ବିଧାନସଭାରେ କଳଙ୍କିତ ଅଧ୍ୟାୟ: ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି, ତାରା ନିଲମ୍ବିତ

ଓଡ଼ିଶାରେ ମିଶିବା ଏକ ଐତିହାସିକ ଭୁଲ୍ ବୋଲି କହି ରାଜ୍ୟ ବିଭାଜନ ବୟାନ ଦେଇଥିବା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଆଜି ୪ଦିନ ପରେ ପୁଣିଥରେ ମୁହଁ ଖୋଲିଛନ୍ତି । ସେ ତାଙ୍କର ଆଭିମୁଖ୍ୟରେ ଅଟଳ ଅଛନ୍ତି ଓ ମତ ପରିବର୍ତ୍ତନ କରିବେ ନାହିଁ ବୋଲି ଆଜି ରୋକଠୋକ୍ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

Tara

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

Ordigital Desk
  • Published: Tuesday, 11 March 2025
  • , Updated: 11 March 2025, 09:03 PM IST

ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ ଓ ହଟ୍ଟଗୋଳ ଜାରି ରଖିଥିବାବେଳେ ଶାସକ ବିଜେପି ବିଧାୟକମାନଙ୍କ ସହ ଧସ୍ତାଧସ୍ତି ଭଳି ସ୍ଥିତି ଉପୁଜିଥିଲା । ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ୭ଟି କାର୍ଯ୍ୟଦିବସ ପାଇଁ ଗୃହରୁ ନିଲମ୍ବନ ଘୋଷଣା କରିବା ପରେ ସ୍ଥିତି ଅଧିକ ଜଟିଳ ହୋଇଛି । କଂଗ୍ରେସ ବିଧାୟକମାନେ ଏହାର ପ୍ରତିବାଦରେ କଳାପଟି ମୁହଁରେ ବାନ୍ଧି ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଥିବାବେଳେ ବିଜେଡି ମଧ୍ୟ ତାରାଙ୍କ ସମର୍ଥନରେ ବାହାରିଛି । ତେବେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନକୁ ଶାସକ ବିଜେପିର ବିଧାୟକମାନେ ଯଥାର୍ଥ ବୋଲି କହିଛନ୍ତି । ମାତ୍ର ମଙ୍ଗଳବାର ଗୃହରେ ଯେଭଳି ସ୍ଥିତି ଉପୁଜିଲା ତାହା ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ କେବେ ଦେଖିବାକୁ ମିଳିନଥିଲା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା ଓ ବିଜେପି ବିଧାୟକ ଅଶୋକ ମହାନ୍ତି ପରସ୍ପରକୁ ଠେଲାପେଲା ଓ କଲର ଧରିଥିବାର ଦୃଶ୍ୟ ରାଜ୍ୟବାସୀ ଦେଖିଛନ୍ତି । ଜନପ୍ରତିନିଧିମାନଙ୍କ ଏଭଳି ଆଚରଣକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିଧାନସଭାରେ କଳଙ୍କିତ ଅଧ୍ୟାୟ

ମଙ୍ଗଳବାର ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ଘଟଣାରେ ପ୍ଲାକାର୍ଡ ଧରି ସରକାରଙ୍କ ବିରୋଧରେ ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାୟକମାନେ ରାଜ୍ୟ ବିଭାଜନର ମନ୍ତବ୍ୟ ଦେଇଥିବା ଜୟନାରାୟଣ ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ହଟ୍ଟଗୋଳ କରିଥିଲେ । ତେବେ ଏହି ହଟ୍ଟଗୋଳ ଭିତରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରଶ୍ନକାଳ ଆରମ୍ଭ ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଡାକିଥିଲେ । ଆଉ ମନ୍ତ୍ରୀ ନିଜର ଉତ୍ତର ରଖୁଥିବାବେଳେ ତାଙ୍କ ସମ୍ମୁଖରେ ବିଧାୟକ ଶ୍ରୀ ବାହିନୀପତି ଛିଡ଼ା ହୋଇ ତାଙ୍କୁ ନିଜର ଉତ୍ତର ବନ୍ଦ କରିବାକୁ ଅନୁରୋଧ କରୁଥିଲେ । ମାତ୍ର ଏହି ସମୟରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସେଠାକୁ ଯାଇ ତାରାଙ୍କୁ ଧକ୍କା ଦେଇଥିଲେ । ତାରା କହିଛନ୍ତି ଯେ, ସେ ଗଣତାନ୍ତ୍ରିକ ଉପାୟରେ ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରୁଥିବାବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ତାଙ୍କ କଲରକୁ ଭିଡ଼ି ଧରି ଧକ୍କା ମାରିଥିଲେ । ଗୃହ ଅର୍ଡରରେ ନାହିଁ, ତେଣୁ ଉତ୍ତର ନରଖିବାକୁ ମନ୍ତ୍ରୀଙ୍କୁ ସେ ଅନୁରୋଧ କରୁଥିଲେ । ମାତ୍ର ସରକାରୀ ଦଳ ମୁଖ୍ୟ ସଚେତକ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସାରାରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଧସ୍ତାଧସ୍ତି କରିଥିଲେ ବୋଲି ଶ୍ରୀ ବାହିନୀପତି କହିଛନ୍ତି । ଏହାପୂର୍ବରୁ ତାରା ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ି ବିରୋଧ ପ୍ରଦର୍ଶନ କରିଥିଲେ ।

