Advertisment

BJD କଳି: ବିଧାୟକଙ୍କ ବିରୋଧରେ ରାଣୀ ମାଆଙ୍କ ଘରେ ମେଳି

ରବିବାର ଖଲ୍ଲିକୋଟଙ୍କ ରାଣୀ ସ୍ୱାର୍ଗତ ସୁଜ୍ଞାନ କୁମାରୀ ଦେଓଙ୍କ ବାସଭବନରେ ବସିଥିଲା ବୈଠକ। ରାଣୀ ମାଆଙ୍କ ଫଟୋ ରଖି ସମର୍ଥକମାନେ କରିଥିଲେ ବୈଠକ।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ଖଲ୍ଲିକୋଟ ବିଜେଡି ପ୍ରାର୍ଥୀ କିଏ ହେବେ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ହେଲେ ବିଜେଡି ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ବିରୋଧରେ ଦାନା ବାନ୍ଧିଲାଣି ଅସନ୍ତୋଷ। ତାଙ୍କ ବିରୋଧରେ ରାଣୀ ମାଆଙ୍କ ଆବାସରେ ବସିଥିଲା ମେଳି। ଯାହାର ନେତୃତ୍ୱ ନେଇଥିଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ପୁରୁଖା ନେତାମାନେ। ଶହଶହ କର୍ମୀ ଓ ବିଜେଡି କର୍ମକର୍ତ୍ତା ଏକତ୍ର ହୋଇ ସୂର୍ଯ୍ୟମଣୀ ବୈଦ୍ୟଙ୍କ ବିରୋଧରେ ରଣନୀତି ପ୍ରସ୍ତୁତି କରିଛନ୍ତି। ଆଗାମୀ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଗଲେ ଜୋରଦାର ବିରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Advertisment

ରବିବାର ଖଲ୍ଲିକୋଟଙ୍କ ରାଣୀ ସ୍ୱାର୍ଗତ ସୁଜ୍ଞାନ କୁମାରୀ ଦେଓଙ୍କ ବାସଭବନରେ ବସିଥିଲା ବୈଠକ। ରାଣୀ ମାଆଙ୍କ ଫଟୋ ରଖି ସମର୍ଥକମାନେ କରିଥିଲେ ବୈଠକ। ବୈଠକରେ ସାଂସଦ ପ୍ରତିନିଧି ତଥା ଜିଲ୍ଲା ବିଜେଡି ସମ୍ପାଦକ ରତ୍ନାକର ସାହୁ, ବିଜେଡି କୋଷଧ୍ୟକ୍ଷ କାଳୁ ରାମ ମହାରଣା, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ନାରାୟଣ ପାଢ଼ୀ, ସକଳେଶ୍ୱର ଦାଶ, ମନୋଜ କୁମାର ପ୍ରଧାନ, ନିରଞ୍ଜନ ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ରାଧାଶ୍ୟାମ ଦୋରା, ଆତ୍ମା ଅଧ୍ୟକ୍ଷ ବିମ୍ବାଧର ତ୍ରିପାଠୀ ସମେତ ବହୁ ବିଜେଡି ନେତା ଓ ଛାମୁଆ କର୍ମୀ ଯୋଗଦେଇଥିଲେ।

ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଓ ତାଙ୍କ ବ୍ଲକ୍‌ ଅଧ୍ୟକ୍ଷ ସ୍ୱାମୀ ଦୈତାରୀ ବେହେରାଙ୍କ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ପୁଣି ଥରେ ବିଜେଡି ପ୍ରାର୍ଥୀ କରାଗଲେ, ଜୋରଦାର ବିରୋଧ କରାଯିବ। ଯଦି ନୂଆ ପ୍ରାର୍ଥୀ ନଦିଆଯାଏ, ତାହାହେଲେ ବିକଳ୍ପ ଭାବେ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଦରକାର ପଡ଼ିଲେ ଅନ୍ୟ ରାଜନୈତିକ ଦଳକୁ ସମର୍ଥନ ଦିଆଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ରାଣୀଙ୍କ ସମ୍ପର୍କୀୟ ଡାକ୍ତର ସଂକେତ ରାମାରାଓଙ୍କୁ ଅବଗତ କରାଯାଇଛି।

Advertisment

ବୈଠକ ସମ୍ପର୍କରେ ଖଲ୍ଲିକୋଟ୍‌ ବ୍ଲକ୍‌ ସରପଞ୍ଚ ସଂଘ ସଭାପତି ମନୋଜ କୁମାର ସେଠୀ କହିଛନ୍ତି, ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଅନେକ ଆଶାୟୀ ଅଛନ୍ତି। ରାଣୀ ମାଆଙ୍କ ନୀତି ଆଦର୍ଶରେ ଚାଲିଥିବାରୁ ମୁଁ ମଧ୍ୟ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ରହିଛି। ବର୍ତ୍ତମାନ ରାଣୀ ମାଆ ଚାଲିଗଲେଣି। ତାଙ୍କ ପୁତୁରାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିଛୁ। ଯଦି ମୁଖ୍ୟମନ୍ତ୍ରୀ ଆମ ପ୍ରତି ଆଶା ରଖନ୍ତି, ତାହାହେଲେ ବିପୁଳ ଭୋଟରେ ବିଜୟୀ ହେବି। ମୋ’ ପ୍ରତି ସବୁ ସରପଞ୍ଚ ଓ ଲୋକଙ୍କ ସମର୍ଥନ ଥିବାରୁ ବାୟୋଡାଟା ଦେଇ ଆସିଥିଲି ବୋଲି ଶ୍ରୀ ସେଠୀ କହିଛନ୍ତି।

ମେଳି ନେଇ ବିଧାୟିକାଙ୍କ ପ୍ରତିକ୍ରିୟା ମିଳିପାରିନି। ତେବେ ଖଲ୍ଲିକୋଟ ବିଜେଡି ମହିଳା ସଭାନେତ୍ରୀ ମିତାଞ୍ଜଳି ମଶ୍ର କହିଛନ୍ତି, ବିଧାୟିକାଙ୍କ ସହିତ ମୁଁ ଅଙ୍ଗାଙ୍ଗି ଭାବେ ଜଡ଼ିତ ରହିଛି। ତାଙ୍କର ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ମୁଁ ସାମିଲ୍‌ ରହିଛି। ଆଉ ଦେଖିଛି, ବିଧାୟିକା ଜଣେ ଭଲ ମଣିଷ। ସରଳ ମଣିଷ। ବହୁ ଗୋଡ଼ିଏ ଉନ୍ନତିମୂଳକ କାମ କରିଛନ୍ତି। ପ୍ରତି ପଞ୍ଚାୟତରେ ସେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି। ଆମର ବିଶ୍ୱାସ ରହିଛି, ଆଗାମୀ ନିର୍ବାଚନରେ ବିଧାୟିକାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବେ ବୋଲି ମିତାଞ୍ଜଳି ମିଶ୍ର କହିଛନ୍ତି।

କିଛି ଦିନ ତଳେ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁରର ଶହ ଶହ କର୍ମୀ ଭୁବନେଶ୍ୱର ନବୀନ ନିବାସ ଆସିଥିଲେ। ଆଉ ବିଧାୟିକା ଶ୍ରୀମତୀ ବୈଦ୍ୟଙ୍କୁ ବିଜେଡି ଟିକେଟ ନଦେବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ନିବେଦନ କରିଥିଲେ। ତା’ପରେ ଖଲ୍ଲିକୋଟ ବ୍ଲକର ୧୯ ଜଣ ସରପଞ୍ଚ ମଧ୍ୟ ବିଧାୟିକାଙ୍କୁ ଟିକେଟ ନଦେଇ ଜଣେ ନୂଆ ମୁହଁକୁ ପ୍ରାର୍ଥୀ କରିବାକୁ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଜଙ୍କୁ ଲିଖିତ ଭାବେ ଜଣାଇଥିଲେ। ସେମାନେ ଅଭିଯୋଗ କରିଥିଲେ, ବିଧାୟିକା ଓ ତାଙ୍କ ସ୍ୱାମୀ ଦଳକୁ ଭାଗ ଭାଗ କରୁଛନ୍ତି। ପ୍ରତ୍ୟକ କାମରେ ସରପଞ୍ଚମାନଙ୍କଠାରୁ ପିସି ଆଦାୟ କରୁଛନ୍ତି। ସରପଞ୍ଚମାନଙ୍କୁ ଉପେକ୍ଷା କରି ନିଜ ମନଇଚ୍ଛାରେ କାମ କରିବା ସହ ଦିନଟିଏ କର୍ମୀ ସମ୍ମିଳନୀ ଡାକୁନାହାନ୍ତି।

ସୂଚନାରୁ ପ୍ରକାଶ, ଖଲ୍ଲିକୋଟଙ୍କ ରାଣୀ ହେଉଛନ୍ତି ସୁଜ୍ଞାନ କୁମାରୀ ଦେଓ। ୨୦୧୯ ନିର୍ବାଚନରେ ତାଙ୍କ ପରାମର୍ଶରେ ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଥିଲା। ଆଉ ସେ ନିର୍ବାଚନରେ ବିଜୟୀ ହୋଥିଲେ। ଏଥିରେ ରାଣୀଙ୍କ ଦାୟାଦ ଭାବେ ଡାକ୍ତର ସଂକେତ ରାମାରାଓ ପ୍ରମୁଖ ଭୂମିକା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସୂର୍ଯ୍ୟମଣି ବୈଦ୍ୟ ଓ ତାଙ୍କ ସ୍ୱାମୀ ରାଣୀଙ୍କ ସମର୍ଥକଙ୍କୁ ଅଣଦେଖା କରିଥିବା ଅଭିଯୋଗ ହୋଇଥିଲା।

ରିପୋର୍ଟ- ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

BjD Ganjam Ganjam Politics