Advertisment

ସୌମ୍ୟ ପଟ୍ଟନାୟକ ବିଜେଡି ଉପସଭାପତି ପଦରୁ ବହିଷ୍କୃତ

ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିଲେ ମଧ୍ୟ ଦଳରେ ତାଙ୍କ ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି।

ଅଦ୍ୟତନ ହୋଇଛି
Soumya Ranjan Patnaik

Soumya Ranjan Patnaik

Advertisment

ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲେ ମଧ୍ୟ ଦଳରେ ତାଙ୍କ ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି।

Advertisment

ସୌମ୍ୟ ଗତ କିଛି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ବ୍ୟକ୍ତିଗତ ସମାଲୋଚନା ଜାରି ରଖିଛନ୍ତି। ଏହା ସହିତ ନବୀନଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି। ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଗତ ସପ୍ତାହେ ଧରି ମାହୋଲ ତିଆରି ହୋଇଥିଲା।

ପ୍ରଥମେ ଦଳର ବରିଷ୍ଠ ନେତା ଅରୁଣ ସାହୁ, ଅତୁନ ସବ୍ୟସାଚୀ ନାୟକ, ପ୍ରତାପ ଦେଓ, ଶ୍ରୀମୟି ମିଶ୍ର, ଲେନିନ ମହାନ୍ତି ଓ ଅମର ପଟ୍ଟନାୟକଙ୍କ ମାଧ୍ୟମରେ ସୌମ୍ୟଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରାଯାଇଥିଲା। ଏହାପରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ମାସରେ ସୌମ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ। ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଥିଲା। ମାତ୍ର ପରେ ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦେଇଥିଲା।

ତେବେ ବାରମ୍ବାର ଶାଣିତ ସମାଲୋଚନା କରୁଥିବା ସୌମ୍ୟଙ୍କ ବିରୋଧରେ ବିଜେଡି କାହିଁକି କଠୋର ଆଭିମୁଖ୍ୟ ପୋଷଣ କରି ପାରୁନି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ସୌମ୍ୟ ଖୋଲାଖୋଲି ଭାବେ ତାଙ୍କୁ ଦଳରୁ କାଢ଼ିବା ଆହ୍ୱାନ ଦେଇ ସାରିଥିବା ବେଳେ ଦଳ ତାଙ୍କୁ ବିଦା କରି ପାରୁନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି।

ପ୍ରତିକ୍ରିୟା

  • ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କ ‘ଏକ୍ସ’ (ପୂର୍ବର ଟ୍ୱିଟର)ରେ ଲେଖିଛନ୍ତି- କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ।ଯେଉଁଠି କୃତଜ୍ଞତା ନଥାଏ, ସେଠାରେ ଈଶ୍ୱର ମଧ୍ୟ ସହାୟତା କରନ୍ତିନି।
  • ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ଆଗରୁ କାରଣ ଦର୍ଶାଅ ମାଗି କାର୍ଯ୍ୟାନୁଷ୍ଠାନ ହେଉଥିଲା। ସୌମ୍ୟ ପଟ୍ଟନାୟକଙ୍କ ଘଟଣାରେ ସେପରି ଘଟି ନାହିଁ। ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ। ମୋଟାମୋଟି ରାଜନୈତିକ ପରିସ୍ଥିତି ଭଲ ନାହିଁ। ଏମିତି କେତେ ଅଘଟଣ ଆଗକୁ ଘଟିବ।
  • ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ଦଳ ଭିତରେ ରହି ଦଳ ବିରୋଧରେ କହିବା ଠିକ୍ ନୁହେଁ। ସୌମ୍ୟ କଂଗ୍ରେସ ଓ ବିଜେପିରେ ଥିବା ବେଳେ ଏପରି କରୁଥିଲେ। ତାଙ୍କ ବିଷୟରେ ଦଳ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବ।
  • ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଭାଇ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି-  ସୌମ୍ୟଙ୍କୁ ପଦରୁ କାଢ଼ିବା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। ଆମ ଦଳରେ ଏମିତି ହୁଏନି। ଆମର ନିର୍ବାଚିତ ହୋଇ ସଭାପତି ଓ ଉପସଭାପତି ହୁଅନ୍ତି।
    ତାଙ୍କ ଦଳରେ ଏକଛତ୍ରବାଦ ଶାସନ ଓ ନବୀନ ସର୍ବେସର୍ବା ସୌମ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିଥିଲେ। ଏବେ କାଢ଼ିଦେଲେ।
  • କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, ସୌମ୍ୟ ପଟ୍ଟନାୟକ ହିମାଳୟ ସଦୃଶ। ତାଙ୍କୁ ପଥର ମାରିଲେ କ’ଣ ହେବ? ସେ ଯେଉଁଠି ଠିଆ ହେବେ ହିମାଳୟ ପରି ଠିଆ ହେବେ। 
BjD Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe