Advertisment

ସୌମ୍ୟଙ୍କ ସମ୍ପାଦକୀୟକୁ ନେଇ ରାଜନୀତିରେ ଝଡ଼, ଘେରିଲେ ବିରୋଧୀ

‘ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ସଚିବ ୟଶପାଲ କାପୁର ପ୍ରଚାର କାର୍ଯ୍ୟରେ ସହାୟତା କରିଥିଲେ। ତାଙ୍କ ସପକ୍ଷରେ ଶ୍ରୀ କାପୁର ନିର୍ବାଚନୀ ଭାଷଣ ଦେଇଥିବାରୁ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ।’

Soumya Ranjan Patnaik

Soumya Ranjan Patnaik

Advertisment

ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ଏହି ଲେଖାର ଶୀର୍ଷକ ରହିଛି “ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା”। ଏଥର ସିଧା ଫାଇଭ-ଟି ସଚିବ, ଏପରିକି ନିଜ ଦଳର ସରକାରକୁ ଟାର୍ଗେଟ କରିଛନ୍ତି ସୌମ୍ୟ ପଟ୍ଟନାୟକ। ବିଭିନ୍ନ ପ୍ରସଙ୍ଗ ଉଠାଇ ଆଇନା ଦେଖାଇବାକୁ ଚେଷ୍ଟା କରିଛନ୍ତି ବିଜେଡିର ଏହି ବରିଷ୍ଠ ନେତା।

Advertisment

ସଂପାଦକୀୟ ସେ ଲେଖିଛନ୍ତି, କେବଳ ନିଜ ଭାବମୂର୍ତ୍ତି ନିର୍ମାଣ ପାଇଁ ଜିଲ୍ଲାକୁ ଜିଲ୍ଲା ଗସ୍ତ କରୁଛନ୍ତି ଫାଇଭ-ଟି ସଚିବ। ସେହି ସଭାଗୁଡ଼ିକରେ ସେ ଯାହା କହୁଛନ୍ତି, ସେଥିରେ ରହିଛି ବିଲକ୍ଷଣ। ଏପରିକି ଉଚିତ ଅନୁଚିତ ଭୁଲି ଯାଉଛନ୍ତି। ଏପରିକି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଗୋଟିଏ ସଭାରେ ଫାଇଭ-ଟି ସଚିବ କହିଥିଲେ ବୋଲି ସୌମ୍ୟ ଲେଖିଛନ୍ତି। ବିଭିନ୍ନ ଜିଲ୍ଲାକୁ 5-T ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି। ଇସ୍ରୋ ଚନ୍ଦ୍ରୟାନ-୩ ମିଶନ ପାଇଁ ୬ ଶହ କୋଟି ଖର୍ଚ୍ଚ କରିଥିବା ବେଳେ ଆମ 5-T ସଚିବ ୩୦ଟି ଜିଲ୍ଲାର ଓଡ଼ିଶା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ସଚିବ ୟଶପାଲ କାପୁର ପ୍ରଚାର କାର୍ଯ୍ୟରେ ସହାୟତା କରିଥିଲେ। ତାଙ୍କ ସପକ୍ଷରେ ଶ୍ରୀ କାପୁର ନିର୍ବାଚନୀ ଭାଷଣ ଦେଇଥିବାରୁ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ପାଣ୍ଡିଆନଙ୍କ କେତେକ ଆଚରଣ ୟଶପାଲଙ୍କଠାରୁ କୌଣସି ଗୁଣରେ କମ୍‌ ନୁହେଁ ବୋଲି ସୌମ୍ୟରଂଜନ ଉଲ୍ଲେଖ କରିଛନ୍ତି। ନିର୍ବାଚନ ପୂର୍ବରୁ ଏସବୁ ସଭା ରାଜନୈତିକ ଦଳମାନଙ୍କର ଏକ ସଭାପରି ମନେ ହେଉଛି। ଏସବୁ ସଭାରେ ଲୋକ ପ୍ରତିନିଧି ଓ ରାଜନେତାମାନଙ୍କ ସଂପୃକ୍ତି ଥିଲେ ମଧ୍ୟ ସେମାନେ ମଞ୍ଚରେ ଦୃଶ୍ୟମାନ ହେଉନାହାନ୍ତି। ମଞ୍ଚରେ କେବଳ ୫-ଟି ସଚିବଙ୍କୁ ଦେଖିବାକୁ ମିଳୁଛି। ଏହା ଭିନ୍ନ ଏକ ମାନସିକତାର ପରଚୟ ଦେଉଛି। ଅପରାଧୀ ନିଜର ଛାଇକୁ ଦେଖି ଡ଼ରିଲା ଭଳି ସେ ଅନ୍ୟ କାହାର ଉପସ୍ଥିତିକୁ ଆଦୌ ବରଦାସ୍ତ କରିପାରୁ ନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ସମ୍ପାଦକୀୟରେ ଲେଖିଛନ୍ତି।।

