Advertisment

ଛାତ୍ର ସଂସଦ ନିର୍ବାଚନକୁ ନେଇ ସୌମ୍ୟ ମାରିଲେ ଶାଣିତ ତୀର

ବିଜେଡି ଫୋକସରେ ଯୁବ ଓ ଛାତ୍ର। ୨୦ ଲକ୍ଷ ନୂଆ ଭୋଟରଙ୍କ ଉପରେ ଦଳର ନଜର। ନିର୍ବାଚନୀ ବର୍ଷରେ ବିଜେଡି ପ୍ରସ୍ତୁତ କରୁଛି ବ୍ଲୁ ପ୍ରିଣ୍ଟ। ଯୁବ ସହ ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ମାଧ୍ୟମରେ ସେମାନଙ୍କୁ ସଂଗଠିତ କରାଯାଉଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Soumya Ranjan Patnaik

Soumya Ranjan Patnaik

ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର? ଛାତ୍ର ସଂସଦ ନିର୍ବାଚନ କରାନଯିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହାକୁ ନେଇ ଛାତ୍ର ରାଜନୀତି ସରଗରମ ହୋଇଛି। ଆଉ ସୌମ୍ୟଙ୍କ ସହି ସ୍ୱର ମିଳାଇଛନ୍ତି ବିରୋଧୀ ABVP ଓ ଛାତ୍ର କଂଗ୍ରେସ।

Advertisment

ବାରିପଦା ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ପ୍ରତ୍ୟେକ ସଫଳ ମଣିଷ ନିଜ ଛାତ୍ର ଜୀବନରେ ବିଶ୍ୱବିଦ୍ୟାଳୟ ସ୍ତରରେ ଅନେକ କ୍ରାନ୍ତିକାରୀ ସଂଗ୍ରାମରେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳିଛି। ଛାତ୍ର ସଭାପତି ଓ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଅନୁଷ୍ଠାନର ଗୋଟିଏ କାର୍ଯ୍ୟକ୍ରମ କରିବା ଦ୍ୱାରା ନେତୃତ୍ୱର ବିକାଶ ହୋଇଥାଏ। ଗଣତନ୍ତ୍ରର ଅଭ୍ୟାସ ଆସେ। କିନ୍ତୁ ଆଜି କାଲି ସରକାରମାନେ ଛାତ୍ର ସଂଘ, ଛାତ୍ର ୟୁନିଅନ୍‌ ଓ ଛାତ୍ର ନେତାମାନଙ୍କୁ କେଜାଣି କାହିଁକି ଡରୁଛନ୍ତି? ସେମାନେ ଡରୁଛନ୍ତି, ଅବା ଛାତ୍ରମାନେ ସେମାନଙ୍କ ଅନୁଷ୍ଠାନକୁ କିଭଳି ଶୃଙ୍ଖଳିତ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପରିଚାଳିତ କରିପାରିବେ ସେ ସମ୍ପର୍କରେ କହିବା ପାଇଁ ସାହସ କରିପାରୁନାହାନ୍ତି। ତେଣୁ ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ନାଁରେ ନିର୍ବଚନ କରାଇବା ନାହିଁ। ଏହାଦ୍ୱାରା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟିଏ ବିରାଟ ବଡ଼ କ୍ଷତି ହେଉଛି। ଛାତ୍ରମାନେ ଯଦି ତାଙ୍କ ଛାତ୍ର ଜୀବନରୁ ଗଣତନ୍ତ୍ରର ସର୍ବନିମ୍ନ ପଦ୍ଧତ୍ତି ସମ୍ପର୍କରେ ସଚେତନ ନହେବା, ତାହାହେଲେ ସେମାନେ ଆଗକୁ କେମିତି ଗଣତନ୍ତ୍ର ଦେବାରେ ପାରଙ୍ଗମ ହେବେ? ତେଣୁ ଆଗାମୀ ଦିନରେ ନେତୃତ୍ୱର ସଙ୍କଟ ଦେଖାଦେବ ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି।

ସେପଟେ ବିଜେଡି ଫୋକସରେ ଯୁବ ଓ ଛାତ୍ର। ୨୦ ଲକ୍ଷ ନୂଆ ଭୋଟରଙ୍କ ଉପରେ ଦଳର ନଜର। ନିର୍ବାଚନୀ ବର୍ଷରେ ବିଜେଡି ପ୍ରସ୍ତୁତ କରୁଛି ବ୍ଲୁ ପ୍ରିଣ୍ଟ। ଯୁବ ସହ ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ମାଧ୍ୟମରେ ସେମାନଙ୍କୁ ସଂଗଠିତ କରାଯାଉଛି। କିନ୍ତୁ ସୌମ୍ୟଙ୍କ କଥାକୁ ବିରୋଧୀ ପୁଣି ଦୋହରାଇଛନ୍ତି। ଛାତ୍ରଙ୍କ ଅଧିକାର ପାଇଁ ଲଢ଼ୁଛୁ ବୋଲି କହୁଥିବା ବିଜେଡି ସରକାର, ଛାତ୍ର ସଂସଦ ନିର୍ବାଚନ ୨୦୧୯ରୁ କାହିଁକି କରୁନି ବୋଲି ପଚାରିଛନ୍ତି।

Advertisment

ସେପଟେ ପ୍ରତି କ୍ୟାମ୍ପସରେ କମିଟି କରି ଦଳୀୟ ବ୍ୟାନରରେ ଏଣ୍ଟ୍ରାନସଠାରୁ ଆଡମିଶନ୍, ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି କିପରି ନିଜ କ୍ୟାମ୍ପକୁ ଅଣାଯିବ ସେନେଇ ବିଜେଡି ଛାତ୍ର କାର୍ଯ୍ୟକାରିଣୀରେ ମନ୍ତ୍ର ଦିଆଯିବ। ଶାସକ ଦଳ କେବଳ ଭୋଟକୁ ନଜରରେ ରଖି କ୍ୟାମ୍ପସ କମିଟି ଗଠନ କରିଥିବା ବିରୋଧୀ ଏବିଭିପି ଓ ଛାତ୍ର କଂଗ୍ରେସ ଅଭିଯୋଗ କରିଛନ୍ତି। ବିଜେଡି କହିଛି, କ୍ୟାମ୍ପସରେ ସୁରକ୍ଷିତ ବାତାବରଣ ରହିଲେ ସରକାର ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ନେବେ।

ତେବେ ଏଠି ପ୍ରଶ୍ନ ଉଠୁଛି, କ୍ୟାମ୍ପସରେ ଅଶାନ୍ତ ବାତାବରଣ କରୁଛି କିଏ? ବିଗତ ଦିନର ଘଟଣାକୁ ନଜର ପକାଇଲେ ଆଙ୍ଗୁଠି ଉଠୁଛି ବିଜେଡି ଆଡ଼କୁ। ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂରେ ବିଜେଡି କ୍ୟାମ୍ପସ କମିଟି ସଭାପତି ଅଭିଷେକ ନାୟକ, କଟକ ଖ୍ରୀଷ୍ଟ କଲେଜ ଗଣ୍ଡଗୋଳରେ ବିଜୁ ଛାତ୍ର ଜନତା ଦଳର କର୍ମୀ ସଂପୃକ୍ତ ଥିବା ଅଭିଯୋଗ ଆସିଥିଲା। ଖାଲି ସେତିକି ନୁହେଁ ଭଦ୍ରକ କଲେଜ ଫେକ୍‌ ସାର୍ଟିଫିକେଟ୍ ଘଟଣାରେ ମଧ୍ୟ ଶାସକ ଦଳର ନେତାଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା। ଅନ୍ୟପଟେ ରାଜ୍ୟର କିଛି ବିଶ୍ୱବିଦ୍ୟାଳୟର କୁଳପତି ଓ ଶିକ୍ଷାବିତଙ୍କ ମତ ହେଲା ଛାତ୍ର ସଂସଦ ନିର୍ବାଚନ ନିହାତି ହେବା ଉଚିତ।

BjD Soumya Ranjan Patnaik Baripada