Advertisment

ମାସେ ଚାଲିବ ବିଜେପିର ଜନସମ୍ପର୍କ ଅଭିଯାନ, ଜୁନରେ ଓଡ଼ିଶା ଆସିବେ ମୋଦି ଓ ଶାହ

ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାରାଲିର ଆୟୋଜନ କରାଯିବ । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ । ଏହି କ୍ରମରେ ଓଡ଼ିଶାରେ ୪ ଟି ମହା ଜନସଭା ହେବ ଓ ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ।

author-image
Ordigital Desk
PM Modi

PM Modi

କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ୯ବର୍ଷ ପୂର୍ତ୍ତି ଅବସରରେ ଆଜିଠୁ ବିଜେପିର ଓଡ଼ିଶା ସମେତ ଦେଶବ୍ୟାପୀ ‘ମହା ଜନସମ୍ପର୍କ ଅଭିଯାନ’ ଆରମ୍ଭ ହୋଇଛି । ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ଏକମାସ ଧରି ଏହି ଜନସମ୍ପର୍କ ଯାତ୍ରାରେ ରାଜ୍ୟର ପ୍ରାୟ ୩କୋଟି ଲୋକଙ୍କ ପାଖରେ ପହଂଚିବାକୁ ରାଜ୍ୟ ବିଜେପି ଲକ୍ଷ୍ୟ ରଖିଛି।

Advertisment

ଏହି ଜନସମ୍ପର୍କ ମହାଯାତ୍ରାରେ ଓଡ଼ିଶାରେ ୪ଟି ବୃହତ୍ ଜନସଭା ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟରେ ଡବଲ ଇଞ୍ଜିନର ସରକାର ଗଠନ ପାଇଁ ଦଳର ୩୭,୬୦୬ ବୁଥର ୫ ଲକ୍ଷ କର୍ମକର୍ତ୍ତା ରାଜ୍ୟର ୧ କୋଟି ପରିବାରକୁ ଭେଟି ମୋଦି ସରକାରଙ୍କ ୯ବର୍ଷର ସଫଳତା ବିଷୟରେ ଆଲୋଚନା କରିବେ। ଗତ ୯ ବର୍ଷ ହେଉଛି ଭାରତବର୍ଷ ପାଇଁ ‘ନବନିର୍ମାଣ’ ଏବଂ ‘ଗରିବକଲ୍ୟାଣ’ ର ୯ବର୍ଷ।

Advertisment

ଏକବିଂଶ ଶତାବ୍ଦୀ ହେଉଛି ଭାରତବର୍ଷର ବୋଲି ଆଜି ସମଗ୍ର ବିଶ୍ୱ କହୁଛି। ଗତ ୯ ବର୍ଷ ଭିତରେ ଭାରତବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ଦଳର ‘ଆମ ପରିବାର, ଆମ ବିକାଶ’ କୁ ପରିତ୍ୟାଗ କରି ‘ସବକା ସାଥ, ସବକା ବିକାଶ’ର କାହାଣୀ ଲେଖିଛି । ‘ଜାତିବାଦ’, ‘ପରିବାରବାଦ’, ‘ଭ୍ରଷ୍ଟାଚାର’ ଏବଂ ‘ତୁଷ୍ଟିକରଣ’ର ରାଜନୀତିକୁ ଅନ୍ତ କରି ‘ବିକାଶବାଦ୍ ରାଜନୀତି’ର ପ୍ରତିଷ୍ଠା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକ୍ଷମ ହୋଇଛନ୍ତି।

ତେଣୁ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରିବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶରେ ଆଜି ମେ ୩୧ ରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଆଜି ରାଜସ୍ଥାନର ଆଜମେରଠାରେ ମହାର‌୍ୟାଲି କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।

ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାର‌୍ୟାଲିର ଆୟୋଜନ କରାଯିବ । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ । ଏହି କ୍ରମରେ ଓଡ଼ିଶାରେ ୪ ଟି ମହା ଜନସଭା ହେବ ଓ ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ। ରାଜ୍ୟରେ ମହା ଜନସଂପର୍କ ଅଭିଯାନକୁ ସଫଳ କରିବା ପାଇଁ ବାଲେଶ୍ୱର ସାଂସଦ  ପ୍ରତାପ ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ଏକ ରାଜ୍ୟ କମିଟି ଗଠନ କରାଯାଇଛି।

ଦଳ ପକ୍ଷରୁ ରାଜ୍ୟର ୨୧ଟି ଲୋକସଭା କ୍ଷେତ୍ରକୁ ମୋଟ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ,ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ସମେତ ଓଡ଼ିଶାର ୩ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶର ଟୁଡୁ ପ୍ରମୁଖ ଏହି ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି।

ମୋଦିଙ୍କ ୯ବର୍ଷର ସଫଳତାକୁ ନେଇ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ୱେବସାଇଟ୍ ଲୋକାର୍ପଣ ହୋଇଛି । ଜନସଂପର୍କ ଏବଂ ଜନତାଙ୍କଠାରୁ ସମର୍ଥନ ପାଇଁ ବିଜେପି ଏକ ମିସ୍‌ଡ କଲ୍ ନମ୍ବର ୯୦୯୦୯୦୨୦୨୪  ଜାରି କରିଛି । ଏହି ମହାସମ୍ପର୍କ ଅଭିଯାନ ଅବସରରେ ଜୁନ୍ ୨୧ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ।

ଜୁନ୍ ୨୩ ତାରିଖ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ମୋଦି ଡିଜିଟାଲ ର‌୍ୟାଲି ମାଧ୍ୟମରେ ଦେଶର ୧୦ ଲକ୍ଷ ବୁଥରେ ସମର୍ଥକ, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଏବଂ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ସିଧାସଳଖ କଥାବାର୍ତାର୍ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ମହା ଜନସଂପର୍କ ଅଭିଯାନର ରାଜ୍ୟ ସଂଯୋଜକ ଶ୍ରୀ ଷଡ଼ଙ୍ଗୀଙ୍କ ସମେତ ଦଳୀୟ ନେତ୍ରୀ ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ, ସୁଦୀପ୍ତ ରାୟ, ଶାରଦା ଶତପଥୀ ଓ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Odisha PM Modi Amit Shah Odisha Bjp Odisha Bjp Strategy