ମାଟିର ପୁଅ, ମାଟିର ସେବା କରିବାକୁ ଆସିଛି

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭବେ ଲଢୁଛନ୍ତି ଉମାବଲ୍ଲଭ ରଥ। ୧୯୯୦ ନିର୍ବାଚନରେ ଆଠଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ। ହେଲେ ତା ପରେ ପୁରୀ ରାଜନୀତିରେ ନିଜକୁ ହଜାଇ ଦେଇଥିଲେ ସେ । ଏବେ ଘର ପୁଅ ବାହୁଡ଼ି ଆସିଛି। ‘ମାଟିର ପୁଅ ମାଟିର ସେବା କରିବ’ ଏହି ନାରା ଦେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ଉମା ରଥ । ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ […]

aathagarh

Minati Mishra
  • Published: Wednesday, 10 April 2019
  • , Updated: 10 April 2019, 05:42 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭବେ ଲଢୁଛନ୍ତି ଉମାବଲ୍ଲଭ ରଥ। ୧୯୯୦ ନିର୍ବାଚନରେ ଆଠଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ। ହେଲେ ତା ପରେ ପୁରୀ ରାଜନୀତିରେ ନିଜକୁ ହଜାଇ ଦେଇଥିଲେ ସେ । ଏବେ ଘର ପୁଅ ବାହୁଡ଼ି ଆସିଛି। ‘ମାଟିର ପୁଅ ମାଟିର ସେବା କରିବ’ ଏହି ନାରା ଦେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ଉମା ରଥ । ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ ଆଠଗଡ଼କୁ ନିଜ କବ୍‌ଜାରେ ରଖିଥିବା ରଣେନ୍ଦ୍ର ସ୍ୱାଇଁ ଓ ମୋଦି ହାୱାକୁ ପାଥେୟ କରି ବିଜୟ ପଥରେ ଅଗ୍ରସର ହେଉଥିବା ବ୍ରଜେନ୍ଦ୍ର ରାଏଙ୍କୁ ସେ କିପରି ଟକ୍କର ଦେବେ ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା.....

ପ୍ରଶ୍ନ : ଦୀର୍ଘ ୩୦ ବର୍ଷ ହେଲା ଆଠଗଡକୁ ନିଜ କବ୍‌ଜାରେ ରଖିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆପଣ ଏ ମାଟିରେ ନୂଆ । କେମିତି ସାମ୍ନା କରିବ ଏହି ଚ୍ୟାଲେଞ୍ଜକୁ ?

ଉତ୍ତର: ଏଇ ମାଟିର ପୁଅ ମୁଁ।  ଏହାର ମାଟି, ପାଣି, ପବନରେ ବଡ଼ ହୋଇଛି। ରାଜନୀତି କରିବା ଶିଖିଛି। ନୂଆ କାହିଁକି ହେବି ?  ଏବେ ‘ମାଟିର ପୁଅ, ମାଟିର ସେବା କରିବାକୁ ଫେରି ଆସିଛି।’  ‌ଆଉ ଭେଟେରାନ ବିଧାୟକ ଯାହାକୁ କହୁଛନ୍ତି, ମୁଁ ତାଙ୍କୁ ଭାବେ ଜଣେ ଭେଟେରାନ ବେପାରୀ। ତେଣୁ ତାଙ୍କୁ କ'ଣ ଚ୍ୟାଲେଞ୍ଜ ଦେବି ?

ପ୍ରଶ୍ନ: କେମିତି ସାମ୍ନା କରିବେ ଆଠଗଡ଼ବାସୀଙ୍କୁ ?

ଉତ୍ତର: ଆଠଗଡ ଗୋଟିଏ ସମସ୍ୟାବହୁଳ ଅଞ୍ଚଳ ହୋଇ ଯାଇଛି। ୩୦ ବର୍ଷ ଧରି ବିଧାୟକ ରହି ଏଠାରେ ଥିବା କୃଷି, ଶିଳ୍ପକୁ ମାରି ଦେଇଛନ୍ତି। ଏଠାରେ ଥିବା ନୂଆପାଟଣା ସୂତାକଳ ବନ୍ଦ କରି ହୋଇଯାଇଛି ।  ଶିଳ୍ପ ବନ୍ଦ ହୋଇଗଲା। ଶୀତଳଭଣ୍ଡାରରେ ତାଲା ପଡ଼ିଲା। ଦୀର୍ଘ ବର୍ଷ ଦାବି ପରେ ବି ଆଠଗଡ଼କୁ ସିଟି ବସ୍‌ ଗଡ଼ି ପାରିଲାନି। ତେଣୁ ଏ ସବୁ ସମସ୍ୟାର ସମାଧାନ ସହ ଆଠଗଡ଼ବାସୀଙ୍କ ମୁହଁରେ ହସ ଫେରାଇବାକୁ ମୁଁ ଆସିଛି।

ପ୍ରଶ୍ନ: ଶିକ୍ଷା କ୍ଷେତ୍ରରେ ଆଠଗଡ଼ ଓଡ଼ିଶାରେ ନମ୍ବର ୱାନ ହୋଇଛି। ଏ ନେଇ କ’ଣ କହିବେ ଆପଣ ?

ଉତ୍ତର: ସବୁ ମିଛ କଥା। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏମିତି ପ୍ରଚାର କରାଯାଉଛି।

ପ୍ରଶ୍ନ: ୩୦ ବର୍ଷ ପରେ ପୁଣି କଂଗ୍ରେସ ଘରବାହୁଡ଼ା କରିବ କି ?

ଉତ୍ତର: ଭୋଟର ଏ ଗଣତନ୍ତ୍ରର ମାଲିକ। କାହାକୁ ବାଛିବେ, କାହାକୁ ଛଡ଼ିବେ ତାହା ସେହି ମାଲିକମାନେ ସ୍ଥିର କରିବେ। ଏଇ ମାଟିର ପୁଅ ଭାବେ ମୋର ପ୍ରଥମ କର୍ତ୍ତବ୍ୟ ହେଲା ଆଠଗଡ଼ବାସୀଙ୍କ ସେବା କରିବା, ସେମାନଙ୍କୁ ଶାନ୍ତିରେ ରଖିବା।

ପ୍ରଶ୍ନ: ମୋଦି ଲହର କଂଗ୍ରେସକୁ ଟକ୍କର ଦେବ କି ?

ଉତ୍ତର: ମୋଦିଙ୍କ ଲହର କିଛି ନାହିଁ। ମିଡିଆକୁ ପ୍ରଚୁର ବିଜ୍ଞାପନ ଦେଇ କେବଳ ଯାହା ପ୍ରଚାର ଚାଲିଛି। ଲୋକେ ମୋଦିଙ୍କୁ ବୁଝିଗଲେଣି।

ପ୍ରଶ୍ନ: ଜଗନ୍ନାଥ ଧାମ ଛାଡ଼ି ଏଠାକୁ ଆସିଲେ।  ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ ତ ?
ଉତ୍ତର: ଦଇବ ଦଉଡ଼ି..ମଣିଷ ଗାଈ...ଯେଣିକି ଟାଣଇ...ସେଣିକି ଯାଇ... । ଜଗନ୍ନାଥଙ୍କ ନିର୍ଦ୍ଦେଶରେ ଆଠଗଡରୁ ଯାଇ ପୁରୀରେ ରାଜନୀତି କରିଥିଲି। ଏବେ ତାଙ୍କ ନିର୍ଦ୍ଦେଶରେ ପୁଣି ଆଠଗଡ଼ ଆସିଛି।

ପ୍ରଶ୍ନ: ଜିତିବା ନେଇ କେତେ ଆଶାବାଦୀ ?

ଉତ୍ତର: ଭୋଟର ମାଲିକ ଚାହିଁଲେ ମୁଁ ଜିତିବି। ମୋର ବିଶ୍ୱାସ, ଆଠଗଡ଼, ତିଗିରିଆବାସୀ ମୋତେ ନିଶ୍ଚୟ ଜିତାଇବେ।

https://www.youtube.com/watch?v=AUCarxOIAPc

Related story