/odisha-reporter/media/post_attachments/uploadimage/library/16_9/16_9_0/Odisha_1747838645.jpg)
Odisha
ରାଜ୍ୟରେ ପଂଚାୟତ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗତକାଲି(୨୦ତାରିଖ) ବିଜ୍ଞପ୍ତି ଘୋଷଣା କରିବାର ୨୪ଘଣ୍ଟା ନପୁରୁଣୁ ଆଜି ଏହାକୁ ସ୍ଥଗିତ ରଖିଛନ୍ତି । ଶୀଘ୍ର ମୌସୁମୀ ଆସୁଥିବା ଯୋଗୁ ଏହି ଉପନିର୍ବାଚନକୁ ସ୍ଥଗିତ ରଖାଗଲା ବୋଲି ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର ଦାଶ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ରାଜ୍ୟ ନିର୍ବାଚନ କମିଶନ ଏହି ଉପନିର୍ବାଚନ ନିମନ୍ତେ ଏପ୍ରିଲ ୧୧ତାରିଖରେ ପୂର୍ବପ୍ରସ୍ତୁତିର ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା କରି ସେହି ଆଧାରରେ ପ୍ରକ୍ରିୟା ଆଗେଇ ନେଇଥିଲାବେଳେ ମାତ୍ର ୨୪ ଘଂଟା ମଧ୍ୟରେ ଆଜି ଏହି ନିଷ୍ପତ୍ତି କାହିଁକି ବଦଳିଗଲା ଓ ସରକାର ଏବଂ ନିର୍ବାଚନ କମିଶନଙ୍କ ମଧ୍ୟରେ ସମନ୍ୱୟରେ ଅଭାବ ରହିଲା କି ତାକୁ ନେଇ ପ୍ରଶ୍ନ ଉଠିଛି।
କାହିଁକି ସ୍ଥଗିତ ହେଲା ଉପନିର୍ବାଚନ?
ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର ଦାଶଙ୍କ କହିବା ଅନୁଯାୟୀ, ଶୀଘ୍ର ମୌସୁମୀ ଆସିବା ଯୋଗୁଁ ପଂଚାୟତ ଉପନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଏହି ନିଷ୍ପତ୍ତି ନେଇ ଜାରି ହୋଇଥିବା ବିଜ୍ଞପ୍ତିକୁ ମଧ୍ୟ ରଦ୍ଦ କରାଯାଇଛି । ପରବର୍ତ୍ତୀ ସମୟରେ ନୂଆ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି ।
୨୦ତାରିଖରେ ଜାରି ହୋଇଥିଲା ବିଜ୍ଞପ୍ତି
ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଗତକାଲି ଏହି ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଥିଲେ । ଉକ୍ତ ବିଜ୍ଞପ୍ତି ଅନୁସାରେ ଜୁନ୍ ୨୩ ତାରିଖରେ ପଂଚାୟତ ଉପନିର୍ବାଚନ କରାଯିବ ବୋଲି ଉଲ୍ଲେଖ ରହିଥିଲା । ଏହି ଉପନିର୍ବାଚନ ମାଧ୍ୟମରେ ୨୦ ଜିଲ୍ଲାରେ ୪୩ ସରପଂଚ, ୨୧ ଜିଲ୍ଲାରେ ୪୦ ପଂଚାୟତ ସମିତି ସଭ୍ୟ ଏବଂ ୨୨ ଜିଲ୍ଲାରେ ୨୭୨ ୱାର୍ଡ ସଭ୍ୟ ପଦବୀ ପାଇଁ ମୋଟ ୧୧୩୧ ଖାଲି ପଦବୀ ପୂରଣ ହେବାର ଥିଲା ।
ଏହି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆସନ୍ତା ୨୬, ୨୮, ୨୯, ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହେବାର ଥିଲା । ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଓ ଜୁନ୍ ୨୪ ତାରିଖ ସକାଳ ୮ଟାରୁ ବ୍ଲକ ଅଫିସରେ ଭୋଟ ଗଣତି ହେବାର କାର୍ଯ୍ୟକ୍ରମ ରହିଥିଲା ।
ସମନ୍ୱୟର ଅଭାବ ରହିଲା କି?
ରାଜ୍ୟ ନିର୍ବାଚନ କମିଶନ ଏହି ଉପନିର୍ବାଚନ କରିବା ପୂର୍ବରୁ ପଂଚାୟତିରାଜ ବିଭାଗଠୁ ମତାମତ ନେବାର ପ୍ରାବଧାନ ରହିଛି । ସରକାର ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ନେଇ ଲିଖିତ ଭାବେ ଦେବାପରେ ହିଁ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ସମ୍ଭବତଃ ସେହି ଆଧାରରେ ୨୦୨୫ ଏପ୍ରିଲ ୧୧ତାରିଖରେ ଏହି ଉପନିର୍ବାଚନ ପ୍ରସ୍ତୁତି ନିମନ୍ତେ ବିଧିବଦ୍ଧ କାର୍ଯ୍ୟସୂଚୀ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ହୋଇଥିଲା ।
ଆଉ ସେହି ଆଧାରରେ ମେ’ ୨୦ତାରିଖରେ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି ହୋଇ ଜୁନ୍ ୨୩ତାରିଖରେ ଭୋଟ୍ ଗ୍ରହଣ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ମାତ୍ର ଆଜି ଅଚାନକ ଅପରାହ୍ନ ୫ଟାରେ ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଉପନିର୍ବାଚନକୁ ସ୍ଥଗିତ ଘୋଷଣା କଲେ । ଯାହାକି ଉଭୟ ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
