ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି: କିଏ ଦେଉଛି ସୁରକ୍ଷା, କାହା ଛତ୍ରଛାୟାରେ ସଭାପତି

ବେଆଇନ ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ନିଯୁକ୍ତି ଓ ବ୍ୟାଙ୍କରେ ବ୍ୟାପକ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କୁ ନାବାର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ମାଗିଥିଲେ।

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍

  • Published: Wednesday, 17 July 2024
  • , Updated: 18 July 2024, 08:20 AM IST

ସମବାୟ ଆଇନକୁ ଖୋଲା ଉଲ୍ଲଘଂନ କରି ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ନିଯୁକ୍ତି ଓ ବ୍ୟାଙ୍କରେ ବ୍ୟାପକ ଅନିୟମିତତା ଅଭିଯୋଗର ତଦନ୍ତ ରିପୋର୍ଟ ଏବେ ବିଜେଡି ପାଇଁ ଅଡ଼ୁଆ ବଢ଼ାଇଛି । ପ୍ରାୟ ୬କୋଟି ଟଙ୍କାରୁ ଅଧିକ ଋଣ ଖିଲାପୀ ସମବାୟ ସଂସ୍ଥାର ପ୍ରତିନିଧିଙ୍କୁ କିଭଳି ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ସଦସ୍ୟ ଓ ସଭାପତି ପଦରେ ନିଯୁକ୍ତି ମିଳିଲା ଏବଂ ତାଙ୍କ ଦ୍ୱାରା ବ୍ୟାଙ୍କରେ ବ୍ୟାପକ ଅନିୟମିତତା ନେଇ ସଙ୍ଗୀନ ଅଭିଯୋଗ ଉପରେ ନାବାର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ମାଗିବା ପରେ ଅନେକ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି । ରାଜ୍ୟ ସମବାୟ ବିଭାଗର ୩ଜଣିଆ ଉଚ୍ଚସ୍ତରୀୟ କମିଟି ଏସବୁ ଅଭିଯୋଗର ତଦନ୍ତ କରି ନିଜର ରିପୋର୍ଟ ସରକାରଙ୍କୁ ଦେଇଥିଲେ ମଧ୍ୟ ଏବେ ମୋହନ ମାଝୀଙ୍କ ସରକାରରେ କିଏ ତାଙ୍କର ତ୍ରାଣକର୍ତ୍ତା ସାଜିଛନ୍ତି ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଓଡ଼ିଶା ସମବାୟ ଆଇନ-୧୯୬୨ର ଧାରା ୨୮-୩(କ)କୁ ଖୋଲା ଉଲ୍ଲଘଂନ କରି ବିଜେଡି ନିଜର ପ୍ରତିନିଧି ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଭାବେ ଟିପି. ଆର ଦୋରାଙ୍କୁ ନିଯୁକ୍ତି ଦେବା ଏବଂ ବ୍ୟାଙ୍କ ଅର୍ଥକୁ ମନଇଚ୍ଛା ଖର୍ଚ୍ଚ କରିବା ଘଟଣାରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ, ବେଆଇନ ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ନିଯୁକ୍ତି ଓ ବ୍ୟାଙ୍କରେ ବ୍ୟାପକ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କୁ ନାବାର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ମାଗିଥିଲେ । ତତକାଳୀନ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶରେ ରାଜ୍ୟ ସମବାୟ ବିଭାଗ ଗତ ମେ’ ୨୧ତାରିଖରେ ୩ଜଣିଆ କମିଟି ଗଠନ କରି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଓ ପରିଚାଳନା ନିର୍ଦ୍ଦେଶକଙ୍କ ବେଆଇନ ଗତିବିଧିର ତଦନ୍ତ କରିଥିଲା । କମିଟି ଧାର୍ଯ୍ୟ ୭ଦିନ ମଧ୍ୟରେ ନିଜର ତଦନ୍ତ ରିପୋର୍ଟକୁ ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲଙ୍କୁ ପ୍ରଦାନ କରିବାପରେ ଏହା ତତକାଳୀନ ମୁଖ୍ୟ ସଚିବ ଶ୍ରୀ ଜେନାଙ୍କ ନିକଟକୁ ପଠା ଯାଇଥିଲା । ଉକ୍ତ ତଦନ୍ତ ରିପୋର୍ଟକୁ ମୁଖ୍ୟ ସଚିବଙ୍କ ଅନୁମୋଦନ ମିଳିବା ପରେ ବିଭାଗୀୟ ସଚିବ ଶ୍ରୀ ପାଟିଲ ତାକୁ ରାଜ୍ୟର ନୂଆ ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତଙ୍କ ନିକଟକୁ ପଠାଇଥିଲେ । ଯାହାକୁ ମନ୍ତ୍ରୀ ଶ୍ରୀ ସାମନ୍ତ ଗତମାସରେ ଅନୁମୋଦନ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଓଡ଼ିଶା ସମବାୟ ଆଇନ-୧୯୬୨ର ଧାରା ୨୮-୩(କ)କୁ ଖୋଲା ଉଲ୍ଲଘଂନ କରି ରାଜ୍ୟ ସମବାୟ ବ୍ୟାଙ୍କର ସଦସ୍ୟ ଓ ସଭାପତି ଭାବେ ନିଯୁକ୍ତି ପାଇଥିବା ଏବଂ ଏହି ଆଇନର ଧାରା ୨୮-୩(କକ)ର ପ୍ରାବଧାନ ଅନୁସାରେ  ସଭାପତି ପଦ ରଦ୍ଦ ହୋଇଯାଇଥିଲେ ମଧ୍ୟ ଶ୍ରୀ ଦୋରା ଏବେବି ନିଜ ପଦରେ ବଳବତ୍ତର ରହିଛନ୍ତି । ଏପରିକି ଓଡ଼ିଶା ସମବାୟ ଆଇନ-୧୯୬୨ର ଧାରା ୧୧୫-୧୪ରେ ଥିବା ପ୍ରାବଧାନ କହୁଛି ଯେ, ଯଦି ପରିଚାଳନା କମିଟିର କୌଣସି ସଦସ୍ୟ ଅବା ସଭାପତି ଆଇନତଃ ତାଙ୍କର ପଦ ରଦ୍ଦ ହୋଇଯିବ ବୋଲି ଜାଣି ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟ ଜାରି ରଖିନ୍ତି ତା’ହେଲେ ତାଙ୍କୁ ୧୮ହଜାର ଟଙ୍କା ଜୋରିମାନା କିମ୍ବା ଏକବର୍ଷ ଜେଲ୍ ଦଣ୍ଡ ଅବା ଉଭୟ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ । ଶ୍ରୀ ଦୋରା ଭୁବନେଶ୍ୱର ଟାଉନ୍ ଡେଭଲପମେଂଟ ହାଉସିଂ କୋଅପରେଟିଭ ସୋସାଇଟିର ପ୍ରତିନିଧି ଭାବେ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା କମିଟି ସଦସ୍ୟ ଓ ପରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ରାଜ୍ୟ ସମବାୟ ଆଇନ-୧୯୬୨ର ଧାରା ୨୮-୩(କ) ଅନୁସାରେ, କୌଣସି ଋଣଖିଲାପୀ ସମବାୟ ସଂସ୍ଥାର ପ୍ରତିନିଧି ଅନ୍ୟ କୌଣସି ସମବାୟ ସଂସ୍ଥାର ପରିଚାଳନା କମିଟି ସଦସ୍ୟ କିମ୍ବା ସଭାପତି ନିଯୁକ୍ତି ହୋଇପାରିବେ ନାହିଁ ।

ତଥ୍ୟ ଅନୁସାରେ,  ଶ୍ରୀ ଦୋରା ଯେଉଁ ଭୁବନେଶ୍ୱର ଟାଉନ ଡେଭଲପମେଂଟ ହାଉସିଂ କୋଅପରେଟିଭ ସୋସାଇଟିର ପ୍ରତିନିଧିତ୍ୱ କରୁଛନ୍ତି ସେହି ସମବାୟ ସଂସ୍ଥା ଉପରେ ଏବେ ପ୍ରାୟ ୬କୋଟି ଟଙ୍କାରୁ ଅଧିକ ଋଣ ବକେୟା ରହିଛି । ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମ ପକ୍ଷରୁ ଏହି ସଂସ୍ଥାକୁ ଦିଆଯାଇଥିବା ବକେୟା ଆଦାୟ ନୋଟିସ୍ ଅନୁସାରେ, ୨୦୨୩ ଜୁଲାଇ ୧୦ତାରିଖ ସୁଦ୍ଧା ଏହି ସଂସ୍ଥା ଉପରେ ସୁଧମୂଳ ମିଶି ମୋଟ ୫କୋଟି ୭୫ଲକ୍ଷ ୩୭ହଜାର ୪୨୨ଟଙ୍କା ଥିଲା । ଯେଉଁଥିରେ ମୂଳ ହେଉଛି ମାତ୍ର ୧.୧୫କୋଟି ଟଙ୍କା । ୨୦୨୨ ଅଗଷ୍ଟ ୧୦ତାରିଖ ସୁଦ୍ଧା ଏହି ସୁଧମୂଳ ମିଶି ୫.୩୮କୋଟି ଟଙ୍କା ଥିଲା । ଏଥିରୁ ଜଣାପଡ଼ୁଛି ଯେ, ଏହି ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ସରକାରୀ ଋଣ ଅର୍ଥକୁ ପରିଶୋଧ କରୁନଥିବା ଜଣାପଡ଼ିଛି ।

କେବଳ ସେତିକି ନୁହେଁ, ରାଜ୍ୟ ସମବାୟ ବ୍ୟାଙ୍କର ଦସ୍ତାବିଜ ଅନୁସାରେ ସଭାପତି ଶ୍ରୀ ଦୋରାଙ୍କ ପୁରୁଣା ଭୁବନେଶ୍ୱରସ୍ଥିତ ବାସଭବନରେ ଲକ୍ଷ ଲକ୍ଷ ଟଙ୍କାରେ ମରାମତି ଓ ସାଜସଜ୍ଜା କାର୍ଯ୍ୟ କରିଛନ୍ତି । ବେଲଜିୟମରେ ଆନ୍ତର୍ଜାତିକ ସମବାୟ ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଭିସା ଆବେଦନ ପାଇଁ ଶ୍ରୀ ଦୋରା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗୋଆରେ ୪ଦିନ ରହିଥିବା ଜଣାପଡ଼ିଛି ।

ତେବେ ସୂତ୍ର ଅନୁସାରେ, ରାଜ୍ୟ ସମବାୟ ବିଭାଗ କରିଥିବା ତଦନ୍ତରେ ଏସବୁ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇସାରିଥିଲେ ମଧ୍ୟ କିଏ କାହିଁକି କୋଟିକୋଟି ଟଙ୍କା ଋଣ ଖିଲାପୀ ସମବାୟ ସଂସ୍ଥାର ପ୍ରତିନିଧି ଶ୍ରୀ ଦୋରାଙ୍କୁ ସୁରକ୍ଷା ଦେଉଛନ୍ତି ତାକୁ ନେଇ ଏବେ ସମବାୟବିତଙ୍କ ମହଲରେ ଚର୍ଚ୍ଚା ଲାଗି ରହିଛି । ଶ୍ରୀ ଦୋରା ମଧ୍ୟ ଋଣ ଟଙ୍କା ପରିଶୋଧ ହୋଇନଥିବାକୁ ସ୍ୱୀକାର କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶ୍ରୀ ଦୋରାଙ୍କ ଅବୈଧ ନିଯୁକ୍ତିକୁ ନେଇ ରାଜ୍ୟ ବିଜେପି ସମବାୟ ସେଲ୍ ମଧ୍ୟ ପୂର୍ବରୁ ଆପତ୍ତି ଉଠାଇଥିଲା ।

Related story