ତେବେ ବିଜେପି ବିଧାୟଙ୍କ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ଗଣତନ୍ତ୍ରରେ ବିରୋଧୀ ଦଳ ହେଉଛି ଏକ ଅଂଶ । କିନ୍ତୁ ଗୃହରେ ବିରୋଧୀ ଦଳ ଗୋଟିଏ ସୀମା ମଧ୍ୟରେ ରହିବା ଉଚିତ୍ । ଗୃହରେ ମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିଜେଡି ଓ  କଂଗ୍ରେସ ବିଧାୟକମାନେ ତାଙ୍କର ମାଇକ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ଓ ତାଙ୍କ ଫାଇଲ୍ ନେଇଯାଇଥିଲେ । ଏହା ଗଣତନ୍ତ୍ରରେ କଦାପି ଗ୍ରହଣୀୟ ନୁହେଁ ।

ସେହିପରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଗୃହର ମଧ୍ୟଭାଗରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଏଭଳି ଧସ୍ତାଧସ୍ତି ଓ ଠେଲାପେଲା ହେବା ସେ କେବେ ଦେଖିନଥିଲେ । ଓଡ଼ିଶା ବିଧାନସଭା ଇତିହାସରେ ଏଭଳି ମଧ୍ୟ କେବେ ହୋଇନାହିଁ । ପ୍ରଥମଥର ପାଇଁ ଗୃହର ମହିଳା ସଦସ୍ୟମାନେ ଭୟଭୀତ ହୋଇପଡ଼ିଥିଲେ । ଗୃହରେ ହଟ୍ଟଗୋଳ ଜାରି ରହିଥିବାବେଳେ ବାଚସ୍ପତି ମଧ୍ୟ ଗୃହରେ ସ୍ୱାଭାବିକ କାର୍ଯ୍ୟ ନିମନ୍ତେ ଅନୁମତି ଦେବା ଉଚିତ୍ ନଥିଲା । ବିଜେପି ବିଧାୟକମାନେ ଆମର ବରିଷ୍ଠ ନେତାମାନଙ୍କୁ ଠେଲାପେଲା ମଧ୍ୟ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

ପ୍ରଥମାର୍ଦ୍ଧରେ ଗୃହ ଚାଲିବା ସମ୍ଭବପର ହୋଇନଥିବାବେଳେ ଦ୍ୱିତୀୟାର୍ଦ୍ଧରେ ତାରାଙ୍କୁ ୭ଟି କାର୍ଯ୍ୟଦିବସ ପାଇଁ ଗୃହରୁ ନିଲମ୍ବନ କରାଗଲା ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ରୁଲିଂ ଦେଇଥିଲେ । ଯାହାକୁ ପ୍ରତିବାଦ କରି କଂଗ୍ରେସ ଗାନ୍ଧିମୂର୍ତ୍ତି ତଳେ କଳାପଟି ବାନ୍ଧି ପ୍ରତିବାଦ କରିଛି । ପିସିସି ସଭାପତି ଭକ୍ତ ଦାସ ମଧ୍ୟ ବିଧାୟକମାନଙ୍କ ସହ ପ୍ରତିବାଦରେ ସାମିଲ ହୋଇଛନ୍ତି ।

ବିଧାନସଭା ଭିତରେ ‘ଲଣ୍ଠନ’ ଧରି ଖୋଜିଲା ବିଜେଡି

ବିଧାନସଭା ପରିସରରେ ବିରୋଧୀ ବିଜେଡି ବିଧାୟକମାନେ ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକମାନେ ହାତରେ ଲଣ୍ଠନ ଧରି ବିଧାନସଭା କରିଡରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଖୋଜୁଥିବା କହିଥିଲେ । ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ବିଧାନସଭା ପରିସରରେ ଲଣ୍ଠନ ଧରି ଶୋଭାଯାତ୍ରା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ ଓ ଅନ୍ୟାନ୍ୟ ପ୍ରକୋଷ୍ଠ ନିକଟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଥିବା କହିଥିଲେ । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ରାଜ୍ୟ ବିଭାଜନ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିରବତା  ଓ ଗୃହରେ ବିଧାୟକମାନଙ୍କୁ ମାଡ଼ ମରାଯାଉଥିବା ଘଟଣାରେ ନିରବ ରହିବାକୁ ନେଇ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଖୋଜାଯାଉଛି ବୋଲି ବିଜେଡି ବିଧାୟକମାନେ ଅଭିଯୋଗ କରିଥିଲେ । ଅବଶ୍ୟ ‘ମୁଖ୍ୟମନ୍ତ୍ରୀ ନିଖୋଜ’ ଦର୍ଶାଇ ଗତ ପ୍ରାୟ ୩ବର୍ଷ ତଳେ ବିଜେପି ବିଧାୟକମାନେ ଅନୁରୂପ ଢଙ୍ଗରେ ପ୍ରତିବାଦ କରିଥିଲେ । ବିଜେପି ସେତେବେଳେ ବିରୋଧୀ ଦଳରେ ଥିବାବେଳେ ବିଜେଡି କ୍ଷମତାରେ ରହିଥିଲା । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ଆସୁନଥିବାରୁ ବିଜେପି ବିଧାୟକମାନେ ବିଧାନସଭାରୁ ଶୋଭାଯାତ୍ରାରେ ନବୀନ ନିବାସ ଯାଇଥିଲେ । ସେଠାରେ ବିଜେଡି ବିଧାୟକମାନେ ସେମାନଙ୍କୁ ଲେମ୍ବୁ ପାଣି ଦେଇ ସ୍ୱାଗତ କରିବାର ରୋଚକ ଦୃଶ୍ୟ ରାଜ୍ୟବାସୀ ଦେଖିଥିଲେ ।

ଜିଦରେ ଅଟଳ ଜୟନାରାୟଣ, ନାପସନ୍ଦ କଲେ ଆଇନ ମନ୍ତ୍ରୀ

ଓଡ଼ିଶାରେ ମିଶିବା ଏକ ଐତିହାସିକ ଭୁଲ୍ ବୋଲି କହି ରାଜ୍ୟ ବିଭାଜନ ବୟାନ ଦେଇଥିବା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଆଜି ୪ଦିନ ପରେ ପୁଣିଥରେ ମୁହଁ ଖୋଲିଛନ୍ତି । ସେ ତାଙ୍କର ଆଭିମୁଖ୍ୟରେ ଅଟଳ ଅଛନ୍ତି ଓ ମତ ପରିବର୍ତ୍ତନ କରିବେ ନାହିଁ ବୋଲି ଆଜି ରୋକଠୋକ୍ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ତାଙ୍କର ଓଡ଼ିଶା ବିଭାଜନ ଭଳି ମନ୍ତବ୍ୟ ଓ ରାଜ୍ୟ ସଙ୍ଗୀତକୁ ଅସମ୍ମାନ କରି ବସି ରହିବାକୁ ନେଇ ବିରୋଧୀ ବିଜେଡି ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିବାବେଳେ ବିଜେପି ମଧ୍ୟ ନିରବ ରହିଛି । ଗତ ୪ଦିନ ଧରି ବିଭିନ୍ନସ୍ତରରୁ ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ମଧ୍ୟ ସରକାର ଏନେଇ ମୁହଁ ଖୋଲିନଥିଲେ । ମାତ୍ର ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ମନ୍ତବ୍ୟ ଜୟନାରାୟଣ ମିଶ୍ରଙ୍କର ବ୍ୟକ୍ତିଗତ ମତ । ଏହାକୁ ସରକାର ସମର୍ଥନ କରନ୍ତି ନାହିଁ ବୋଲି କହି ଜୟନାରାୟଣଙ୍କ ରାଜ୍ୟ ବିଭାଜନକାରୀ ମନ୍ତବ୍ୟକୁ ନେଇ ଚାଲିଥିବା ବିବାଦର ପ୍ରଶମିତ ନିମନ୍ତେ ଉଦ୍ୟମ କରିଛନ୍ତି । ଜୟନାରାୟଣ ଆଜି ମଧ୍ୟ ନିଜର ଆଭିମୁଖ୍ୟକୁ ଅଧିକ ଶାଣିତ କରି ସେ ଯାହା କହିଛନ୍ତି ସେଥିରୁ ଓହରିବାର ନାହିଁ । ବରଂ ରାଜ୍ୟ ସଙ୍ଗୀତ ଗାନବେଳେ ସେ ଚେୟାରରେ ବସିରହିବାକୁ ଯର୍ଥାଥ ବୋଲି ଦର୍ଶାଇଛନ୍ତି । କଂଗ୍ରେସ ବିଧାୟକ ଅଶୋକ ଦାସ ରାଜ୍ୟ ସଙ୍ଗୀତକୁ ଅସମ୍ମାନ ସେମାନଙ୍କର ଅହଙ୍କାରର ପରିଚୟ ବୋଲି କହିଥିବାବେଳେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ କଡ଼ା ଭାଷାରେ ଜୟନାରାୟଣଙ୍କୁ ସମାଲୋଚନା କରିଛନ୍ତି ।

Related story