ମେଟ୍ରୋ ଟ୍ରେନ୍ ପାଇଁ ସବୁ ଖର୍ଚ୍ଚ ରାଜ୍ୟ କରିବ: ମୁଖ୍ୟମନ୍ତ୍ରୀ, ଘୋଷଣା ‘ଏପ୍ରିଲ ଫୁଲ୍‌’ ନହେଉ: ଜୟନାରାୟଣ

ଆଜି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର-କଟକ-ପୁରୀ ଓ ଖୋର୍ଦ୍ଧା ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।

ଜୟନାରାୟଣ ମିଶ୍ର

  • Published: Saturday, 01 April 2023
  • , Updated: 01 April 2023, 09:35 PM IST

ଆଜି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର-କଟକ-ପୁରୀ ଓ ଖୋର୍ଦ୍ଧା ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇ କଟକ ପର୍ଯ୍ୟନ୍ତ ଯିବ ଓ ପରେ ପର୍ଯ୍ୟାୟକ୍ରମେ ଖୋର୍ଦ୍ଧା ଓ ପୁରୀକୁ ସମ୍ପ୍ରସାରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟବାସୀଙ୍କ ପାଇଁ ‘ଏପ୍ରିଲ ଫୁଲ’ ନହେଉ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।

ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହି ମେଟ୍ରୋ ଟ୍ରେନ ବାସ୍ତବରେ ଏକ ରୂପାନ୍ତରିତ ପ୍ରକଳ୍ପ ଓ ଫାଇଭ-ଟି ନୀତିରେ ଏହା କାର୍ଯ୍ୟକାରୀ ହେବ ବୋଲି କହିଥିଲେ । ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ, ଯଦି ପ୍ରକୃତରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ହେବ,ତା’ହେଲେ ସେ ତାକୁ ସ୍ୱାଗତ କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ କୌଣସି ସ୍ପଷ୍ଟତା ନାହିଁ । ଏହାର ଡିପିଆର ଓ ଫାଇନାଲ ଏଷ୍ଟିମେଟ୍ କରାଗଲାଣି କି? ଏଥିପାଇଁ ଅର୍ଥ କେଉଁଠୁ ଆସିବ, କେଉଁ ଆଧାରରେ ହେବ ସ୍ପଷ୍ଟ ନୁହେଁ । ୨୦୧୮ରେ ମେଟ୍ରୋ ରେଲ କନେକ୍ଟିଭିଟି ପାଇଁ କେନ୍ଦ୍ରକୁ ଦାବି କରିଥିଲେ । ୨୦୧୯ ସାଧାରଣ ନିର୍ବାଚନବେଳେ ମେଟ୍ରୋ ରେଲ୍ କରିବୁ କହି ମୁଖ୍ୟମନ୍ତ୍ରୀ ଭୋଟ ମାଗିଥିଲେ । ୨୦୨୧ ମାର୍ଚ୍ଚ ୩୦ରେ ରାଜ୍ୟର ତତକାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମେଟ୍ରୋ ଟ୍ରେନର ଆଶା ୨୦୪୧ ମସିହା ପର୍ଯ୍ୟନ୍ତ ନାହିଁ ବୋଲି କହିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ରେଲ୍ ଘୋଷଣା ସନ୍ଦେହରେ ପକାଉଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୦୨୨ ସେପ୍ଟେମ୍ବର ୨୬ତାରିଖରେ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀ ହରଦୀପ ସିଂଙ୍କୁ ଭେଟି ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଦାବି କରିଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେଣୁ ମେଟ୍ରୋ ଟ୍ରେନ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହା ରାଜ୍ୟବାସୀଙ୍କ ପାଇଁ ‘ଏପ୍ରିଲ ଫୁଲ’ ନହେଉ ବୋଲି ଶ୍ରୀ ମିଶ୍ର ଆଶା ବ୍ୟକ୍ତ କରିଛନ୍ତି ।

Related story