ଦୈନିକ ଖବରକାଗଜ ‘ସମ୍ବାଦ’ର ବାର୍ଷିକ ଉତ୍ସବକୁ ବିଜେଡିରୁ ବହିଷ୍କୃତ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ଆସିଲେନି । ଦଳୀୟ ଓ ସରକାରୀ କାର୍ଯ୍ୟାନୁଷ୍ଠାନ ଯୋଗୁ ଚାପରେ ଥିବା ସୌମ୍ୟ ନିଜ ହାତଗଢ଼ା ‘ସମ୍ବାଦ’ର ଦୀର୍ଘ ୪୦ବର୍ଷ ଇତିହାସରେ ପ୍ରଥମଥର ପାଇଁ ବାର୍ଷିକ ଉତ୍ସବରୁ ନିଜକୁ ଦୂରେଇ ରଖିଛନ୍ତି । ତେବେ କାର୍ଯ୍ୟକ୍ରମରେ ଅତିଥି ଭାବେ ସାମିଲ ହୋଇଥିବା ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର ଇସାରା ଇସାରାରେ ସରକାରୀ ଆକ୍ରୋଶର ମୁକାବିଲା ପାଇଁ ସନ୍ଦେଶ ଦେଇଥିବା ଚର୍ଚ୍ଚା ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବାଦର ନବନିଯୁକ୍ତ ସମ୍ପାଦକ ତନୟା ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ତାଙ୍କ ଦ୍ୱାରା ପ୍ରଯୋଜିତ ‘ନୀଳଶୈଳ’ ନାଟକର ଉଦାହରଣ ଦେଇ କହିଥିଲେ ଯେ, ମଙ୍ଗରାଜ କେତେବେଳେ ଲଢ଼ୁଥିଲା ତ, ମଙ୍ଗରାଜ କେତେବେଳେ ଷଡ଼ଯନ୍ତ୍ର କରୁଥିଲା । କେବଳ ଏତିକି କଥା ହିଁ କହିବି। ଅଧିକ କହି ଅସୁବିଧାରେ ପକାଇବାକୁ ଆସନି।
ତେବେ ଗଣତନ୍ତ୍ରରେ ବିଚାର ଓ ମତରେ ପାର୍ଥକ୍ୟ ରହିବ । ଆଲୋଚନା ଓ ସମାଲୋଚନା ବି ହେବ, ଅବଶ୍ୟ ମର୍ଯ୍ୟାଦା ଭିତରେ ରହିବା କଥା। ଲକ୍ଷ୍ମଣରେଖାକୁ କେହି ଉଲ୍ଲଘଂନ କରିବାର ପ୍ରଚେଷ୍ଟା ନକରିବା ଦରକାର । ବିଚାର ପାର୍ଥକ୍ୟକୁ ଆମେ ସମ୍ମାନ କରି ଶିଖିବା ଦରକାର । ଏହା ଗଣତନ୍ତ୍ରର ବଡ଼ ମନ୍ତ୍ର। ଖବର କେବେ ଲୁଚି ରହେନି । ସତ ଖବର ନିଶ୍ଚିତ ଦିନେନା ଦିନେ ପଦାକୁ ଆସିବ। ଖବର ପ୍ରକାଶ କରିବା ସାମ୍ବାଦିକର କାର୍ଯ୍ୟ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଭାରତ ସରକାର ‘ପ୍ରଧାନମନ୍ତ୍ରୀ ରୁସା’ ଯୋଜନାରେ ୫ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ପରିଚାଳିତ କଲେଜଗୁଡ଼ିକୁ ଏହି ଅର୍ଥ ଦେବା ପାଇଁ ପ୍ରଧାନମନ୍ତ୍ରୀ ବଜେଟ ବରାଦ କରିଛନ୍ତି। କିନ୍ତୁ ଓଡ଼ିଶା ଏଥିରେ ସାମିଲ ହୋଇନାହିଁ ବୋଲି ସେ କହିଛନ୍ତି।
ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ଠିକ୍ ସମୟରେ ଠିକ୍ ଖବର ଲୋକଙ୍କ ପାଖକୁ ଯିବା ଦରକାର । ଜରୁରୀକାଳୀନ ପରିସ୍ଥିତିବେଳେ ଇନ୍ଦିରା ଗାନ୍ଧି ବି ଖବରକୁ ଚପାଇ ପାରିନଥିଲେ । ଆଉ ଏବେ କିଏ କ’ଣ କରିପାରିବ?
ସେହିପରି ସମ୍ବାଦର ଫିଚର ସମ୍ପାଦକ ଗୌରହରି ଦାସ ସ୍ୱାଗତ ଭାଷଣ ଦେଇ ସମ୍ବାଦ ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ବ୍ୟକ୍ତିଗତ କାରଣରୁ ଏଠାରେ ଅନୁପସ୍ଥିତ ଥିବା ସୂଚନା ଦେଇଥିଲେ । ନୂଆ ସମ୍ପାଦକ ଭାବେ ତନୟାଙ୍କ ଏହା ପ୍ରଥମ ସଭା ବୋଲି କହିଥିଲେ । ଏହି ଅବସରରେ ସମ୍ବାଦର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଓ ସମ୍ପାଦକ ତନୟା ପଟ୍ଟନାୟକ ମଧ୍ୟ ନିଜର ଅଭିଭାଷଣ ରଖିଥିଲେ ।
ସୂଚନାଯୋଗ୍ୟ, ବିଜେଡିରୁ ବହିଷ୍କୃତ ହେବାପରେ ଓ ସମ୍ବାଦର ଲୋନ୍ ସ୍କାମ ଅଭିଯୋଗରେ ଅର୍ଥନୀତିକ ଅପରାଧ ଶାଖା ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ମାମଲା ରୁଜୁ ହେବାପରଠୁ ସୌମ୍ୟ ନିଜକୁ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରଖିଛନ୍ତି । ନିଜ ସମ୍ପାଦକୀୟ ମାଧ୍ୟମରେ ଫାଇଭ-ଟି ସଚିବଙ୍କୁ ସମାଲୋଚନା କରି ସୌମ୍ୟ ଉଭୟ ଦଳୀୟ ଓ ସରକାରୀ ଆକ୍ରୋଶର ଶିକାର ହୋଇଥିବା ଚର୍ଚ୍ଚା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।