Advertisment

ତେଜସ୍ୱୀ ଯାଦବ ଖାଲି କରିଥିବା ସରକାରୀ ବଙ୍ଗଳାରୁ ସୋଫା, ପାଣି ଟ୍ୟାପ୍‌ ଓ ଏସି ଗାଏବ!

ଘର ମଧ୍ୟରେ ୱାଶ ବେସିନ, ପାଣି ପାଇପ ଓ ଫର୍ଣ୍ଣିଚର ନାହିଁ। ହାଇହ୍ରୋଲିକ ବେଡ ଗାଏବ ହୋଇଯାଇଛି।

author-image
Hemant Lenka
Tejashwi Yadav

Tejashwi Yadav

ଆରଜେଡି ନେତା ତେଜସ୍ୱୀ ଯାଦବ ନିଜର ସରକାରୀ ବଙ୍ଗଳା ଖାଲି କରିଦେଇଛନ୍ତି। ହେଲେ ସେ ରହୁଥିବା ସରକାରୀ ବଙ୍ଗଳାରୁ ଏକାଧିକ ସୋଫା, ପାଣି ଟ୍ୟାପ, ହାତ ଧୁଆ ବେସିନ, ଏସି, ଲାଇଟ, ବେଡ୍ ଗୁଡ଼ିକ ଗାଏବ ହୋଇଯାଇଛି।

Advertisment

ବିଜେପି ଏପରି ଅଭିଯୋଗ ଆଣିବା ସହ ସରକାରୀ ବଙ୍ଗଳାରୁ ଏସବୁ ଜିନିଷ ଚୋରି ହୋଇଯାଇଥିବା ଅଭିଯୋଗ କରିଛି। ତେବେ ତେଜସ୍ୱୀଙ୍କ ଆରଜେଡି ଏହାର କଡ଼ା ଜବାବ ଦେବା ସହ ପ୍ରମାଣ ଦେବାକୁ ବିଜେପିକୁ ଆହ୍ୱାନ କରିଛି।

ନିକଟରେ ବିହାର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସରକାରୀ ବଙ୍ଗଳାକୁ ଶିଫ୍ଟ ହୋଇଛନ୍ତି। ପୂର୍ବରୁ ତେଜସ୍ୱୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଯେଉଁ ସରକାରୀ ବଙ୍ଗଳାରେ ରହୁଥିଲେ ଏବେ ସମ୍ରାଟ ସେଠାକୁ ଯାଇଛନ୍ତି। ସେ ସେଠାକୁ ଶିଫ୍ଟ ହେବା ପରେ ବିଜେପି ଜିନିଷ ଚୋରି ନେଇ ଅଭିଯୋଗ ଆଣିଛି।

Advertisment

ସମ୍ରାଟ ଚୌଧୁରୀଙ୍କ ବ୍ୟକ୍ତିଗତ ସଚିବ ଶତୃଘ୍ନ ପ୍ରସାଦ କହିଛନ୍ତି, “ଉପ ମୁଖ୍ୟମନ୍ତ୍ରୀ ସରକାରୀ ବାସଭବନରୁ କେମିତି ଜିନିଷ ସବୁ ଲୁଟ ହୋଇଛି, ସେକଥା ଆମେ ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ। ଯେତେବେଳେ ସୁଶୀଲ ମୋଦି ଘର ଛାଡ଼ିଥିଲେ ସେତେବେଳେ ସେଠାରେ ୨ଟି ହାଇଡ୍ରୋଲିକ ବେଡ, ଅତିଥିମାନଙ୍କ ପାଇଁ ସୋଫା ସେଟ ରହିଥିଲା।

