Advertisment

ଷ୍ଟାଲିନଙ୍କ ଡକରାରେ ଚେନ୍ନାଇ ଯିବେ କି ମୁଖ୍ୟମନ୍ତ୍ରୀ ମୋହନ ମାଝୀ?

ଷ୍ଟାଲିନ ବୈଠକକୁ ଏକମାତ୍ର ବିଜେପି ଶାସିତ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଡାକିଛନ୍ତି। ବାକି ସବୁ ରାଜ୍ୟରେ ଅଣ ବିଜେପି ସରକାର ରହିଛନ୍ତି। ଅବଶ୍ୟକ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦହ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଛି।

author-image
Hemant Lenka
Stalin

Stalin

କେନ୍ଦ୍ର ପକ୍ଷରୁ ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଜୋରଦାର ବିରୋଧ କରୁଛନ୍ତି। ସୀମା ପୁନଃନିର୍ଦ୍ଧାରଣ ଦ୍ୱାରା ସଂସଦରେ ତାମିଲନାଡୁ ସମେତ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଗୁରୁତ୍ୱ ହ୍ରାସ ପାଇବ ବୋଲି ସେ କହି ଚାଲିଛନ୍ତି। ଏହାକୁ ବିରୋଧ କରି ରାଜନୀତିକ ଦଳଗୁଡ଼ିକର ନେତାମାନଙ୍କୁ ନେଇ ସେ ଗୋଟିଏ ଯୁଗ୍ମ କମିଟି ଗଠନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଆଜି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚେନ୍ନାଇ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି।

Advertisment

ସେ ନିମନ୍ତ୍ରଣ କରିଥିବା ୭ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁ ରହିଛି। କେନ୍ଦ୍ରର ସୀମା ନିର୍ଦ୍ଧାରଣ ପ୍ରସ୍ତାବ ବିରୋଧରେ ହେବାକୁ ଥିବା ବୈଠକ ପାଇଁ ଖୋଦ ବିଜେପି ଶାସିତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ସମସ୍ତଙ୍କୁ ଚକିତ କରିଛି। ସେହିପରି ଓଡ଼ିଶା ମଧ୍ୟ ଦକ୍ଷିଣ ଭାରତୀୟ ରାଜ୍ୟ ନୁହେଁ। 

ମୋହନ ଚରଣ ମାଝୀଙ୍କ ବ୍ୟତୀତ ଷ୍ଟାଲିନ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ, କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟ ଚେନ୍ନାଇ ବୈଠକଙ୍କୁ ଡାକିଛନ୍ତି। ଏମାନଙ୍କ ବ୍ୟତୀତ ଏହି ରାଜ୍ୟଗୁଡ଼ିକରେ କ୍ଷମତାରେ ନଥିବା ଦଳଗୁଡ଼ିକର ବରିଷ୍ଠ ନେତା ଓ ବିଜେପି ନେତାଙ୍କୁ ମଧ୍ୟ ସେ ନିମନ୍ତ୍ରଣ କରିଛନ୍ତି।

Advertisment

ମାର୍ଚ୍ଚ ୨୨ରେ ସାମୂହିକ ପ୍ରସଙ୍ଗରେ ଆଲୋଚନା ପାଇଁ ଚେନ୍ନାଇରେ ବୈଠକ ହେବ ବୋଲି ସେ କହିଛନ୍ତି। ଷ୍ଟାଲିନ ବୈଠକକୁ ଏକମାତ୍ର ବିଜେପି ଶାସିତ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଡାକିଛନ୍ତି। ବାକି ସବୁ ରାଜ୍ୟରେ ଅଣ ବିଜେପି ସରକାର ରହିଛନ୍ତି। ଅବଶ୍ୟକ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦହ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଛି।

ଷ୍ଟାଲିନ କହିଛନ୍ତି, “ସଂଘୀୟ ବ୍ୟବସ୍ଥା ଉପରେ ସୀମା ପୁନଃ ନିର୍ଦ୍ଧାରଣ ଗୋଟିଏ ଶକ୍ତ ପ୍ରହାର। ସଫଳତାର ସହ ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ରାଜ୍ୟକୁ ଦଣ୍ଡ ସ୍ୱରୂପ ତା’ର ସ୍ୱରକୁ ସଂସଦରେ ଚାପି ଦିଆଯାଇବା ପାଇଁ ଏପରି ବ୍ୟବସ୍ଥା ହୋଇଛି। ଆମେ ଏପରି ‌ଅନ୍ୟାୟକୁ କେବେ ହେଲେ ଅନୁମତି ଦେଇ ପାରିବୁ ନାହିଁ।”

ଆସନ୍ତାବର୍ଷ ତାଲିମନାଡୁରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଷ୍ଟାଲିନ ଓ ତାଙ୍କ ସରକାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ହିନ୍ଦୀ ଭାଷା ଲାଗୁ ଏବଂ ସୀମା ନିର୍ଦ୍ଧାରଣକୁ ଜୋରଦାର ବିରୋଧ କରିବାରେ ଲାଗିଛନ୍ତି। ଏହାର ଆବଶ୍ୟକତା ନାହିଁ , ସଂଘୀୟ ବ୍ୟବସ୍ଥା ଉପରେ ଏହା ପ୍ରହାର, ତାମିଲ ଲୋକ ଓ ଭାଷା ବିରୋଧରେ ଏପରି ବ୍ୟବସ୍ଥା କରାଯାଇଥିବା ଷ୍ଟାଲିନ କହୁଛନ୍ତି।

