Parliament Makar Dwar
ଲୋକସଭା ସୁରକ୍ଷାରେ ତ୍ରୁଟିକୁ ନେଇ ଉଠୁଛି ପଡୁଛି ସଂସଦ ଭବନ। ଉଭୟ ଗୃହରେ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହଟ୍ଟଗୋଳ ସହ ନାରାବାଜୀ ଦେଉଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବିକୁ ନେଇ ପ୍ରବଳ ହୋହଲ୍ଲା ହେବାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରାଯାଇଛି। ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ମୁଲତବୀ ରହିଛି।
ସେପଟେ ନିଲମ୍ବିତ ହୋଇଥିବା ସାଂସଦମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଆନ୍ଦୋଳନରତ ସାଂସଦମାନଙ୍କୁ ଭେଟିଛନ୍ତି। ନିଲମ୍ବିତ ହୋଇଥିବା କଂଗ୍ରେସ ସାଂସଦ ହିବି ଇଡେନ କହିଛନ୍ତି, "ବିଜେପି ସରକାର ପାଇଁ ନିଲମ୍ବନ ଏବଂ ବହିଷ୍କାର କିଛି ନୂଆ ନୁହେଁ। ଗତ ସପ୍ତାହରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ବହିଷ୍କାର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ସୁରକ୍ଷା ଭଙ୍ଗ ମାମଲାରେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।"
ପ୍ରକାଶ ଥାଉ କି, ବୁଧବାର ଲୋକସଭାରେ ଶୂନ୍ୟକାଳ ଚାଲିଥିବା ସମୟରେ ଦୁଇ ଜଣ ଯୁବକ ଭିଜିଟର୍ସ ଗ୍ୟାଲେରୀରୁ ଗୃହକୁ ହଠାତ୍ ପ୍ରବେଶ କରି ହଙ୍ଗାମା କରିଥିଲେ। ସାଙ୍ଗରେ ନେଇଥିବା କିଛି ହଳଦିଆ ଗ୍ୟାସ୍ ମଧ୍ୟ ସ୍ପ୍ରେ କରିଥିଲେ। ସଂସଦ ବାହାରେ ମଧ୍ୟ ଅନ୍ୟ କିଛି ଯୁବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସଂସଦରେ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଭିଜିଟର୍ସ ପାସ୍ ବ୍ୟବହାର କରି ଦର୍ଶକ ଗ୍ୟାଲେରୀକୁ ପ୍ରବେଶ କରିଥିଲେ। ତେଣୁ ପ୍ରତାପ ସିହ୍ମାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ବିରୋଧୀ। ଏଥିସହ ସୁରକ୍ଷାରେ ଅବହେଳା କାରଣରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରୁଛନ୍ତି। ଏହି ଦାବି ନେଇ ଗତକାଲିଠୁ ଗୃହରେ ହୋହଲ୍ଲା ଦେଖିବାକୁ ମିଳୁଛି। ଶାନ୍ତି ଶୃଙ୍ଖଳା ଭଙ୍ଗ କାରଣରୁ ଗତକାଲି ଲୋକସଭାର 14 ଜଣ ସାଂସଦ ଏବଂ ରାଜ୍ୟସଭାର ଜଣେ ସାଂସଦଙ୍କୁ ନିଲମ୍ବିତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us