Advertisment

ମା’ଙ୍କ ଏଆଇ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କଲା କଂଗ୍ରେସ, ଚିହିଁକି ଉଠିଲା ବିଜେପି

ଏହି ଭିଡିଓରେ ମୋଦିଙ୍କ ସ୍ୱପ୍ନରେ ତାଙ୍କ ସ୍ୱର୍ଗତ ମା’ ଆସିବା ସହ ତାଙ୍କୁ ନେଇ ସେ ରାଜନୀତି ନ କରନ୍ତୁ ବୋଲି କହୁଛନ୍ତି। ଏଥିସହ ମୋଦିଙ୍କ ପାଇଁ ସେ ବାରମ୍ବାର ଅପମାନିତ ହେଉଥିବା ମଧ୍ୟ ହୀରାବେନ କହୁଥିବା ଏଆଇ ଭିଡିଓରେ ଦର୍ଶାଯାଇଛି।

author-image
Hemant Lenka
AI

AI

ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ ବାକଯୁଦ୍ଧ ତୀବ୍ର ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିବା ପାଇଁ ବିହାର କଂଗ୍ରେସ ପକ୍ଷରୁ ତାଙ୍କ ସ୍ୱର୍ଗତ ମା’ ହୀରାବେନ ମୋଦିଙ୍କ ଗୋଟିଏ ଏଆଇ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ମୋଦିଙ୍କ ସ୍ୱପ୍ନରେ ତାଙ୍କ ସ୍ୱର୍ଗତ ମା’ ଆସିବା ସହ ତାଙ୍କୁ ନେଇ ସେ ରାଜନୀତି ନ କରନ୍ତୁ ବୋଲି କହୁଛନ୍ତି। ଏଥିସହ ମୋଦିଙ୍କ ପାଇଁ ସେ ବାରମ୍ବାର ଅପମାନିତ ହେଉଥିବା ମଧ୍ୟ ହୀରାବେନ କହୁଥିବା ଏଆଇ ଭିଡିଓରେ ଦର୍ଶାଯାଇଛି।

Advertisment

ବାସ୍‌ ଏହାକୁ ନେଇ ଆକ୍ରମଣମୁଦ୍ରାକୁ ଚାଲି ଆସିଛି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କୁ କଂଗ୍ରେସ ପୁଣି ଅପମାନିତ କରିଥିବା ବିଜେପି କହିଛି। ହେଲେ କଂଗ୍ରେସ ସମାଲୋଚନାକୁ କାଉଣ୍ଟର କରି କାହାକୁ ଅପମାନିତ କରାଯାଇ ନାହିଁ ଓ ଏହି ଭିଡିଓ ଜଣେ ଅଭିଭାବକ ତାଙ୍କ ପିଲାଙ୍କୁ ଶିକ୍ଷିତ କରିବା ଛଡ଼ା ଆଉ କିଛି ନୁହେଁ ବୋଲି କହିଛି।

କଂଗ୍ରେସ ମୁଖପାତ୍ର ପବନ ଖେଡା କହିଛନ୍ତି, “ନିଜର ପିଲାଙ୍କୁ ଶିକ୍ଷିତ କରିବା ପ୍ରତିଟି ଅଭିଭାବକଙ୍କ କର୍ତ୍ତବ୍ୟ। ସେ (ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱର୍ଗତ ମା’ ହୀରାବେନ ମୋଦି) ନିଜ ପିଲାକୁ ଶିକ୍ଷିତ କରୁଛନ୍ତି। ଯଦି ପିଲା ଏହାକୁ ତା’ ପ୍ରତି ଅସମ୍ମାନ ବୋଲି ଭାବୁଛନ୍ତି, ତା’ହେଲେ ଏହା ତାଙ୍କ ସମସ୍ୟା।”

Advertisment

ବିହାର କଂଗ୍ରେସ ପୋଷ୍ଟ କରିଥିବା ଏଆଇ ଭିଡିଓକୁ ନେଇ ବିଜେପି ସମାଲୋଚନା କରୁଥିବା ବେଳେ ଶ୍ରୀ ଖେଡା ଏପରି ବୟାନ ରଖିଛନ୍ତି। ବିଜେପି ମୁଖପାତ୍ର ସୟଦ ଶାହନୱାଜ ହୁସେନ କହିଛନ୍ତି, “କଂଗ୍ରେସ ଆହୁରି ତଳକୁ ଖସି ଯାଇଛି। ପ୍ରଥମେ କଂଗ୍ରେସର ଗୋଟିଏ ମଞ୍ଚରୁ ପ୍ରଧାନମନ୍ତ୍ରୀ ମା’ଙ୍କ ପ୍ରତି ଅଭଦ୍ର ଟିପ୍ପଣୀ କରାଯାଇଥିଲା। ଏବେ ଦଳ ପକ୍ଷରୁ ତାଙ୍କର ଗୋଟିଏ ଏଆଇ ଭିଡିଓ ଜାରି କରି ପୁଣି ତାଙ୍କୁ ଅପମାନିତ କରାଯାଇଛି।

ବିହାର ଓ ଭାରତ ଏପରି ଅପମାନକୁ ଆଦୌ ସହ୍ୟ କରିବେ ନାହିଁ। ଏପରି ଭିଡିଓ କରିବା ଓ ଦୁନିଆରେ ନଥିବା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ମୁହଁରେ ଏପରି ଶବ୍ଦ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେ ଏପରି ଲଜ୍ଜାଜନକ କାମରୁ ଉପରକୁ ଉଠିବା ଉଚିତ। ଦଳର ଏହାର ପରିଣାମ ନିର୍ବାଚନରେ ଭୋଗିବାକୁ ପଡ଼ିବ। କାରଣ ବିହାର ପ୍ରବଳ କ୍ଷୁବ୍ଧ।”

ବିଜେପିର ଅନ୍ୟତମ ମୁଖପାତ୍ର ଅରବିନ୍ଦ କୁମାର ସିଂହଙ୍କ କହିବା କଥା ଯେ ଏହି ଭିଡିଓ ଦେଶର ସବୁ ମା’ଙ୍କ ଭାବାବେଗକୁ କଟାକ୍ଷ କରିଛି। ସେ କହିଛନ୍ତି, “କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଏଆଇ ଭିଡିଓ ରିଲିଜ କରିବା ଦୁର୍ଭାଗ୍ୟଜନକ। ସେମାନେ ପୂରା ଦେଶର ସମସ୍ତ ମା’ମାନଙ୍କ ଭାବାବେଗକୁ କଟାକ୍ଷ କରିଛନ୍ତି। ଆମ ପାଇଁ ମା’ ହେଉଛନ୍ତି ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀ। କଂଗ୍ରେସ ନେତାମାନେ ଏଆଇ ଭିଡିଓ ପାଇଁ କ୍ଷମା ମାଗିବା ଦରକାର।”

ଅସମ୍ମାନ କେଉଁଠି?

କଂଗ୍ରେସର ମିଡିଆ ଓ ପ୍ରଚାର ବିଭାଗ ଦାୟିତ୍ୱରେ ଥିବା ପବନ ଖେଡା କେଉଁଠି ଅସମ୍ମାନ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “କେଉଁଠାରେ ତାଙ୍କ ସ୍ୱର୍ଗତ ମା’ଙ୍କୁ ଅସମ୍ମାନ କରାଯାଇଛି? ଅସମ୍ମାନର ଗୋଟିଏ ଶବ୍ଦ, ଗୋଟିଏ ଭଙ୍ଗି କିମ୍ବା ଗୋଟିଏ ସିଗ୍ନାଲ ଦେଖାନ୍ତୁ। ଆପଣ କେଉଁଠାରେ ବି ଅସମ୍ମାନ ଦେଖୁଛନ୍ତି କି? ନିଜର ପିଲାଙ୍କୁ ଶିକ୍ଷିତ କରିବା ପ୍ରତିଟି ବାପା ମା’ଙ୍କ କର୍ତ୍ତବ୍ୟ ଓ ଅଧିକାର। ସେ କେବଳ ନିଜ ପିଲାଙ୍କୁ ଶିକ୍ଷିତ କରୁଛନ୍ତି। ଯଦି ପିଲା ଜଣଙ୍କ ଏହାକୁ ତାଙ୍କ ପ୍ରତି ଅପମାନ ବୋଲି ବିବେଚନା କରିବେ, ତା’ହେଲେ ଏହା ତାଙ୍କ ମୁଣ୍ଡବିନ୍ଧାର କାରଣ, ମୋର ନୁହେଁ?

କୌଣସି କାରଣ ନଥାଇ ବିଜେପି କାହିଁକି ଏହାକୁ ପ୍ରସଙ୍ଗ କରିବାକୁ ଚାହୁଁଛି? କାହିଁକି ବିଜେପି ନକଲି ସମବେଦନରା ହାସଲ କରିବାକୁ ଏତେ ବିକଳ? ଏସବୁ ଜିନିଷ ପାଇଁ ଆଉ କୌଣସି ପ୍ରକାରର ସମବେଦନା ନାହିଁ।”

PM Modi ai-video