ତେବେ ଷ୍ଟାଲିନ ଓ ତାଙ୍କ ସରକାରଙ୍କ ସମସ୍ତ ଅଭିଯୋଗକୁ କେନ୍ଦ୍ର ପକ୍ଷରୁ ଖଣ୍ଡନ କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଓ ୩ ଭାଷା ଫର୍ମୁଲା କୌଣସି ଶିକ୍ଷାର୍ଥୀଙ୍କୁ ହିନ୍ଦୀ ପଢ଼ିବାକୁ ବାଧ୍ୟ କରୁନାହିଁ। ସେହପରି ସୀମା ପୁନଃ ନିର୍ଦ୍ଧାରଣ ଦକ୍ଷିଣପୂର୍ବ ରାଜ୍ୟର କୌଣସି କ୍ଷତି କରିବ ନାହିଁ।

୭ ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟାଲିନଙ୍କ ଚିଠି

ନିଜର ଚିନ୍ତା ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଷ୍ଟାଲିନ ଚେନ୍ନାଇରେ ବୈଠକ ଡାକିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ରାଜ୍ୟଗୁଡ଼ିକର ପ୍ରଭାବ କେମିତି ଜାତୀୟ ସ୍ତରରେ ସୀମା ନିର୍ଦ୍ଧାରଣ ଯୋଗୁ ହ୍ରାସ ପାଇବ, ସେକଥା ବୈଠକରେ ସମସ୍ତଙ୍କୁ ଜଣାଇବେ। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୧୯୭୬ ପରେ ସୀମା ପୁନଃ ନିର୍ଦ୍ଧାରଣ ବ୍ୟବସ୍ଥାକୁ ୨୦୦୨ ସମ୍ବିଧାନ ସଂଶୋଧନ ବଳରେ ସ୍ଥଗିତ କରାଯାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଭାବେ ବିଜେପିର ଅଟଳ ବିହାରୀ ବାଜପେୟୀ କାମ କରୁଥିଲେ। ୨୦୨୬ ଯାଏ ଲୋକସଭା ଆସନରେ କୌଣସି ପରିବର୍ତ୍ତନ ହେବନି ବୋଲି କୁହାଯାଇଥିଲା।

କେନ୍ଦ୍ର ସରକାର ବର୍ତ୍ତମାନର ତଥ୍ୟ ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ଚାହୁଁଛନ୍ତି। ଏହାର ଅର୍ଥ ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ରାଜ୍ୟଗୁଡ଼ିକ ଲୋକସଭାରେ ନିଜର ଆସନ ସଂଖ୍ୟା ହରାଇବେ। କିନ୍ତୁ ବିଜେପି ଶାସିତ ଉତ୍ତର ଭାରତ ରାଜ୍ୟଗୁଡ଼ିକରେ ଲୋକସଂଖ୍ୟା ଅଧିକା ଥିବାରୁ ସେମାନଙ୍କ ଆସନ ସଂଖ୍ୟା ବଢ଼ିବ ବୋଲି ଷ୍ଟାଲିନ କହିଛନ୍ତି।

ସେ କହିଛନ୍ତି, “ସୀମା ନିର୍ଦ୍ଧାରଣ ଗଣିତ ପୂରା ସରଳ ଓ ସ୍ପଷ୍ଟ। ରିପୋର୍ଟରୁ ଜଣାପଡ଼ିଛି ଯେ ପୂରା ବ୍ୟବସ୍ଥା ଜନସଂଖ୍ୟା ଉପରେ ଆଧାରିତ ହେବ। ଏହାର ଦୁଇଟି ସମ୍ଭାବ୍ୟ ବିକଳ୍ପ ରହିଛି। ପ୍ରଥମଟି ହେଲା ବର୍ତ୍ତମାନ ଥିବା ୫୪୩ ଆସନକୁ ରାଜ୍ୟଗୁଡ଼ିକ ମଧ୍ୟରେ ଜନସଂଖ୍ୟା ଆଧାରରେ ବଣ୍ଟା ଯିବ। ଦ୍ୱିତୀୟଟି ହେଲେ ଲୋକସଭା ଆସନ ସଂଖ୍ୟା ୮୦୦ ପାର କରିବ। ଦୁଇଟି ଯାକ ସ୍ଥିତିରେ ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟାକୁ ନିୟନ୍ତ୍ରଣ କରିଛନ୍ତି ସେମାନେ କ୍ଷତି ସହିବେ। ଆମେ ଜନସଂଖ୍ୟା ନିୟନ୍ତ୍ରଣ ନିୟମକୁ ଠିକ ଭାବେ କାର୍ଯ୍ୟକାରୀ କରିଥିବାରୁ କେବେ ହେଲେ ଦଣ୍ଡ ପାଇପାରିବୁ ନାହିଁ।”

୭ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପୂର୍ବରୁ ଷ୍ଟାଲିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ବଡ଼ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଯଦି କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ କରୁଛନ୍ତି, ତା’ହେଲେ ୧୯୭୧ ମସିହା ଜନଗଣନା ଅନୁସାରେ କରନ୍ତୁ। ସେହପରି ୩୦ ବର୍ଷ ଯାଏ ଏହା ଉପରେ ରୋକ ଲଗାଇ ଅନ୍ୟ ରାଜ୍ୟଗୁଡ଼ିକୁ ଜନସଂଖ୍ୟା ନିୟନ୍ତ୍ରଣକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହନ୍ତୁ।

Odisha Tamilnadu Mohan Charan Majhi MK Stalin