Advertisment

ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟ, ଖୋଲିଲେ ଅନେକ ଗୁମର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନର ବ୍ୟବଧାନ ପରେ ପ୍ରଥମଥର ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଉପରେ ତାଙ୍କ ଦଳର ଜଣେ ବରିଷ୍ଠ ଉପସଭାପତି ତଥା ୭ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଓ ଡାକ୍ତର ଦାମୋଦର ରାଉତଙ୍କ ପରେ ବିଜେଡିରେ ଥାଇ ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବାର ସାହସ ଦେଖାଇଥିବା ସୌମ୍ୟରଞ୍ଜନ ଅବଶ୍ୟ ଏକ ଦୈନିକ ସମ୍ବାଦପତ୍ରର ସମ୍ପାଦକ […]

ଅଦ୍ୟତନ ହୋଇଛି
ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟ, ଖୋଲିଲେ ଅନେକ ଗୁମର

Naveen Patnaik & Soumya Ranjan Patnaik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନର ବ୍ୟବଧାନ ପରେ ପ୍ରଥମଥର ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଉପରେ ତାଙ୍କ ଦଳର ଜଣେ ବରିଷ୍ଠ ଉପସଭାପତି ତଥା ୭ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

Advertisment

ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଓ ଡାକ୍ତର ଦାମୋଦର ରାଉତଙ୍କ ପରେ ବିଜେଡିରେ ଥାଇ ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବାର ସାହସ ଦେଖାଇଥିବା ସୌମ୍ୟରଞ୍ଜନ ଅବଶ୍ୟ ଏକ ଦୈନିକ ସମ୍ବାଦପତ୍ରର ସମ୍ପାଦକ ଭାବେ ନିଜର ମତ ରଖିଛନ୍ତି। କର୍ମୀ ଓ ସାଧାରଣ ଲୋକଙ୍କଠୁ ଦୂରେଇ ରହି ନବୀନ ହାତଗଣତି ରାଜନେତା ଓ ପ୍ରଶାସକଙ୍କ ଗହଣରେ ରହୁଥିବା, ରାଜ୍ୟର ପ୍ରଶାସନିକ କାର୍ଯ୍ୟର ଖବର ତାଙ୍କ ପାଖରେ ପହଂଚୁ ନଥିବା, ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯାଇ ସତ୍ୟ ଓ ସମାଲୋଚନାକୁ ଚପାଇ ଦିଆଯାଉଥିବା ଭଳି କିଛି ଗୁମର ଦିଗକୁ ଇଙ୍ଗିତ କରି ସୌମ୍ୟ ପରୋକ୍ଷରେ ଦଳ, ସୁପ୍ରିମୋ ଓ ସରକାରର ପରିଚାଳନାଶୈଳୀ ଉପରେ ବି ପ୍ରଶ୍ନଚିହ୍ନ ଲଗାଇଛନ୍ତି।

ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ତାଙ୍କ ମାଲିକାନାରେ ଥିବା ଦୈନିକ ‘ସମ୍ବାଦ’ରେ ଆଜି ଆମ ଘରର ହାଲଚାଲ ସ୍ତମ୍ଭରେ ‘ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି ?’ରେ ଯାହା ଲେଖିଛନ୍ତି ସେଥିରେ କୋଭିଡ୍ ପରିଚାଳନା ଓ କୋଭିଡଜନିତ ମୃତ୍ୟୁକୁ ଲୁଚାଇବା ପାଇଁ ପ୍ରଶାସନିକ ସ୍ତରରେ ହେଉଥିବା ପ୍ରୟାସକୁ ଉଲ୍ଲେଖ କରିଛନ୍ତି। କିନ୍ତୁ ଏହି କଥା କହିବାକୁ ଯାଇ ସୌମ୍ୟ ଗତ କିଛିବର୍ଷ ଧରି ରାଜ୍ୟରେ ବିଶେଷକରି ବିଜେଡି ଓ ସରକାରର ଅନାଲୋଚିତ ଦିଗକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

Advertisment

ସୌମ୍ୟଙ୍କ ମତରେ ୨୫ ବର୍ଷ ତଳେ ରାଜନୀତିରେ ସମ୍ପୂର୍ଣ୍ଣ ଅପରିଚିତ ନବୀନ ନିରବଚ୍ଛିନ୍ନ ଭାବେ ଓଡ଼ିଶାର ଶାସନ କ୍ଷମତାରେ ରହିବା ଓ ପ୍ରତିଥର ଅଧିକ ଜନସମର୍ଥନ ପାଇବା ନିଶ୍ଚିତ ଭାବେ ସ୍ୱାଧୀନ ଭାରତରେ ଏକ ଅଲୌକିକ ସଫଳତା। ଅନାହାର ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ନବୀନଙ୍କୁ ଜାତୀୟ ଓ ବିଶ୍ୱସ୍ତରରେ ମିଳୁଥିବା ପ୍ରଶଂସା କଥା ଉଲ୍ଲେଖ କରି ସୌମ୍ୟ ସିଧାସଳଖ ରାଜ୍ୟରେ କୋଭିଡଜନିତ ମୃତ୍ୟୁକୁ ନେଇ ପ୍ରଶାସନିକ ସ୍ତରରେ ପରିସଂଖ୍ୟାନର ଖେଳକୁ ଦର୍ଶାଇଛନ୍ତି।

