Advertisment

ନବୀନ ନିବାସ ଘେରାଉ ଉଦ୍ୟମବେଳେ ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସ ଧସ୍ତାଧସ୍ତି

ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ସମେତ କେତେକ କର୍ମକର୍ତ୍ତାଙ୍କୁ ପୁଲିସ ଭ୍ୟାନ ଯୋଗେ ଉଠାଇ ନେବାରୁ ଏଭଳି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

author-image
Ordigital Desk
Congress

Congress

ବିଭିନ୍ନ ପ୍ରସଙ୍ଗରେ ଆଜି ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ଶିଶୁଭବନ ଛକଠାରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ସମେତ କେତେକ କର୍ମକର୍ତ୍ତାଙ୍କୁ ପୁଲିସ ଭ୍ୟାନ ଯୋଗେ ଉଠାଇ ନେବାରୁ ଏଭଳି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

Advertisment

ସୂଚନା ଅନୁସାରେ, ପ୍ରଦେଶ ଛାତ୍ର କଂଗ୍ରେସ ଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଦଳର ‘ଛାତ୍ର ଆଣିବେ ପରିବର୍ତ୍ତନ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ରାଜମହଲ ଛକ ନିକଟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ପୁଲିସ ସେଠାରେ କିଛି ଛାତ୍ର ନେତାଙ୍କୁ ଭ୍ୟାନରେ ଉଠାଇ ନେବାରୁ ଉପସ୍ଥିତ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପରକୁ ଟମାଟୋ ମାଡ଼ ହୋଇଥିବା ଜଣାପଡ଼ିଛି।

ଏହି ଘେରାଉ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଛାତ୍ର ସଭାପତି ନୱାଜ କହିଛନ୍ତି ଯେ, ନବୀନ ସରକାର ବର୍ଷକୁ ୨ଲକ୍ଷ ହିସାବରେ ଯେଉଁ ୪୮ଲକ୍ଷ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ ସେ ଚାକିରି ଗଲା କୁଆଡ଼େ? ତାର ଉତ୍ତର ଏ ରାଜ୍ୟର ଯୁବ ଓ ଛାତ୍ର ସମାଜକୁ ଦିଅନ୍ତୁ। ବିରୋଧି ଦଳକୁ ଦୁର୍ବଳ କରିବାପାଇଁ ଏବଂ ବିରୋଧି ଦଳରେ ଛାତ୍ର ନେତୃତ୍ୱ ସୃଷ୍ଟ କରାଇନଦେବା ପାଇଁ ୨୦୧୮ ମସିହା ପରଠାରୁ ଓଡ଼ିଶାରେ ଅଗଣତାନ୍ତ୍ରିକ ଭାବେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି। ନବୀନ ସରକାରରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ୧୨ଟି ପ୍ରମୁଖ ସରକାରୀ ୟୁନିର୍ଭସିଟିରେ ୫୭ ପ୍ରତିଶତ ଶିକ୍ଷକ ନାହାନ୍ତି, ଯାହାର ସଂଖ୍ୟା ୧ ହଜାର। ୫୧ ଟି ସରକାରୀ ଡିଗ୍ରୀ କଲେଜରେ ୪୫ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ଜାଲ ସାର୍ଟିଫିକେଟରେ ନାମ ଲେଖା ଚାଲିଛି। ସେହି ର‌୍ୟାକେଟରେ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ସଂପୃକ୍ତ। କଲେଜ ଓ ୟୁନିର୍ଭସିଟିରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଓ ସମର୍ଥକମାନେ ଆତଙ୍କରାଜ ଚଳାଇଛନ୍ତି।

Advertisment

ଅନ୍ୟ ଦଳର ଛାତ୍ର ସଂଗଠନକୁ ମରଣାନ୍ତକ ଆକ୍ରମଣ କରୁଛନ୍ତି। କ୍ୟାମ୍ପସ ଭିତରେ ମହିଳା ଅସୁରକ୍ଷିତ। ର‌୍ୟାଗିଂ କ୍ଷେତ୍ରରେ ଦେଶର ୫ଟି ଶୀର୍ଷ ସ୍ଥାନରେ ଥିବା ରାଜ୍ୟ ମଧ୍ୟରୁ ଓଡ଼ିଶାର ସ୍ଥାନ ଚତୁର୍ଥ। ଉଚ୍ଚଶିକ୍ଷାନୁଷ୍ଠାନର ଭତ୍ତିଭୂମିର ବିକାଶ ନାମରେ ଯେଉଁ କାର୍ଯ୍ୟ ହେଉଛି ସେଥିରେ ସଂପୂର୍ଣ୍ଣ ଦୁର୍ନୀତି ପରିଲକ୍ଷିତ ହେଉଛି। କେଉଁଠି ଶିକ୍ଷାନୁଷ୍ଠାନର ଖେଳପଡ଼ିଆର ନବନର୍ମିତ ଗ୍ୟାଲେରି ଭୁଷୁଡ଼ି ପଡ଼ୁଛି ତ କେଉଁଠି କାନ୍ଥ ଭୁଷୁଡ଼ି ପଡ଼ୁଛି। ଶିକ୍ଷାନୁଷ୍ଠାନରେ ମୋଦି ଓ ନବୀନଙ୍କର ଫଟୋ ଲଗାଇବା ପ୍ରତିଯୋଗିତା ଚାଲିଛି। ଶିକ୍ଷାନୁଷ୍ଠାନର ମୌଳିକ ସମସ୍ୟାକୁ ପୂରଣ ନକରି ସମନ୍ୱିତ ଯୁବ ବିକାଶ ଏବଂ ନୂଆ-ଓ ଭଳି ଯେଉଁ ଯୋଜନା କରାଯାଇଛି ତାହା କେବଳ ଏ ରାଜ୍ୟର ଉପେକ୍ଷିତ ଛାତ୍ର ସମାଜକୁ ଭୂଆଁ ବୁଲାଇବାପାଇଁ ଉଦ୍ଦିଷ୍ଟ।

ଖେଳକୁଦ, ନାଚଗୀତ ଓ ଭୋଜିଭାତରେ ଶିକ୍ଷାନୁଷ୍ଠାନ କମ୍ପୁଛି। ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଗୁଣାତ୍ମକ ଶିକ୍ଷା ଦିଆଯାଉ ନାହିଁ। କେବଳ ନିର୍ବାଚନ ବେଳେ ଭୋଟ ହାତେଇବା ପାଇଁ ଏହା ଏକ ନାଟକାବାଜି। ଏ ସରକାର ୧୫ କୋଟି ଟଙ୍କାର ଛାତ୍ରବୃତ୍ତି ଲୁଟ୍ କରିଥିବାର ସିଏଜି ରିପୋର୍ଟ ଦେଇଛନ୍ତିି।  ଯେଉଁ ଛାତ୍ରବୃତି ଘୋଷଣା କରାଯାଇଛି ତାହା ୨୪ ବର୍ଷ ଭିତରେ କାହିଁକି ଘୋଷଣା କରାଗଲା ନାହିଁ? ନିର୍ବାଚନ ମାସକୁ ପୂର୍ବରୁ ଏହା ଘୋଷଣା କରାଗଲା କାହିଁକି? ୨୦୧୯ ନିର୍ବାଚନ ପୂର୍ବରୁ ଯେଉଁ ବିଜୁ ଯୁବବାହିନୀ ଗଠନ କରିଥିଲେ ତାହା ଏବେ ବନ୍ଦ ହୋଇଯାଇଛି। କେବଳ ନିର୍ବାଚନ ଥିବାରୁ ଛାତ୍ରମାନଙ୍କୁ ପ୍ରଲୋଭିତ କରାଯାଉଛି। ଆଜି ରାଜ୍ୟରେ ୨ଲକ୍ଷ ୨୬ ହଜାର ସରକାରୀ ପଦବୀ ଖାଲି ପଡ଼ିଛି । ୧୦ଲକ୍ଷ ବେକାର ଯୁବକଯୁବତୀ ନାମ ପଞ୍ଜିକରଣ କରାଇ ଚାହିଁ ବସିଛନ୍ତି।

ଓଡ଼ିଆ ଯୁବକ ଯୁବତୀ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତିି। ଓଡ଼ିଶାର ଖଣିଜ ସମ୍ପଦକୁ ବ୍ୟବହାର କରି ଯେଉଁ ଶିଳ୍ପ ପ୍ରତିଷ୍ଠା ହୋଇଛି ସେଥିରେ ଓଡ଼ିଆ ଯୁବକ ଯୁବତୀମାନଙ୍କର ନିଯୁକ୍ତି ନାହିଁ। ଏଠି ତାମିଲ ଶାସନ ଯୋଗୁଁ  ସବୁ କ୍ଷେତ୍ରରେ ଓଡ଼ିଆ ଯୁବକଯୁବତୀ ଉପେକ୍ଷିତ ହେଉଛନ୍ତି। ଏଣୁ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ବେକାର ଯୁବକଯୁବତୀ ବେସାହାରା, ଶିକ୍ଷାନୁଷ୍ଠାନରେ ଦୁର୍ନୀତି ଅନ୍ୟପକ୍ଷରେ ଖଣି,ପାଣି, ଡାଲି, ଚିଟଫଣ୍ଡ, ଛାତ୍ରବୃତି, ଜମି ଓ ସରକାର ଯୋଜନା ଲୁଟ ଓ ଦୁର୍ନୀତିରେ ନବୀନ ସରକାରର ଅସଲ ମୁଖା ଧରାପଡ଼ିଯାଇଛି। ଗାଁ ଗଣ୍ଡା ବୁଲି, ବଜାର ସହର ବୁଲି ଓଡ଼ିଶାର ଛାତ୍ର ସମାଜ ପରିବର୍ତନ ପାଇଁ ଜନାସଧାରଣଙ୍କୁ ସଚେତନ କରିବାକୁ ନୱାଜ ଆହ୍ୱାନ ଦେଇଛନ୍ତି।

ଆଜିର କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମାନସ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତିଙ୍କ ସମେତ ବହୁ କର୍ମକର୍ତ୍ତା ଓ ସକ୍ରିୟ କର୍ମୀ ଯୋଗ ଦେଇଥିଲେ।

Congress