Advertisment

କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ହେଭିୱେଟଙ୍କ ପୁଅମାନଙ୍କୁ ମିଳିଲା ଟିକେଟ

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମଧ୍ୟ ଓଡ଼ିଶାର କୌଣସି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ।

author-image
Hemant Lenka
ଅଦ୍ୟତନ ହୋଇଛି
Congress

Congress

ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦଳ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏଥିରେ ଓଡ଼ିଶାର କେହି ନଥିଲେ।

Advertisment

ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମଧ୍ୟ ଓଡ଼ିଶାର କୌଣସି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୪୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ଏଥର ଦଳ ହେଭିୱେଟ ନେତାମାନଙ୍କ ପୁଅମାନଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। କମଲନାଥଙ୍କ ପୁଅ ନକୁଲନାଥ ୨୦୧୯ ଭଳି ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ନିର୍ବାଚନ ଲଢ଼ିବେ।୨୦୧୯ରେ ସେ ଦଳର ଏକମାତ୍ର ସାଂସଦ ଭାବେ ମଧ୍ୟପ୍ରଦେଶରୁ ଲୋକସଭାକୁ ଯାଇଥିଲେ।

Advertisment

ସେହିପରି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ମଧ୍ୟ କଂଗ୍ରେସ ଟିକେଟ ଦେଇଛି। ସେ ରାଜ୍ୟର ଜାଲୋରେ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ୨୦୧୯ରେ ସେ ଯୋଧପୁର ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଠାରୁ ହାରିବାକୁ ପଡ଼ିଥିଲା। ଏଥର ଜୁନିୟର ଗେହଲଟ ଜାଲୋରେ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ରାଜସ୍ଥାନର ପୂର୍ବତନ ପୁଲିସ ମୁଖ୍ୟ ହରିଶ ମୀନା ଟୋଙ୍କ-ସାୱାଇ ମାଧୋପୁର ଆସନରୁ ନିର୍ବାଚନ ଲଢ଼ିବେ। 

ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ମିଶିଥିବା ରାହୁଲ କାସୱା ଚୁରୁରୁ ଓ ବ୍ରିଜେନ୍ଦ୍ର ଓଲା ଝୁନଝୁନ ଆସନରୁ ଟିକେଟ ପାଇଛନ୍ତି। 

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତୁରଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇ ମଧ୍ୟ କଂଗ୍ରେସ ପୁଣି ଟିକେଟ ଦେଇଛି। ୨୦୧୯ରେ ଗୌରବ କାଲିଆବୋର ନିର୍ବାଚନ ମଣ୍ଡଳୀରୁ ଜିତି ଲୋକସଭାକୁ ଯାଇଥିଲେ। ଏଥର କିନ୍ତୁ ତାଙ୍କ ଆସନ ବଦଳି ଯାଇଛି। ସେ ୨୦୨୪ରେ ଜୋରହାଟ ଆସନରୁ ପ୍ରାର୍ଥୀ ହୋଇଛନ୍ତି। 

କଂଗ୍ରେସ ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଆସାମର ୧୨, ଗୁଜରାଟର ୭, ମଧ୍ୟପ୍ରଦେଶର ୧୦, ରାଜସ୍ଥାନର ୧୦ ଓ ଡାମନ ଆଣ୍ଡ ଡ୍ୟୁର ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଆଜି ଘୋଷଣା କରିଥିବା ତାଲିକାରେ ସଂଖ୍ୟାଲଘୁ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଓବିସି ବର୍ଗର ଲୋକଙ୍କୁ ଅଧିକ ପ୍ରାଧ୍ୟାନ୍ୟ ଦେଇଛି। ମୋଟ ୪୩ ଜଣଙ୍କ ମଧ୍ୟରୁ ୭୬.୭% ହେଉଛନ୍ତି ଉପରୋକ୍ତ ବର୍ଗର ଲୋକ। 

Congress Lok Sabha Elections Lok Sabha Election 2024