Advertisment

ଛାତ୍ରସଂସଦ ନିର୍ବାଚନ: ତେଜିଲା ଛାତ୍ର ଆନ୍ଦୋଳନ, ଶିକ୍ଷାନୁଷ୍ଠାନର ନାକ୍ ଗ୍ରେଡ୍ ପ୍ରଭାବିତ

ଛାତ୍ରସଂସଦ ନିର୍ବାଚନ ଦାବିରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ ସହ ଅଣ୍ଡାମାଡ଼ କରାଯାଇଥିଲା

ଅଦ୍ୟତନ ହୋଇଛି
Utkal University

Utkal University

Advertisment

୨୦୧୮ ମସିହା ପରଠୁ ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ କରାଉନଥିବା ରାଜ୍ୟ ସରକାରଙ୍କୁ ଚଳିତବର୍ଷ ଛାତ୍ରମାନଙ୍କ ରୋଷର ଶିକାର ହେବାକୁ ପଡ଼ିଛି। ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନର ସମ୍ଭାବନା ନଥିବାରୁ ଏହାର ପ୍ରତିବାଦରେ ବିଭିନ୍ନ ରାଜନୀତିକ ଦଳ ସମର୍ଥିତ ଛାତ୍ର ସଂଗଠନଗୁଡ଼ିକ ଆଜି ପ୍ରତିବାଦ କରିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ ଓ ତାଙ୍କର ପୋଷ୍ଟର ପୋଡ଼ି ନିଜର ବିରୋଧ ପ୍ରଦର୍ଶନ କରିଛନ୍ତି । ଏପଟେ ଛାତ୍ରସଂସଦ ନିର୍ବାଚନ ହେଉନଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକର ନାକ୍ ଗ୍ରେଡ୍ ପ୍ରଭାବିତ ହେଉଥିବା ଜଣାପଡ଼ିଛି ।

Advertisment

ଛାତ୍ରସଂସଦ ନିର୍ବାଚନ ଦାବିରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ ସହ ଅଣ୍ଡାମାଡ଼ କରାଯାଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାବେଳେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତମାନଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା । ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ର ନେତାମାନଙ୍କୁ ପୁଲିସ ଉଠାଇ ନେଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରୀ ୟାସିର ଅଭିଯୋଗ କରିଛନ୍ତି ଯେ ନବୀନ ପଟ୍ଟନାୟକ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ।

ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସରକାରୀ ଅର୍ଥରେ ଭିତିଭୂମି ନିର୍ମାଣରେ ଯେଉଁ ବ୍ୟାପକ ଅର୍ଥ ବାଟମାରଣା ହେଉଛି ଏଥିରେ ରାଜ୍ୟ ସରକାରଙ୍କ ସହମତି ରହିଛି । ଛାତ୍ର ସଂସଦ ନିର୍ବାଚନ ହେଲେ ବିରୋଧୀ ଦଳର ଛାତ୍ର ନେତା ଏହି ଲୁଟତରାଜକୁ ବିରୋଧ କରିବେ । ତେଣୁ ନବୀନ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନରେ ଏଭଳି ଛାତ୍ର ବିରୋଧୀ ନୀତି ଗ୍ରହଣ କରିଛନ୍ତି ।  ରମାଦେବୀର ନୂତନ ପାଚେରୀ ଭୁଷୁଡ଼ିବା ଏବଂ ଉଦ୍‌ଘାଟନ ଦିନ ବାଙ୍କି ସ୍ୱୟଂଶାସିତ ମହ୍ୟାବିଦ୍ୟାଳୟର ଖେଳପଡ଼ିଆର ଗ୍ୟାଲେରି ଭୁଷୁଡ଼ିବା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ସେ ଅଭିଯୋଗ କରିଛନ୍ତି । ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନର ଅବ୍ୟବସ୍ଥାକୁ ଲୁଚାଇବାକୁ ଛାତ୍ର ସଂସଦ ନିର୍ବାଚନକୁ ୬ବର୍ଷ ଧରି ବାତିଲ କରାଯାଉଛି । ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ଏବେ କଲେଜଗୁଡ଼ିକରେ ଆଡମିଶନରେ ଦଲାଲ ସାଜିଛନ୍ତି ଓ ଜାଲ୍ ସାର୍ଟିଫିକେଟ୍ ଦେଇ ଆଡମିଶନ କରୁଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି ।

Advertisment

ସେହିପରି ବାଣୀବିହାରଠାରେ ଏବିଭିପି ସଂଗଠନ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପୋଷ୍ଟର ପୋଡ଼ି ପ୍ରତିବାଦ କରାଯାଇଥିଲା । ଏବିଭିପି ରାଜ୍ୟ ସମ୍ପାଦକ ଅଭିଜିତ୍ ପଟ୍ଟନାୟକ କହିଛନ୍ତି ଯେ, ଯଦି ଛାତ୍ର ସଂସଦ ନିର୍ବାଚନ ନହେବ ତା’ହେଲେ ଆଗାମୀ ଦିନରେ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବୁ ବୋଲି ଏବିଭିପି ଚେତାବନୀ ଦେଇଛି । ସେହିପରି ଅଲ ଓଡ଼ିଶା ଷ୍ଟୁଡେଣ୍ଟସ୍ ଭଏସ୍ ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ସେମାନଙ୍କୁ ପୁଲିସ ଅଟକ ରଖିଥିଲା ।

ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ ହେଉନଥିବାରୁ ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେସନ କାଉନସିଲ(ନାକ) ପକ୍ଷରୁ ଶିକ୍ଷାନୁଷ୍ଠାନକୁ ଦିଆଯାଉଥିବା ଗ୍ରେଡ୍ ପ୍ରଭାବିତ ହେଉଛି । ନାକ୍ ପକ୍ଷରୁ ଯେଉଁ ୭ଟି ମାନଦଣ୍ଡକୁ ଯାଂଚ କରାଯାଏ ସେଥିରେ ଛାତ୍ରଛାତ୍ରୀମାନଙ୍କ ସହଭାଗିତା ଓ ଛାତ୍ର ସଂସଦର କାର୍ଯ୍ୟକଳାପ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାନୁଷ୍ଠାନ କମିଟିରେ ପ୍ରତିନିଧିତ୍ୱକୁ ମଧ୍ୟ ବିଚାର କରାଯାଏ । ଯେହେତୁ ରାଜ୍ୟରେ ୨୦୧୮ ମସିହା ପରଠୁ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ ତେଣୁ ଛାତ୍ରଛାତ୍ରୀଙ୍କ ଭାଗିଦାରୀ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ରହିପାରୁନି । ଯାହା ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକର ଗ୍ରେଡକୁ ପ୍ରଭାବିତ କରୁଛି । ନିକଟରେ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ଗ୍ରେଡ୍ ‘ଏ+’ରୁ ‘ଏ’ ହ୍ରାସ ପାଇବାରେ ଛାତ୍ରସଂସଦ ନିର୍ବାଚନ ବାତିଲ ହେବା ପ୍ରମୁଖ କାରଣ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ନାକ୍ ପକ୍ଷରୁ ରାଜ୍ୟର ୧୬ଟି ବିଶ୍ୱବିଦ୍ୟାଳୟ ଓ ୩୦୨ଟି କଲେଜକୁ ଗ୍ରେଡ୍ ପ୍ରଦାନ କରାଯାଇଛି । ତେବେ ଘରୋଇ କଲେଜଗୁଡ଼ିକୁ ବାଦ୍ ଦେଲେ ଅଧିକାଂଶ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଗ୍ରେଡ୍ ପୂର୍ବ ତୁଳନାରେ ହ୍ରାସ ପାଇଛି ।

Student Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe