‘ନବୀନ’ମୟ ହେବ କଲେଜ କ୍ୟାମ୍ପସ: ପ୍ରତି ସୋମବାର ପିଲା ଶୁଣିବେ ‘ଭାରତୀୟ ହକି’କୁ ନବୀନଙ୍କ ଅବଦାନ ଗାଥା

ହକିର ଗୌରବମୟ ଇତିହାସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବର୍ତ୍ତମାନର ପୀଢ଼ୀ ମଧ୍ୟରେ ହକିର ଭୂମିକା ଓ ଗୁରୁତ୍ୱକୁ ପ୍ରଚାର କରାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ନବୀନ ପଟ୍ଟନାୟକ

  • Published: Tuesday, 10 October 2023
  • , Updated: 10 October 2023, 09:24 PM IST

ଏଣିକି ପ୍ରତ୍ୟେକ ସୋମବାର ରାଜ୍ୟର ସମସ୍ତ ସରକାରୀ,ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରାଯିବ । ଭାରତୀୟ ହକିର ପୁନରୁଦ୍ଧାର ଓ ହୃତଗୌରବ ଫେରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନର ଗାଥା କ୍ୟାମ୍ପସରେ କଲେଜ ପିଲାମାନଙ୍କୁ ଅବଗତ କରାଯିବ । ଏହାସହିତ କ୍ୟାମ୍ପସରେ ନବୀନଙ୍କ ଫଟୋଚିତ୍ର ସହ ଭାରତୀୟ ହକି ଦଳକୁ ଅଭିନନ୍ଦନର ସନ୍ଦେଶ ଥିବା ବଡ଼ ବଡ଼ ବ୍ୟାନର କଲେଜ କ୍ୟାମ୍ପସରେ ଲାଗିବ । ଭାରତୀୟ ହକିର ବିକାଶ ଯାତ୍ରା ଅନେକାଂଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ସମର୍ଥନ ଓ ଆଶୀର୍ବାଦ ଯୋଗୁ ସମ୍ଭବପର ହୋଇପାରିଛି । ମୁଖ୍ୟମନ୍ତ୍ରୀ ହିଁ ଓଡ଼ିଶାକୁ ହକିର ବିଶ୍ୱସ୍ତରୀୟ ହବରେ ପରିଣତ କରିଛନ୍ତି ଏଭଳି କିଛି ସନ୍ଦେଶକୁ କଲେଜ କ୍ୟାମ୍ପସର ଛାତ୍ରଛାତ୍ରୀମାନଙ୍କ ଅବଗତ କରାଇବାକୁ ପ୍ରିନ୍ସିପାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ସୋମବାର ରାଜ୍ୟବ୍ୟାପୀ ସମସ୍ତ ସ୍କୁଲରେ ପିଲାମାନଙ୍କୁ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ସ୍ୱର୍ଣ୍ଣ ଜିତିବା ଓ ୨୦୨୪ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ତେବେ ସରକାରଙ୍କ ଏଭଳି ମାନସିକତାକୁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିରୋଧ କରିଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ କଲେଜ କ୍ୟାମ୍ପସଗୁଡ଼ିକୁ ବିଶାଳ ବ୍ୟାନର ଆଦି ମାଧ୍ୟମରେ ନବୀନମୟ କରି ନବୀନଙ୍କ ପ୍ରଶଂସାରେ ଛାତ୍ରଛାତ୍ରୀମାନେ ଶତମୁଖ ହେବା ପାଇଁ  ପରୋକ୍ଷରେ ପ୍ରୟାସ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ,ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ପିକେ ମିଶ୍ର ଆଜି ସମସ୍ତ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ପ୍ରତ୍ୟେକ ସୋମବାର କଲେଜ କ୍ୟାମ୍ପସରେ ଥିବା ଖୋଲା ସ୍ଥାନରେ ଛାତ୍ରଛାତ୍ରୀମାନଙ୍କୁ ଏକଜୁଟ କରି ହକିର ସ୍ୱର୍ଣ୍ଣିମ ଓ ଗୌରବମୟ ଇତିହାସ ସମ୍ପର୍କିତ ଇଂରାଜୀ ଓ ଓଡ଼ିଶା ଭାଷାର ସନ୍ଦେଶ ପଢ଼ି ଶୁଣାଇବାକୁ କୁହାଯାଇଛି । ଏହି ସମବେତ ଛାତ୍ରଛାତ୍ରୀମାନଙ୍କୁ ଚକୋଲେଟ୍ କିମ୍ବା ମିଠା ବଂଟନ କରାଯିବ । ଉକ୍ତ ଖର୍ଚ୍ଚ କଲେଜର କଣ୍ଟିଜେନ୍ସି ପାଣ୍ଠିରୁ ବହନ କରାଯିବ । ସେହିପରି କଲେଜ କ୍ୟାମ୍ପସର ପ୍ରମୁଖ ସ୍ଥାନରେ ବ୍ୟାନର ଲଗାଇ ହକିର ପ୍ରଚାର କରାଯିବ । ଏହି ବ୍ୟାନର କିଭଳି ହେବ ତା’ର ନମୂନା ମଧ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ଓ ସେଥିରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରାଟ ଫଟୋଚିତ୍ର ରହିଛି । ପିଲାମାନେ ଏକଜୁଟ ହେବ ଓ କ୍ୟାମ୍ପସରେ ବ୍ୟାନର ଲାଗିବାର ଫଟୋଚିତ୍ରକୁ ଉଚ୍ଚଶିକ୍ଷା ବିଭାଗରେ ଦାଖଲ କରିବାକୁ କୁହାଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ଏହାର ବ୍ୟାପକ ପ୍ରଚାରପ୍ରସାର କରିବା ନିମନ୍ତେ ପ୍ରିନ୍ସିପାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ହକିର ଗୌରବମୟ ଇତିହାସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବର୍ତ୍ତମାନର ପୀଢ଼ୀ ମଧ୍ୟରେ ହକିର ଭୂମିକା ଓ ଗୁରୁତ୍ୱକୁ ପ୍ରଚାର କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଭାରତୀୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ଓଡ଼ିଶା ସରକାର ସାଜିଛନ୍ତି । ଏହାସହ ୨୦୨୦ ଓ ୨୦୨୩ରେ ହକି ବିଶ୍ୱକପ୍ ମଧ୍ୟ ଆୟୋଜନ କରିଛନ୍ତି । ଯେଉଁ ଦୁଇ ପୃଷ୍ଠାର ସନ୍ଦେଶ ପିଲାମାନଙ୍କ ଆଗରେ ପାଠ କରାଯିବ ସେଥିରେ ଉଲ୍ଲେଖ ରହିଛି ଯେ, ୧୯୨୮, ୧୯୩୨, ୧୯୩୬ରେ ଅନୁଷ୍ଠିତ ହୋଇଥିବା ପ୍ରତ୍ୟେକ ଅଲମ୍ପିକ୍ସରେ ଭାରତ କ୍ରମାଗତ ସ୍ୱର୍ଣ୍ଣପଦକ ଜିତିଥିଲା ।

