Advertisment

ମୁଖ୍ୟମନ୍ତ୍ରୀଙ୍କୁ ପଦ ଛାଡ଼ିବାକୁ କହିଲେ ଭୋକ୍କାଲିଗା ସନ୍ଥ

ବୀରଶୈବ-ଲିଙ୍ଗାୟତ, ଏସ୍‌ସି-ଏସ୍‌ଟି ଓ ସଂଖ୍ୟାଲଘୁ ସଂପ୍ରଦାୟରୁ ୩ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି ହେଉଥିବା ବେଳେ ସନ୍ଥଙ୍କ ବୟାନ ସାମ୍ନାକୁ ଆସିଛି।

author-image
Hemant Lenka
Siddaramaiah

Siddaramaiah

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପଦରୁ ଇସ୍ତଫା ଦିଅନ୍ତୁ। ସେ ପଦ ଛାଡ଼ି ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଅନ୍ତୁ ବୋଲି ଭୋକ୍କାଲିଗା ସଂପ୍ରଦାୟର ଜଣେ ସନ୍ଥ ସର୍ବସମ୍ମୁଖରେ ସିଦ୍ଦରମୈୟାଙ୍କୁ ଆହ୍ୱାନ ଦେଇଛନ୍ତି।

Advertisment

କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସରେ ଏବେ କିଛି ଠିକଠାକ ଚାଲିନାହିଁ। ସିଦ୍ଦରମୈୟାଙ୍କ କ୍ୟାବିନେଟ ରାଜ୍ୟରେ ୩ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛି। ବୀରଶୈବ-ଲିଙ୍ଗାୟତ, ଏସ୍‌ସି-ଏସ୍‌ଟି ଓ ସଂଖ୍ୟାଲଘୁ ସଂପ୍ରଦାୟରୁ ୩ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି ହେଉଥିବା ବେଳେ ସନ୍ଥଙ୍କ ବୟାନ ସାମ୍ନାକୁ ଆସିଛି।

ବିଶ୍ୱ ଭୋକ୍କାଲିଗା ମହାସଂସ୍ଥାନ ମଠର ସନ୍ଥ କୁମାର ଚନ୍ଦ୍ର ଶେଖର ନାଥ ସ୍ୱାମୀଜୀ ନିଜ ଆଡ଼ୁ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ମତ ରଖିଛନ୍ତି। ବେଙ୍ଗାଲୁରୁର ପ୍ରତିଷ୍ଠାତା କେମ୍ପେଗୌଡ଼ା ଜୟନ୍ତୀ ଅବସରରେ ସେ ଏପରି କହିଛନ୍ତି। ଏହି ସମୟରେ ଉଭୟ ଶିବକୁମାର ଓ ସିଦ୍ଦରମୈୟା ଷ୍ଟେଜ ଉପରେ ରହିଥିଲେ।

Advertisment

କର୍ଣ୍ଣାଟକା କଂଗ୍ରେସ ସଭାପତି ଶିବକୁମାର ହେଉଛନ୍ତି ଭୋକ୍କାଲିଗା ସଂପ୍ରଦାୟର। ସେ ଏହି ସଂପ୍ରଦାୟରୁ ଏକମାତ୍ର ସଦସ୍ୟ ଭାବେ ଉପ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି।

ଚନ୍ଦ୍ର ଶେଖର ନାଥ ସ୍ୱାମୀଜୀ କହିଛନ୍ତି, “ସମସ୍ତେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓ କ୍ଷମତାକୁ ଉପଭୋଗ କରୁଛନ୍ତି। କିନ୍ତୁ ଆମର ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। ତେଣୁ ସିଦ୍ଦରମୈୟାଙ୍କୁ ଅନୁରୋଧ କରୁଛି ଯେ ସେ ନିଜର କ୍ଷମତା ଭବିଷ୍ୟତରେ ଡିକେ ଶିବକୁମାରଙ୍କୁ ଦିଅନ୍ତୁ।

ତାଙ୍କୁ ଆଶୀର୍ବାଦ କରନ୍ତୁ। କେବଳ ସିଦ୍ଦରମୈୟା ଚାହିଁଲେ, ଏପରି ହୋଇପାରିବ। ନଚେତ ଏହା କେବେ ସମ୍ଭବ ହେବନି। ତେଣୁ ମୁଁ ନମସ୍କାର କରି ସିଦ୍ଦରମୈୟାଙ୍କୁ ଅନୁରୋଧ କରୁଛି ଯେ ସେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ।”

ସନ୍ଥଙ୍କ ଏପରି ଆହ୍ୱାନ ଉପରେ ପ୍ରତିକ୍ରିୟା ଦେଇ ସିଦ୍ଦରମୈୟା କହିଛନ୍ତି, “କଂଗ୍ରେସ ଗୋଟିଏ ହାଇକମାଣ୍ଡ ପାର୍ଟି। ଏହା ଗୋଟିଏ ଗଣତନ୍ତ୍ର। ହାଇକମାଣ୍ଡ ଯାହା ବି କହିବେ, ଆମେ ତା’କୁ ଅନୁସରଣ କରିବୁ।”

ଶିବକୁମାର ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ଅନେକ କଥା କୁହାଯାଉଛି। ଆମେ ଉଭୟ(ସେ ଓ ସିଦ୍ଦରମୈୟା) ଦିଲ୍ଲୀ ଯାଉଛି। ସେଠାରେ ସାଂସଦମାନଙ୍କ ସହ କେନ୍ଦ୍ର ଅନୁମୋଦନ ଅପେକ୍ଷାରେ ଥିବା ରାଜ୍ୟର ପ୍ରକଳ୍ପ ଗୁଡ଼ିକ ବିଷୟରେ କଥା ହେବୁ।”

ଗତବର୍ଷ ମେ’ ମାସରେ କର୍ଣ୍ଣାଟକା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ଏହାପରେ ସିଦ୍ଦରମୈୟା ଓ ଶିବକୁମାରଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ବେଶ ଟଣାଓଟରା ଚାଲିଥିଲା।

ଶେଷରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଓ ଶିବୁକୁମାର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲା। କୁହାଯାଉଛି ଯେ ସିଦ୍ଦରମୈୟା ପ୍ରଥମ ଅଢ଼େଇ ବର୍ଷ ଓ ଶିବକୁମାର ପରବର୍ତ୍ତୀ ଅଢ଼େଇ ବର୍ଷ ଶୀର୍ଷ ପଦରେ ରହିବେ ବୋଲି ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି।

Karnataka Siddaramaiah DK Shivakumar