ରାଜ୍ୟ ସରକାର କୋଭିଡଜନିତ ମୃତ୍ୟୁକୁ ଲୁଚାଇ ଥିବା ତଥା ପ୍ରଶାସନିକ ତ୍ରୁଟି ଓ ଅବହେଳା ଯୋଗୁ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ଦେଖାଦେଇଛି ବୋଲି ସୌମ୍ୟ ଅଭିଯୋଗ କରିବା ସହ କଳେବଳେ କୌଶଳେ ପ୍ରଥମ ହେବାର ନିଶା ଓ ଅତୀତର ସଫଳତାର ଅହଙ୍କାର ଏହି ତ୍ରୁଟି ପାଇଁ ଦାୟୀ ବୋଲି କହିଛନ୍ତି। ସୌମ୍ୟଙ୍କ ଏହି କଥା ହିଁ ଓଡ଼ିଶା ସରକାର ତଥା ନବୀନଙ୍କୁ ମିଳିଥିବା ପ୍ରଶଂସାର ବାସ୍ତବ ରହସ୍ୟକୁ ପଦାରେ ପକାଇ ଦେଇଛି। ପ୍ରଶାସନ ଏବେ କାହା ଇଙ୍ଗିତରେ ଚାଲୁଛି ତାହା ରାଜ୍ୟବାସୀ ଜାଣନ୍ତି। କଳେବଳେ କୌଶଳେ ପ୍ରଥମ ହେବାର ନିଶା କଥା କହି ସୌମ୍ୟ ପରୋକ୍ଷରେ ଏଭଳି ଏକ ଦିଗକୁ ଇଙ୍ଗିତ କରିଛନ୍ତି ଯାହା ନବୀନ ସରକାରର ଏପର୍ଯ୍ୟନ୍ତ ସଫଳତାର ପ୍ରମାଣପତ୍ର ଉପରେ କଳାଦାଗ ବି ଲଗାଇ ଦେଇଛି।

କେବଳ ସେତିକି ନୁହେଁ, କୋଭିଡ୍‌ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଏକ ଶ୍ୱେତପତ୍ର ମୁଖ୍ୟମନ୍ତ୍ରୀ ପ୍ରକାଶ କରି ନିଜର ସାହାସିକତାର ପରିଚୟ ଦିଅନ୍ତୁ ବୋଲି ନବୀନଙ୍କୁ ତାଙ୍କ ଦଳର ବିଧାୟକ ସୌମ୍ୟରଞ୍ଜନ ଆହ୍ୱାନ ଦେବା ପରୋକ୍ଷରେ ରାଜ୍ୟ ପ୍ରଶାସନ ଉପରେ ସୌମ୍ୟଙ୍କ ବିଶ୍ୱାସ ନଥିବାକୁ ବି ପ୍ରମାଣିତ କରାଇଛି।

ସୌମ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ କୌଣସି କର୍ମୀ ଓ ସାଧାରଣ ଲୋକଙ୍କ ଗହଳିରେ ରହିବାକୁ ପସନ୍ଦ କରନ୍ତି ନାହିଁ। ହାତଗଣତି କେତେଜଣ ରାଜନେତା ଓ ପ୍ରଶାସକଙ୍କ ସହାୟତାରେ କାର୍ଯ୍ୟ କରନ୍ତି। କରୋନା କଟକଣାରେ ଏହି ହାତଗଣତିଙ୍କ ସଂଖ୍ୟା ଆହୁରି ବି ସୀମିତ ହୋଇଯାଇଛି। ତେଣୁ କରୋନା ତଥ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେତେ ଅବଗତ ଅଛନ୍ତି ଓ ତାଙ୍କ ପାଖରେ ପ୍ରକୃତ ତଥ୍ୟ ପହଂଚୁଛି କି ନାହିଁ ସେ ନେଇ ମଧ୍ୟ ସୌମ୍ୟ ସନ୍ଦେହ ବ୍ୟକ୍ତ କରିବାକୁ ପଛାଇ ନାହାନ୍ତି।