ସ୍ୱାଧୀନତା ପରେ ୧୯୪୮ରେ ଲଣ୍ଡନ ଅଲମ୍ପିକ୍ସରେ ବ୍ରିଟେନକୁ ପରାସ୍ତ କରି ଭାରତ ହକି ସ୍ୱର୍ଣ୍ଣ ପଦକ ଜିତିବା ସହ ପ୍ରଥମଥର ପାଇଁ ଭାରତ ବାହାରେ ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା । ପୁଣି ୧୯୫୨,୧୯୫୬, ୧୯୬୪ ଓ ୧୯୮୦ରେ ଅଲମ୍ପିକ୍ସ ପଦକ ଭାରତ ଜିତିଥିଲା । ଅଲମ୍ପିକ୍ସ ହକି ଇତିହାସରେ ଭାରତ ୮ଟି ସ୍ୱର୍ଣ୍ଣପଦକ ଜିତି ସବୁଠୁ ସଫଳ ଦେଶ ହୋଇପାରିଛି । କିନ୍ତୁ ଖେଳ ପରିବେଶରେ ପରିବର୍ତ୍ତନ କରାଯାଇ ସିନ୍ଥେଟିକ୍ ଟର୍ଫ ବାଧ୍ୟତାମୂଳକ କରାଯିବା ପରେ ଭାରତ ହକିରେ ହାରିବା ଆରମ୍ଭ ହୋଇଥିଲା । ମହଙ୍ଗା ଆଷ୍ଟ୍ରୋ ଟର୍ଫକୁ ବହନ କରିପାରୁଲୁ ନାହିଁ ଓ ଧନୀ ଦେଶମାନେ ଶୀଘ୍ର ଆଷ୍ଟ୍ରୋ ଟର୍ଫ ରଖିବାରେ ସକ୍ଷମ ହୋଇଥିଲେ । ଆଉ ହକି ଉପରେ ଆଧିପତ୍ୟ କରିବା ଆରମ୍ଭ କଲେ । ଫଳରେ ଭାରତକୁ ହକିରେ ବହୁ କ୍ଷତି ସହିବାକୁ ପଡ଼ିଲା ।

୨୦୦୮ ବେଜିଂ ଅଲମ୍ପିକ୍ସରେ ଭାରତ ପ୍ରଥମଥର ପାଇଁ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିପାରିନଥିଲା । ତେଣୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତୀୟ ହକିର ଗୌରବକୁ ପୁନରୁଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ଏହି ଐତିହାସିକ ପଦକ୍ଷେପ ଭାରତୀୟ ହକି ଦଳକୁ ବିଶ୍ୱରେ ଉଲ୍ଲେଖନୀୟ ମାନ୍ୟତା ହାସଲ କରିବାରେ ସହାୟକ ହୋଇଛି । ଭାରତୀୟ ଦଳ ଏବେ ବିଶ୍ୱରେ ୩ ନମ୍ବର ସ୍ଥାନ ରହିଛି । ଏହି ପ୍ରାୟୋଜକତା ଓ ସମର୍ଥନ ଯୋଗୁ ଜାତୀୟ ଦଳଗୁଡ଼ିକୁ ବିଶ୍ୱସ୍ତରରେ ଅଗ୍ରଣୀ ଦଳ କରିବାରେ ସାହାଯ୍ୟ କରିପାରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ହକିର ବିଶ୍ୱସ୍ତରୀୟ ହବରେ ପରିଣତ କରିଛନ୍ତି । ସମଗ୍ର ବିଶ୍ୱରେ ଓଡ଼ିଶାର ପରିଚୟ ହକି ପାଲଟିଛି । ଭାରତୀୟ ହକିର ବିକାଶ ଯାତ୍ରା କ୍ରମଶଃ ବୃଦ୍ଦି ପାଉଛି ଓ ଅନେକାଂଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ସମର୍ଥନ ଓ ଆଶୀର୍ବାଦ ହିଁ ଏହାକୁ ସମ୍ଭବ କରିପାରିଛି । ହକିର ଏକ ଘର ଅଛି ଓ ତାହା ହେଉଛି ଓଡ଼ିଶା । ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ଦଳ ଯେମିତି ସ୍ୱର୍ଣ୍ଣ ପଦକ ଜିତିବ ସେ ନେଇ ପ୍ରାର୍ଥନା କରିବା ବୋଲି ଏହି ସନ୍ଦେଶରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ସମସ୍ତ ସ୍କୁୂଲରେ ସୋମବାର ‘୨୦୨୪ ପ୍ୟାରିସ୍ ଅଲମ୍ପିକ୍ସରେ ଚମକିବ ଭାରତ’ ଶୀର୍ଷକ ବାର୍ତ୍ତା ପାଠ କରାଯାଇଥିବାବେଳେ ସମସ୍ତ କଲେଜରେ ‘ ହକି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ସମର୍ଥନ ଭାରତକୁ ଅଲମ୍ପିକ୍ସ ଏସୀୟ କ୍ରୀଡ଼ାରେ ପଦକ ହାସଲ କରିବାରେ ସହାୟକ ହୋଇଛି’ ଶୀର୍ଷକ ସନ୍ଦେଶ ପାଠ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହକିକୁ ଦୃଢ଼ ସମର୍ଥନ ଯୋଗୁ ଭାରତୀୟ ଟିମ୍ ଅଲମ୍ପିକ୍ସ ଓ ଏସୀୟ କ୍ରୀଡ଼ାରେ ପଦକ ହାସଲରେ ସହାୟକ ହୋଇଥିବାର ସନ୍ଦେଶ କଲେଜ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ କଲେଜ ସମେତ ୪୮୮ ଓ ୬୬୨ବର୍ଗର ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

 

Related story