Advertisment

ଏନସିଡବ୍ଲ୍ୟୁ ରିପୋର୍ଟ ମାଗିବା ପରେ ଚେତିଲେ: କୁର୍ସି ବଂଚାଇବା ଚକ୍କରରେ ରାଜ୍ୟ ମହିଳା କମିଶନ

ବିଭିନ୍ନ ମହଲରୁ ଚାପ ପଡ଼ିବା ସହ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିବା ପରେ ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଭରତପୁର ଥାନାକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି ।

Minati Behera

Minati Behera

Advertisment

ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ସଙ୍ଗୀନ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ନିଜଆଡ଼ୁ ମାମଲା ରୁଜୁ କରି ରାଜ୍ୟ ପୁଲିସ ଡିଜିପିଙ୍କୁ ରିପୋର୍ଟ ତଲବ କରିବାର ୨ଦିନ ପରେ ‘ଓଡ଼ିଶା ରାଜ୍ୟ ମହିଳା କମିଶନ’ ସକ୍ରିୟତା ଦେଖାଇଛନ୍ତି । ବିଭିନ୍ନ ମହଲରୁ ଚାପ ପଡ଼ିବା ସହ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିବା ପରେ ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଭରତପୁର ଥାନାକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି । ପୂର୍ବ ବିଜେଡି ସରକାର ନିଜର ଦଳୀୟ ନେତ୍ରୀମାନଙ୍କୁ ରାଜ୍ୟ ମହିଳା କମିଶନରେ ଥଇଥାନ କରିଥିବାବେଳେ ଏବେ ସମ୍ପୃକ୍ତ ନେତ୍ରୀମାନେ ନିଜର କୁର୍ସି ବଂଚାଇବା ଚକ୍କରରେ ସମ୍ବେଦନଶୀଳ ମହିଳା ହିଂସା ଘଟଣାରେ ମଧ୍ୟ ତ୍ୱରିତ୍ ସକ୍ରିୟତା ଦେଖାଇପାରୁନଥିବା ଚର୍ଚ୍ଚା ହେଉଛି ।

Advertisment

ସୂଚନା ଅନୁସାରେ, ଭରତପୁର ଥାନାରେ ସେପ୍ଟେମ୍ବର ୧୫ତାରିଖ ରାତିରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସର ଅମାନବୀୟ ଅତ୍ୟାଚାର ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେପ୍ଟେମ୍ବର ୧୭ତାରିଖରେ ଜାତୀୟ ମହିଳା କମିଶନ ଆକ୍ସନ ମୋଡକୁ ଆସିଥିଲେ । ନିଜଆଡ଼ୁ ମାମଲା ରୁଜୁ କରି ରାଜ୍ୟ ପୁଲିସ ଡିଜିଙ୍କୁ ଚିଠି ଲେଖି ୩ଦିନ ମଧ୍ୟରେ(୨୦ତାରିଖ ସୁଦ୍ଧା) କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସମ୍ପୃକ୍ତ ପୁଲିସ ଅଫିସରମାନଙ୍କ ବିରୁଦ୍ଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କମିଶନ ଆଶାବ୍ୟକ୍ତ କରିଥିଲେ।

ଏହି ଘଟଣାରେ ଏନସିଡବ୍ଲ୍ୟୁଙ୍କ ଏଭଳି ତତ୍ପରତା ଓ ଭାରତୀୟ ସେନା ପକ୍ଷରୁ ତୀବ୍ର ଆପତ୍ତି ଉଠାଯିବା ପରେ ଭରତପୁର ଥାନା ଆଇଆଇସିଙ୍କ ସମେତ ମୋଟ ୫ଜଣ ପୁଲିସ କର୍ମଚାରୀଙ୍କୁ ରାଜ୍ୟ ପୁଲିସ ଡିଜି ତତ୍କାଳ ପ୍ରଭାବରୁ ନିଲମ୍ବନ କରିଥିଲେ ।  ସେନାର ଅବସରପ୍ରାପ୍ତ ଅଫିସର ଓ କର୍ମଚାରୀମାନେ ମଧ୍ୟ କମିଶନରେଟ ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ନ୍ୟାୟ ଦାବି କରିଥିଲେ । ଏପରିକି ୧୯ତାରିଖରେ ସେନା ଅଫିସରଙ୍କ ବାନ୍ଧବୀ ନିଜେ ଗଣମାଧ୍ୟମ ସମ୍ମୁଖକୁ ଆସି ତାଙ୍କ ସହ ପୁଲିସର ଅମାନବୀୟ ଓ ବର୍ବର କାର୍ଯ୍ୟ ସମ୍ପର୍କରେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ । କିନ୍ତୁ ଏତେ ପରେ ବି ରାଜ୍ୟ ମହିଳା କମିଶନ ଏହି ଘଟଣାରେ ସକ୍ରିୟତା ଦେଖାଇନଥିଲେ ।

Advertisment

ଆଜି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଭରତପୁର ଥାନାକୁ  ଯାଇ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ କରିଥିବା କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଛନ୍ତି ଯେ, ଆମେ ନିଜଆଡ଼ୁ ଏକ ମାମଲା ରୁଜୁ କରିଛୁ । ତା’ର ତଦନ୍ତ ପାଇଁ ଆଜି ଭରତପୁର ଥାନାକୁ ଆସିଛୁ । ଯେହେତୁ କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ସେମାନେ ସବୁକିଛି ଦସ୍ତାବିଜ ନେଇଯାଇଛନ୍ତି । ଥାନାରେ ଯାହା ଦସ୍ତାବିଜ ଥିଲା ତାହା ଆମେ ନେଇଛୁ । କ୍ରାଇମବ୍ରାଂଚ ଅଫିସକୁ ଯାଇ କଥା ହେବୁ ।  କମିଶନଙ୍କ ଯାହା କାର୍ଯ୍ୟ କରିବା କଥା ତାହା ଆମେ କରୁଛୁ । ନ୍ୟାୟ ମିଳିବ, ସମୟକୁ ଅପେକ୍ଷା କରିବା ଦରକାର । ତଦନ୍ତ ପ୍ରକ୍ରିୟା ଶେଷ କରି ଆମେ ସରକାରଙ୍କୁ ସୁପାରିଶ କରିବୁ ବୋଲି ସେ କହିଥିଲେ ।

ତେବେ ଭରତପୁର ଥାନାରେ ସିସିଟିଭି କ୍ୟାମେରା ନଥିବା କଥା ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟର ସବୁ ଥାନାରେ ସିସିଟିଭି କ୍ୟାମେରା ଲଗାଯାଇଛି । ସେହି କମିଟିରେ ସେ ନିଜେ ସଦସ୍ୟ ଥିଲେ । ଏହି ଥାନାଟି(ଭରତପୁର) ଏବେ ସିଫ୍ଟ ହୋଇଥିବାରୁ ଏଠାରେ ସିସିଟିଭି କ୍ୟାମେରା ନାହିଁ । ଖୁବଶୀଘ୍ର ଏହି କ୍ୟାମେରା ଲାଗିବ ବୋଲି ସେ କହିଛନ୍ତି ।

ତେବେ, ସେପ୍ଟେମ୍ବର ୧୫ତାରିଖ ରାତିର ଘଟଣାକୁ ନେଇ ୧୬ତାରିଖଠୁ ଗଣମାଧ୍ୟମଠୁ ଆରମ୍ଭ କରି ସେନା ଓ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ରାଜ୍ୟ ମହିଳା କମିଶନ କାହିିଁକି ନିରବ ବସିଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ରାଜ୍ୟରେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଯଦିଓ ୧୭ତାରିଖରୁ ଜାତୀୟ ମହିଳା କମିଶନ ନିଜଆଡ଼ୁ ହସ୍ତକ୍ଷେପ କରିସାରିଛନ୍ତି ।

ଚର୍ଚ୍ଚା ହେଉଛି, ବିଜେଡି ସରକାର ସମୟରେ ବିଜେଡି ନେତ୍ରୀମାନଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ସଦସ୍ୟ ଭାବେ ଥଇଥାନ କରାଯାଇଥିଲା । ବିଜେଡି ସରକାରର ପତନ ପରେ ମଧ୍ୟ ଏହି ବିଜେଡି ନେତ୍ରୀମାନେ କମିଶନରେ ନିଜର ପଦ ବଜାୟ ରଖିଛନ୍ତି । ରାଜ୍ୟରେ ବିଜେପି ସରକାରର ଆଭିମୁଖ୍ୟକୁ ଦେଖି ଏହି ନେତ୍ରୀମାନେ ନିଜ କୁର୍ସି ବଂଚାଇବା ପାଇଁ ଏବେ ପ୍ରୟାସ କରୁଥିବା ଜଣାପଡ଼ିଛି । ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ଲୋକାର୍ପଣ ଉତ୍ସବରେ ମଧ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ସାମିଲ ହୋଇଥିବା ସୂଚନା ମିଳିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe