Advertisment

ଖୋଲିବ ଖଣି ଦୁର୍ନୀତି ପେଡ଼ି; ଜେଲ୍‌ ଯିବେ ବାବୁ ଓ ମାଫିଆ!

ତେବେ ଏଠି ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀଙ୍କ ନଜରରେ କିଏ ସେହି ଦୁର୍ନୀତିଖୋର? ରାଜ୍ୟରେ ଖଣି ଦୁର୍ନୀତି ପଛରେ କିଏ ? କିଏ ଲୁଟିଛି ଡିଏମ୍‌ଏଫ୍‌? କେଉଁ ଅଣ ଓଡିଆ ଖଣି ମାଫିଆ ଲୁଟୁଛନ୍ତି ଓଡ଼ିଶାକୁ?

author-image
Manoranjan Sial
Illegal Mining

Illegal Mining

ଖୋଲିବ ଖଣି ଦୁର୍ନୀତି ପେଡି। ଜେଲ୍ ଯିବେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାରେ ଥିବା ଅଧିକାରୀ। ଶାହ କମିଶନ ନିର୍ଦ୍ଦେଶ ଅନୁସାରେ କେବଳ ଜରିମାନା ଦେଇ ଖସି ଯାଇଥିବା ଖଣି ମାଲିକ, ମାଫିଆ, ନେତା ଓ ଅଧିକାରୀଙ୍କୁ କାଠଗଡାକୁ ଟାଣିବାକୁ ମୋହନ ଚରଣ ମାଝୀ ସରକାରର ପ୍ରସ୍ତୁତି ଆରମ୍ଭ କଲେଣି। ବିଜେଡି ସରକାରରେ ସବୁଠୁ ବଡ ଦୁର୍ନୀତି ଖଣି ଦୁର୍ନୀତିର ଚେର ଖୋଜିବାରେ ଲାଗି ପଡିଛନ୍ତି ନୂଆ ବିଜେପି ସରକାର। ଦାୟିତ୍ୱ ନେବାର ୧୫ ଦିନ ନହେଉଣୁ, ସିଧାସଳଖ ଖଣି ମାଫିଆଙ୍କୁ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ମୁଖ୍ୟମନ୍ତ୍ରୀ ହେଲା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଥିବା ବେଳେ ପୂର୍ବ ସରକାର ଉପରେ ଗର୍ଜିଛନ୍ତି ମୋହନ ଚରଣ ମାଝୀ। ସେ କହିଛନ୍ତି, କେନ୍ଦୁଝର ଖଣି ଲୁଟ୍‌ରେ ସେତେବେଳର ରାଜ୍ୟ ସରକାର ସମ୍ପୃକ୍ତ ରହିଛନ୍ତି। ୨୦୧୯ ମସିହାରେ ବିଧାନସଭାରେ କେନ୍ଦୁଝରର ହକ୍ ପାଇଁ ଲଢ଼େଇ ହୋଇଥିଲା। କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ଲୁଟ୍ କରିଛନ୍ତି, ସେମାନେ ମୋ ନଜରରେ ଅଛନ୍ତି। କେହି ବର୍ତ୍ତି ପାରିବେ ନାହିଁ। ସମସ୍ତଙ୍କୁ ଜେଲ୍ ପଠାଇବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀଙ୍କ ନଜରରେ କିଏ ସେହି ଦୁର୍ନୀତିଖୋର? ରାଜ୍ୟରେ ଖଣି ଦୁର୍ନୀତି ପଛରେ କିଏ ? କିଏ ଲୁଟିଛି ଡିଏମ୍‌ଏଫ୍‌? କେଉଁ ଅଣ ଓଡିଆ ଖଣି ମାଫିଆ ଲୁଟୁଛନ୍ତି ଓଡ଼ିଶାକୁ? ସବୁର ତଦନ୍ତ କରି ଝାରପଡା ଜେଲ୍ ପଠାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ବଡ଼ କଥା ହେଲା, ବିଭାଗୀୟ ଖୋଳତାଡ଼ ଆରମ୍ଭ ହୋଇଥିବା କହିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏହା ସହ ଶାହ କମିଶନଙ୍କ ସୁପାରିଶକୁ ମଧ୍ୟ ତର୍ଜମା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଏପଟେ କିନ୍ତୁ ଦୁର୍ନୀତି ଆରୋପକୁ ଖଣ୍ଡନ କରିବା ସହ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିବା କହିଛି ବିଜେଡି। ଏଣେ କଂଗ୍ରେସ କହିଛି ଯଦି ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟ ଅଛି ଶାହ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରନ୍ତୁ।

ବିଜେଡି ସରକାରର ୨୪ ବର୍ଷରେ ଖଣି ଦୁର୍ନୀତିର ରହିଛି ଲମ୍ବା ତାଲିକା। ଆରମ୍ଭ ୮୦୦ କୋଟି ଟଙ୍କାର ଉଲୁବୁରି ଖଣି ଦୁର୍ନୀତିରୁ। ପରେ ଓଡ଼ିଶାରେ ପ୍ରାୟ ୬୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ନେଇ ସୁପ୍ରିମକୋର୍ଟରେ ମାମଲା ହେବା ପରେ ଶାହ କମିଶନ ବସାଇ ତଦନ୍ତ କରିଥିଲେ ସୁପ୍ରିମକୋର୍ଟ। ଶାହା କମିଶନ ଦାଖଲ କରିଥିବା ରିପୋର୍ଟରେ ମଧ୍ୟ ସ୍ପଷ୍ଟ ହୋଇଥିଲା ଖଣି ଦୁର୍ନୀତି। ଯେଉଁଥିପାଇଁ ୧୩୩ ଖଣି କମ୍ପାନୀ ଉପରେ ପ୍ରାୟ ୧୮ ହଜାର କୋଟି ଟଙ୍କାର ଫାଇନ ଆଦାୟ ପାଇଁ ନିର୍ଦ୍ଦେଶ ଦେବା ସହ ସଂପୃକ୍ତ ଖଣି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରିଥିଲେ।

ତଥ୍ୟ କହୁଛି ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଆହୁରି ୨ ହଜାର ୯୬୫ କୋଟି ଟଙ୍କା ଆଦାୟ କରି ପାରି ନାହାନ୍ତି। ତା’ଠାରୁ ବଡ଼ କଥା ହେଲା କାହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ନାହାନ୍ତି। ପ୍ରଶ୍ନ ଉଠୁଛି କେବଳ ଜରିମାନା ଦେଇ କାହିଁକି ଛାଡି ଦେଲା ବିଜେଡି ସରକାର? ସଂପୃକ୍ତ ଅଧିକାରୀଙ୍କ ଉପରେ କାହିଁକି ହେଲାନି କାର୍ଯ୍ୟାନୁଷ୍ଠାନ? ଆହୁରି ସାଂଘାତିକ କଥା ହେଲା ଏତେ ବଡ କାର୍ଯ୍ୟାନୁଷ୍ଠାନ ପରେ ବି ରାଜ୍ୟରେ ଥମିନି ଦୁର୍ନୀତି। ୨୦୨୨ ଡିସେମ୍ବର ୫ ତାରିଖରେ ମଧ୍ୟ ଆଉ ଏକ ଖଣି ଦୁର୍ନୀତି ନେଇ ହୁଲୁସ୍ତୁଲ ହୋଇଥିଲା ବିଧାନସଭା। ଭିଜିଲାନ୍ସ ମାମଲା ସତ୍ତ୍ୱେ କେତେକ ମାଇନ୍ସର ଲିଜ ମିଆଦି ବଢାଇବା ପଛରେ ସାଂଘାତିକ କିକ୍ ବ୍ୟାକ ଅଭିଯୋଗ ଆଣିଥିଲେ ବିରୋଧୀ। ମୁଖ୍ୟମନ୍ତ୍ରୀଙ୍କ ଦୃଢୋକ୍ତି ପରେ ଖଣି ଦୁର୍ନୀତି ପଛରେ ଥିବା ମାଫିଆ ଓ ଅଧିକାରୀ ଜେଲ ଯିବେ ବୋଲି ଆଶାବାଦୀ ଖଣି ପୀଡିତ ଅଞ୍ଚଳ ବାସିନ୍ଦା।

BjD Bjp Illegal Mining Illegal Mining Case