/odisha-reporter/media/post_attachments/uploadimage/library/16_9/16_9_0/BJD_1714999621.jpg)
BJD
ଓଡ଼ିଶା ରାଜନୀତିରେ ଆଜି ଏକ ରୋଚକ ଚିତ୍ର ଦେଖିବାକୁ ମିଳିଥିଲା। ନାମାଙ୍କନ ଦାଖଲ ବେଳେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପାଖାପାଖି ବସିଥିଲେ। ଆଉ ଜଣେ ଅନ୍ୟ ଜଣଙ୍କୁ ଆର୍ଶୀବାଦ ଦେବାକୁ କହିଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ।
କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନମଣ୍ଡଳୀରେ ବିଧାୟକ ହେଉଛନ୍ତି ବଦ୍ରିନାରାୟଣ ପାତ୍ର। ସେ ୨୦୦୯ ମସିହାରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେଉଛନ୍ତି। ତାଙ୍କ ବୟସ ଏବେ ପ୍ରାୟ ୮୦ ଅତିକ୍ରମ କଲାଣି। ତଥାପି ସେ ଏଥର ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଠିକ୍ ସେମିତି ବିଜେଡିରୁ ନିଲମ୍ୱିତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି। ଅର୍ଥାତ ବଦ୍ରି ଓ ସୌମ୍ୟ ଘଷିପୁରାରୁ ପ୍ରାର୍ଥୀ ହୋଇଛନ୍ତି।
ଆଜି ବଦ୍ରି ଓ ସୌମ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଉଭୟ ନିଜର ସମର୍ଥକଙ୍କୁ ଧରି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଆଉ ଉପଜିଲ୍ଲାପାଳଙ୍କ ଅଫିସ୍ରେ ଉଭୟ ବେକରେ ଫୁଲମାଳ ପକାଇ ପାଖାପାଖି ବସିଥିଲେ। ନିର୍ବାଚନ ମୈଦାନରେ ଉଭୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ମଧ୍ୟ ମଝିରେ ମଝିରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା।
ପ୍ରଥମେ ବଦ୍ରିନାରାୟଣ ପାତ୍ର ନାମାଙ୍କନ ଦାଖଲ କରିଥିଲେ। ନାମାଙ୍କନ ପତ୍ର ଦାଖଲ ପରେ ବଦ୍ରି ଉପଜିଲ୍ଲାପାଳଙ୍କ ଅଫିସ୍ ଛାଡ଼ି ପୂର୍ବରୁ ସୌମ୍ୟଙ୍କ ସହ ହାତ ମିଳାଇ ଥିଲେ। ସେହି ସମୟରେ ସୌମ୍ୟ ତାଙ୍କ ହାତକୁ ଧରି ବେଷ୍ଟ ଅଫ୍ ଲକ୍ କହିଥିଲେ। ତା’ ପରେ ବଦ୍ରିଙ୍କ ହାତକୁ ନିଜ ମୁଣ୍ଡରେ ରଖି ଆଶୀର୍ବାଦ ଦେବାକୁ କହିଥିଲେ ସୌମ୍ୟ। ଫଳରେ ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲେ। ଉଭୟଙ୍କ ସମର୍ଥକମାନେ ମନ ଖୋଲି ହସିଥିଲେ। ହେଲେ ବଦ୍ରି ମୁଚୁକି ହସ ଦେଇ ନିଜ ସମର୍ଥକଙ୍କୁ ଧରି ସେଠାରୁ ଚାଲି ଯାଇଥିଲେ। ଆଜି ଦିନ ତମାମ ଏହି ଫଟୋଟି ସୋଶାଲ୍ ମିଡ଼ିଆରେ ଚର୍ଚ୍ଚାରେ ରହିଛି।
ରିପୋର୍ଟ- ଆନନ୍ଦପୁରରୁ ମୁନ୍ନା ସିଂ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
