/odisha-reporter/media/post_attachments/uploadimage/library/16_9/16_9_0/IMAGE_1726849152.jpg)
Minati Behera
ରାଜ୍ୟର ମୋହନ ମାଝୀ ସରକାର ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସମସ୍ତ ସଦସ୍ୟାଙ୍କୁ ତତ୍କାଳ ପ୍ରଭାବରୁ ବରଖାସ୍ତ କରିଛନ୍ତି । ବିଜେଡି ସରକାର ସମୟରେ ମହିଳା ଆୟୋଗରେ ଥଇଥାନ ହୋଇଥିବା ଆଗଧାଡ଼ିର ବିଜେଡି ନେତ୍ରୀମାନେ ନିଜଆଡ଼ୁ ଇସ୍ତଫା ନଦେବା ପରେ ରାଜ୍ୟର ବିଜେପି ସରକାର ନିଜ କ୍ଷମତାର ଉପଯୋଗ କରି ସେମାନଙ୍କୁ ବରଖାସ୍ତ କରିଥିବା ଜଣାପଡ଼ିଛି । ଏହାସହିତ ରାଜ୍ୟରେ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ୱାଇଁ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଛି । ଏନେଇ ଖୁବଶୀଘ୍ର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ।
ଉଲ୍ଲେଖଯୋଗ୍ୟ, ମହିଳା ଆୟୋଗ ଅଧ୍ୟକ୍ଷା ଓ ଅନ୍ୟ ୪ଜଣ ସଦସ୍ୟା ସମସ୍ତେ ବିଜେଡିର ସକ୍ରିୟ ଆଗଧାଡ଼ିର ନେତ୍ରୀ । ବିଜେଡି ସରକାରରେ ସେମାନଙ୍କୁ ଏହି ମହିଳା ଆୟୋଗରେ ଥଇଥାନ କରାଯାଇଥିଲା । ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ୨୦୨୨ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିବାବେଳେ ୨୦୨୩ ଏପ୍ରିଲ ମାସରେ ଅନ୍ୟ ୪ଜଣ ବିଜେଡି ନେତ୍ରୀଙ୍କୁ ଆୟୋଗର ସଦସ୍ୟା ଭାବେ ଅବସ୍ଥାପିତ କରାଯାଇଥିଲା ।
ତେବେ ରାଜ୍ୟରେ ଜୁନ୍ ମାସରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସମସ୍ତ ନିଗମ,ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ପଦବୀରେ ଥଇଥାନ ହୋଇଥିବା ବିଜେଡି ନେତାମାନଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦେଇଥିଲେ । କିନ୍ତୁ ରାଜ୍ୟ ମହିଳା ଆୟୋଗ ଓ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ବିଜେଡି ନେତ୍ରୀମାନଙ୍କୁ ହଟାଯାଇନଥିଲା । ସେମାନେ ନିଜଆଡ଼ୁ ଇସ୍ତଫା ନଦେବା ପରେ ରାଜ୍ୟ ସରକାର ଓଡ଼ିଶା ଆକ୍ଟ-୧୯୯୪ର ଧାରା ୩ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବରଖାସ୍ତ କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଏହି ଆୟୋଗର ଅଧ୍ୟକ୍ଷା ଓ ସଦସ୍ୟମ।।ନଙ୍କ କାର୍ଯ୍ୟକାଳ ୩ବର୍ଷ ପାଇଁ ରହିଥାଏ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
