Odisha
ଆସନ୍ତା ମଙ୍ଗଳବାର ସୁଦ୍ଧା ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏନେଇ ଆସନ୍ତାକାଲିଠୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେବାପରେ ବିଜେପିରେ ରାଜନୀତିକ ହଟଚମଟ ଆରମ୍ଭ ହୋଇଛି । ବରିଷ୍ଠ ନେତା ମନମୋହନ ସାମଲ ପୁଣିଥରେ ରିପିଟ୍ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦଳର କେନ୍ଦ୍ର ନିର୍ବାଚନ ଅଧିକାରୀ ବି.ଲକ୍ଷ୍ମଣଙ୍କ ନିର୍ଦ୍ଦେଶରେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବ । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ ।
ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀ ଜୟସ୍ୱାଲ ଓଡ଼ିଶା ଗସ୍ତ କରିବେ ବୋଲି ସୂଚନା ପ୍ରାପ୍ତ ହୋଇଛି ।
ସୂଚନାଯୋଗ୍ୟ, ପ୍ରତି ୩ ବର୍ଷରେ ଥରେ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ । ତେବେ ଇତିମଧ୍ୟରେ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ।
ରାଜ୍ୟ ସଭାପତି ନିର୍ବାଚନ ଚଳିତବର୍ଷ ଜାନୁୟାରୀ ମାସରେ ସରିବ ବୋଲି ଚର୍ଚ୍ଚା ହେଉଥିଲା ମାତ୍ର ସେଥିରେ ବିଳମ୍ବ ହୋଇଛି । ଶ୍ରୀ ସାମଲ ୨୦୨୩ ମାର୍ଚ୍ଚ ମାସରେ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ସଭାପତିତ୍ୱ କାଳରେ ବିଜେପି ରାଜ୍ୟରେ କ୍ଷମତାସୀନ ହୋଇଛି । ଅବଶ୍ୟ ରାଜ୍ୟ ସଭାପତି ପଦ ପାଇଁ ଦଳର ଅନ୍ୟ କିଛି ନେତା ଦୌଡ଼ରେ ଥବା ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Odisha__1751123205.jpg)