରାଜନୀତିକ ଗତିବିଧି କରିବାକୁ ଚାହୁଁନି । ତେଣୁ ଯେଉଁମାନେ ବିଆରଏସରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଗତ ୨-୪ଦିନ ପୂର୍ବରୁ ସମୂହ ଇସ୍ତଫା ଦେଇ ନିଜସ୍ୱ ଦଳ ଗଢ଼ି ସାରିଛନ୍ତି । ତେଣୁ ଟେକନିକାଲି ଦେଖିଲେ ଓଡ଼ିଶାରେ ବିଆରଏସ୍ ନାହିଁ । ତେଣୁ ଇସ୍ତଫା ଦେବା-ନଦେବାର କିଛି ଯଥାର୍ଥତା ନାହିଁ । କଂଗ୍ରେସକୁ ଫେରିବା ପାଇଁ ଗତ ୨-୩ ମାସ ଧରି ଚର୍ଚ୍ଚା ହେଉଛି । ନିଜର ସମର୍ଥକମାନଙ୍କ ସହ ସେମାନେ କଂଗ୍ରେସକୁ ଫେରିବେ ବୋଲି ଶିଶିର କହିଛନ୍ତି ।  ଆଜିର ଆଲୋଚନାବେଳେ ଶ୍ରୀ ଚେଲାକୁମାର ବେଶ୍ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ । ଦଳରେ ସାମିଲ ହେବା ନେଇ କଂଗ୍ରେସର ରାଜ୍ୟ ୟୁନିଟ୍ ସହ ଏପର୍ଯ୍ୟନ୍ତ କିଛି ଆଲୋଚନା ତାଙ୍କ ପରିବାର ପକ୍ଷରୁ ହୋଇନଥିବା ସ୍ପଷ୍ଟ କରିଛନ୍ତି । ସେ ଆନୁଷ୍ଠାନିକ ଭାବେ କଂଗ୍ରେସରେ କେବେ ସାମିଲ ହେବେ ତାହା ଆସନ୍ତା ୩-୪ ଦିନ ମଧ୍ୟରେ ଜଣାପଡ଼ିବ ବୋଲି ଶିଶିର କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟର ଜଣେ ବରିଷ୍ଠ ଆଦିବାସୀ ନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କର ପ୍ରଭାବ ଆଦିବାସୀ ଭୋଟରଙ୍କ ଉପରେ ରହିଛି ।

Related story