Advertisment

ମହିଳାମାନଙ୍କୁ ବିଜେଡି ସରକାର ସବୁ ବେଳେ ଅଗ୍ରାଧିକାର ଦେଉଥିବା ବେଳେ ମଣିପୁର ହିଂସା ପ୍ରସଙ୍ଗରେ କାହିଁକି ଚୁପ୍ ରହିଲା ବୋଲି ପରୋକ୍ଷରେ ଉଲ୍ଲେଖ କରିଛନ୍ତି ସୌମ୍ୟ ପଟ୍ଟନାୟକ। ଏମିତିକି ପାଣ୍ଡିଆନ ଛାତ୍ରମାନଙ୍କୁ ଉଦବୋଧନ ଦେଇ ସମାବେଶରେ କହିଥିଲେ, ମଦ୍ୟପାନଠାରୁ ଦୂରେଇ ରୁହ, ହେଲେ ଓଡ଼ିଶାର ନିଶା ନିବାରଣ ପ୍ରତି ସରକାର ସେପରି ଯତ୍ନବାନ ଥିଲା ପରି ମନେ ହେଉନି। ଗତ କିଛିବର୍ଷ ଧରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ହେଉନି। ଛାତ୍ରଛାତ୍ରୀମାନେ କେଜାଣି କାହିଁକି ତାଙ୍କର ସର୍ବନିମ୍ନ ଗଣତାନ୍ତ୍ରିକ ଅଧିକାର ହରେଇ ଥିଲେ ମଧ୍ୟ ନିରବ ରହୁଛନ୍ତି ଶ୍ରୀ ପଟ୍ଟନାୟକ ଲେଖିଛନ୍ତି।

ସୌମ୍ୟ ପଟ୍ଟନାୟକଙ୍କ ଲେଖାକୁ ନେଇ ବିଜେଡି ନେତା ଅନୁଭବ ପଟ୍ଟନାୟକ ସୋଶାଲ ମିଡିଆରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି, ଏହା ସୌମ୍ୟଙ୍କର ହତାଶ ଓ ନୈରାଶ୍ୟର ଭାବ। ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ କେଉଁ ସଭାରେ 5-T ସଚିବ କହିଥିଲେ? ତା’ର ପ୍ରମାଣ ୧୨ ଘଣ୍ଟା ମଧ୍ୟରେ ନିଜର ଚ୍ୟାନେଲ କିମ୍ବା ନ୍ୟୁଜ ପେପରରେ ଲେଖିବାକୁ ଚ୍ୟାଲଞ୍ଜ ଦେଇଛନ୍ତି ଅନୁଭବ। ଯଦି ତାହାର ପ୍ରମାଣ ଦେଇଦେବେ, ତାହାହେଲେ ରାଜନୀତି ଛାଡିଦେବି ବୋଲି ଅନୁଭବ ଲେଖିଛନ୍ତି। ଯଦି ସୌମ୍ୟ ପଟ୍ଟନାୟକ ପ୍ରମାଣ ଦେଇନପାରନ୍ତି, ତେବେ ଓଡିଶାର ଲୋକେ ତାଙ୍କୁ ମିଛୁଆ ବୋଲି ଜାଣିବେ ବୋଲି ଲେଖିଛନ୍ତି।

ସେପଟେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଲେଖାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୈତିକ ଦଳ ନେତା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ଲାଗୁଛି ସୌମ୍ୟ ବାବୁ ଠିକ ବାଟରେ ବିଜୁ ଜନତା ଦଳକୁ ନେବାକୁ ଚାହୁଁଛନ୍ତି। ସେ ଜଣେ ବରିଷ୍ଠ ବିଧାୟକ, ବହୁ ଅଭିଜ୍ଞ ଲୋକ। ବହୁତ କିଛି ଜାଣନ୍ତି। ସରକାରୀ ଟଙ୍କା ଖର୍ଚ୍ଚ କରାଇ, ସରକାରୀ କଳକୁ ବ୍ୟବହାର କରି ସଚିବସ୍ତରର କର୍ମଚାରୀ ନିଜକୁ ଲଞ୍ଚ କରୁଛନ୍ତି। ତେଣୁ ସାଢ଼େ ଚାରି କୋଟି ଲୋକ ତାହା ବୁଝି ସାରିଲେଣି ବୋଲି କହିଛନ୍ତି ଅପରାଜିତା।

Bjp BjD 5T Secretary Bjd Leader Aparajita Sarangi Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe