ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା। ପାନ ଦୋକାନରୁ ପାର୍ଲାମେଣ୍ଟ ସବୁଠି ରାଜନେତା ଆଉ ରାଜନୀତିର ଆଲୋଚନା। ଆଉ ମାତ୍ର କେଇଦିନ ପରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ନିର୍ବାଚନୀ ମାହୋଲ ମଧ୍ୟରେ ଆସନ୍ତୁ ଜାଣିବା ଆମ ନେତାଙ୍କ ବିଷୟରେ କିଛି ରୋଚକ ତଥ୍ୟ ଯାହା ଭାରତର ରାଜନୈତିକ ଇତିହାସରେ ସର୍ବକାଳୀନ ରେକର୍ଡ କରିଛି।
- ଲୋକସଭାର ସବୁଠାରୁ ବୟସ୍କ ଏମ.ପି.ଥିଲେ ରାମସୁନ୍ଦର ଦାସ। ସେ ଜନତା ଦଳ(ୟୁ) ସଦସ୍ୟ ଥିଲେ ଏବଂ ୨୦୦୯ରେ ହାଜିପୁର ଆସନରୁ ଜିତିଥିଲେ। ସେତେବେଳେ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।
- ରାଜ୍ୟସଭାର ସବୁଠୁ ବୟସ୍କ ପ୍ରାର୍ଥୀ ଥିଲେ ମଣିପୁରର ରିସାଙ୍ଗ କେସିଙ୍ଗ। ସେ ୮୮ ବର୍ଷ ବୟସରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।
- ଦୁଷ୍ୟନ୍ତ ଚୌତାଲା ଲୋକସଭାର ସର୍ବକନିଷ୍ଠ ଏମ୍ପି ଥିଲେ। ୨୦୧୪ରେ ମାତ୍ର ୨୬ ବର୍ଷ ବୟସରେ ସେ ଲୋକସଭାକୁ ମନୋନୀତ ହୋଇଥିଲେ।
- ସବୁଠାରୁ ବୟସ୍କ ପ୍ରଧାନମନ୍ତ୍ରୀ ଥିଲେ ମୋରାରଜୀ ଦେଶାଇ। ୮୧ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।
- ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ ରାଜୀବ ଗାନ୍ଧୀ। ମାତ୍ର ୪୨ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।
- ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ କ୍ଷମତାରେ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ। ସେ ସର୍ବାଧିକ ୬୧୩୦ ଦିନ ଦାୟିତ୍ୱରେ ରହିଥିଲେ।
- ଗୁଲଜାରୀଲାଲ ନନ୍ଦା ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ କମ୍ ଦିନ କ୍ଷମତାରେ ଥିଲେ। ସେ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କ କାର୍ଯକାଳ ଥିଲା ମାତ୍ର ୧୩ ଦିନ।
- ସିପିଆଇ ନେତା ଇନ୍ଦ୍ରଜିତ ଗୁପ୍ତା ଲୋକସଭା ଏମ୍ପି ଭାବେ ସବୁଠାରୁ ଅଧିକ ସମୟ କାମ କରିଥିଲେ। ସେ ସର୍ବାଧିକ ୧୧ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।
- କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ୱରନ ସିଂ ସବୁଠାରୁ ଅଧିକ ସମୟ ଦାୟିତ୍ୱରେ ଥିଲେ। ସେ ଦୀର୍ଘ ୨୩ ବର୍ଷ ଭାରତ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିଥିଲେ।
- କଂଗ୍ରେସର ରାମ ସୁଭାଗ ସିଂ ଲୋକସଭାର ପ୍ରଥମ ବିରୋଧୀ ଦଳ ନେତା ଥିଲେ।
- ଗୁଜରାଟ ଗିର ଜଙ୍ଗଲର ୨୦ କି.ମି. ଭିତରେ ନିର୍ବାଚନ କମିଶନ ଏକ ମତଦାନ କେନ୍ଦ୍ର ଖୋଲିଥିଲେ, ଯେଉଠି ଜଣେ ମାତ୍ର ଭୋଟର ତାଙ୍କର ମତଦାନ କରିଥିଲେ। ସେହି ଭୋଟର ଜଣକ ହେଉଛନ୍ତି ଭାରତଦାସ ଦର୍ଶନ୍ଦାସ୍।
- ତାମିଲନାଡୁର ‘ଇଲେକ୍ସନ କିଙ୍ଗ’ ପଦ୍ମରାଜନ ସର୍ବାଧିକ ନିର୍ବାଚନ ଲଢିଛନ୍ତି। ହେଲେ ଗୋଟିଏ ଥର ବି ସଫଳତା ପାଇ ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।