କିନ୍ତୁ ଏବେ ସେଗୁଡ଼ିକୁ ସବୁ ଗାଏବ ହୋଇଯାଇଛି। ସେହିପରି ବାସଭବନରେ ଲାଗିଥିବା ୨୦ରୁ ଅଧିକ ସ୍ଲିଟ ଏସି ମଧ୍ୟ ନାହିଁ। ଅପରେଟିଂ ରୁମରେ କୌଣସି ଚେୟାର କିମ୍ବା କମ୍ପ୍ୟୁଟର ନାହିଁ। ରୋଷେଇ ଘରେ କୌଣସି ଫ୍ରିଜ କିମ୍ବା ଆରଓ ନାହିଁ। କାନ୍ଥରେ ଲାଗିଥିବା ଲାଇଟକୁ ମଧ୍ୟ ଖୋଲି ନିଆଯାଇଛି।”

ଏହାର ଜବାବରେ ଆରଜେଡି ବିହାରର ଭବନ ନିର୍ମାଣ ବିଭାଗ ପକ୍ଷରୁ ବିଜେପି ତଥ୍ୟ ଆଣି ଅଭିଯୋଗର ସତ୍ୟତା ସାର୍ବଜନୀନ କରୁ ବୋଲି କହିଛି। ଆରଜେଡିର ଜାତୀୟ ମୁଖପାତ୍ର ଶକ୍ତି ଯାଦବ କହିଛନ୍ତି, “ବିହାର ବିଧାନସଭାର ବିରୋଧୀ ଦଳ ନେତା(ତେଜସ୍ୱୀ ଯାଦବ) ୫ ଦେଶରତ୍ନ ମାର୍ଗ ବଙ୍ଗଳା ଖାଲି କରିଥିଲେ।

ଭବନ ନିର୍ମାଣ ମାର୍ଗ ଏହାର ତାଲିକା ଜାରି କରୁ। ଆମେ ସବୁ ପ୍ରମାଣ ରଖିଛୁ। ମିଡିଆ ସମେତ ଆମ ଲୋକ ଘର ଭିତରର ଭିଡିଓ ରେକର୍ଡ କରିଥିଲେ। ଆମେ ତାଲିକା ଜାରି କରିବାକୁ ଚ୍ୟାଲେଞ୍ଜ କରୁଛୁ। ଯଦି ତାଲିକା ଜାରି କରିପାରିବେ ନାହିଁ, ତା’ହେଲେ ବିଜେପି କ୍ଷମା ମାଗୁ।”

ଏହି ବିବାଦ ମଧ୍ୟରେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଜମ୍ପ କରିଛନ୍ତି। ସେ ଆରଜେଡି ନେତୃବୃନ୍ଦଙ୍କୁ ସମାଲୋଚନା କରିଛନ୍ତି ଓ ଚୋରି ଅଭିଯୋଗ ଆଣି ବିସ୍ତୃତ ତଦନ୍ତ ଦାବି କରିଛନ୍ତି।

ବିହାର ବିଜେପିର ମିଡିଆ ଇନଚାର୍ଜ ଦାନିଶ ଇକବାଲ ସରକାରୀ ବଙ୍ଗଲକୁ ବୁଲି ଦେଖିବା ପରେ କହିଛନ୍ତି ଯେ “ଏହି ସରକାରୀ ବଙ୍ଗଳା ସମ୍ରାଟ ଚୌଧୁରୀଙ୍କୁ ମିଳିଛି। ସେ ନବରାତ୍ରୀ ଅବସରରେ ଶିଫ୍ଟ କରିବାର ଥିଲା। କିନ୍ତୁ ଘର ମଧ୍ୟରେ ୱାଶ ବେସିନ, ପାଣି ପାଇପ ଓ ଫର୍ଣ୍ଣିଚର ନାହିଁ। ହାଇହ୍ରୋଲିକ ବେଡ ଗାଏବ ହୋଇଯାଇଛି। ବ୍ୟାଡମିଣ୍ଟନ କୋର୍ଟକୁ ନେଇଯାଇଛନ୍ତି। ଜିମରେ କୌଣସି ଜିନିଷ ନାହିଁ। ଫାଉଣ୍ଡେସ ଲାଇଟ ମଧ୍ୟ ଖୋଲି ନିଆଯାଇଛି।”

Bjp Tejashwi Yadav RJD