ସେହିପରି ସୌମ୍ୟ ମଧ୍ୟ ରାଜ୍ୟରେ ଗଣମାଧ୍ୟମ କିଭଳି ନିୟନ୍ତ୍ରଣ ହେଉଛି ତାର ଗୁମର ଖୋଲିଛନ୍ତି। ଗଣମାଧ୍ୟମ ନିୟନ୍ତ୍ରିତ ହେଉଥିବାରୁ ପ୍ରଶାସନ ଲୁଚାଉଥିବା କଥା ପଦାକୁ ଆସିପାରୁନି କିମ୍ବା ଦଳୀୟକର୍ମୀମାନେ କହିବାର ସୁଯୋଗ ପାଉନାହାନ୍ତି। ଗଣମାଧ୍ୟମର ସତ୍ୟ ଓ ସମାଲୋଚନାକୁ ଶୁଣିବାକୁ ଅଭ୍ୟାସ କଲେ ଜଣେ ଅଧିକ ସ୍ୱଚ୍ଛ ଓ ସାହାସୀ ହୋଇଥାଏ। ଗଣମାଧ୍ୟମ ମୁକ୍ତ ହେଲେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରକୃତ ତଥ୍ୟ ପହଂଚି ପାରିବ ବୋଲି ସୌମ୍ୟ ପରୋକ୍ଷରେ କହିଛନ୍ତି। ତେବେ ଗଣମାଧ୍ୟମକୁ କିଏ ନିୟନ୍ତ୍ରଣ କରୁଛି ଓ ସମାଲୋଚନା ଶୁଣିବାର ସାହାସ କାହାର ନାହିଁ ସେ ନେଇ ସୌମ୍ୟ ନିରବ ରହିଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ବିଜେଡି ସୁପ୍ରିମୋ ଯଦି କୌଣସି କର୍ମୀ ଓ ଲୋକଙ୍କ ସହ ମିଶିବାକୁ ପସନ୍ଦ କରୁନଥିବା ଦଳର ଖୋଦ୍ ଜଣେ ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ କହିପାରୁଛନ୍ତି, ତେବେ ବିଜେଡି ଚଳାଉଛି କିଏ?

ସୌମ୍ୟଙ୍କ ଆଜିର ଆଲେଖ୍ୟ ୨୦୧୪ ସେପ୍ଟେମ୍ବର ୨୦ ତାରିଖରେ ତାଙ୍କର ଏହି ‘ସମ୍ବାଦ’ରେ ପ୍ରକାଶିତ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ବୟାନ ସହ ମେଳ ଖାଉଛି। ଶ୍ରୀ ଘଡ଼େଇଙ୍କୁ ଏହି ବୟାନ ପାଇଁ ମଧ୍ୟ ଦଳରୁ ବହିଷ୍କୃତ ହେବାକୁ ପଡ଼ିଥିଲା। ଶ୍ରୀ ଘଡ଼େଇ ସେତେବେଳେ ଏକ ସାକ୍ଷାତକାରରେ ‘ଭାରତରେ ନବୀନ ଏକ ଆଶ୍ଚର୍ଯ୍ୟ’ ଓ ନବୀନ ନିଜେ କିଛି କରନ୍ତି ନାହିଁ, ସେ ମେଣ୍ଟାଲି-ଫିଜିକାଲି ‘ଡଲ୍‌’ ବୋଲି କହିଥିଲେ। କେ.ପି.ପି.ପି କବଜାରେ ରାଜ୍ୟ ଶାସନ ଚାଲିଛି ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ଓ ବିଜେପି ଡରୁଛନ୍ତି ବୋଲି କହି ସେ ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ସିଧାସଳଖ ହାମ୍‌ଲା କରିଥିଲେ। ଅବଶ୍ୟ ରାଜନୀତିକ ବାଧ୍ୟବାଧକତା ପାଇଁ ଏବେ ଶ୍ରୀ ଘଡ଼େଇଙ୍କ ଉପରୁ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିନିଆଯାଇଛି। ସେହିପରି ନବୀନଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରି ଡାକ୍ତର ଦାମୋଦର ରାଉତଙ୍କୁ ମଧ୍ୟ ଦଳୀୟ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିଛି।

ଏବେ ଦେଖିବାର କଥା ରହିଲା, ସୌମ୍ୟରଞ୍ଜନ ଯେଉଁ ନିରୁତା ଓ ଅପ୍ରିୟ ଅନାଲୋଚିତ କଥା ନିଜ ସମ୍ବାଦପତ୍ର ମାଧ୍ୟମରେ ରାଜ୍ୟବାସୀଙ୍କ ଜାଣିବା ପାଇଁ ରଖିଛନ୍ତି ସେଥିରୁ ଦଳ,ସୁପ୍ରିମୋ, ସରକାର ଓ ରଣନୀତିକାର ତାକୁ ସକାରାତ୍ମକ ଭାବେ ନେଉଛନ୍ତି ନା ତାଙ୍କୁ ବି ବଳି ପକାଉଛନ୍ତି ତାହା ସମୟ କହିବ?

BjD Naveen Patnaik Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe