Advertisment

ବିଜେଡି ଛାଡ଼ିଲେ ହରିଶଙ୍କର; ନବୀନ, ପାଣ୍ଡିଆନ ଓ ବ୍ୟୋମକେଶଙ୍କ ଉପରେ ବର୍ଷିଲେ, ଖୋଲିଲେ ଅନେକ ଗୁମର

ଆଗାମୀ ଦିନରେ ସେମାନେ ମଧ୍ୟ ଦଳ ଛାଡ଼ିବେ। ଯିଏ ଅଣଓଡ଼ିଆ ପାଣ୍ଡିଆନଙ୍କ ଜୟଜୟକାର କରିବ, ତାଙ୍କର ଏ ଦଳରେ ସ୍ଥାନ ଅଛି। ଯିଏ କଷ୍ଟ କରିବ, ଯିଏ ପରିଶ୍ରମ କରିବ ଓ ନିଷ୍ଠାର ସହିତ କାମ କରିବ, ତାଙ୍କ ପାଇଁ ଦଳରେ ସ୍ଥାନ ନାହିଁ। ବିଜୁ ଜନତା ଦଳର ଭବିଷ୍ୟତ ଅନ୍ଧାର।

Harishankar Rout

Harishankar Rout

Advertisment

ଛାତ୍ର ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ହରିଶଙ୍କର ରାଉତ ଛାଡ଼ିଲେ ଦଳ। ଆଜି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ଉଭୟ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ସେ ତୀବ୍ର ସମାଲୋଚନା କରିଛନ୍ତି ସେ। ପାଣ୍ଡିଆନଙ୍କ ଯୋଗୁ ସେ ଦଳ ଛାଡ଼ିଥିବା ସ୍ପଷ୍ଟ ଭାବେ କହିଛନ୍ତି। ତା’ ସହିତ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ଆଣିଛନ୍ତି ମାଳମାଳ ଅଭିଯୋଗ। 

Advertisment

ବିଜେଡିର ଛାତ୍ର ଶାଖାର ସଭାପତି ପଦ ନପାଇବାରୁ କ୍ଷୁବ୍ଧ ଥିବା ହରିଶଙ୍କର କହିଛନ୍ତି, ବିଜେଡିରେ ଥିବା ବେଳେ ମୁଁ ବହୁତ ପରିଶ୍ରମ କରିଛି। ନିର୍ବାଚନ ପରିଚାଳନା ହେଉ ବା ରକ୍ତଦାନ ଶିବିର ହେଉ, ମୁଁ ଦଳ ପାଇଁ ନିଷ୍ଠାପର ଭାବେ ସବୁ କାର୍ଯ୍ୟ କରିଛି। କିନ୍ତୁ ବାରମ୍ବାର ମୋ ସହିତ ପ୍ରତାରଣା କରାଯାଇଛି। ମୋତେ ଧୋକା ଦିଆଯାଇଛି। ତେଣୁ ନିଜ ବିବେକ କଥା ଶୁଣି ମୁଁ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି।

ନବୀନ ପଟ୍ଟନାୟକ ଜଣେ ଅଣଓଡ଼ିଆଙ୍କ ଇସାରାରେ ସବୁ କାର୍ଯ୍ୟ କରୁଛନ୍ତି। ଦଳର ଛୋଟରୁ ବଡ଼ ପଦ ପର୍ଯ୍ୟନ୍ତ- ସବୁ ନିଷ୍ପତ୍ତି ନେଉଛନ୍ତି ଅଣଓଡ଼ିଆ ଭିକେ ପାଣ୍ଡିଆନ। ତାଙ୍କୁ ଆମେ ଦଳରେ ‘ସାର୍’ ବୋଲି ସମ୍ବୋଧନ କରୁ। କିନ୍ତୁ ସେ ‘ସାର୍‌’ର ପଦବାଚ୍ୟ ନୁହନ୍ତି। ସିଏ ଓଡ଼ିଶାକୁ ଲୁଣ୍ଠନ କରିବାକୁ ଆସିଛନ୍ତି। ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଲା। ତଥାପି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାଣିପାରିଲେନି ଦଳ କାହା ପାଇଁ ଗାଦିଚ୍ୟୁତ ହେଲା। କେବେ ସେ ଏନେଇ ଅନୁଧ୍ୟାନ କରିଛନ୍ତି କି? କେବେ ସେ ସାଧାରଣ କର୍ମୀଙ୍କୁ ଡାକି ବୈଠକ କରିଛନ୍ତି କି? ଯେତେବେଳେ ସେ ଇସ୍ତଫାପତ୍ର ପ୍ରଦାନ କରିବାକୁ ରାଜଭବନକୁ ଯାଇଥିଲେ ସେତେବେଳେ ଲୋକମାନେ ଦୁଃଖ ପ୍ରକାଶ କରିଥିଲେ। ସେମାନେ କାନ୍ଦିଥିଲେ। କିନ୍ତୁ ଏବେ ଯେତେବେଳେ ହସ୍‌ପିଟାଲରୁ ଆସୁଛନ୍ତି, ତାଙ୍କ (ଭିକେ ପାଣ୍ଡିଆନଙ୍କ) ହାତ ଧରି ଆସୁଛନ୍ତି। ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଯାହା ପାଇଁ ସେ (ନବୀନ ପଟ୍ଟନାୟକ) ଶାସନ ଗାଦି ହରାଇଲେ ତାଙ୍କ ହାତ ଛାଡ଼ି ପାରୁ ନାହାନ୍ତି ବୋଲି କହିଛନ୍ତି ହରିଶଙ୍କର। 

Advertisment

ସେ କହିଛନ୍ତି, ପ୍ରଚ୍ଛଦ ପଟରେ ରହି ସବୁ ଗୋଟି ଚାଳନା କରୁଛନ୍ତି ଭିକେ ପାଣ୍ଡିଆନ। ବିଜେଡିରେ ଯେଉଁ ସାଂଗଠିକ ପରିବର୍ତ୍ତନ କରାଯାଇଛି, ସେଥିରେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏହା ଆଉ ଅଛପା ନୁହେଁ ଯେ ନବୀନ ବାବୁ କିଛି ନିଷ୍ପତ୍ତି ନିଅନ୍ତି ନାହିଁ। ସେ ଜଣେ କୁଳବୁଡ଼ା ନୟନପିତୁଳାକୁ ସମର୍ଥନ କରୁଛନ୍ତି। ସବୁ ନିଷ୍ପତ୍ତି ଭିକେ ପାଣ୍ଡିଆନ ନେଉଛନ୍ତି। ଯେଉଁମାନେ ଲହୁ-ଲୁହ ଦେଇ ଦଳକୁ ଗଢ଼ିଛନ୍ତି, ସେମାନଙ୍କୁ ଅଣଦେଖା କରାଯାଉଛି। ଦଳ ଦିନକୁ ଦିନ ଅନ୍ଧାକାର ଭିତରକୁ ଠେଲି ହୋଇଯାଉଛି। ଆମର ଯେଉଁ କଷ୍ଟ, ପରିଶ୍ରମ ଓ ତ୍ୟାଗ ରହିଥିଲା, ତାହା ଧ୍ୱଂସ ହେବାକୁ ଯାଉଛି। ତେଣୁ ବିବେକ ଅନୁସାରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି।

ଦଳ ଏବେ ମୂରବୀ ବିହୀନ ହୋଇଯାଇଛି। ଦଳରେ ନବୀନ ବାବୁ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ। ଅଣଓଡ଼ିଆ ଭି.କେ ପାଣ୍ଡିଆନ୍ ସବୁ ନିଷ୍ପତ୍ତି ନେଉଛନ୍ତି। କିଏ କେଉଁ ଦାୟିତ୍ୱରେ ରହିବେ, ସେ ନିଷତ୍ତି ସେ ନିଅନ୍ତି। ଦଳର ଯୁବ ଓ ଛାତ୍ର ସଂଗଠନ ବିଷୟରେ ସେ କ’ଣ ଜାଣିଛନ୍ତି? ସେ କେବେ ଯୁବ-ଛାତ୍ର ସଂଗଠନ କରିଛନ୍ତି। ସେ କ’ଣ କଲେଜ ପଲିଟିକ୍ସରୁ ଆସିଛନ୍ତି? ସେ କେବେ କୌଣସି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ଲଢ଼ି ନାହାନ୍ତି। ଆଉ ସେ ନିଷ୍ପତ୍ତି ନେବେ କିଏ ବିଜେଡିର ଛାତ୍ର ସଭାପତି ହେବ? ଯେଉଁମାନେ ପାଣ୍ଡିଆନଙ୍କ ସହ ସାଲିସ କରିବେ, ଯେଉଁମାନେ ତାଙ୍କର ଚାଟୁକାରିତା କରିବେ ଓ ତାଙ୍କର ପାଦ ଚାଟିବେ, ସେମାନଙ୍କ ପାଇଁ ଦଳରେ ସ୍ଥାନ ଅଛି। ଯେଉଁମାନେ ସ୍ୱାଭିମାନୀ, ସେମାନଙ୍କର ଦଳରେ କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ହରିଶଙ୍କର।

ନବୀନ ଓ ପାଣ୍ଡିଆନଙ୍କ ସହିତ ବିଧାୟକ ବ୍ୟୋମକେଶ ରାୟଙ୍କ ଉପରେ ବର୍ଷିଛନ୍ତି ସେ। କହିଛନ୍ତି, ବ୍ୟୋମକେଶ ରାୟ ହଜାର ହଜାର ଛାତ୍ରଙ୍କ ଜୀବନକୁ ନଷ୍ଟ କରି ଦେଇଛନ୍ତି। ଯିଏ ତାଙ୍କର ଚାରିପଟେ ବୁଲିବ, ଯିଏ ତାଙ୍କର ସେବା କରିବ, ତାଙ୍କର କାର ପୋଛିବ ଓ ଫାଇଲ ବୋହିବ, ସେମାନଙ୍କୁ ପଦପଦବୀ ମିଳିବ। ସଂଗଠନ କଥା ବୁଝୁଥିବା କୌଣସି ପିଲାଙ୍କୁ ସେ କେବେ ଉପରକୁ ନେଇ ନାହାନ୍ତି। ଯିଏ ତାଙ୍କ ଅଧୀନରେ ରହିବ, ତାଙ୍କୁ ପଦ ଦେବେ। ଯାହାର ପାରଦର୍ଶିତା ଅଛି, ତାଙ୍କୁ ଦଳରେ ପ୍ରାଥମିକତା ମିଳୁନାହିଁ। ସେ ଏବେ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ଅଛନ୍ତି। ସେ ପାଣ୍ଡିଆନଙ୍କ ପଟ୍ଟଶିଷ୍ୟ ବନିଯାଇଛନ୍ତି। ପାଣ୍ଡିଆନଙ୍କ ସହିତ ହାତ ମିଳାଇ ସେ ଦଳକୁ ଧ୍ୱଂସ କରିବାକୁ ବସିଛନ୍ତି। ସେମାନେ ଯେଉଁ ନିଷ୍ପତ୍ତି ନେଉଛନ୍ତି, ସେଗୁଡ଼ିକ ସବୁ ଭୁଲ। ଆଗକୁ ହଜାର ହଜାର ଯୁବ ଓ ଛାତ୍ର ନେତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ। ତେଣୁ ତୁରନ୍ତ ଦୃଢ଼ ଜବାବ ଦିଆଯିବା ଦରକାର।  ବ୍ୟୋମକେଶ ରାୟ ମୋତେ ତିନି ଥର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ଓ ମୋ କ୍ୟାରିୟରକୁ ଛାରଖାର କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। 

ହରିଶଙ୍କର କହିଛନ୍ତି, ସାରା ରାଜ୍ୟରେ ଯେଉଁ ଛାତ୍ର ଓ ଯୁବ ନେତାମାନେ ମୋ ସହିତ ଯୋଡ଼ି ହୋଇ ରହିଛନ୍ତି, ସେମାନେ ମୋ’ର ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଯଦି ଆପଣ ୨୦ ବର୍ଷ ରହିବା ସତ୍ତ୍ୱେ ଦଳ ଆପଣଙ୍କୁ ସମ୍ମାନର ସହିତ ଗୋଟିଏ ପଦ ଦେଇପାରିଲା ନାହିଁ, ତା’ହେଲେ ଆମେ କ’ଣ ପାଇଁ ଏହି ଦଳରେ କାମ କରିବୁ। ଆଗାମୀ ଦିନରେ ସେମାନେ ମଧ୍ୟ ଦଳ ଛାଡ଼ିବେ। ଯିଏ ଅଣଓଡ଼ିଆ ପାଣ୍ଡିଆନଙ୍କ ଜୟଜୟକାର କରିବ, ତାଙ୍କର ଏ ଦଳରେ ସ୍ଥାନ ଅଛି। ଯିଏ କଷ୍ଟ କରିବ, ଯିଏ ପରିଶ୍ରମ କରିବ ଓ ନିଷ୍ଠାର ସହିତ କାମ କରିବ, ତାଙ୍କ ପାଇଁ ଦଳରେ ସ୍ଥାନ ନାହିଁ। ବିଜୁ ଜନତା ଦଳର ଭବିଷ୍ୟତ ଅନ୍ଧାର।

ସେ ଆହୁରି କହିଛନ୍ତି, ମୁଁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଥିଲି। ବ୍ୟୋମକେଶ ରାୟ କେଉଁ କଲେଜର ସଭାପତି ଥିଲେ? ତାଙ୍କୁ ବିଜେଡିର ଛାତ୍ର ସଂଗଠନର ସଭାପତି କରାଯାଇଥିଲା। ମୁଁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ସଭାପତି ହେବା ପରେ ଦଳ ପାଇଁ ଆହୁରି ୧୫ ବର୍ଷ କାମ କରିଛି। ମୁଁ କାଲି ଆସି ଦଳ ପାଇଁ କାମ କରିନି। ମୟୂରଭଞ୍ଜରୁ ମାଲକାନଗିରି ପର୍ଯ୍ୟନ୍ତ ଦଳ ମୋତେ ଖଟେଇଛି। ଦଳ ମୋତେ ବ୍ୟବହାର କରିଛି। ମୁଁ କ’ଣ ପାଇଛି ଦଳରୁ। ମୋର ଗୋଟିଏ ସ୍ୱପ୍ନ ଥିଲା। ତାହା ହେଉଛି ଛାତ୍ର ବିଜେଡିର ସଭାପତି ହେବା। କିନ୍ତୁ ସେହି ସ୍ୱପ୍ନ ବି ପୂରଣ ହେଲା ନାହିଁ। ମୋତେ ଛାତ୍ର ସଭାପତି କରିବେନି ବୋଲି ଜାଗା ମିଶନର ପରାମର୍ଶଦାତା ଭାବେ ଗୋଟିଏ ବର୍ଷିକିଆ ପଦରେ ବସାଇଥିଲେ। ମୁଁ ସେମାନଙ୍କୁ ବାରମ୍ବାର କହିଥିଲି ମୁଁ ଯେଉଁଥିପାଇଁ କାମ କରୁଛି, ମୋର ସେହି ପଦବୀଟି ହିଁ ଦରକାର। ମୁଁ ସାରା ରାଜ୍ୟରେ ଛାତ୍ରମାନଙ୍କୁ ଏକାଠି କରୁଥିଲି। ମୋତେ ଛାତ୍ର ସଭାପତି ନ କରି ଜାଗା ମିଶନରେ ବର୍ଷକ ପାଇଁ ପରାମର୍ଶଦାତା ଭାବେ ବସାଇଥିଲେ।

ହରିଶଙ୍କର କହିଛନ୍ତି, ବିଜେପି ଆଗରେ ପାଣ୍ଡିଆନ ଆତ୍ମସମର୍ପଣ କରିସାରିଛନ୍ତି। ଆଗାମୀ ଦିନରେ ଏ ଦଳ ଆଉ ରହିବନି। ନବୀନ ପଟ୍ଟନାୟକ କେବେ ବି ନିଷ୍ପତ୍ତି ନିଅନ୍ତି ନାହିଁ। ତାଙ୍କୁ ଗୋଟେ କୋଟେରୀ ଗ୍ରୁପ୍ ଯାହା ନାଁ ଦିଅନ୍ତି, ସେଥିରେ ସେ ଦସ୍ତଖତ ମାରନ୍ତି। ନବୀନ ବାବୁ କାହାକୁ ଚିହ୍ନି ନାହାନ୍ତି। କିଏ ଇପ୍‌ସିତା ସେ ଜାଣିନାହାନ୍ତି। ୨୦ ବର୍ଷ ଭିତରେ ମୋତେ ନବୀନଙ୍କ ସହିତ ସିଧାସଳଖ ଭେଟିବାକୁ ସୁଯୋଗ ମିଳିନାହିଁ। ଯେଉଁମାନେ ସେହି ଅଣଓଡ଼ିଆର ପାଦ ଚାଟୁଛନ୍ତି, ସେହିମାନେ ତାଙ୍କୁ (ନବୀନଙ୍କୁ) ଭେଟି ପାରୁଛନ୍ତି। ସ୍ୱାଭିମାନୀ ଓଡ଼ିଆମାନେ କେବେ ବି ତାଙ୍କୁ ଭେଟି ପାରି ନାହାନ୍ତି। ସେମାନେ ଯିବେ ପାଣ୍ଡିଆନଙ୍କ ସହିତ ଫଟୋ ଉଠାଇବେ। ପାଣ୍ଡିଆନ କ’ଣ ଆମ ଦଳର ନେତା?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe