ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ସଙ୍ଗୀନ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ନିଜଆଡ଼ୁ ମାମଲା ରୁଜୁ କରି ରାଜ୍ୟ ପୁଲିସ ଡିଜିପିଙ୍କୁ ରିପୋର୍ଟ ତଲବ କରିବାର ୨ଦିନ ପରେ ‘ଓଡ଼ିଶା ରାଜ୍ୟ ମହିଳା କମିଶନ’ ସକ୍ରିୟତା ଦେଖାଇଛନ୍ତି । ବିଭିନ୍ନ ମହଲରୁ ଚାପ ପଡ଼ିବା ସହ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିବା ପରେ ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଭରତପୁର ଥାନାକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି । ପୂର୍ବ ବିଜେଡି ସରକାର ନିଜର ଦଳୀୟ ନେତ୍ରୀମାନଙ୍କୁ ରାଜ୍ୟ ମହିଳା କମିଶନରେ ଥଇଥାନ କରିଥିବାବେଳେ ଏବେ ସମ୍ପୃକ୍ତ ନେତ୍ରୀମାନେ ନିଜର କୁର୍ସି ବଂଚାଇବା ଚକ୍କରରେ ସମ୍ବେଦନଶୀଳ ମହିଳା ହିଂସା ଘଟଣାରେ ମଧ୍ୟ ତ୍ୱରିତ୍ ସକ୍ରିୟତା ଦେଖାଇପାରୁନଥିବା ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ଭରତପୁର ଥାନାରେ ସେପ୍ଟେମ୍ବର ୧୫ତାରିଖ ରାତିରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସର ଅମାନବୀୟ ଅତ୍ୟାଚାର ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେପ୍ଟେମ୍ବର ୧୭ତାରିଖରେ ଜାତୀୟ ମହିଳା କମିଶନ ଆକ୍ସନ ମୋଡକୁ ଆସିଥିଲେ । ନିଜଆଡ଼ୁ ମାମଲା ରୁଜୁ କରି ରାଜ୍ୟ ପୁଲିସ ଡିଜିଙ୍କୁ ଚିଠି ଲେଖି ୩ଦିନ ମଧ୍ୟରେ(୨୦ତାରିଖ ସୁଦ୍ଧା) କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସମ୍ପୃକ୍ତ ପୁଲିସ ଅଫିସରମାନଙ୍କ ବିରୁଦ୍ଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କମିଶନ ଆଶାବ୍ୟକ୍ତ କରିଥିଲେ।
ଏହି ଘଟଣାରେ ଏନସିଡବ୍ଲ୍ୟୁଙ୍କ ଏଭଳି ତତ୍ପରତା ଓ ଭାରତୀୟ ସେନା ପକ୍ଷରୁ ତୀବ୍ର ଆପତ୍ତି ଉଠାଯିବା ପରେ ଭରତପୁର ଥାନା ଆଇଆଇସିଙ୍କ ସମେତ ମୋଟ ୫ଜଣ ପୁଲିସ କର୍ମଚାରୀଙ୍କୁ ରାଜ୍ୟ ପୁଲିସ ଡିଜି ତତ୍କାଳ ପ୍ରଭାବରୁ ନିଲମ୍ବନ କରିଥିଲେ । ସେନାର ଅବସରପ୍ରାପ୍ତ ଅଫିସର ଓ କର୍ମଚାରୀମାନେ ମଧ୍ୟ କମିଶନରେଟ ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ନ୍ୟାୟ ଦାବି କରିଥିଲେ । ଏପରିକି ୧୯ତାରିଖରେ ସେନା ଅଫିସରଙ୍କ ବାନ୍ଧବୀ ନିଜେ ଗଣମାଧ୍ୟମ ସମ୍ମୁଖକୁ ଆସି ତାଙ୍କ ସହ ପୁଲିସର ଅମାନବୀୟ ଓ ବର୍ବର କାର୍ଯ୍ୟ ସମ୍ପର୍କରେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ । କିନ୍ତୁ ଏତେ ପରେ ବି ରାଜ୍ୟ ମହିଳା କମିଶନ ଏହି ଘଟଣାରେ ସକ୍ରିୟତା ଦେଖାଇନଥିଲେ ।
ଆଜି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଭରତପୁର ଥାନାକୁ ଯାଇ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ କରିଥିବା କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଛନ୍ତି ଯେ, ଆମେ ନିଜଆଡ଼ୁ ଏକ ମାମଲା ରୁଜୁ କରିଛୁ । ତା’ର ତଦନ୍ତ ପାଇଁ ଆଜି ଭରତପୁର ଥାନାକୁ ଆସିଛୁ । ଯେହେତୁ କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ସେମାନେ ସବୁକିଛି ଦସ୍ତାବିଜ ନେଇଯାଇଛନ୍ତି । ଥାନାରେ ଯାହା ଦସ୍ତାବିଜ ଥିଲା ତାହା ଆମେ ନେଇଛୁ । କ୍ରାଇମବ୍ରାଂଚ ଅଫିସକୁ ଯାଇ କଥା ହେବୁ । କମିଶନଙ୍କ ଯାହା କାର୍ଯ୍ୟ କରିବା କଥା ତାହା ଆମେ କରୁଛୁ । ନ୍ୟାୟ ମିଳିବ, ସମୟକୁ ଅପେକ୍ଷା କରିବା ଦରକାର । ତଦନ୍ତ ପ୍ରକ୍ରିୟା ଶେଷ କରି ଆମେ ସରକାରଙ୍କୁ ସୁପାରିଶ କରିବୁ ବୋଲି ସେ କହିଥିଲେ ।
ତେବେ ଭରତପୁର ଥାନାରେ ସିସିଟିଭି କ୍ୟାମେରା ନଥିବା କଥା ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟର ସବୁ ଥାନାରେ ସିସିଟିଭି କ୍ୟାମେରା ଲଗାଯାଇଛି । ସେହି କମିଟିରେ ସେ ନିଜେ ସଦସ୍ୟ ଥିଲେ । ଏହି ଥାନାଟି(ଭରତପୁର) ଏବେ ସିଫ୍ଟ ହୋଇଥିବାରୁ ଏଠାରେ ସିସିଟିଭି କ୍ୟାମେରା ନାହିଁ । ଖୁବଶୀଘ୍ର ଏହି କ୍ୟାମେରା ଲାଗିବ ବୋଲି ସେ କହିଛନ୍ତି ।
ତେବେ, ସେପ୍ଟେମ୍ବର ୧୫ତାରିଖ ରାତିର ଘଟଣାକୁ ନେଇ ୧୬ତାରିଖଠୁ ଗଣମାଧ୍ୟମଠୁ ଆରମ୍ଭ କରି ସେନା ଓ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ରାଜ୍ୟ ମହିଳା କମିଶନ କାହିିଁକି ନିରବ ବସିଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ରାଜ୍ୟରେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଯଦିଓ ୧୭ତାରିଖରୁ ଜାତୀୟ ମହିଳା କମିଶନ ନିଜଆଡ଼ୁ ହସ୍ତକ୍ଷେପ କରିସାରିଛନ୍ତି ।
ଚର୍ଚ୍ଚା ହେଉଛି, ବିଜେଡି ସରକାର ସମୟରେ ବିଜେଡି ନେତ୍ରୀମାନଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ସଦସ୍ୟ ଭାବେ ଥଇଥାନ କରାଯାଇଥିଲା । ବିଜେଡି ସରକାରର ପତନ ପରେ ମଧ୍ୟ ଏହି ବିଜେଡି ନେତ୍ରୀମାନେ କମିଶନରେ ନିଜର ପଦ ବଜାୟ ରଖିଛନ୍ତି । ରାଜ୍ୟରେ ବିଜେପି ସରକାରର ଆଭିମୁଖ୍ୟକୁ ଦେଖି ଏହି ନେତ୍ରୀମାନେ ନିଜ କୁର୍ସି ବଂଚାଇବା ପାଇଁ ଏବେ ପ୍ରୟାସ କରୁଥିବା ଜଣାପଡ଼ିଛି । ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ଲୋକାର୍ପଣ ଉତ୍ସବରେ ମଧ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ସାମିଲ ହୋଇଥିବା ସୂଚନା ମିଳିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।