Advertisment

ମେଣ୍ଟ ସସପେନ୍ସ : ଶାହଙ୍କ ସହ ଆଲୋଚନା କଲା ରାଜ୍ୟ BJP, ଆସନ୍ତାକାଲି ବିଜେଡିର ବରିଷ୍ଠ ନେତାଙ୍କ ବୈଠକ

ରାଜ୍ୟ ବିଜେପି କୋର କମିଟିର ନେତାମାନେ ଆଜି ନୂଆଦିଲ୍ଲୀରେ ବିଜେପି ଚାଣକ୍ୟ ଅମିତ୍ ଶାହଙ୍କୁ ଭେଟି ନିର୍ବାଚନୀ ରଣନୀତି ଉପରେ ଆଲୋଚନା କରିଛନ୍ତି।

author-image
Ordigital Desk
Amit Shah

Amit Shah

ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ହେବ କି ନାହିଁ ସେହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ନାଁ ଧରୁନି । ସମ୍ଭାବ୍ୟ ମେଂଟକୁ ନେଇ ଦୀର୍ଘ ଏକ ସପ୍ତାହ ଧରି ଲାଗି ରହିଥିବା ସସପେନ୍ସ ଆଜି ବି ଜାରି ରହିଛି । ରାଜ୍ୟ ବିଜେପି କୋର କମିଟିର ନେତାମାନେ ଆଜି ନୂଆଦିଲ୍ଲୀରେ ବିଜେପି ଚାଣକ୍ୟ ଅମିତ୍ ଶାହଙ୍କୁ ଭେଟି ନିର୍ବାଚନୀ ରଣନୀତି ଉପରେ ଆଲୋଚନା କରିଛନ୍ତି। ଏପଟେ ଏକ ସପ୍ତାହ ବ୍ୟବଧାନରେ ବିଜେଡି ପୁଣିଥରେ ନିଜର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡକାଇଛି । ଆସନ୍ତାକାଲି ଅପରାହ୍ନ ୪ଟାରେ ବିଜେଡିର ବରିଷ୍ଠ ନେତାମାନଙ୍କ ସହ ନିର୍ବାଚନୀ ରଣନୀତିକୁ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ନିର୍ବାଚନ ଆଉ ମାତ୍ର ଦେଢ଼ମାସ ବାକି ଥିବାବେଳେ ସମ୍ଭାବ୍ୟ ମେଂଟକୁ ନେଇ ଅସ୍ପଷ୍ଟ ଚିତ୍ର ଯୋଗୁ ଉଭୟ ଦଳର ନେତା,କର୍ମୀ ଓ ଟିକେଟ୍ ଆଶାୟୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ଦିନ ଯେତିକି ଗଡ଼ୁଛି ଦୁଇ ଦଳ ପାଇଁ କ୍ଷତି ସେତିକି ବଢ଼ିବାରେ ଲାଗିଥିବା ଚର୍ଚ୍ଚା ।

Advertisment

ସୂଚନା ଅନୁସାରେ, ରାଜ୍ୟ ବିଜେପିର କୋର କମିଟି ସଦସ୍ୟମାନେ ଆଜି ଦଳର ବରିଷ୍ଠ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି । ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଆଜି ଅମିତ୍ ଶାହଙ୍କୁ ଭେଟି ନିର୍ବାଚନୀ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ଆଲୋଚନାରେ କେଉଁ ସବୁ ପ୍ରସଙ୍ଗ ସ୍ଥାନ ପାଇଛି, ସମ୍ଭାବ୍ୟ ମେଂଟକୁ ନେଇ ଆଲୋଚନା ହୋଇଛି କି ନାହିଁ ତାହା ଜଣାପଡ଼ିନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୫ତାରିଖରେ ଓଡ଼ିଶା ଗସ୍ତ ପରେ ୬ତାରିଖରେ ଅଚାନକ ବିଜେପିର ରାଜ୍ୟ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡକରା ପରେ ସମ୍ଭାବ୍ୟ ମେଂଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅବଶ୍ୟ ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ ସିଧାସଳଖ ଏହି ମେଂଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ମାତ୍ର ଗତ ୩ଦିନ ତଳେ ପୁଣିଥରେ ଦିଲ୍ଲୀ ଯିବାବେଳେ ତାଙ୍କର ସ୍ୱର ନରମି ଥିଲା ଓ କେନ୍ଦ୍ରୀୟ ନେତୃତ୍ୱ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବେ ବୋଲି କହିଥିଲେ ।

ଗତ ୬ତାରିଖରୁ ମେଂଟ ଚର୍ଚ୍ଚା ଲାଗି ରହିଥିବାବେଳେ ବିଜେଡିରେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଲାଗି ରହିଛି । ବିଜେଡି ପକ୍ଷରୁ ମେଂଟକୁ ନେଇ କୌଣସି ପ୍ରତିକ୍ରିୟା ଗତ ଏକ ସପ୍ତାହ ଧରି ଆସିନାହିଁ । ବିଜେଡି ନେତାମାନେ ସମ୍ଭାବ୍ୟ ମେଂଟ ପ୍ରସଙ୍ଗରେ ନିରବ ରହୁଛନ୍ତି । ଏପରିକି ଦଳର ପ୍ୟାନେଲିଷ୍ଟ ଓ ମୁଖପାତ୍ରମାନେ ମଧ୍ୟ ନିୟମିତ ଟିଭି ବିତର୍କରୁ ଦୂରେଇ ରହିଛନ୍ତି । ନିର୍ବାଚନକୁ ଆଉ ମାତ୍ର ଦେଢ଼ ମାସ ଥିବାବେଳେ ବିଜେଡିରେ ଏଭଳି ଅଚଳାବସ୍ଥା ଯୋଗୁ କର୍ମୀ ଓ ନେତାମାନଙ୍କ ମଧ୍ୟରେ କ୍ଷୋଭ ବଢ଼ିବାରେ ଲାଗିଛି । ବିଜେଡି ପ୍ରଥମଥର ପାଇଁ ମାର୍ଚ୍ଚ ୬ତାରିଖରେ ନିଜର ୨୦ରୁ ଅଧିକ ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକାଇ ସମ୍ଭାବ୍ୟ ମେଂଟ ସମ୍ପର୍କରେ ସଙ୍କେତ ଦେଇଥିଲା । ୪ଘଣ୍ଟାରୁ ଅଧିକ ସମୟ ବୈଠକ ହୋଇଥିଲେ ମଧ୍ୟ ଦଳ ପକ୍ଷରୁ ଜାରି ଆନୁଷ୍ଠାନିକ ବୟାନରେ ସମ୍ଭାବ୍ୟ ମେଂଟ କଥା ନଥିଲା। ଆଉ ସେବେଠୁ ବିଜେଡି ସମ୍ପୂର୍ଣ୍ଣ ନିରବ ରହି ସମ୍ଭାବ୍ୟ ମେଂଟ ସସପେନ୍ସକୁ ବଢ଼ାଇ ଚାଲିଛି। ଗଣମାଧ୍ୟମରେ ମେଂଟ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ବିଜେଡି ସମ୍ପୂର୍ଣ୍ଣ ନିରବ ରହିବା କର୍ମୀ ଓ ଟିକେଟ୍ ଆଶାୟୀଙ୍କୁ ହତାଶ କରିଛି ।

Advertisment

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଜେଡି ଏହି ସପ୍ତାହକ ମଧ୍ୟରେ ନିର୍ବାଚନୀ ପରିଚାଳନାକୁ ନେଇ କୌଣସି ସାଂଗଠନିକ କାର୍ଯ୍ୟ ମଧ୍ୟ କରୁନଥିବା ଦେଖିବାକୁ ମିଳିଛି । ଦଳରେ ଏଭଳି ଅଚଳାବସ୍ଥାକୁ ନେଇ କର୍ମୀଙ୍କ ମଧ୍ୟରେ ବଢ଼ୁଥିବା ରୋଷକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅପରାହ୍ନ ୪ଟାରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନବୀନ ନିବାସ ଡକାଯାଇଛି।

ଅନ୍ୟପକ୍ଷରେ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ, ଦୁଇ ଦଳର ଶୀର୍ଷ ନେତୃତ୍ୱ ମେଂଟକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଛନ୍ତି । ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ମଧ୍ୟ ଶେଷ ହୋଇଛି । କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ବିଜେପିକୁ ୧୪ଟି ଲୋକସଭା ଓ ୪୯ଟି ବିଧାନସଭା ଆସନ ଛାଡ଼ିବାକୁ ବିଜେଡି ସହମତ ହୋଇସାରିଛି । ରାଜ୍ୟରେ ବିଜେଡି ୭ଟି ଲୋକସଭା ଓ ୯୮ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବ । ଏହି ଫର୍ମୂଲା ଆପାତତଃ ଚୂଡ଼ାନ୍ତ ହୋଇସାରିଥିବା ଏବଂ ଦୁଇଦିନ ମଧ୍ୟରେ ଆନୁଷ୍ଠାନିକ ଘୋଷଣା ହେବ ବୋଲି ଜଣାପଡ଼ିଛି।

Bjp State Bjp Delhi Amit Shah